Unknown

 

 

 

 

 

 

 

 

 

 

 

ଯୁଗମାନବ

ଶ୍ରୀ ରମେଶଚନ୍ଦ୍ର ଧଳ

 

ଅଭିମତ

 

ଅନେକ ନୂଆ ଲେଖକ ଆଗ ବହିର ନାମ ଠିକ କରି ପଛେ ବହି ଲେଖିବାର ଦେଖାଯାଇ ଥାଏ । ଶ୍ରୀମାନ ରମେଶଚନ୍ଦ୍ର ଧଳଙ୍କର ଏ ପାଣ୍ଡୁଲିପି ତହିଁର ବ୍ୟତିକ୍ରମ ବୋଲି ମନେହୁଏ । ଏହାର ନାଁ ନାହିଁ; ମାତ୍ର ଭିତରେ ବହୁ ବଡ଼ ଲୋକଙ୍କର ନାଁ ଅଛି । ଛପାରେ ସେ ଏହାର କି ନାମ ଦେବେ ଜାଣେନା; କିନ୍ତୁ ଏହା ଲେଖି ଜୀବନୀ ଲେଖାର ପ୍ରଣାଳୀ ସେ ବଦଳେଇ ପାରିଛନ୍ତି ବୋଲି ମନେହୁଏ । ଜଗତର ବହୁ ବିଶିଷ୍ଟ ଶିକ୍ଷାବିତ, ଧର୍ମଗୁରୁ, ଦେଶସେବକ, ସାଧକ,ବିପ୍ଳବୀ ନେତା ଓ କଥାକାରଙ୍କ ଜୀବନର ଛୋଟ ଛୋଟ ଅଥଚ ମହନୀୟ ଘଟଣାବଳୀକୁ ନୂଆ ଢଙ୍ଗରେ ସେ ସଜେଇ ପାରିଛନ୍ତି । ଲେଖାର ଭାଷା ସରଳ, ଆଉ ରୁଚିକର ଜୀବନୀକୁ ସେ ଗଳ୍ପ ପରି ଲେଖି ପାରିଛନ୍ତି, ଏହି ହେଉଛି ତାଙ୍କର ବାହାଦୁରୀ । ଆମ ଦେଶର ଗଳ୍ପ ପ୍ରେମୀ ପାଠକମାନେ ଏହା ଭିତରେ ଗଳ୍ପର ଛାଇ ଓ ଜୀବନର ରସ ପାଇ ପାରିବେ ବୋଲି ଆଶାକରେ । ଭାଷାରେ ସ୍ଥାନେ ସ୍ଥାନେ କିଞ୍ଚିତ ତ୍ରୁଟି ଦେଖାଯାଏ,ନୂଆ ଲେଖକଙ୍କ ପକ୍ଷରେ ତାହା ସ୍ଵାଭାବିକ ।ଚେଷ୍ଟା କଲେ ଶ୍ରୀମାନ ରମେଶ ଚନ୍ଦ୍ର ଯେ ଓଡ଼ିଆ ସାହିତ୍ୟକୁ ବହୁତ କିଛି ଦାନକରି ପାରିବେ, ଏ ଲେଖା ତହିଁର ସୂଚନା ଦିଏ । ॥ ଇତି ॥

 

କଟକ

ଗୋଦାବରୀଶ ମହାପାତ୍ର

୩୧-୧୧-୫୮

ସମ୍ପାଦକ,“ନିଆଁ ଖୁଣ୍ଟା”

★★★

 

ଉତ୍ସର୍ଗ

 

ମୋର କକା

ଅଧ୍ୟାପକ ଶ୍ରୀଯୁକ୍ତ ଗୋଲକ ବିହାରୀ ଧଳଙ୍କୁ

ଗଭୀର ଭକ୍ତି ଓ ଶ୍ରଦ୍ଧାର ସହିତ:

 

ଗଞ୍ଜେଇ ଡିହ

ଶ୍ରୀଗୁଣ୍ଡିଚା

୨୬-୬–୬୦

★★★

 

ଆଉପଦେ

 

ଆଜି ଆମ ଦେଶରେ ଲୋକେ ଉପନ୍ୟାସ ଓ ଗଳ୍ପ ଯେତେ ପଢ଼ନ୍ତି ତା ତୁଳନାରେ ଜୀବନୀ ଏତେ କମ ପଢ଼ନ୍ତି ଯେ ଜୀବନୀ ଲେଖା ପ୍ରତି କୌଣସି ମମତା ଥିଲା ପରି ଜଣା ପଡ଼େନାହିଁ । ଟିକିଏ ଭାବିଲେ ବେଶ ବୁଝାଯିବ ଯେ କୌଣସି ଉପନ୍ୟାସ କିମ୍ବା ଗଳ୍ପ ଅପେକ୍ଷା ଜୀବନୀର ମୂଲ୍ୟ ଅତି ଅଧିକ । କୌଣସି ବିକାଶ, ଦେଶ ଅଥବା ସଭ୍ୟତା ଗଢ଼ିବାରେ ଏ ଜୀବନୀଗୁଡ଼ିକ ପ୍ରଥମ ପାହାଚ । ପ୍ରଥମ ଆଶ୍ରୟ ଘନ ଅଂଧକାର ଭିତରେ ଆଲୋକ ଦୀପଟି ଆମକୁ ଆଗେଇ ନେବାରେ ଯେପରି ସାହାଯ୍ୟ କରେ, ବିରାଟ ବ୍ୟକ୍ତିଙ୍କ ଜୀବନଗୁଡ଼ିକ ସେପରି ଆମ ଜୀବନମାର୍ଗକୁ ଆଲୋକିତ କରେ,ବାଟ ବତାଏ ।

 

ଜୀବନୀଗୁଡ଼ିକର ଆଦର ଯେ ଏତେ କମ ସେଥିପାଇଁ ପାଠକ ଯେତେ ଦାୟୀ ନୁହନ୍ତି ଲେଖକ ତା’ଠାରୁ ଅଧିକ ଦାୟୀ । ଜୀବନୀ ଛପାଇବା ପାଇଁ ପ୍ରକାଶକମାନେ ମଧ୍ୟ ଆଗ୍ରହ ଦେଖାଇ ନଥାନ୍ତି । ଅଧିକାଂଶ ଜୀବନୀ ଲେଖା ଜୀବନ ପରି ସରସ ଓ ସୁନ୍ଦର ନ ହୋଇ ବରଂ କ୍ଳାନ୍ତିକର । ସାଧାରଣ ଜୀବନୀ କହିଲେ ଏଣୁ ତେଣୁ ଗୁଡ଼ାଏ ବାଜେ ଘଟଣା ଓ ଗୁଡ଼ାଏ ଅନାବଶ୍ୟକ ତାରିଖକୁ ବୁଝାଏ । କିନ୍ତୁ ପାଶ୍ଚାତ୍ୟ ଦେଶମାନଙ୍କରେ ଜୀବନୀଗୁଡ଼ିକୁ ଆଜିକାଲି ଯେତେ ଚମତ୍କାର ଭାବେ ଲେଖାଯାଇପାରେ ସେଥିପାଇଁ ଚେଷ୍ଟା କଗଯାଉଛି । ଜୀବନୀ ଲେଖକ ରୂପେ ଡେଲକାର୍ରନେସୀଙ୍କ ଆଜି ଭାରି ନାଁ । ଯେ ପଢ଼ିଥିବେ ସେ ଜାଣିଥିବେ ଯେ ସେ ଡ଼ିରେକ୍ଟ ମେଥଡ଼ରେ ଜୀବନୀ ଲେଖନ୍ତି, ଅର୍ଥାତ ଲୋକଙ୍କ ସଙ୍ଗେ ମିଶି କିମ୍ବା ମୃତ ବ୍ୟକ୍ତିଙ୍କ ଜନ୍ମସ୍ଥାନକୁ ଯାଇ ତାଙ୍କ ବାସସ୍ଥାନରେ ରହି ପ୍ରତ୍ୟକ୍ଷ ଅନୁଭବ ଦ୍ଵାରା ଜୀବନୀ ଲେଖନ୍ତି ।

 

ଓଡ଼ିଆ ପାଠକମାନେ ଜୀବନୀ ପଢ଼ିବା ପାଇଁ ଆଜିକାଲି ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ଆଜକୁ କେତେବର୍ଷ ତଳେ ଖଣ୍ଡିଏ ଜୀବନୀ ପୁସ୍ତକ “ଅମରମଣିଷ’’ ବିଷୟରେ ଓଡ଼ିଶାର ଭିନ୍ନ ପତ୍ର ପତ୍ରିକାର ମତାମତ ଦେଖି ସେ ପୁସ୍ତକ ସତ ଜୀବନୀ ଲେଖିବା ପାଇଁ ମୁଁ ଉତ୍ସାହିତ ହୋଇଥିଲି । ଏ ପୁସ୍ତକରେ ସେ ଲେଖନୀ–ଧାରା ମୁଁ ଅନୁସରଣ କରିବାକୁ ଚେଷ୍ଟା କରିଛି ।

 

ଆଜି ଇଂରେଜ ଭାଷାର ପ୍ରାଧାନ୍ୟ ଭାରତୀୟ ବିଦ୍ୟାଳୟ-ମାନଙ୍କରେ କମିଯାଉଥିବା ଫଳରେ ଇଂରେଜ ଲେଖକମାନଙ୍କ ବିଷୟରେ ଆମର ଚେତନା କମିଯାଉଛି । ସେହି ବିଶ୍ଵବନ୍ଦ୍ୟ ଲେଖକମାନଙ୍କର ଜୀବନ-କାହାଣୀ ଏ ପୁସ୍ତକରେ ବିଶେଷ ଭାବରେ କୁହାଯାଇଛି । ଧନୀ ଓ ମାନିଙ୍କ ଅପେକ୍ଷା ଲେଖା ଏବଂ ଲେଖକ ଓ ଦେଶ ସେବକ ଜାତୀୟ ଜୀବନରେ ଅଧିକ ମୂଲ୍ୟବାନ-। ସେଥିପାଇଁ ମୁଁ ଭାରତୀୟ ତଥା ବିଦେଶୀ ଲେଖକ ଓ ନେତାମାନଙ୍କ ମଧ୍ୟରୁ ମୋର କେତେକ ପ୍ରିୟ ଲେଖକ ଓ ନେତାଙ୍କ ଜୀବନ-କାହାଣୀ ଗଳ୍ପ ଆକାରରେ କରିବାକୁ ଚେଷ୍ଟା କରିଛି ।

 

ଏହି ଜୀବନୀ ମଧ୍ୟରୁ କେତେକ ସମସାମୟିକ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥିଲା । ସେମାନଙ୍କୁ ମିଶାଇ ଆଉ କେତେକ ଲେଖା ସହିତ ବହି ଲେଖାଯାଇଛି । ବହି ଲେଖିବାର ଏହି ମୋର ପ୍ରଥମ ପ୍ରୟାସ । ଏଥିରୁ ଦେଶବାସୀ ଭାଇ ଭଉଣୀ ଯଦି କିଛି ଶିଖିବାର ଜିନିଷ ପାଆନ୍ତି, ତେବେ ମୁଁ ଉତ୍ସାହ ଅନୁଭବ କରିବି ।

 

। ଇତି ।

ଲେଖକ

★★★

 

କୃତଜ୍ଞତା ଜ୍ଞାପନ

 

ଓଡ଼ିଶାର ସୁପରିଚିତ ସାହିତ୍ୟିକ ଓ ସୁସାମ୍ବାଦିକ ଶ୍ରୀଯୁକ୍ତ ଗୋଦାବରୀଶ ମହାପାତ୍ର ତାଙ୍କର ବହୁମୁଲ୍ୟ ସମୟ ନଷ୍ଟକରି ମୋ ବହିର ଅଭିମତ ଲେଖି ଦେଇ ଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।

 

ମୋ ସାନ କକା ଶ୍ରୀଯୁକ୍ତ ନିବାରଣ ଚନ୍ଦ୍ର ଧଳ, ବଂଧୁ ଶ୍ରୀ ଗଜେନ୍ଦ୍ର ନାୟକ, ଶ୍ରୀ ନରସିଂହ ପ୍ରସାଦ ପାଣିଗ୍ରାହି, ଶ୍ରୀ ଶରତ କୁମାର ନାୟକଙ୍କର ସହଯୋଗ ଓ ଉତ୍ସାହ ବହିଟି ପ୍ରକାଶ କରିବା ପାଇଁ ମୋତେ ବହୁତ ପ୍ରେରଣା ଦେଇଛି ।

 

ଅଧ୍ୟାପକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ମହାନ୍ତି (ବି) ଅଧ୍ୟାପକ ଶ୍ରୀଯୁକ୍ତ ତ୍ରିଲୋଚନା ମିଶ୍ର ଓ ପ୍ରକାଶକ ଦାସ ବ୍ରଦର୍ସଙ୍କ ଆନୁକୁଲ୍ୟରୁ ଏଥିରେ ଥିବା ବିଭିନ୍ନ ଛବିଗୁଡ଼ିକ ପାଇପାରିଛି । ଏମାନଙ୍କର ସାହାଯ୍ୟ ପାଇ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଇତି ।

 

ଲେଖକ

★★★

 

ଲେଖକଙ୍କର ଅନ୍ୟାନ୍ୟ ପୁସ୍ତକ

 

୧.

ରବିବାର ଗଳ୍ପ

(କ୍ଷୁଦ୍ରଗଳ୍ପ)

୨.

ମୁଠାଏ ନାଲି ଚୁଡ଼ି

(କ୍ଷୁଦ୍ରଗଳ୍ପ)

୩.

ଫୁଲ ଓ ସ୍ପୁଲିଙ୍ଗ

(ଅନୁବାଦଗଳ୍ପ)

ପ୍ରକାଶ ଅପେକ୍ଷାରେ–

୪.

ସଭ୍ୟତାର କାହାଣୀ

(ଇତିହାସ)

୫.

ପ୍ରତୀକ୍ଷାରେ ଅଛି

(କବିତା)

★★★

 

ସୂଚୀପତ୍ର

 

୧.

ନିରନ୍ନଙ୍କୁ ଅନ୍ନ ଦାନ ଯା’ର ଜୀବନ-ସାଧନା ବିନୋବା

୨.

ବିଶ୍ୱବିଦ୍ୟାଳୟ ନ ମାଡ଼ି ସେ ବିଶ୍ଵକବି–ରବୀନ୍ଦ୍ରନାଥ ଠାକୁର

୩.

ଘୋଡ଼ାଗାଡ଼ିର ଚାଳକ ହେବା ଯା’ର ଜୀବନର ସ୍ଵପ୍ନ ସେ ହେଲେ ଦୁନିଆର ଧର୍ମଗୁରୁ–ସ୍ଵାମୀ ବିବେକାନନ୍ଦ

୪.

ଦେଶପାଇଁ ଦାନ ଦେଇ ଯେ ଦେବାଳିଆ–ମଧୁବାବୁ

୫.

ଚିତ୍ତରଞ୍ଜନଙ୍କ ଚେକ୍‍ ରେ ଯାହାଙ୍କ ପାଇଁ ଅଙ୍କ ନଥିଲା–ଶରତ ଚନ୍ଦ୍ର

୬.

ବୀଜଗଣିତ କଠିନ ହେବାରୁ ସେ ଲେଖି ବସିଲେ କବିତା–ସରୋଜିନୀ ନାଇଡୁ

୭.

ବିପ୍ଲବୀ କବିଙ୍କ ପାଇଁ ଅସି ଓ ମଶି ସବୁ ସମାନ –କବି ନାଜରୁଲ

୮.

ବାପୁଜୀଙ୍କ ବକ୍ତୃତାକୁ ବ୍ରିଜ୍‍ ଖେଳରୁ ଯେ ଅଧିକ ମନେ କରୁ ନଥିଲେ–ଲୌହ ମାନବ ପଟେଲ

୯.

ପଥପ୍ରାନ୍ତେ ଯା’ର ମୃତ୍ୟୁ ଜୀବନ ପଥିକକୁ ସେ ପଥ ବତାଏ–ଲିଓ ଟଲଷ୍ଟାୟ

୧୦.

ସେ ଦିନର ସିପାହୀ ଆଜି ବିଶ୍ଵର ସାହିତ୍ୟ ରଥୀ–ହୋମିଂୱେ

୧୧.

ଘୋଡ଼ା ଜଗାଳି ପିଲା ଇଂରାଜୀ ସାହିତ୍ୟର ନାଟ୍ୟ ସମ୍ରାଟ–ସେକ୍ସପିୟର

୧୨.

ମାର୍କିନ ମାଟିରେ ଜନ୍ମ ଯାହାର ସେ ପୁଣି ଲାଲ ଚୀନର କଥାକାର–ପାର୍ଲସ୍‍ବକ

୧୩.

ଅଶ୍ରୁ ଯା’ର ଆଶ୍ରୟ ପ୍ରତିଶବ୍ଦ ତା’ର ତିନି ପାଉଣ୍ଡ–ଚାର୍ଲସ୍‍ ଡିକେନ୍ସ

୧୪.

ମେଡିସିନ୍ ଓ ସିନେମା ବୁଦ୍ଧିଥିଲେ ସବୁ ସମାନ–ସମରସେଟ୍‍ ମମ୍

୧୫.

ଭଲ ଲେଖିବା ପାଇଁ ସେ ସଫା ପୋଷାକ ପିନ୍ଧି ବସୁଥିଲେ–ହେନେରୀଡ଼୍‍ ବାଲଜାକ୍

୧୬.

ବାରବର୍ଷରେ ସେ ଖଡ଼ି ଛୁଇଁଥିଲେ ବିଶ୍ଵସଭ୍ୟତାକୁ ବଞ୍ଚାଇବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ–ଉଡ୍ର ଉଇଲସେନ

୧୭.

ଗୋଟିଏ ରାଇଫଲର ସମ୍ମୁଖୀନ ହୋଇ କୋଟିଏ ରାଇଫଲର ସମ୍ମାନ ଲାଭ କରିଥିଲେ–ରୁଜ୍‍ଭେଲଟ୍‍

୧୮.

କାର୍ଡ଼ବୋର୍ଡ଼ କାଟି ଯେ ସାର୍ଟ କଲାର ପିନ୍ଧୁଥିଲେ ସେ ହେଲେ କୋଟିପତି ଲେଖକ–ଆଲେକ୍‍ଜାଣ୍ଡାର ଡୁମାସ୍‍

୧୯.

ବିପ୍ଳବକୁ ବଞ୍ଚାଇବା ପାଇଁ ସ୍ୟାହି ଛାଡ଼ି ସେ କ୍ଷୀରରେ ଲେଖୁଥିଲେ–ଲେନିନ୍‍

୨୦.

ହାତରେ ଶଙ୍ଖା ଥାଉ ଥାଉ ଯେଉଁମାନେ ଦର୍ପଣ ଖୋଜୁଥିଲେ ମେରିଟଡ଼୍‍, ଜୋସେଫିନ, ମିସେସ୍‍ ଳିଙ୍କନ୍‍

★★★

 

ନିରନ୍ନକୁ ଅନ୍ନଦାନ ଯା’ର ଜୀବନ-ସାଧନା

 

ସ୍ଵାଧୀନତା ପୂର୍ବରୁ କଂଗ୍ରେସ କର୍ମୀମାନେ ଯେପରି ଦେହରେ ଖଦଡ଼ ପିନ୍ଧି, ହାତରେ ଝୁଲାଧରି ପୁରପଲ୍ଲୀରେ ଘୁରୁଥିଲେ ସ୍ଵାଧୀନତା ପରେ ଆଜି ଭୂଦାନ କର୍ମୀମାନେ ମଧ୍ୟ ସେହିପରି ଘୂରୁଛନ୍ତି । କିନ୍ତୁ ସେମାନଙ୍କ ପ୍ରତି ଲୋକଙ୍କର ସେ ପୂର୍ବ ଶ୍ରଦ୍ଧା ନାହିଁ କିମ୍ବା ତାଙ୍କ କଥା ଶୁଣିବାର ଆଗ୍ରହ ନାହିଁ । ସେମାନଙ୍କୁ ଦେଖି କିଏ ନାକ ଟେକୁଛି ତ କିଏ ଦୟାକରି ଦିପଦ ଶୁଣିଥାଏ । ଏହାର କାରଣ କ'ଣ ଟିକିଏ ଚିନ୍ତାକଲେ ସହଜରେ ବୁଝିହୁଏ ।

 

ଲୋକେ ଆଜି ଭୂଦାନ କର୍ମୀଙ୍କୁ ଶ୍ରଦ୍ଧା କରନ୍ତୁ ବା ନ କରନ୍ତୁ ‘ଭୂଦାନ’ ଯେ ଆଜି ଶିକ୍ଷିତ ମହଲରେ ଗୋଟାଏ ବିପ୍ଳବ ସୃଷ୍ଟି କରିଛି ଏଥିରେ ଏତେ ଟିକିଏ ସନ୍ଦେହ ନାହିଁ । ଭାରତ ଛଡ଼ା ଭାରତ ବାହାରେ ଫ୍ରାନ୍ସ, ଇଂଲଣ୍ଡ, ଆମେରିକାର ଲୋକେ ଏହି ଭୂଦାନ କାର୍ଯ୍ୟପ୍ରଣାଳୀକୁ ଲକ୍ଷ୍ୟ କରି ଚାଲିଛନ୍ତି । ଭାରତର ବିଭିନ୍ନ ଅଞ୍ଚଳରୁ ଯେତେଗୁଡ଼ିଏ ସମ୍ବାଦ ପ୍ରକାଶ ପାଏ ସବୁଥିରେ ଭୂଦାନ ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥାଏ । ଏଥିରୁ ଭୂଦାନର ଗୁରୁତ୍ଵ ବେଶ ବୁଝାଯାଏ ।

 

ଭୂଦାନ କଥାଟି ନିହାତି ସରଳ । ଜମିଥିବା ଲୋକଙ୍କଠାରୁ ଜମିଦାନ ଗ୍ରହଣ କରି ଜମିହୀନ ଲୋକଙ୍କ ମଧ୍ୟରେ ବାଣ୍ଟିଦେବା ହେଲା ଭୂଦାନର ମୋଟ କଥା । ଭୂଦାନର ସ୍ରଷ୍ଟା ବିନୋବା କିନ୍ତୁ କହନ୍ତି, ଭୂଦାନ ଯଜ୍ଞ ଗରିବଙ୍କୁ ଯତ୍‍ସାମାନ୍ୟ ସୁଖସମ୍ଭୋଗ ଦେବାପାଇଁ ଆନ୍ଦୋଳନ ନୁହେଁ, ବରଂ ଏହା ଜୀବନର ମୂଲ୍ୟ ବଦଳାଇ ଦେବା ପାଇଁ ଏବଂ ଗଣମନର ପରିବର୍ତ୍ତନକୁ ଆଧାର କରି ଏକ ନୂଆ ସମାଜ ଗଢ଼ିବାକୁ ଚାହେଁ ।” ଭୂଦାନ ବିଷୟରେ ରାଜାଜୀ କହିଛନ୍ତି,‘‘ଏହା ଈଶ୍ଵରଙ୍କ ଉପରେ ଆସ୍ଥା ବଢ଼ାଇବାର ଗୋଟିଏ ଯଜ୍ଞ ।’’ କେବଳ ଭୂଦାନ ନୂହେଁ ଭୂଦାନ ସାଙ୍ଗକୁ ବିନୋବାଜୀ ସମ୍ପତ୍ତି ଦାନ, ଗ୍ରାମଦାନ ଇତ୍ୟାଦି ଆଉ କେତେଗୋଟି କଥା ଯୋଗକରି ଦେଲେଣି । ଏହି କଥାଗୁଡ଼ିକ ବଡ଼ ବିଚିତ୍ର, ଅସମ୍ଭବ ପରି ମନେ ହେଉଥିଲେ ମଧ୍ୟ ବିନୋବାଜୀ ଧୀରେ ଧୀରେ ଆପଣାର ଦୃଢ଼ ଆତ୍ମବିଶ୍ଵାସ ବଳରେ ତାହା ବାସ୍ତବରେ ପରିଣତ କରୁଛନ୍ତି ଏବଂ ତାଙ୍କର ସ୍ଵପ୍ନ ଦିନେ ଯେ ସଫଳ ହେବ ଏଥିରେ ଆମ୍ଭେମାନେ ଆଶାବାଦୀ ହେବାର ଯଥେଷ୍ଟ କାରଣ ଅଛି ।

 

ଜହରଲାଲଙ୍କ ସରକାରୀ କଳ, ନିଜାମଙ୍କ ଧନବଳ କିମ୍ବା ଡାଙ୍ଗେଙ୍କ ଦଳବଳ ବିନୋବାଙ୍କ ପଛରେ ନାହିଁ ; ହେଲେ ନେହେରୁଙ୍କଠାରୁ ଅତି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଆଜି ମାନନ୍ତି । ସବୁଦଳ ଲୋକେ ତାଙ୍କଠୁ ପରାମର୍ଶ ନିଅନ୍ତି । ଭାରତର ଜମି ସମସ୍ୟା କିପରି ବିନା ରକ୍ତପାତରେ ସମାଧାନ କରାଯାଇ ପାରିବ, ସମସ୍ତଙ୍କୁ ସେ ଗୋଟିଏ ସୁନ୍ଦର ଉପାୟ ବତାଇ ଦିଅନ୍ତି ।

 

ତେଲେଙ୍ଗାନାର ଐତିହାସିକ ଦଙ୍ଗା ହେଙ୍ଗାମାର ସମାଧାନ କରିବାକୁ ଯାଇ ହଠାତ୍‍ ଭୂଦାନ କଥାଟା ତାଙ୍କ ମୁଣ୍ଡକୁ ଆସିଲା । ସେ ଦେଖିଲେ ଯେ, ଜମିହୀନ ଲୋକେ ଜମି ନ ପାଇଲା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜମିଦାରଙ୍କ ବିରୁଦ୍ଧରେ ନିଶ୍ଚୟ ଚାଲୁ ରଖିବେ । ଏଣୁ ପ୍ରଥମେ ସେଇଠୁ ହେଲା ଭୂଦାନ ଯଜ୍ଞର ସୃଷ୍ଟି । ସେହିଦିନୁ ସେ ସ୍ଥିର କଲେ ସେ ନିର୍ଦ୍ଦିଷ୍ଟ ପରିମାଣରେ ଜମିଦାନ ନ ପାଇଲେ ସେ ବିଶ୍ରାମ ନେବେନାହିଁ ।

 

ବିନୋବା ଦିନେ ଏପରି ମହାନ ବ୍ୟକ୍ତି ହେବେ ତାଙ୍କ ଜୀବନରେ କେତେଗୋଟି ଘଟଣାରୁ ତା’ର ଆଭାସ ମିଳିଥିଲା । ସେତେବେଳକୁ ଗାନ୍ଧିଙ୍କ ସଙ୍ଗେ ତାଙ୍କର ପରିଚୟ ହୋଇସାରିଥିଲ । ସେ ଆଶ୍ରମରେ ଥାଆନ୍ତି । ତାଙ୍କ ଅନୁମତି ନେଇ ବିନୋବା ସଂସ୍କୃତ ଶିକ୍ଷା ପାଇଁ ଗୋଟିଏ ବର୍ଷ ଛୁଟି ନେଇଥିଲେ । ବିନୋବା ଗୋଟିଏ ବର୍ଷ ଛୁଟି ନେଇଥିବା କଥା ଗାନ୍ଧୀ ପୁରାପୁରି ଭୁଲିଯାଇଥାନ୍ତି । ଏ ମଧ୍ୟରେ ଗୋଟିଏ ବର୍ଷ ବିତିଯାଇଛି । ଦିନଟିଏ ବି ଏପଟ ସେପଟ ହୋଇନାହିଁ-। ଯେଉଁ ଦିନ ଗୋଟିଏ ବର୍ଷ ପରେ ବିନୋବା ଫେରି ଆସିଲେ ଆଶ୍ରମକୁ । ତାଙ୍କୁ ଦେଖି ଗାନ୍ଧୀଙ୍କର ସବୁ କଥା ମନେ ପଡ଼ିଗଲା । ସେ ଯେ ଜଣେ ସତ୍ୟର ସାଧକ ଏହି କଥା କହି ଗାନ୍ଧୀ ବିନୋବାଙ୍କ ପ୍ରଶଂସା କରିଥିଲେ । ବିନୋବାଜୀ ସାମାନ୍ୟ ହସି କହିଥିଲେ–ନା, ଏହା ସତ୍ୟର ସାଧନା ନୁହେଁ ଯେ, ଗଣିତ ଜ୍ଞାନର ପ୍ରମାଣ ମାତ୍ର । ଆଉ ଦିନେ ଦି’ଦିନ ବା ଦୁଇମାସ ଏପଟ ସେପଟ ହୋଇ ଯାଇଥିଲେ ତାଙ୍କୁ କେହି ଫାଶି ଦେଇପାରି ନଥାନ୍ତେ । କିନ୍ତୁ ମହତ ବ୍ୟକ୍ତିମାନେ ଛୋଟ ଛୋଟ କଥା ଉପରେ କିପରି ଗୁରୂତ୍ଵ ଦେଇଥାନ୍ତି ଲକ୍ଷ୍ୟ କରିବାର କଥା ।

 

୧୯୧୬ ମସିହା ବିନୋବାଙ୍କ ଜାବନର ଗୋଟିଏ ସ୍ମରଣୀୟ ଦିବସ । ସେ ତାଙ୍କର ସାର୍ଟିଫିକେଟ ଓ ପାଇଥିବା ପ୍ରଶଂସାଗୁଡ଼ିକୁ ଖଣ୍ଡଖଣ୍ଡ କରି ନିଆଁରେ ଜାଳିଦେଇଥିଲେ । ପୁଅ କ’ଣ ସବୁ ପୋଡ଼ୁଛି ବୋଲି ଜାଣିପାରି ନ ପୋଡ଼ିବା ପାଇଁ ମା’ କହିବାରୁ ବିନୋବା ଉତ୍ତର କଲେ– ସେସବୁ ମୋର ଆଉ ପ୍ରୟୋଜନ ନାହିଁ । ଉନ୍ନତ ଜୀବନଯାପନ ପାଇଁ ପ୍ରଶଂସାପତ୍ରର କିଛି ଅର୍ଥ ନାହିଁ ତାହା ସେ ବେଶ ବୁଝିପାରିଥିଲେ । ନିଜ ସାର୍ଟିଫିକେଟ ଜାଳି ଦେବା ସାହସ କେତେଜଣ ଛାତ୍ରଙ୍କର ଆଜି ଅଛି କହନ୍ତୁ ତ ! କିନ୍ତୁ ତାଙ୍କର ଥିଲା ଗଭୀର ଆତ୍ମବିଶ୍ଵାସ । ସେଦିନ ମା’ ତାଙ୍କର କ’ଣ ଭାବିଥିଲେ କେଜାଣି । ଅମାନିଆ ପୁଅ ମାନିଲା ନାହିଁ । ପ୍ରଶଂସାପତ୍ରସବୁ ଜାଳିପୋଡ଼ି ପାଉଁଶ କରିଦେଲା । ଭବିଷ୍ୟତରେ ବଞ୍ଚିବ କିପରି ! ଆଜି ମା’ ଥିଲେ ଦେଖୁଥାନ୍ତେ ପୁଅ ତାଙ୍କର କିପରି ଲକ୍ଷେ ପ୍ରାଣରେ ନିଆଁ ଜଳାଇପାରିଛି । ଆପଣା ପାଇଁ, ଅଗଣିତ ଦଳିତ ଜନତାର ଅନ୍ନବ୍ୟବସ୍ଥା କରିବା ପାଇଁ ପୁଅ କି ଯଜ୍ଞ ଜାଳି ବସିଛି ।

 

ବିନୋବାଜୀ ଭାରି ସରଳ, ନିରାଡ଼ମ୍ବର ପ୍ରକୃତିର ଲୋକ । ତାଙ୍କ ଚିତ୍ର ଦେଖିଲେ ତାହା ସହଜରେ ବୁଝାପଡ଼େ । ସେ ଯେଉଁ ଖଦଡ଼ ଲୁଗାଟି ପିନ୍ଧନ୍ତି ତାହା ଚଉଡ଼ାରେ ଦେଢ଼ହାତ, ଲମ୍ବରେ, ପାଞ୍ଚହାତ । ନଗ୍ନ ପଦରେ ପ୍ରାୟ ସେ ଚାଲବୁଲ କରନ୍ତି । ଅତ୍ୟଧିକ ଅଧ୍ୟୟନ ଫଳରେ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଥିବାରୁ ସେ ପ୍ରାୟ ୮୦ ନମ୍ବର ଚଷମା ବ୍ୟବହାର କରନ୍ତି । ସେ ଶକ୍ତ ବିଛଣାରେ ଶୁଅନ୍ତି । ମାନସିକ ପରିଶ୍ରମ ବ୍ୟତୀତ ଦୈନିକ ଶାରୀରିକ ପରିଶ୍ରମ କିଛି ନା କଛି ସେ ସବୁଦିନେ କରିଥାନ୍ତି । ଦେଶପାଇଁ ସେ ସମସ୍ତ ବିଳାସ ତ୍ୟାଗ କରିଛନ୍ତି । ଦେଶର ଦରିଦ୍ର-ନାରାୟଣଙ୍କ ପରି ସେ ଜୀବନ କାଟିବା ପାଇଁ ସଂକଳ୍ପ କରିଛନ୍ତି ।

 

ଯେତେବେଳେ ସେ ଉତ୍ତରପ୍ରଦେଶରେ ଥିଲେ, ପରିକଳ୍ପିତ ପଞ୍ଚବାର୍ଷିକ ଯୋଜନା ଉପରେ ଆଲୋଚନା କରିବା ପାଇଁ ନେହରୁ ଥରେ ତାଙ୍କୁ ଦିଲ୍ଲୀ ଯିବାପାଇଁ ନିମନ୍ତ୍ରଣ କରିଥିଲେ ଓ ସେଥିପାଇଁ ଉଡ଼ାଜାହାଜର ବନ୍ଦୋବସ୍ତ ହୋଇଥିଲା । ବିନୋବାଜୀ କିନ୍ତୁ ସେଥିରେ ଯିବା ପାଇଁ ମନା କରିଦେଇଥିଲେ । ପରେ ଚାଲି ଚାଲି ଯାଇ ଦିଲ୍ଲୀରେ ପହଞ୍ଚି ସେ ନେହେରୁଙ୍କ ସଙ୍ଗେ ଆଲୋଚନା କରିଥିଲେ । ଏଥିରେ ନେହେରୁ ବିଶେଷ ପ୍ରଭାବିତ ହୋଇଥିଲେ ।

 

ନୀରବ ସାଧକ ସେ । ଗଠନ ମୂଳକ କାର୍ଯ୍ୟରେ ୧୪ବର୍ଷ କଟାଇଛନ୍ତି । ବକ୍ତୃତା ଦେଇ ବିରାଟ ନେତା ହେବାର ସମସ୍ତ ସୁଯୋଗ ଥିଲେ ମଧ୍ୟ ସେ ସେଥିରେ ମନ ବଳାଇ ନାହାନ୍ତି । କୌଣସି ଅନୁଷ୍ଠାନର ସଂପାଦକ କିମ୍ବା ସଭାପତି ହେବା ପାଇଁ ସେ କେବେହେଲେ ଇଚ୍ଛା କରିନାହାନ୍ତି । କ୍ଷମତା’ଠାରୁ ସେ ବରାବର ଦୂରରେ ରହିଛନ୍ତି । ତା’ର ଗୋଟିଏ ଦୃଷ୍ଟାନ୍ତ ନିଆଯାଉ । କୌଣସି ଏକ ଅନୁଷ୍ଠାନର ସଂପାଦକ ହେବା ପାଇଁ ତାଙ୍କୁ ଅନୁରୋଧ କରିବାରୁ ସେ କହିଥିଲେ–‘’ତୁକାରାମଙ୍କୁ ଗୋଟିଏ ବ୍ୟାଙ୍କର ମାଲିକ କରି ବସାଇବା ଯାହା ମୋତେ କୌଣସି, ଅନୁଷ୍ଠାନର ସଂପାଦନା କାର୍ଯ୍ୟ କରିବାର ଦାୟିତ୍ଵ ଦେବା ସେଇୟା ।‘’ ସେ ଯେ କାମ ଚଳାଇବା ପାଇଁ ଅପାରଗ ତା ନୁହେଁ, କ୍ଷମତା ତାଙ୍କର ପ୍ରୟୋଜନ ନାହିଁ । କର୍ମୀ ସେ, କାମ କରିବେ । ତାହା ହିଁ ତାଙ୍କର ଗୌରବ ।

 

ବିନୋବା ଜଣେ ବିରାଟ ପଣ୍ଡିତ । ତାଙ୍କ ମାତୃଭାଷା ମରାଠୀ ବ୍ୟତୀତ ଗୁଜରାଟୀ, ହିନ୍ଦୀ, ଉର୍ଦ୍ଦୁ, ଓଡ଼ିଆ, ବଙ୍ଗଳା, ପଞ୍ଜାବୀ, ତାମିଲ,ତେଲଗୁ, କାନେରିଜ, ମାଲୟଲାମ, ଇଂରେଜ, ଫ୍ରେଞ୍ଚ, ସଂସ୍କୃତ ଭାଷା ଜାଣନ୍ତି । ସେ ୪୭ବର୍ଷ ବୟସରେ ସେ ଆରବୀ ଶିକ୍ଷାକରି କୋରାନକୁ ପ୍ରାୟ ସାତବାର ପାଠ କରିଛନ୍ତି । ମୌଲାନା ଆଜାଦ ତାଙ୍କ ଆରବୀ ଜ୍ଞାନ ଦେଖି ଚମତ୍କୃତ ହୋଇଥିଲେ । ଆମ ଦେଶରେ ବିଭିନ୍ନ ଭାଷାଭାଷୀଙ୍କ ସଙ୍ଗେ ମିଶି ସେମାନଙ୍କର ଅଭାବ ଅସୁବିଧା ବୁଝିବାରେ ସୁବିଧା ହେବ ବୋଲି ସେ ଏତେଗୁଡ଼ିଏ ଭାଷା ଶିକ୍ଷା କରିଛନ୍ତି ।

 

ସେ ଅନେକ ଗୁଡ଼ିଏ ବହି ଲେଖିଛନ୍ତି । ‘’ଗୀତା ପ୍ରବଚନ’’ ସେଥିମଧ୍ୟରୁ ପ୍ରଧାନ ବୋଲି ମନେହୁଏ । ଏ ପୁସ୍ତକ ହିନ୍ଦୀ, ମରାଠୀ, ଗୁଜରାଟୀ, ଓଡ଼ିଆ, ସିନ୍ଦ, କାନେରିଆ, ତେଲୁଗୁ, ତାମିଲ, ମାଳୟଲମ, ଉର୍ଦ୍ଦୁ, ବଙ୍ଗଳା ଭାଷାରେ ଭାଷାନ୍ତରିତ ହୋଇସାରିଛି । ସେ ୧୯୩୦–୩୧ ମଧ୍ୟରେ ସଂସ୍କୃତରୁ ଗୀତାକୁ ମରାଠୀ ଭାଷାରେ ଭାଷାନ୍ତର କରି ତା’ର ନାମ ଦେଇଛନ୍ତି ‘ଗୀତା ମା’ (Gita mother) । ଗୀତାପ୍ରବଚନ ଗୀତା ଉପରେ ଏକ ଆଲୋଚନା । ଏହା ୧୯୩୨ ମସିହାରେ ଧୂଳିଆ ଜେଲରେ ଥିବା ସମୟରେ ରଚିତ । ସେ ନିଜେ କହନ୍ତି, ‘’ଗୀତା ମୋର ମା । ମୁଁ ତା’ର ନୀର୍ବୋଧ ଶିଶୁ । ମୁଁ ଯେତେବେଳେ ତଳେ ପଡ଼ିଯାଏ କିମ୍ବା କାନ୍ଦେ ସେ ମୋତେ ସେତେବେଳେ ସ୍ନେହରେ କୋଳକୁ ଉଠାଇ ନିଏ ।” ଭଗବାନଙ୍କ ଉପରେ କି ନିଗୂଢ଼ ବିଶ୍ୱାସ ! ଲେଖାଲେଖି ବ୍ୟତୀତ ଦକ୍ଷ ସଂପାଦକ ହିସାବରେ ‘ମହାରାଷ୍ଟ୍ର ଧର୍ମ ଓ ‘ସର୍ବୋଦୟ’ ପତ୍ରିକା ଦୁଇ ତାଙ୍କର ଶକ୍ତିର ଯଥେଷ୍ଟ ପ୍ରମାଣ ଦେଇଛି । ପଢ଼ିବା ଓ ପାଦରେ ଚାଲି ବୁଲିବା ବିନୋବାଙ୍କର ଦୁଇଟି ପ୍ରିୟ କାର୍ଯ୍ୟ । ଏହି ଲେଖାଲେଖିରୁ ଓ ଭାଷା ଶିକ୍ଷାରୁ ବେଶ ବୁଝାପଡ଼େ ସେ କିପରି ଅଧିକ ସମୟ ପଢ଼ନ୍ତି ।

 

ଆମର ଏ ବିନୋବାଜୀ ବମ୍ବେ ପ୍ରଦେଶ କୁଲାବ ଜିଲ୍ଲାର ଗାଗୋଠିଡ଼ି ନାମକ ଏକ ଗ୍ରାମରେ ୧୮୯୫ ମସିହା ସେପ୍ଟେମ୍ବର ୧୧ ତାରିଖରେ ଜନ୍ମ ହୋଇଥିଲେ । ତାଙ୍କର ମାତାଙ୍କ ନାମ ରୁକ୍ମିଣୀ ଦେବୀ । ପିତାଙ୍କ ନାମ ନରହରି ଶମ୍ଭୁନାଥ ରାଓ ଭାବେ । ବାପା ଜଣେ ଟେକ୍ସଟାଇଲ ବିଶେଷଜ୍ଞ ଥିଲେ । ସେ ଭାରି କଡ଼ା ମିଜାଜର ଲୋକ । ଚାକିରିଆ, ତେଣୁ ଘରେ ରହିପାରନ୍ତି ନାହିଁ-। ସେଥପାଇଁ ପିତାଙ୍କ ଅପେକ୍ଷା ଜେଜେବାପାଙ୍କର ପ୍ରଭାବ ବିନୋବାଙ୍କ ଉପରେ ଅଧିକ ପଡ଼ିଥିଲା-। ଜେଜେଙ୍କ ପରି ମା’ ତାଙ୍କର ଧର୍ମପରାୟଣା ଥିଲେ । କାର୍ଯ୍ୟରତ ଥିବା ସମୟରେ ମା’ଙ୍କର ମଧୁର କଣ୍ଠରୁ ଭଜନର ଲଳିତ ମୂର୍ଚ୍ଛନା ଝରି ଆସୁଥିଲା । ଭଜନର ପ୍ରଭାବ ଶିଶୁ ବନୋବାଙ୍କ ପ୍ରାଣରେ ଯଥେଷ୍ଟ ରେଖାପାତ କରିଥିଲା । ସେତେବେଳେ ଗାନ୍ଧୀ ତାଙ୍କୁ ବିନୋବା ବୋଲି ଡାକୁ ନଥାନ୍ତି-। ସ୍ନେହରେ ମା’ ତାଙ୍କୁ ଡାକୁଥାନ୍ତି ବିନାୟକ । ବନ୍ଧୁମହଲରେ ସେ ବିନାୟକ ନରହରି ବାଭେ ନାମରେ ପରିଚିତ ଥାଆନ୍ତି ।

 

ବିନୋବାଙ୍କ ଉପରେ ତାଙ୍କର ପରିବାରର ପ୍ରଭାବ କିପରି ଥିଲା ଗାନ୍ଧୀଜୀ ତାଙ୍କ ପିତାଙ୍କୁ ଲେଖିଥିବା ପତ୍ରର କିୟତ୍ ଅଂଶରୁ ତାହା ସ୍ପଷ୍ଟ ଜଣାପଡ଼େ । ଗାନ୍ଧୀଜୀ ଲେଖିଥିଲେ-“ତୁମ ପୁଅ ବିନୋବା ବର୍ତ୍ତମାନ ମୋ ପାଖରେ ଅଛି । ଏତେ ଅଳ୍ପ ବୟସରେ ତୁମର ପୁଅ ଯେପରି ଧର୍ମପ୍ରାଣ ଓ ଉଚ୍ଚମନା ହୋଇପାରିଛି ସେହିପରି ହେବାପାଇଁ ମୋତେ ବର୍ଷ ବର୍ଷ ଧରି ସାଧନା କରିବାକୁ ପଡ଼ିଛି ।”ଗାନ୍ଧୀଙ୍କ ମୁହଁରୁ ବିନୋବାଙ୍କର ଏହି ପ୍ରଶଂସା ତାଙ୍କ ପିତାମାତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ନୁହେଁକି ?

 

ବିନୋବା ଲୋକ ହିସାବରେ କିପରି ଆଜି କାହାକୁ ପଚାରିବାର ପ୍ରୟୋଜନ ନାହିଁ । ପ୍ରତିଦିନ ତାଙ୍କ ବିଷୟରେ ସମ୍ବାଦପତ୍ରରେ କିଛି ନା କିଛି ବାହାରେ । ତାଙ୍କ ବିଷୟରେ ଜାଣିବାକୁ ହେଲେ ଦୂରକୁ ନ ଯାଇ, ପରକୁ ନ ପଚାରି, ଘରକୁ ଆସୁଥିବା ସମ୍ବାଦପତ୍ର ପଢ଼ିବସିଲେ ଯଥେଷ୍ଟ ହେବ । ମହାଦେବ ଦେଶାଇ ତାଙ୍କ ବିଷୟରେ ଥରେ କହିଛନ୍ତି–ବିନୋବାଙ୍କର ଏମିତି କେତେକ ଗୁଣ ଅଛି ଯାହା ଅନ୍ୟମାନଙ୍କ ପାଖରେ ନାହିଁ । ତାଙ୍କର ପ୍ରଧାନ ଗୁଣ ହେଉଛି ଯେ, ଯାହା କରିବା ପାଇଁ ଥରେ ସେ ମନ ସ୍ଥିର କରନ୍ତି ତାକୁ ହାସଲ କରିବା ପର୍ଯ୍ୟନ୍ତ ପ୍ରାଣପଣେ ଚେଷ୍ଟା କରନ୍ତି । ତାଙ୍କର ଦ୍ଵିତୀୟ ଗୁଣ ହେଉଛି ଯେ, ଆରମ୍ଭ କରିଥିବା କାମକୁ ଧୀରେ ଧୀରେ ବିକାଶ ପଥରେ ସେ ଆଗେଇ ନିଅନ୍ତି । ବାପୁଙ୍କୁ ବାଦ ଦେଲେ ବିନୋବାଜୀଙ୍କଠି କେବଳ ମୁଁ ଏହି ଗୁଣଗୁଡ଼ିକ ଦେଖିବାକୁ ପାଏ । ବିନୋବାଙ୍କ ଉପରେ ଏତ ଗଲା ଦେଶାଇଙ୍କ ଅଭିମତ । ତାଙ୍କ ଉପରେ ବାପୁଜୀଙ୍କ ମତାମତ ଏବେ ଶୁଣନ୍ତୁ–

 

୧୯୩୯ ସେପ୍ଟେମ୍ବର ୩ତାରିଖ । ଭାରତର ମତ ନ ନେଇ ଯେତେବେଳେ ଇଂରେଜ ସରକାର ଭାରତକୁ ଜର୍ମାନୀ ବିରୁଦ୍ଧରେ ଯୁଦ୍ଧରେ ଭର୍ତ୍ତି କଲେ, ଗାନ୍ଧୀ ଏହାର ବିରୋଧ କଲେ । ସରକାରଙ୍କ ବିରୁଦ୍ଧରେ ପ୍ରଚାର କରିବା ପାଇଁ ସେ ସତ୍ୟାଗ୍ରହୀ ସଂଗ୍ରହ କଲେ । ‘’ବାଣୀ ସତ୍ୟାଗ୍ରହ’’ ଆରମ୍ଭ ହେବ । ସତ୍ୟାଗ୍ରହୀ ବାଛିବାର ଦାୟିତ୍ଵ ଥାଏ ନିଜେ ଗାନ୍ଧିଜୀଙ୍କ ଉପରେ । ପ୍ରଥମେ ସେ କାହାକୁ ବାଛିଥିବେ କହନ୍ତୁତ ! ପ୍ରଥମରେ ବିନୋବା, ଦ୍ଵିତୀୟରେ ନେହରୁ । ନୀରବ ସାଧନାର ଯୋଗ୍ୟ ପୁରସ୍କାର ଏହାଠୁ ଆଉ ଅଧିକ କ'ଣ ଥାଇପାରେ ! ଗାନ୍ଧୀଜୀଙ୍କ ମତରେ ସେ ପ୍ରଥମ ସତ୍ୟାଗ୍ରହୀ ହେଲେ । ‘ବିନୋବା କିଏ ? ? ଶୀର୍ଷକରେ ଗାନ୍ଧିଙ୍କୁ ତାଙ୍କ ହରିଜନ ପତ୍ରିକାରେ ଗୋଟିଏ ଲେଖା ଲେଖିଛନ୍ତି । ତାହା ପଢ଼ିଲେ ମନରେ ଗୋଟିଏ ପ୍ରଶ୍ନ ଜାଗ୍ରତ ହୁଏ-ସେ କ'ଣ ନୁହନ୍ତି ? ଏକାଧାରରେ ସାଧକ, ଯୋଗୀ, ପଣ୍ଡିତ, ଶିକ୍ଷକ, ଗୁରୁ, ସେବକ, ନେତା ଓ କର୍ମୀ ।

 

ବାପୁଙ୍କ ମତରେ ଯେ ଦ୍ଵିତୀୟ ସତ୍ୟାଗ୍ରହୀ, ସେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନେହରୁଜୀ-। ବିନୋବା ତ ସହଜେ ପ୍ରଥମ ସତ୍ୟାଗ୍ରହୀ, ଲୋକ ହିସାବରେ ତାଙ୍କ ଉପରେ ମତାମତ ଦେବାରେ ଆପଣଙ୍କର ଅବା ମୋର କ’ଣ କହିବାର ଅଛି ? ଲୋକ ଚିହ୍ନିବାରେ ଆମଠାରୁ ଯେ ଶତଗୁଣରେ ଶ୍ରେୟ ସେ ବାପୁଙ୍କ ମତରେ ସେ ହୋଇଛନ୍ତି ପ୍ରଥମ ସାଧକ, ପ୍ରଥମ ତ୍ୟାଗୀ ।

 

ସେହି ବିନୋବା ଆଜି ଭୂଦାନର ମନ୍ତ୍ର ପୁରପଲ୍ଲୀରେ ପ୍ରଚାର କରି ଚାଲିଛନ୍ତି । ଯାତ୍ରା ତାଙ୍କର ମଙ୍ଗଳ ହେଉ । ସ୍ଵପ୍ନ ତାଙ୍କର ସାର୍ଥକ ହେଉ । ଲକ୍ଷ ନୀରନ୍ନ, ନିଃସହାୟଙ୍କର ଅନ୍ନସଂସ୍ଥାର ବ୍ୟବସ୍ଥା ହେଉ । ସନ୍ଥସାଧୁର ସଂସାର ଏହି ମାଟିର ଧରଣୀରେ ହସିଉଠୁ ।

★★★

 

ବିଶ୍ଵବିଦ୍ୟାଳୟ ନ ମାଡ଼ି ସେ ବିଶ୍ଵକବି

 

ଜନଗଣ ମନ ଅଧିନାୟକ ଜୟହେ ଭାରତ ଭାଗ୍ୟ ବିଧାତା ପଞ୍ଜାବ–ସିନ୍ଧୁ–ଗୁଜୁରାଟ–ମରାଠା–ଦ୍ରାବିଡ଼–ଉତ୍କଳ–ବଙ୍ଗ ବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା ଉଚ୍ଛଳ ଜଳଧୀତରଙ୍ଗ ତବଶୁଭ ନାମେ ଜାଗେ, ତବ ଶୁଭ ଆଶିଷ ମାଗେ । ଗାଏ ତବ ଜୟଗାଥା ଜନଗଣ ମଙ୍ଗଳ ଦାୟକ ଜୟହେ ଭାରତ ଭାଗ୍ୟବିଧାତା ଜୟ ହେ ଜୟ ହେ ଜୟ ହେ ଜୟ ଜୟ ଜୟ ଜୟ ହେ ।

 

ଏହି ମହାନ ଜାତୀୟ ସଙ୍ଗୀତର ମହତ ସ୍ରଷ୍ଟା ଆମମାନଙ୍କର କବି ଗୁରୁ ରବୀନ୍ଦ୍ରନାଥ । ଏବେ ବିଶ୍ୱ କବି ଯେ ଜଣେ ଭାରତୀୟ ଏଥିପାଇଁ ଆମେ ସମସ୍ତେ ଗର୍ବ ଅନୁଭବ କରୁ । ବଙ୍ଗଳାର ସୁନାମଧନ୍ୟ ଠାକୁର ପରିବାରରେ ଏହାଙ୍କର ଜନ୍ମ । ଦେବେନ୍ଦ୍ରନାଥ ଠାକୁର କବିଙ୍କର ବାପା ଜଣେ ବିରାଟ ଜମିଦାର । ଅବଶ୍ୟ ରବୀନ୍ଦ୍ରଙ୍କୁ ଚିହ୍ନାଇବା ପାଇଁ ତାଙ୍କ ବଂଶ ପରିଚୟର ଆବଶ୍ୟକତା ନାହିଁ-। ବିଶ୍ୱ କବି ରବୀନ୍ଦ୍ରହିଁ ନିଜେ ନିଜର ବିରାଟ ପରିଚୟ । ସେ ଏକାଧାରରେ ଦାର୍ଶନିକ, ନାଟ୍ୟକାର, କବି, କଥାଶିଳ୍ପୀ, ଔପନ୍ୟାସିକ, ଶିକ୍ଷାବିତ୍‍ । କଳା, ସାହିତ୍ୟ ଓ ସଙ୍ଗୀତର ବିଭିନ୍ନ ଦିଗରେ ସେ ଯଦିଓ ଆପଣାର ଉଚ୍ଚକୋଟୀ ପ୍ରତୀଭାର ପରିଚୟ ଦେଇଛନ୍ତି, ମୁଖ୍ୟତଃ ଦୁନିଆ ତାଙ୍କୁ କବି ବୋଲି ଜାଣେ ।

 

ଭାରତ ସ୍ଵାଧୀନ ହୋଇ ନଥାଏ । ସ୍ଵାଧୀନତା ସଂଗ୍ରାମ ଜୋରସୋରରେ ଦେଶରେ ଚାଲିଥାଏ । ହଠାତ୍‍ ଦିନେ ସକାଳେ ଆମେରିକାର ଜଣେ ବିଶିଷ୍ଟ ଲେଖକ ମି:ଡୁରାଙ୍କଠାରୁ ଗୋଟାଏ ବହି ସେ ଉପହାର ପାଇଲେ । ସେଥିରେ ସେ ଲେଖିଥିଲେ, “ଆଉ ଯାହା ହେଉ ପଛେ, ଯେଉଁ ଭାରତରେ ତମ ଭଳି କବି ଅଛନ୍ତି, ସେ ଦେଶକୁ ସ୍ଵାଧୀନତା ମିଳିବା ନିତାନ୍ତ ଦରକାର’’ ।

 

କବି ଜୀବନରେ ଅନେକ କିଛି ଲେଖିଛନ୍ତି । ତାଙ୍କୁ ଯେତେବେଳେ ମୋଟେ ଆଠବର୍ଷ ସେତେବେଳେ ସେ ପ୍ରଥମେ କବିତା ଲେଖା ଆରମ୍ଭ କଲେ । ତାଙ୍କ ଲେଖା କିପରି ସେ ବିଷୟରେ ଯଦି କେହି ପଚାରେ ଅନ୍ୟ ଜଣେ କି ଉତ୍ତର ଦେବେ ମୁଁ ଜାଣେ ନାହିଁ । କିନ୍ତୁ ମୋତେ ଯଦି କେହି ପଚାରନ୍ତି ମୁଁ କହିବି ମୋଠାରୁ ଶୁଣିବା ଅପେକ୍ଷା ନିଜେ ଚେଷ୍ଟା କରି ଦେଖନ୍ତୁ । ଯାହା ଇଚ୍ଛା ତାହା ପଢ଼ନ୍ତୁ । ପରୀକ୍ଷା ସ୍ଵରୁପ ତାଙ୍କର କବିତା ପାଠ କରନ୍ତୁ । କବିତା ବୁଝିପାରିଲେ ନାହିଁ, ସେ ସବୁର ଦର୍ଶନ ବୁଝିବା ପାଇଁ କଷ୍ଟ ଲାଗିଲା, ତେବେ ଛାଡ଼ନ୍ତୁ । ଉପନ୍ୟାସ ପଢ଼ନ୍ତୁ । ଉପନ୍ୟାସ ବଡ଼ ହୋଇଯାଇଛି, ପଢ଼ିବାପାଇଁ ଆପଣଙ୍କର ସମୟ ନାହିଁ, କିଛି ଯାଏ ଆସେ ନାହିଁ । ଯେଉଁ ଅଳ୍ପ ସମୟ ଆପଣଙ୍କର ଅଛି ସେଥିରେ ଗୋଟିଏ କ୍ଷୁଦ୍ର ଗଳ୍ପ ତାଙ୍କର ପଢ଼ି ଦେଖନ୍ତୁ । ଦେଖିବେ ସେ ଲେଖା ଆରମ୍ଭ କରିଛନ୍ତି କିପରି ଓ ତାହା ଶେଷ ହୋଇଛି କିପରି । ଆପଣ କୃତ୍ୟକୃତ୍ୟ ନ ହୋଇ, ଲେଖକ ଉଦ୍ଦେଶ୍ୟରେ କୃତଜ୍ଞତା ନ ଜଣାଇ ରହିପାରିବେ ନାହିଁ । ପାଠକ ତାଙ୍କ ଲେଖା ବୁଝିପାରନ୍ତୁ ବା ନ ପାରନ୍ତୁ, କିନ୍ତୁ ଏ କଥା ନିଶ୍ଚୟ ଯେ, ଲେଖାର ଢଙ୍ଗ ପାଠକକୁ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ । ଶବ୍ଦ ଯୋଜନା ତାଙ୍କର ଏତେ ଚମତ୍କାର ଓ ଚିନ୍ତାଧାରା ଏତେ ସ୍ପଷ୍ଟ ଯେ ନିଜେ ନ ପଢ଼ି କେହି ଜଣେ ପଢ଼ିବାର ଶୁଣିଲେ ମଧ୍ୟ ମନେହୁଏ ସତେ ଯେପରି ପାହାଡ଼ ଦେହରୁ ସ୍ଵଚ୍ଛ ଝରଣାଟିଏ ଝରି ଆସୁଛି । କଳକଳ ତାନରେ ତା’ର କୂଳଦେଶ ମୁଖରିତ ହୋଇଉଠିଛି । ନା ଅଛି ପ୍ରତିରୋଧ, ନା ଅଛି ପ୍ରବନ୍ଧକ ।

 

କବିଙ୍କ ଲେଖା ଅପେକ୍ଷା ସଙ୍ଗୀତ ତାଙ୍କର ଅଧିକ ଉପଭୋଗ୍ୟ । ସେ ଅନେକ ଦିନୁ ମଲେଣି ସତ, ହେଲେ ତାଙ୍କ ସଙ୍ଗୀତର ଆଦର କମି ନାହିଁ ବରଂ ବଢ଼ିଚାଲିଛି । କଲିକତା ଅବା ଢାକା ରେଡ଼ିଓ ଷ୍ଟେସନରୁ ବଙ୍ଗ ଗାୟକ ଗାୟିକା କଣ୍ଠରୁ ରବୀନ୍ଦ୍ର ସଙ୍ଗୀତର ମୂର୍ଚ୍ଛନା ଝରି ଆସିବା ତ ସ୍ଵାଭାବିକ, କିନ୍ତୁ ଅନ୍ୟ ପ୍ରଦେଶର ରେଡ଼ିଓ ଷ୍ଟେସନରୁ ଆମେ ଯେତେବେଳେ ସେହି ପରିଚିତ ରବିନ୍ଦ୍ର ସଙ୍ଗୀତ ଶୁଣୁ ଆଶ୍ଚର୍ଯ୍ୟ ହେଉ ।

ଗୀତାଞ୍ଜଳି ପାଇଁ ସେ ଯଦିଓ ସୁପରିଚିତ, କେଉଁ ବହିଟି ତାଙ୍କର ଭଲ, କେଉଁ ଭଲ ନୁହେଁ ଠିକ କରି କହିବା କଠିନ । ତାଙ୍କର ସଙ୍ଗୀତ ବିଷୟରେ ମଧ୍ୟ ସେହି ଏକାକଥା । ତାଙ୍କର ସମୁଦାୟ ରଚନା ସଂଖ୍ୟା–କବିତା ବହି ସଂଖ୍ୟା ୫୮, ନାଟକ ବହି ସଂଖ୍ୟା ୪୫, କ୍ଷୁଦ୍ରଗଳ୍ପ ବହି ସଂଖ୍ୟା ୧୬୯,ସଙ୍ଗୀତ ୨୨୦୯,ପ୍ରବନ୍ଧ ପୁସ୍ତକ ୫୪, ପାଠ୍ୟପୁସ୍ତକ ୧୨ ଏହି ସବୁ ହେଲା ତାଙ୍କ ନିଜ ଲେଖା । ତାଙ୍କ ବିଷୟରେ ଅନ୍ୟମାନେ ଯାହା ଲେଖିଛନ୍ତି ତା’ର ସଂଖ୍ୟା କେତେ ହେବ ସଠିକ କହିବା କଠିନ । କାରଣ ପ୍ରତି ବର୍ଷ ତାଙ୍କ ବିଷୟରେ କୌଣସି ନା କୌଣସି ନୂଆ ବହି ଲେଖା ଚାଲିଛି । ଭାରତର ପ୍ରତ୍ୟେକ ପ୍ରାଦେଶିକ ଭାଷାରେ ତାଙ୍କର ଏକାଧିକ ବହିର ଅନୁବାଦ କରାଯାଇଛି । କେବଳ ଭାରତୀୟ ଭାଷାରେ ନୁହେଁ, ବିଦେଶୀ ଭାଷାରେ ମଧ୍ୟ କରାଯାଇଛି ଏବଂ ଦେଶ ବିଦେଶରେ ବହୁ ସଂଖ୍ୟାରେ ବିକ୍ରି ହୋଇଛି । ଜର୍ମାନ ଭାଷାରେ କବିଙ୍କର ‘ସାଧନା’ ବହିଟିର ଅନୁବାଦ ବିଶେଷ ଆଦୃତ ହୋଇଥିଲା । ସେ ବହି କିପରି ବିକ୍ରି ହୋଇଥିଲା ଶୁଣିଲେ ଅନେକ ସମୟରେ ଅବିଶ୍ୱାସ ହୁଏ । ଶହେ ନୁହେଁ ହଜାର ହଜାର ହୋଇ ପଚାଶ ହଜାର ବହି ଦେଖୁ ଦେଖୁ ମୋଟେ ତିନି ସପ୍ତାହ ମଧ୍ୟରେ ଖତମ୍ । ଶେଷରେ ଲୋକେ ଆସି ଫେରିଗଲେ । ଏ ଗୌରବ କେତେଜଣ ଲୋକଙ୍କୁ ମିଳେ !

ଏସବୁ ଦେଖି ହଠାତ୍‍ ମନରେ ପ୍ରଶ୍ନ ଉଠେ ରବୀନ୍ଦ୍ରଙ୍କ ଶିକ୍ଷା କେତେ ? ଏଠି ଶିକ୍ଷାକୁ ଜ୍ଞାନ ଅର୍ଥରେ ଗ୍ରହଣ କଲେ ତ ଭୁଲ୍‍ ହେବ ନିଶ୍ଚୟ । ସାଗରରେ ଜଳର ପରିମାଣ ନିର୍ଦ୍ଧାରଣ କରିବାକୁ ଚେଷ୍ଟା କରିବା ଯାହା ତାଙ୍କର ଜ୍ଞାନକୁ ସେହି ଅର୍ଥରେ ନିର୍ଦ୍ଧାରଣ କରିବସିବା ସେହିପରି ବୋକାମି । ବି.ଏ.,ଏମ୍.ଏ. ଦୃଷ୍ଟିରୁ ଯେଉଁ ଶିକ୍ଷା ବୁଝାପଡ଼େ ସେପରି ଶିକ୍ଷିତ ସେ ହୋଇଥିଲେ କି ନା ? ସେ ଦୃଷ୍ଟିରୁ ଦେଖିଲେ ତାଙ୍କର ଶିକ୍ଷା କିଛି ନଥିଲା । ପିଲାଦିନେ ସ୍କୁଲ ନାଁ ଧରିଲେ ତାଙ୍କର ଦୃଢ଼ କମ୍ପନ ଜାତ ହେଉଥିଲା । କ୍ଲାସର ପ୍ରାଚୀର ତାଙ୍କ ପାଇଁ ବନ୍ଦୀଶାଳାର ପ୍ରାଚୀର ଅପେକ୍ଷା ଅଧିକ ଯନ୍ତ୍ରଣାଦାୟକ ଥିଲା । ଟଲଷ୍ଟୟଙ୍କ ଜୀବନରେ ସେ ଦୃଷ୍ଟାନ୍ତ ମଧ୍ୟ ଦେଖାଯାଇଛି । କିନ୍ତୁ ଠାକୁରଙ୍କ ଜୀବନର ବିଶେଷତ୍ଵ ହେଉଛି ଯେ, ସେ ସ୍କୁଲରେ ନପଢ଼ି ମଧ୍ୟ ଦେଶ ବିଦେଶର ବିଶ୍ଵବିଦ୍ୟାଳୟରୁ ବହୁ ସମ୍ମାନସୂଚକ ଡିଗ୍ରୀ ପାଇଥିଲେ । ସେ ବିଶ୍ଵ ନାଗରିକ ରୂପେ ସମ୍ମାନିତ ହେଉଥିଲେ । ସତରେ ଡିଗ୍ରୀ ସବୁ ଆମକୁ ବଡ଼ । ଯାହାଙ୍କ ଲେଖା ପଢ଼ି ଅନ୍ୟମାନେ ଡିଗ୍ରୀ ପାଇବାର ସ୍ୱପ୍ନ ଦେଖନ୍ତି, ସେ ଡିଗ୍ରୀ ପାଇଁ ପାଗଳ ହେବେ କାହିଁକି ? ପ୍ରତିଭା ପଛରେ ଡିଗ୍ରୀ ଧାଏଁ, ଡିଗ୍ରୀ ପାଇଁ କେବେ ପ୍ରତିଭା ଗୋଡ଼ାଇ ଯାଏ ନାହିଁ ।

ସେ ଯେ ସ୍କୁଲ କଲେଜରେ ନ ପଢ଼ି ଏଡ଼େ ବିରାଟ ଲେଖକ ହୋଇ ପାରିଲେ ସେଥିପାଇଁ ସେ ଭାଗ୍ୟବାନ । ତାଙ୍କ ପରି ସୌଭାଗ୍ୟ ଅନ୍ୟ କାହାକୁ ମିଳୁଛି କି ନା ସନ୍ଦେହ । ସେଥିପାଇଁ ଦୁଇଟି ଜିନିଷ ବିଶେଷ ସାହାଯ୍ୟ କରିଛି । ପ୍ରଥମଟି ଆର୍ଥିକ ଅନାଟନରୁ ମୁକ୍ତି । ବାପା ଥିଲେ ତାଙ୍କର ବିରାଟ ଜମିଦାର । ସେଥିପାଇଁ ଅନ୍ୟାନ୍ୟ ବିଶିଷ୍ଟ କଳାକାରଙ୍କ ପରି ଅନ୍ନଚିନ୍ତା ତାଙ୍କର ନଥିଲା । ଦ୍ଵିତୀୟଟି ସାଂସ୍କୃତିକ ବାତାବରଣ । ପରିବାରରେ ସମସ୍ତେ ପ୍ରାୟ ସାହିତ୍ୟ ସାଧକ, କଳାପ୍ରେମୀ । ଏଣୁ ଲେଖାଲେଖି ଦିଗରେ ସେ କିପରି ଉତ୍ସାହ ପାଇଥିବେ ଅନୁମାନ କରନ୍ତୁ ।

ଥରେ ପୁଅର ସଙ୍ଗୀତରେ ମୁଗ୍ଧ ହୋଇ ପିତା ଦେବେନ୍ଦ୍ରନାଥ କବିଙ୍କୁ ପାଞ୍ଚଶତ ମୁଦ୍ରା ପୁରସ୍କାର ଦେଇଥିଲେ । ତରୁଣ ପ୍ରତିଭାକୁ ଏହା କିପରି ଉତ୍ସାହିତ କରିଥିବ କେବଳ ଅନୁମାନ କରିବା କଥା । ସେ ପ୍ରଥମେ ନିଜ ଘରେ ଅଭିନୟ କରିବାର ସୁଯୋଗ ପାଇଲେ । ତା’ ବ୍ୟତୀତ ସେ ଚଉଦ ପନ୍ଦର ବର୍ଷ ବୟସରୁ ଭାଇଙ୍କ ସମ୍ପାଦିତ ‘ଭାରତୀ’ ପତ୍ରିକାରେ ଲେଖିବାର ସୁଯୋଗ ପାଇଥିଲେ । ‘ଭାରତୀ’ ପତ୍ରିକାଟି ଶିଶୁମାନଙ୍କ ପାଇଁ ନୁହେଁ, ସେତେବେଳେ ସେ କାଗଜରେ ବଙ୍ଗର ସମସ୍ତ ସ୍ୱନାମଧନ୍ୟ ଲେଖକମାନଙ୍କର ଲେଖା ପ୍ରକାଶ ପାଉଥିଲା । କାହାର ପରିହାସକୁ ଆଲୋକପାତ ନକରି କଳାପ୍ରେମୀ ସାଧନା କରିଚାଲିଥିଲେ । ଶେଷରେ ପ୍ରତିଭା ତାଙ୍କର ବିଶ୍ଵଦରବାରରେ ପୁରସ୍କୃତ ହେଲା । ସେ ନୋବେଲ୍ ପୁରସ୍କାର ପାଇଲେ । ଏ ହେଲା ୧୯୧୩ ମସିହା କଥା । ସେହିଦିନୁ କେବଳ ଆଉ କବି ନ ହୋଇ ସେ ହେଲେ କବିନ୍ଦ୍ର । ତାଙ୍କୁ ବିଶ୍ୱବାସୀ ସମ୍ମାନ କଲେ । କେବଳ ଭାରତୀୟ ନ ହୋଇ ସେ ହେଲେ ବିଶ୍ୱ ନାଗରିକ ମାନବ ଜାତିର ଗୌରବ ।

 

କବି ତାଙ୍କ ଜୀବନରେ ବହୁ ଦେଶ ବିଦେଶ ଭ୍ରମଣ କରିଛନ୍ତି । ଅତି ପିଲାଟି ଦିନୁ ଭାରତର ବିଭିନ୍ନ ସୁନ୍ଦର ସ୍ଥାନ ଓ ବହୁ ତୀର୍ଥ ବାପାଙ୍କ ସଙ୍ଗରେ ଭ୍ରମଣ କରି ଅତି ମୁଗ୍ଧ ହେଉଥିଲେ-। ଦେବେନ୍ଦ୍ରନାଥଙ୍କ ସଙ୍ଗେ ହିମାଳୟରେ ଥିଲା ବେଳେ ତୁଷାରମଣ୍ଡିତ ହିମାଳୟର ଦୃଶ୍ୟସମୂହ ତାଙ୍କ ପ୍ରାଣରେ ବିଶେଷ ରେଖାପାତ କରିଥିଲା । ଆଜନ୍ମରୁ ସେ ଥିଲେ ପ୍ରକୃତିର ପୂଜାରୀ-। ୱାର୍ଡ୍ସୱାର୍ଥଙ୍କ ପରି ପ୍ରକୃତିରେ ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ବାର୍ତ୍ତା ଥିଲା । ପିଲାଟି ଦିନୁ ବାତାୟନ ମଧ୍ୟରୁ ସୂର୍ଯ୍ୟର ପ୍ରଥମ ଆଲୋକ, ଅସ୍ତ ସୂର୍ଯ୍ୟର ଶେଷଭାଗ, ବୃଦ୍ଧ ବଟବୃକ୍ଷର ଦୃଶ୍ୟ ଦେଖି ସେ ଆପଣାକୁ ଭୁଲିଯାଉଥିଲେ ।

 

ରାତିରେ ପଦାରେ ଶୋଇ ସେ ମୁକ୍ତ ଆକାଶର ତାରକାରାଶି ଓ ଚନ୍ଦ୍ରର ଗତିବିଧି ଧ୍ୟାନର ସହ ଲକ୍ଷ୍ୟ କରୁଥିଲେ । ବିନିଦ୍ର ରହି କେତେ ଯେ ରାତି ସେ କଟାଇଛନ୍ତି କିଏ କହିବ ! ସେସବୁର ସରସ ସ୍ମୃତି ତ ଆମେ କେତେକାଂଶରେ କବିଙ୍କ ‘ଜୀବନସ୍ମୃତି’ରେ ପାଉ ।

 

ନିଜ ଦେଶକୁ ବାଦ୍‍ ଦେଲେ ବାହାରେ ଅନ୍ୟସ୍ଥାନ ବୁଲି ଦେଖିବାରେ ସେ ବହୁ ସମୟ ଅତିବାହିତ କରିଛନ୍ତି । ସେ ବୁଲିଥିବା ଦେଶ ମଧ୍ୟରେ ଜର୍ମାନ୍‍, ଜାପାନ, ଫ୍ରାନ୍ସ, ଇଟାଲୀ, ଡେନ୍ମାର୍କ, ସୁଇଜର୍‍ଲାଣ୍ଡ, ହଲାଣ୍ଡ୍‍, ବେଲଜିଅମ୍, ଚୀନ୍‍, ଋଷ୍‍ ପ୍ରଭୃତି ଉଲ୍ଲେଖଯୋଗ୍ୟ । ତାଙ୍କର ‘ରୁଷିଆ ଚିଠି’ ଆମ ସମସ୍ତଙ୍କର ପଢ଼ିବା ଉଚିତ୍‍ । ସେତେବେଳେ ଋଷିଆ କମ୍ୟୁନିଷ୍ଟମାନଙ୍କ କ୍ଷମତାକୁ ଅଳ୍ପ ଦିନ ହେଲା ଆସିଥାଏ । ବିଭିନ୍ନ କ୍ଷେତ୍ରରେ ଲୋକ ଓ ସରକାରଙ୍କ ମିଳିତ ଉଦ୍ୟମରେ କିପରି କାମ ଚାଲିଥିଲା ରବିନ୍ଦ୍ର ତା’ର ବହୁ ପ୍ରଶଂସା କରିଥିଲେ । ସେ ଯେଉଁଠିକୁ ଯାଉଥିଲେ ଲୋକେ ତାଙ୍କୁ ବହୁତ ଆଦର କରୁଥଲେ, ସମ୍ମାନ ଦେଉଥିଲେ । ସେ ଯେତେବେଳେ ଚୀନ ଯାଇଥିଲେ ସେତେବେଳେ ଲୋକମାନେ ତାଙ୍କୁ ସମ୍ରାଟଙ୍କ ଘରକୁ ଲାଗି ଗୋଟାଏ ସୁନ୍ଦର ସୁସଜ୍ଜିତ ଘରେ ରହିବାକୁ ଦେଇଥିଲେ । ନିଜେ ସମ୍ରାଟ ତାଙ୍କୁ ପାଛୋଟି ନେଇଥିଲେ ।

 

ରବୀନ୍ଦ୍ରନାଥଙ୍କ ଦେଶପ୍ରେମ ଥିଲା ଅସୀମ । ଦେଶର କିପରି ମଙ୍ଗଳ ହେବ, ଉନ୍ନତି ହେବ, ଦେଶ ସ୍ଵାଧୀନ ହେବ, ସେ ବିଷୟରେ ସେ ଗଭୀର ଚିନ୍ତା କରୁଥିଲେ । ଗାନ୍ଧି, ନେହେରୁ ଅବା ସୁବାଷଙ୍କ ପରି ସେ ଅବଶ୍ୟ ସ୍ଵାଧୀନତା ଆନ୍ଦୋଳନରେ ମୁଖ୍ୟଭାଗ ନେଉନଥିଲେ । ବିଶେଷ ଅଂଶ ନେବା ପାଇଁ ମଧ୍ୟ ତାଙ୍କର ସମୟ ନଥିଲା । ତେବେ ସ୍ଵାଧୀନତା ଆନ୍ଦୋଳନ ପାଇଁ ସେ ସେ ଏକାନ୍ତ ଉଦାସୀନ ଥିଲେ ତା ନୁହେଁ । ୧୯୧୯ ମସିହାରେ ଜାଲିଆନାବାଗ ଗୁଳିକାଣ୍ଡର ପ୍ରତିବାଦ ସ୍ୱରୂପ ଇଂରେଜ ସରକାରଙ୍କ ପ୍ରଦତ୍ତ ନାଇଟ୍‍ ଉପାଧି ତ୍ୟାଗ କରିଥିଲେ । ୧୯୩୩ ମସିହାରେ ଇଂରେଜ ସରକାର କେତେକ ବନ୍ଦୀଙ୍କୁ ଅନ୍ୟାୟ ଭାବେ ଜେଲରେ ହତ୍ୟା କରିଥିଲେ । ସେ ଦୃଢ଼ ଭାବରେ ତା’ର ପ୍ରତିବାଦ ଜଣାଇଥିଲେ । ଏସବୁ ବ୍ୟତୀତ ବିପ୍ଲବ ଓ ଦେଶପ୍ରେମର ସଙ୍ଗୀତ ସେ ତ ବରାବର ପ୍ରଚାର କରୁଥାନ୍ତି ।

 

ଦେଶର ମର୍ଯ୍ୟାଦା ଓ ଦେଶବାସୀଙ୍କ ସମ୍ମାନ ଯହିଁରେ କ୍ଷୁର୍ଣ୍ଣହେବ ସେପରି କାର୍ଯ୍ୟ ସେ ଆଦୌ କରୁ ନଥିଲେ । ତା’ର ଗୋଟିଏ ଦୁଇଟି ଦୃଷ୍ଟାନ୍ତ ଦେଉଛି । ସାଧାରଣ ଜାତୀୟ ଉତ୍ସବରେ ସେ ଇଂରେଜୀରେ ନ କହି ବଙ୍ଗଳାରେ ଭାଷଣମାନ ଦେଉଥିଲେ । ଥରେ ତାଙ୍କୁ ଅଷ୍ଟ୍ରେଲିଆ ସରକାର ତାଙ୍କ ଦେଶକୁ ଭୁଲିଯିବା ପାଇଁ ନିମନ୍ତ୍ରଣ କରିଥିଲେ । ସେତେବେଳେ କଳାଲୋକଙ୍କୁ ସେ ଦେଶକୁ ଯିବାକୁ ବାରଣ କଯାଇଥିଲା । ରବି ଠାକୁର ଏହାକୁ ଏକ ଗୌରବ ମନେ ନ କରି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ । କହିଥିଲେ, ଯେଉଁ ଦେଶକୁ ତାଙ୍କ ଦେଶବାସୀ ଯାଇପାରିବେ ନାହିଁ, ସେଠିକୁ ସେ ଯିବାକୁ ଚାହାନ୍ତି ନାହିଁ । ସେପରି ସେ କାନାଡ଼ା ସରକାରଙ୍କ ନିମନ୍ତ୍ରଣ ମଧ୍ୟ ରକ୍ଷା କରି ନଥିଲେ ।

 

ରବିନ୍ଦ୍ରନାଥ ଓ ବାପୁଜୀଙ୍କ ମଧ୍ୟରେ ଅତି ଘନିଷ୍ଠ ସମ୍ପର୍କ ଥିଲା । ଅବଶ୍ୟ ଉଭୟଙ୍କ ମଧ୍ୟରେ ରାଜନୈତିକ ଦୃଷ୍ଟିକୋଣରୁ ବହୁ ମତାନ୍ତର ଥିଲା, କିନ୍ତୁ ତାହା ତାଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କକୁ ତିକ୍ତ କରିପାରି ନଥିଲା । ବାପୁ ରବୀନ୍ଦ୍ରଙ୍କୁ ଗୁରୁଦେବ ରୂପେ ଓ ଭାରତର ଆଧ୍ୟାତ୍ମିକ ଚିନ୍ତାନାୟକ ରୂପେ ସମ୍ମାନ କରୁଥିଲେ । କବି ମଧ୍ୟ ନିଜେ ତାଙ୍କୁ ଗଭୀର ସ୍ନେହ କରୁଥିଲେ । ଶାନ୍ତି–ନିକେତନରେ ବାପୁ ଥିଲାବେଳେ କବି ତାଙ୍କୁ ବଙ୍ଗଳା ଶିଖାଇ ଦେଇଥିଲେ । ବାପୁ ଯେଉଁ କାଗଜରେ ବଙ୍ଗଳା ଅକ୍ଷର ଲେଖି ଶିଖୁଥିଲେ, ସେସବୁ କାଗଜ ଶାନ୍ତିନିକେତନରେ ଜାତୀୟ ସଂପଦ ରୂପେ ସାଇତା ହୋଇ ରଖାଯାଇଛି ।

 

ବାପୁ ଠାକୁରଙ୍କୁ ମାନୁଥିଲେ । ବାପୁଙ୍କ ୨୧ ଦିନିଆ ଅନଶନ ଆରମ୍ଭ କରିବା ପୂର୍ବରୁ ସେ ପ୍ରଥମେ ଗୁରୁଦେବଙ୍କ ଅନୁମତି ଚାହିଥିଲେ ।

 

ଶାନ୍ତିନିକେତନ ହେଉଛି କବିଙ୍କର ଅନ୍ୟ ଏକ ଅବିସ୍ମରଣୀୟ କୀର୍ତ୍ତି । ସେ ମୁକ୍ତ ଅକାଶ ତଳେ ଛାତ୍ରମାନଙ୍କୁ ଭାରତୀୟ ପରମ୍ପରା ଅନୁଯାୟୀ ଶିକ୍ଷା ଦେବାର ପରିକଳ୍ପନା ସେ କରିଥିଲେ । ସେ ଅନୁଷ୍ଠାନ ମୁଷ୍ଟିମେୟ ଛାତ୍ରଙ୍କୁ ନେଇ ଦିନେ ମୁଣ୍ଡଟେକି ଉଠିଥିଲା । ଆଜି ଯେଉଁ ବିରାଟ ‘ବିଶ୍ଵଭାରତୀ’ ଦେଶ ବିଦେଶରେ ସୁପରିଚିତ, ତା’ର ପଟ୍ଟଭୂମିକା ହେଉଛି ଏହି ଶିଶୁ ଅନୁଷ୍ଠାନଟି । ଏହି ଅନୁଷ୍ଠାନଟିକୁ ବଂଚାଇବା ପାଇଁ ସେ କିପରି ଆପ୍ରାଣ ଚେଷ୍ଟା କରିଥିବେ, ଶାନ୍ତିନିକେତନ ନ ଦେଖିଲେ ଅବା ତା’ର ଇତିହାସ ଆଲୋଚନା ନ କଲେ ବୁଝିବା କଠିନ ।

 

ସେ ଶାନ୍ତିନିକେତନରେ କବି ତାଙ୍କ ଜୀବନର ବହୁ ସମୟ କଟାଇଥିଲେ । ଉତ୍ତରାୟଣର ସାମାନ୍ୟ ଦୂରକୁ ତାଙ୍କ ରହିବା ଘର, ଉଦବୀ, ଉଦୟନ, କୋଣାର୍କ ଇତ୍ୟାଦି । ସେହି ଘରର ପାଖ ପାଖି ଅଛି ‘ଶାମଳୀ’ । ଏହି ଘରେ ବାପୁ ରହୁଥିଲେ । ଘରଗୁଡ଼ିକ ବହୁଯତ୍ନର ସହିତ ସାଇତା ହୋଇ ରହିଛି । ସେଠାରେ କବିଙ୍କର ବ୍ୟବହୃତ ଜିନିଷ ଓ ଦରକାରୀ ଚିଠିପତ୍ର ସବୁ ଦେଖିବାକୁ ମିଳେ ।

 

କବି ଯେଉଁଠି ବସୁଥିଲେ, ଯେଉଁ ତକିଆ, ଶେଯଗୁଡ଼ିକ ବ୍ୟବହାର କରୁଥିଲେ, ଯେଉଁ ବହିଗୁଡ଼ିକ ଅତି ଚିନ୍ତାମଗ୍ନ ହୋଇ ପାଠ କରୁଥିଲେ, ସେସବୁ ଆଜି ସେହିପରି ରହିଛି । ଡବ୍ଲ୍ୟୁ.ବି. ଇଟସଙ୍କ ପରି ବହୁ ବିଶିଷ୍ଟ କବି ଓ ପୃଥିବୀର ଅନ୍ୟାନ୍ୟ ବିଶିଷ୍ଟ ଶସ୍ତା ନାୟକଙ୍କ ସଙ୍ଗେ ଯେଉଁ ପତ୍ରାଦି ବିନିମୟ କରିଥିଲେ, ସେସବୁ ମଧ୍ୟ ସେହିପରି ଅଛି । ସେସବୁ ଦେଖିଲେ କ୍ଷଣକ ଲାଗି କବିଙ୍କ ଉପସ୍ଥିତି ଉପଲବ୍ଧି କିପରି ମନେହୁଏ ।

 

ଶ୍ରୀନିକେତନ ଅନ୍ୟ ଏକ ଅନୁଷ୍ଠାନ । ଏହା ମଧ୍ୟ କବିଙ୍କର ଗଭୀର ଉଦ୍ୟମର ଫଳ ଶାନ୍ତିନିକେତନଠାରୁ ଏହା ଅଳ୍ପଦୂରରେ । ଏଠିକାର କାର୍ଯ୍ୟକ୍ରମ ହେଲେ ମଧ୍ୟ ଶାନ୍ତିନିକେତନ ସତ ଏହାର ଯୋଗାଯୋଗ ଅଛି । ପଲ୍ଲୀଜୀବନ ସହିତ କିପରି ସମ୍ପର୍କ ରଖାଯିବ, ପଲ୍ଲୀର କିପରି ଉନ୍ନତି କରାଯିବ, ସେସବୁ ବିଷୟରେ ବିଭିନ୍ନ ଶିକ୍ଷା ଏଠାରେ ଦିଆ ଯାଇଥାଏ । ଶାନ୍ତିନିକେତନ ମୁଖ୍ୟତଃ ଏକ ଶିକ୍ଷା-ଅନୁଷ୍ଠାନ, କିନ୍ତୁ ଶ୍ରୀନିକେତନ ପଲ୍ଲୀଜୀବନ ନିୟନ୍ତ୍ରଣର ବିଚାର କେନ୍ଦ୍ର । ଆମେ ବଜାରରେ ଯେଉଁ ଚମଡ଼ା ମନିବ୍ୟାଗ, ହାଣ୍ଡବ୍ୟାଗ, ଶାଢ଼ୀ, ବିଛଣା ଚଦର ଶାନ୍ତିନିକେତନର ବୋଲି କିଣୁ, ସେସବୁ ବହୁ ସଂଖ୍ୟାରେ ଏଠାରେ ତିଆରି ହୁଏ ।

 

ଶାନ୍ତିନିକେତନ କବିଙ୍କର କିପରି ପ୍ରିୟ, ସେଠି କିଛି ସମୟ ନ ରହିଲେ ବୁଝିବା କଠିନ । ସେଠାରେ ଯେତେଗୁଡ଼ିଏ କାର୍ଯ୍ୟ ହୁଏ ସବୁଥିରେ କବିଙ୍କର ଚିନ୍ତାଧାରାର ପ୍ରଭାବ ପଡ଼ିଛି ବୋଲି ମନେହୁଏ । ଯେଉଁ ସବୁ ପ୍ରଭାତ, ସନ୍ଧ୍ୟା ଓ ଅନ୍ୟାନ୍ୟ ସଙ୍ଗୀତ ବୋଲାଯାଏ, ସେସବୁ ସଙ୍ଗୀତ କବିଙ୍କ ଦ୍ଵାରା ଚରିତ । ବର୍ଷାର ଆଗମନୀରେ ‘ବର୍ଷାମଙ୍ଗଳ', ଶରତର ଶାରଦୀୟ ଉତ୍ସବ’, ଗ୍ରୀଷ୍ମରେ ‘ଗ୍ରୀଷ୍ମଉତ୍ସବ’ ପ୍ରଭୃତି କବିଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜିସୁଦ୍ଧା ପାଳିତ ହୋଇଅଛି । ଏହି ଦିନମାନଙ୍କ ଛଡ଼ା ବିଭିନ୍ନ ଉତ୍ସବ ଆଦିରେ କବିଙ୍କ ରଚିତ ନାଟକ ଆଜି ମଧ୍ୟ ମଞ୍ଚସ୍ଥ ହୋଇଥାଏ । ଶାନ୍ତିନିକେତନର ବାତାବରଣ ଆମକୁ ଆମର କଥିତ ଗୁରୁକୁଳ ଆଶ୍ରମଗୁଡ଼ିକ କିପରି ହୋଇଥିବ, ସେ ବିଷୟରେ ସାମାନ୍ୟ ସଙ୍କେତ ଦିଏ ।

 

କବିଙ୍କର ମାଟିର ଦେହ ଅନେକ ଦିନୁ ମାଟିରେ ମିଶିଗଲାଣି । ହେଲେ ତାଙ୍କର ଆତ୍ମା ଶାନ୍ତିନିକେତନର ଚାରିପଟେ ଘୁରୁଛି । ସେ ଆତ୍ମାର ମୃତ୍ୟୁ ହୋଇପାରେ ନାହିଁ । ମରଣବିଜୟୀ କବି, ଜନ୍ମଗ୍ରହଣ କରିଥିଲେ ଜନୈକ ବ୍ୟକ୍ତିବିଶେଷ ରୂପେ, କିନ୍ତୁ ମୃତ୍ୟୁବରଣ କରି ସେ ହେଲେ ଏକ ଅମର ଅନୁଷ୍ଠାନ । ତାହାହିଁ କବି ଜୀବନର ବିଶେଷତ୍ଵ, ଆଉ ଗୌରବ ।

★★★

 

ଘୋଡ଼ାଗାଡ଼ିର ଚାଳକ ହେବା ଯା’ର ଜୀବନର ସ୍ଵପ୍ନ ସେ ହେଲେ ଦୁନିଆର ଧର୍ମଗୁରୁ

 

ସ୍ଵାମୀ ବିବେକାନନ୍ଦଙ୍କ ପୋଷାକ ପରିଚ୍ଛଦ ଓ ଶାରୀରିକ ଗଠନ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ଵର ଏକ ନିର୍ଭୁଲ ପରିଚୟ ଦେଇଥାଏ । ତାଙ୍କ ସମ୍ପର୍କରେ ଆସିଥିବା କିମ୍ବା ତାଙ୍କ ଜୀବନ ପାଠ କରିଥିବା ସମସ୍ତ ବ୍ୟକ୍ତି ଏହା ସ୍ୱୀକାର କରିବେ । ‘ମୁହଁ ଦେଖି ମନ ଜାଣିବା’ ଯେଉଁ କଥାଟି ଅଛି ତାହା ବିବେକାନନ୍ଦଙ୍କ ଜୀବନରେ କିପରି ଏକାନ୍ତ ସତ୍ୟ, ତାହା ଜାଣିବା ଲାଗି ତାଙ୍କ ବିଷୟରେ ପଢ଼ିବା ପୂର୍ବରୁ ତାଙ୍କ ଚିତ୍ରଟି ଦେଖି ନିଅନ୍ତୁ । ସେ ବ୍ରହ୍ମଚାରି, ଧାର୍ମିକ, ପଣ୍ଡିତ, ବିନୟୀ, ନମ୍ର । ସେ ହେଉଛନ୍ତି ରାମକୃଷ୍ଣଙ୍କର ପ୍ରଧାନ ଶିଷ୍ୟ ।

 

ସେ ଏକ ମାତ୍ର ଭାରତୀୟ, ଯାହାଙ୍କୁ ସାରା ଦୁନିଆ ଗୋଟିଏ ଦିନରେ ଜାଣିଥିଲା । ତାଙ୍କ ପ୍ରତିଭା ନିକଟରେ ସାରା ଜଗତ ନତମସ୍ତକ ହୋଇଥିଲା । ସେ ସୌଭାଗ୍ୟ ଆଉ ଅନ୍ୟ କେଉଁ ଭାରତୀୟଙ୍କୁ କେବେ ମିଳିବ କି ନାହିଁ କହିବା କଠିନ । ୧୮୯୩ ସେପ୍ଟେମ୍ବର ୧୧ ତାରିଖ ସୋମବାର ଏକ ସ୍ମରଣୀୟ ଦିବସ । ସେହିଦିନ ଚିକାଗୋରେ ବିରାଟ ‘ହଲ୍ ଅଫ କଲମ୍ବସ୍‍’ ପୃଥିବୀର ସମସ୍ତ ଧର୍ମର ପ୍ରତିନିଧିମାନଙ୍କର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ବାର ଲକ୍ଷ ଧର୍ମ-ପ୍ରତିନିଧିମାନଙ୍କ ମଧ୍ୟରୁ ବିବେକାନନ୍ଦ ହିନ୍ଦୁଧର୍ମର ପ୍ରତିନିଧିରୂପେ ଯୋଗ ଦେଇଥିଲେ ।

 

ବିବେକାନନ୍ଦଙ୍କର ପୋଷାକ ପତ୍ର, ଢଙ୍ଗଢାଙ୍ଗ ସାଧାରଣଙ୍କୁ ଆପଣାର ପରିଚୟ ଦେବାର ଭଙ୍ଗୀ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥାଏ । ସେ ଏକମାତ୍ର ପ୍ରତିନିଧି ଯେ, ଉପସ୍ଥିତ ଜନତାକୁ ସର୍ବପ୍ରଥମେ ‘ଭାଇ ଭଉଣୀ’ ବୋଲି ସମ୍ବୋଧନ କରିଥିଲେ । ସତେ ଯେପରି ଉପସ୍ଥିତ ଜନତା ଅପେକ୍ଷା କରି ଚାହିଁଥିଲା ପ୍ରତିନିଧିମାନେ ସେମାନଙ୍କୁ ଏହି ଭାଷାରେ ସମ୍ବୋଧନ କରନ୍ତୁ । ସ୍ୱାମୀଙ୍କ ପାଟିରୁ ଏ ସମ୍ବୋଧନ ଶୁଣି ସମସ୍ତେ ଅବାକ୍ ହୋଇ ଚାହିଁରହିଲେ । ସମସ୍ତଙ୍କ ମୁହଁରେ ସବିସ୍ମୟ ହସ ଫୁଟି ଉଠିଲା । କରତାଳିରେ ସଭାସ୍ଥଳ କମ୍ପିଉଠିଲା । ଦୀର୍ଘ ଦୁଇମିନିଟ୍‍ ପାଇଁ ସେ କିଛି କହିପାରିଲେ ନାହଁ । ତା’ପରେ ସେ କହିଲେ ଯେ, ହିନ୍ଦୁ ଧର୍ମ ସମସ୍ତ ଧର୍ମର ଜନନୀ । ସାରା ଦୁନିଆକୁ ଏହି ଧର୍ମ ଦୁଇଟି ଜିନିଷ ଶିକ୍ଷା ଦେଇଛି । ପ୍ରଥମ ସମସ୍ତଙ୍କ ପ୍ରତି ଉଦାର ଦୃଷ୍ଟି, ଦ୍ଵିତୀୟ, ବିଶ୍ଵମୈତ୍ରୀ । ସବୁ ଧର୍ମର ମୂଳମନ୍ତ୍ର କ’ଣ ହେବା ଉଚିତ୍‍, କହିବାକୁ ଯାଇ ସେ କହିଛନ୍ତି ।

 

‘‘ଯଦି କେହି ଭାବୁଥାଏ ଯେ ଆପଣାର ଧର୍ମ ଏକମାତ୍ର ମୁଖ୍ୟ ଧର୍ମ ଓ ତାହା କେବଳ ଦୁନିଆରେ ବଞ୍ଚି ରହିବା ଉଚିତ୍‍, ତେବେ ସେମାନେ ସ୍ମରଣ ରଖିବା ଉଚିତ୍‍ । ଯେ ସେ ଭୁଲ୍‍ କହୁଛନ୍ତି ।ଧ୍ଵଂସ ନ ହୋଇ ସୃଷ୍ଟି, ଶତ୍ରୁତା ଆଚରଣ ନ କରି ମିତ୍ରତା ସ୍ଥାପନ କରିବା ସବୁ ଧର୍ମର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ୍‍ ।’’

 

ତାଙ୍କର ଭାଷଣ ଏପରି ଉଚ୍ଚକୋଟୀର ହୋଇଥିଲା ଯେ, ସାରା ଆମେରିକାରେ ସେ ଅଳ୍ପ ସମୟ ମଧ୍ୟରେ ଜଣାଶୁଣା ହୋଇପଡ଼ିଥିଲେ । ତାଙ୍କ ବିଷୟରେ କହିବାକୁ ଯାଇ “ଦି ନ୍ୟୁୟାର୍କ ହେରାଲ୍‍ଡ’’ କହିଥିଲେ, ‘’ଧର୍ମସଭାରେ ଉପସ୍ଥିତ ପଣ୍ଡିତମାନଙ୍କ ମଧ୍ୟରେ ବିବେକାନନ୍ଦ ଯେ ସର୍ବପ୍ରଧାନ, ଏହା ନିର୍ଦ୍ଵନ୍ଦରେ କୁହାଯାଇପାରେ । ତାଙ୍କ କଥା ଶୁଣିସାରିଲା ପରେ ଆମେ ଆଜି ବୁଝିପାରିଛୁ ଧର୍ମ ପ୍ରଚାର ନିମନ୍ତେ ଭାରତ ପରି ଏକ ଜ୍ଞାନୀ ଦେଶକୁ ମିଶନାରୀ ପଠାଇବା ଆମର ଅଜ୍ଞତାର ପ୍ରମାଣ ଦେଇଛୁ !” ଯେଉଁ ସ୍ୱାମୀଜୀ ସହସା ସମସ୍ତଙ୍କର ପ୍ରିୟ ହୋଇଉଠିଲେ, ଦୂର ବିଦେଶରେ ଅଭିନନ୍ଦନ ପରେ ଅଭିନନ୍ଦନ ପାଇ ବିବ୍ରତ ହୋଇପଡ଼ିଲେ; ବନ୍ଧୁମାନଙ୍କ ନିମନ୍ତ୍ରଣ ରକ୍ଷା କରିବା ପାଇଁ ସମୟ ସୁଦ୍ଧା ପାଉ ନଥିଲେ, ତା’ର ଅଳ୍ପ କେତେଦିନ ପୂର୍ବରୁ ସେ ଆମେରିକାରେ ଆର୍ଥିକ ଅନଟନରେ ପଡ଼ି ମୁଠାଏ ଖାଇବାକୁ ପାଇ ନଥିଲେ । ଚିକାଗୋ ଷ୍ଟେସନରେ ଧର୍ମସଭା ପାଇଁ ପ୍ରସ୍ତୁତ କମିଟିର ଠିକଣା ହଜାଇ ସେ ବରଫ, ଥଣ୍ଡା, ଶୀତ ରାତିରେ ଗୋଟିଏ ଢାବଲ ଭିତରେ କଟାଇଥିଲେ । ରାତି ପାହିଲେ ରାଜପ୍ରାସାଦ ଯା’ ପାଇଁ ଉନ୍ମୁକ୍ତ, ସେ ପୁଣି ପଥପାର୍ଶ୍ଵରେ ଆଶ୍ରୟହୀନ ହୋଇପଡ଼ିଥିଲେ ଶୁଣିଲେ ଅବାକ ହେବାକୁ ହୁଏ । ସତରେ କିଏ କହିବ କାହା ଭାଗ୍ୟରେ କାଲି କ’ଣ ଅଛି ?

 

ଯାହା ମୁଣ୍ଡରେ ମସଲା ଅଛି ଆଜି ନ ହେଲେ ବି କାଲି ସେ ସମ୍ମାନିତ ହେବ । ସ୍ଵାମୀଜୀଙ୍କର ଆମେରିକା ଗସ୍ତ ତା’ର ଏକମାତ୍ର ପ୍ରମାଣ । ଚିକାଗୋ ଧର୍ମସଭାରେ ଯୋଗଦେବା ପାଇଁ ସେ ଆମେରିକା ଯାଇଥିଲେ । ସେଥିରେ ଯୋଗଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ଧର୍ମ ଅନୁଷ୍ଠାନରୁ ପରିଚୟ ପତ୍ର ନେବା କଥା ସେ ଭୁଲିଯାଇଥିଲେ । ଅବସ୍ଥାଚକ୍ରରେ ପଡ଼ି ହାର୍ଭାଡ଼ ବିଶ୍ଵବିଦ୍ୟାଳୟର ଦର୍ଶନ ଅଧ୍ୟାପକ ପ୍ରଫେସର ଜେ. ଏଚ. ରାଇଟଙ୍କ ସହ ତାଙ୍କର ପରିଚୟ ହେଲା । ସ୍ଵାମୀଜୀଙ୍କର ପାଣ୍ଡିତ୍ୟରେ ସେ ମୁଗ୍ଧ ହୋଇଥିଲେ । ପରିଚୟ ପତ୍ର ପାଇଁ ସେ ଭୋଗୁଥିବା ଅସୁବିଧା କଥା ଶୁଣି ଅଧ୍ୟାପକ କହିଥିଲେ, “ଆପଣଙ୍କୁ ପରିଚୟ ପତ୍ର ମାଗିବା ଯାହା ସୂର୍ଯ୍ୟଙ୍କୁ କିରଣଦାନର ଅଧିକାର ପଚାରିବା ସେଇୟା ।” ତା’ପରେ ପରିଚୟ ସୂତ୍ରରେ ପ୍ରତିନିଧି ବାଛିବା କମିଟିର ସଭାପତି ତାଙ୍କର ବନ୍ଧୁ ଡଃ ବାରେସଙ୍କୁ ଲେଖିଥିଲେ, ସେ “ଏହି ଭଦ୍ରଲୋକ ଆମ ବିଶ୍ଵବିଦ୍ୟାଳୟର ସମସ୍ତ ଶିକ୍ଷିତ ଅଧ୍ୟାପକ ମାନଙ୍କଠାରୁ ଅଧିକ ଜ୍ଞାନୀ ।” ଏ ତ କିଛି କମ ସମ୍ମାନର କଥା ନୁହେଁ ।

 

ବିଦେଶରେ ଦୀର୍ଘ ରହଣି ପରେ ସ୍ୱାମୀଜୀ ନିଜ ଦେଶକୁ ଫେରି ଆସିଥିଲେ । ସେତେବେଳକୁ ସାରା ଭାରତରେ ସେ ସୁପରିଚିତ ଓ ସମ୍ମାନସ୍ପଦ ବ୍ୟକ୍ତି । ସେ ଯେତେବେଳେ ଆମ ଦେଶକୁ ଫେରି-ଆସିଲେ, ତାଙ୍କୁ ବିଶେଷ ସମ୍ମାନ ଦିଆଯାଇଥିଲା । କେବଳ ମାନ୍ଦ୍ରାଜ ସହରରେ ତାଙ୍କ ଆସିବା ବାଟରେ ସତରଟି ସୁସଜ୍ଜିତ ଫାଟକ ନିର୍ମାଣ କରାହୋଇଥିଲା । ବିଭିନ୍ନ ଭାଷାରେ ୨୪ଗୋଟି ଅଭିନନ୍ଦନ ପତ୍ର ତାଙ୍କୁ ଦିଆଯାଇଥିଲା । ଲୋକମାନେ ସେଦିନ ଯଥାର୍ଥରେ ଯୋଗ୍ୟବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ । ସେହି ସାଧକ ଆଜୀବନ ଦେଶର ଅଧ୍ୟାତ୍ମିକ ଓ ସାମାଜିକ ଉନ୍ନତି କରିବା ପାଇଁ ପ୍ରାଣଦାନ କରିଯାଇଅଛନ୍ତି । ଦେଶରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ପାଇଁ ତଥା ଦେଶରୁ ଅଜ୍ଞାନ ଅନ୍ଧକାର ଓ ଦାରିଦ୍ର୍ୟ ଦୁସ୍କରଣ ପାଇଁ ସେ ବଡ଼ ତତ୍ପର ଥିଲେ ।

 

ତାଙ୍କ ମତରେ ଦରିଦ୍ରନାରାୟଣ ସେବା କରିବା ହିଁ ମାନବର ସର୍ବପ୍ରଧାନ କର୍ତ୍ତବ୍ୟ । ସେ କେବଳ ଉପଦେଶ ଦେଉନଥିଲେ, ଯାହା ଅନ୍ୟମାନଙ୍କୁ କରିବା ପାଇଁ କହୁଥଲେ, ନିଜେ ମଧ୍ୟ କାମରେ ତାହା କରି ଦେଖାଇ ଦେଉଥିଲେ । ତାଙ୍କର ସେ କର୍ମମୟ ଜୀବନ ଦେଶର ସମ୍ମାନ ରକ୍ଷା ନିମନ୍ତେ ସଂଖ୍ୟାଧିକ ପ୍ରାଣରେ ଯୁଗଯୁଗ ପାଇଁ ସେ ପ୍ରେରଣା ଦେବ, ଏଥିରେ ସନ୍ଦେହ ନାହିଁ । ଆଜି ଦେଶ ବିଦେଶରେ ଯେଉଁ ଯେଉଁ ସ୍ଥାନରେ ରାମକୃଷ୍ଣ ମିସନର ଅନୁଷ୍ଠାନମାନ ଅଛି, ସେସବୁ ସ୍ଵାମୀଜୀଙ୍କର ଚେଷ୍ଟାର ଫଳ । ଭାରତର ସଂସ୍କୃତି, ସମ୍ମାନ ସବୁଦିନ ପାଇଁ ବଜାୟ ରଖିବା ପାଇଁ ସେ ଚିରଚେଷ୍ଟିତ ଥିଲେ । ସେ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ଯେତିକି ତତ୍ପର ଥିଲେ, ପତିତ ସମାଜକୁ ଜାଗ୍ରତ କରିବା ପାଇଁ ତା’ଠାରୁ ଅଧିକ ଚେଷ୍ଟା କରୁଥିଲେ । ତାଙ୍କୁ ଧର୍ମପ୍ରଚାରକ ନ କହି ସମାଜସେବକ କହିଲେ ଅଧିକ ସମୀଚୀନ ହେବ ।

 

ସ୍ଵାମୀଜୀ କେବଳ ଭାରତର ନୁହନ୍ତି, ଭାରତ ବାହାରେ ମଧ୍ୟ ସୁପରିଚିତ । ସ୍ଵାମୀ ବିବେକାନନ୍ଦ ନାମରେ ଯଦିଓ ସାରା ପୃଥିବୀ ତାଙ୍କୁ ଜାଣେ, ତାଙ୍କର ପ୍ରକୃତ ନାମ ହେଉଛି ନରେନ୍ଦ୍ରନାଥ ଦତ୍ତ । ୧୮୭୩ ମସିହା ଜାନୁୟାରି ୧୨ ତାରିଖରେ ତାଙ୍କର ଜନ୍ମ । ତାଙ୍କର ପିତାଙ୍କ ନାମ ବିଶ୍ଵନାଥ ଦତ୍ତ । ତାଙ୍କ ପରିବାରରେ ପୂର୍ବରୁ ତାଙ୍କ ଜେଜେବାପା ଗୃହସ୍ଥ ଜୀବନ ତ୍ୟାଗ କରି ସନ୍ନ୍ୟାସୀ ହୋଇଥିଲେ । ସେ ସୁପଣ୍ଡିତ ଥିଲେ । ସଂସ୍କୃତ ଓ ପାର୍ସି ଭାଷାରେ ମଧ୍ୟ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଜେଜେବାପାଙ୍କ ପରି ତାଙ୍କ ବାପା ମଧ୍ୟ ଜଣେ ବିଦ୍ଵାନ ବ୍ୟକ୍ତି ଥିଲେ । ଇଂରେଜୀ ଓ ପାର୍ସୀ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ବାଇବେଲ ଓ ପାରସୀଆନ କବି ହାଫିଜଙ୍କ ଲେଖା ସେ ବରାବର ପଢ଼ୁଥିଲେ । ଆଇନ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଥିଲା । କଲିକତା ହାଇକୋର୍ଟରେ ସେ ଜଣେ ଜଣାଶୁଣା ଓକିଲ ଏବଂ ବେଶ୍ ଉଚ୍ଚମନା ଲୋକ ଥିଲେ । ସେ ମୁକ୍ତ ହସ୍ତରେ ଦାନ କରୁଥିଲେ । ସଙ୍ଗୀତ ଗାଇବା ତାଙ୍କର ଏକ ସଉକ ଥିଲା । ସେ ଚାହୁଁଥିଲେ ନରେନ୍ଦ୍ର ତାଙ୍କର ସଙ୍ଗୀତ ଶିକ୍ଷା କରୁ । ବାପାଙ୍କର ଏହି ପ୍ରଭାବ ସ୍ୱାମୀଜୀଙ୍କ ଉପରେ ଯଥେଷ୍ଟ ପଡ଼ିଥିଲା । ସେ ଅତି ସୁନ୍ଦର ଗାଇପାରୁଥିଲେ । ତାଙ୍କର ମା’ ସ୍ଵଭାବତଃ ଧର୍ମପରାୟଣା ଥିଲେ । ବାପା ମା’ଙ୍କ ପ୍ରଭାବ ତାଙ୍କ ଉପରେ ଯଥେଷ୍ଟ ପଡ଼ିଥିଲା । ଭବିଷ୍ୟତରେ ଦିନେ ଯେ ସେ ଜଣେ ପ୍ରତିଭାବାନ, ପଣ୍ଡିତ, ସୁବକ୍ତା ଓ ଧର୍ମପରାୟଣ ବ୍ୟକ୍ତି ହେବେ, ତାହା ପିଲାଦିନୁ ଜଣାପଡ଼ିଥିଲା ।

 

ମା’ଙ୍କର ସ୍ନେହସୋହାଗ ମଧ୍ୟରେ ତାଙ୍କର ଶିକ୍ଷା ଆରମ୍ଭ ହେଲା । ମା’ ତାଙ୍କୁ ଗୋଟିକ ପରେ ଗୋଟିଏ ଇଂରେଜୀ ଶବ୍ଦ ଶିଖାଉଥାନ୍ତି ଏବଂ ଗୃହଶିକ୍ଷକ ତାଙ୍କୁ ବଙ୍ଗଳା ବର୍ଣ୍ଣମାଳା ଶିକ୍ଷା ଦେଉଥାନ୍ତି । ପାଖରେ ବସାଇ ମା’ ଛୋଟ ପୁଅଟିକୁ ମନକୁ ପାଇଲା ପରି ରାମାୟଣ ଓ ମହାଭାରତର ଗଳ୍ପଗୁଡ଼ିକ କହୁଥାନ୍ତି । ଅତିଅଳ୍ପ ବୟସରୁ ରାମଙ୍କ ଚରିତ୍ର ପ୍ରତି ସେ ଆକୃଷ୍ଟ ହୋଇଥିଲେ । ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଥୋଇ ସେ ପୂଜା କରୁଥିଲେ । କେବେ କେବେ ରାମଙ୍କ ସ୍ଥାନରେ ଶିବଙ୍କ ମୂର୍ତ୍ତି ମଧ୍ୟ ରଖୁଥିଲେ । ଶିଶୁ ମନରେ କି ରେଖାପାତ ହୋଇଥିଲା କେଜାଣି, ରାମାୟଣ ଶୁଣିବା ପାଇଁ ସେ ବିଶେଷ ଲାଳାୟିତ ହୋଇ ପଡ଼ିଥିଲେ । ସାଇ ପଡ଼ିଶାରେ ଯେଉଁଠି ରାମାୟଣ ପଢ଼ାହେଉଥିବା ଶୁଣିଲେ, ସେଠି ବିବେକାନନ୍ଦ ଯାଇ ହାଜର । ସେ ରାମାୟଣ ଶୁଣିବାରେ ଏପରି ମୁଗ୍ଧ ହୋଇ ଯାଉଥିଲେ ଯେ ଅନେକ ସମୟରେ ଘରକୁ ଫେରିବା ପାଇଁ ଭୁଲିଯାଉଥିଲେ । ବେଳେ ବେଳେ ସେ ଆଖିବୁଜି ତପସ୍ୟା କରୁଥିଲେ । ଥରେ ନିଜ ଘରେ ଏହିପରି ତପସ୍ୟାରେ ବସି ସେ ଚେତନା ହରାଇଥିଲେ ଯେ, ତାଙ୍କୁ ଚେତା କରିବା ପାଇଁ ବହୁତ ସମୟ ଲାଗିଥିଲା ।

 

ଭ୍ରମଣକାରୀ ସାଧୁମାନଙ୍କ ପରି ବୁଲିବାରେ ସେ ଆନନ୍ଦ ପାଉଥିଲେ । ସାଧୁ ସନ୍ୟାସୀମାନଙ୍କୁ ଦେଖିଲେ ସେ ଆନନ୍ଦରେ ଅଧୀର ହୋଇପଡ଼ୁଥିଲେ । ଯାହା ପାଉଥିଲେ ଘରୁ ଆଣି ସେମାନଙ୍କୁ ଦେଇଦେଉଥିଲେ । ଅତି ଅଳ୍ପ ବୟସରେ ଶୋଇବା ସମୟରେ ତାଙ୍କ ସମ୍ମୁଖରେ ଏକ ବିଚିତ୍ର ଆଲୋକ ନାଚିଉଠୁଥିବାର ସେ ଅନୁଭବ କରୁଥାନ୍ତି । ଶିଶୁ ନରେନ ଯେ ଭବିଷ୍ୟତରେ ଦିନେ ବିବେକାନନ୍ଦ ହେବେ, କିଏ ଜାଣିଥିଲା ।

 

ପିଲାଟି ଦିନୁ ତାଙ୍କର ସ୍ମୃତିଶକ୍ତି ଅତି ତୀବ୍ର ଥିଲା । ଅଳ୍ପଦିନ ମଧ୍ୟରେ ସେ ଲେଖିପଢ଼ି ପାରିଥିଲେ । ସେ ଥରେ ଯାହା ଶୁଣୁଥିଲେ ଆଉ ମୋଟେ ଭୁଲୁ ନଥିଲେ । ଶିକ୍ଷକମାନେ ପଢ଼ାଇଲା ବେଳେ ସେ ଏପରି ଭାବେ ମନ ଦେଇ ଶୁଣୁଥିଲେ ଯେ ତାଙ୍କୁ ଆଉ ବିଶେଷ ପଢ଼ିବାକୁ ପଡ଼ୁ ନଥିଲା । ତାଙ୍କୁ ଯେତେବେଳେ ସାତବର୍ଷ ମୁଖବୋଧ ସଂସ୍କୃତ ବ୍ୟାକରଣ ରାମାୟଣ ମହାଭାରତରୁ ଅନେକ ଅଂଶ ତାଙ୍କର ମୁଖସ୍ଥ ଥିଲା । ଅନେକ ସମୟରେ ଏପରି ହୋଇଥାଏ ଯେ ସେ କ୍ଲାସରେ ସାଙ୍ଗମାନଙ୍କ ସଙ୍ଗେ ଗପ କରୁକରୁ ମଧ୍ୟ ଶିକ୍ଷକ ସେତେବେଳେ ପଢ଼ାଉଥିବା ପାଠ ଶୁଣି ମନେ ରଖିପାରୁଥିଲେ । ପର ଜୀବନରେ ବେଦ ବେଦାନ୍ତର ସଂଖ୍ୟାହୀନ ଶ୍ଳୋକ ଯିଏ ଗାଇ ପାରୁଥିଲେ, ଶିଶୁ ଅବସ୍ଥାରେ ସେ ଏତିକି ଯେ କରିପାରୁଥିଲେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅବା ଅଛି । ପଢ଼ିବା ତାଙ୍କର ଦ୍ଵିତୀୟ ପ୍ରକୃତି ଥିଲା କହିଲେ ଚଳେ । ସେ ମାଟ୍ରିକ କ୍ଲାସର ଛାତ୍ର ଥିବା ସମୟରେ ଅନେକ ଇଂରେଜୀ ଓ ବଙ୍ଗଳା ବହି ପଢ଼ିଥିଲେ । ଇତିହାସ ପଢ଼ିବା ପାଇଁ ତାଙ୍କର ଆଗ୍ରହ ଥିଲା ଅଧିକ । ସେହି ସମୟରେ ସେ ଅନେକ କିଛି ଇତିହାସ ବିଶେଷତଃ ଭାରତ ବିଷୟରେ ଲିଖିତ ଇତିହାସ ପାଠ କରିଥିଲେ ।

 

ସେ ଏପରି ପଢ଼ିଥିଲେ ଯେ, ଅନେକ ସମୟରେ କୌଣସି ନିର୍ଦ୍ଦିଷ୍ଟ ଲେଖାକୁ ଧାଡ଼ି ଧାଡ଼ି ନ ପଢ଼ି ବହିରେ ଲେଖାଯାଇ ଥିବା ସମୁଦାୟ ବିଷୟ ସେ ବୁଝିପାରୁଥିଲେ । ଗୋଟିଏ ପାରାର କେବଳ ପ୍ରଥମ ଓ ଶେଷ ଧାଡ଼ିଟି ପଢ଼ି ସେ ପୁରା ପାରାର ଅର୍ଥ ବୁଝିପାରୁଥିଲେ । ଅନେକ ସମୟରେ କୌଣସି ଗୋଟିଏ ବିଷୟ ବୁଝାଇବାକୁ ଲେଖକ ଯେଉଁଠି ଚାରିପାଞ୍ଚ ପୃଷ୍ଠା ନେଇଛନ୍ତି, ସେଠି ସେ ପ୍ରଥମ କେଇ ଧାଡ଼ି ପାଠକରି ସାରମର୍ମ ବୁଝିପାରୁଥିଲେ ।

 

ଛାତ୍ର ଜୀବନରେ ନିଜର ପାଠ୍ୟପୁସ୍ତକ ବ୍ୟତୀତ ସେ ଅନେକ ପୁସ୍ତକ ପଢ଼ିଛନ୍ତି । କଲେଜ ଜୀବନର ପ୍ରଥମ ଦୁଇ ବର୍ଷ ମଧ୍ୟରେ ପାଶ୍ଚାତ୍ୟ ଜଗତର ପ୍ରାୟ ସମସ୍ତ ସ୍ୱନାମଧନ୍ୟ ତର୍କଶାସ୍ତ୍ର ଓ ବି.ଏ.ଶ୍ରେଣୀର ଛାତ୍ର ହିସାବରେ ପାଶ୍ଚାତ୍ୟ ଦର୍ଶନ-ଶାସ୍ତ୍ରଗୁଡ଼ିକ ଉପରେ ପାଣ୍ଡିତ୍ୟ ଅର୍ଜନ କରିବାରେ ସେ ଲାଗି ପଡ଼ିଥିଲେ । ତା’ ବ୍ୟତୀତ ଇଉରୋପର ବିଭିନ୍ନ ଦେଶର ପ୍ରାଚୀନ ଇତିହାସ ପଢ଼ିବା ତାଙ୍କର ଏକ ଝୁଙ୍କ ଥିଲା । ତାଙ୍କର ପ୍ରତିଭାର ପରିଚୟ ପାଇ ଶିକ୍ଷକମାନେ ସ୍ତମ୍ଭୀଭୂତ ହୋଇଯାଇଥିଲେ । ଥରେ ତାଙ୍କର ଅଧ୍ୟକ୍ଷ ଡ. ଡବଲ୍ୟୁ. ଡବଲ୍ୟୁ ହାଷ୍ଟିର କହିଥିଲେ, “ମୁଁ ମୋ ଜୀବନରେ ଅନେକ ଛାତ୍ର ଦେଖିଛି, କିନ୍ତୁ ଏପରି ମେଧାବୀ ଗୁଣ କେବେହେଲେ ଦେଖିନାହିଁ । ଜୀବନରେ ଦିନେ ଏ ନିଶ୍ଚୟ ବଡ଼ଲୋକ ହେବ ।’’ ଗୁରୁଦେବଙ୍କର ଅନୁମାନ ଦିନେ ବାସ୍ତବ ସତ୍ୟରେ ପରିଣତ ହେଲା ।

 

ପିଲା ଦିନେ ସେ ବଡ଼ ଦୁଷ୍ଟ ଥିଲେ । ଛୋଟ ଭାଇ ଭଉଣୀମାନଙ୍କୁ ଚିଡ଼ାଇବାଠାରୁ ଧରି ପଢ଼ାସାଥିମାନଙ୍କୁ ମିଳାଇ ଖେଳ କସରତ କରିବାରେ ସେ ବହୁ ଆନନ୍ଦ ପାଉଥିଲେ । ନିଜେ ରଜା ହୋଇ ଦରବାର କରି ଖେଳିବା ଥିଲା ତାଙ୍କର ଅତିପ୍ରିୟ ଖେଳ । ରାଜା ହିସାବରେ ଅତି ଦୃଢ଼କଣ୍ଠରେ ଦୋଷୀପ୍ରତି ସେ ଦଣ୍ଡ ବିଧାନ କରୁଥିଲେ ଏବଂ ତାଙ୍କର ଆଦେଶ ଯେପରି କେହି ଉଲ୍ଲଂଘନ ନ କରନ୍ତି, ସେଥିପ୍ରତି ଅତି ଯତ୍ନବାନ ହେଉଥିଲେ ।

 

ଛାତ୍ର ଅବସ୍ଥାରେ ସେ ବ୍ୟାୟାମ ଓ ଅଭିନୟ ଆଦି କରି ଆନନ୍ଦ ଅନୁଭବ କରୁଥିଲେ । ସେ ବାଲ୍ୟାବସ୍ଥାରେ ଏପରି ଦୁଷ୍ଟ ଥିଲେ ଯେ ମା’ ତାଙ୍କର ବେଳେବେଳେ କହୁଥିଲେ–ପୁଅଟିଏ ପାଇଁ ମୁଁ ଶିବଙ୍କୁ ସେବା କରିଥିଲି, କିନ୍ତୁ ପୁଅଟିଏ ନ ଦେଇ ତାଙ୍କ ଅସୁରରୁ ଗୋଟିଏ ସେ ମୋତେ ଦେଲେ । ଅବଶ୍ୟ ପର ଜୀବନରେ ତାଙ୍କର ଏ ପ୍ରକୃତି ଧୀରେ ଧୀରେ ବଦଳିଯାଇଛି ।

 

ପିଲାଦିନେ ପଢ଼ା ସାଥିଙ୍କ ବ୍ୟତୀତ ତାଙ୍କର ଆହୁରି ଅନେକଗୁଡ଼ିଏ ସାଙ୍ଗ ଥିଲେ । ସେମାନଙ୍କ ସଙ୍ଗେ ମିଶି ସେ ସମୟ କଟାଉଥିଲେ । ସେମାନଙ୍କ ମଧ୍ୟରେ ତାଙ୍କ ପରିବାରର ଗାଈଟି ବ୍ୟତୀତ ତାଙ୍କ ଘରେ ଥିବା ମାଙ୍କଡ଼, ଛେଳି, ମୟୂର, ପାରା, ଦୁଇ ତିନୋଟି ଘୁଷୁରି ତାଙ୍କର ଅତି ପ୍ରିୟ ଥିଲେ । ଜୀବନସାରା ତାଙ୍କର ଏହି ପଶୁପକ୍ଷୀଙ୍କ ପ୍ରତି ବିଶେଷ ମମତା ଥିଲା । ଶେଷ ଜୀବନରେ ମଠରେ ଥିବା ବେଳେ ମଧ୍ୟ ସେଠାରେ ଥିବା ବାଘ, କୁକୁର, ହଂସ, ଛେଳି, ଛେଳିଛୁଆ, ଗାଈଗୁଡ଼ିଙ୍କର ଯତ୍ନ ନେବାରେ ଅଧିକାଂଶ ସମୟ ସେ ଅତିବାହିତ କରୁଥିଲେ ।

 

ପଶୁପକ୍ଷୀଙ୍କ ବ୍ୟତୀତ ତାଙ୍କର ପରିଚାରକଙ୍କ ମଧ୍ୟରେ ଘୋଡ଼ାଗାଡ଼ିବାଲା ହେଉଛି ଏକ ଅନ୍ତରଙ୍ଗ ବନ୍ଧୁ । ଘରୁ ବାହାରକୁ ପାଦ କାଢ଼ିଲେ ସେ ଘୋଡ଼ାଗାଡ଼ିରେ ବସୁଥିଲେ । ସେଥିରେ ବସି ସେ ବାପାଙ୍କ ସଙ୍ଗେ ବୁଲି ଯାଉଥିଲେ । ସେ ନ ଥିଲେ ବୁଲାବୁଲି ସବୁ ବନ୍ଦ । ସେ ଭାବନ୍ତି ଗାଡ଼ିବାଲା ଭାରି ଭାଗ୍ୟବାନ । ବଡ଼ହେଲେ ସେ ଗୋଟିଏ ଘୋଡ଼ାଗାଡ଼ିର ଚାଳକ ଯେ ହେବେ, ଏହି ଥିଲା ତାଙ୍କ ବାଲ୍ୟ ଜୀବନର ଏକ ସ୍ଵପ୍ନ । ଭାବିଲେ ଆଜି ହସଲାଗେ, ଯେଉଁ ବିବେକାନନ୍ଦ କୁହନ୍ତି ସମସ୍ତଙ୍କର ଉଚ୍ଚ ଆଶାପୋଷଣ କରିବା ଉଚିତ୍‍, ଆଶାବାଦୀ ହେବା ଉଚିତ୍‍, ହିମାଳୟ ଆରୋହଣ କରିବାର ଆଶା ପୋଷଣ କରିଥିଲେ ତା’ର ପାଦଦେଶ ପର୍ଯ୍ୟନ୍ତ ଅନ୍ତତଃ ମଣିଷ ଯାଇପାରିବ, ଯେଉଁ ମନୀଷିଙ୍କ ବାଲ୍ୟସ୍ଵପ୍ନ ଥିଲା ଘୋଡ଼ାଗାଡ଼ିରେ ଚାଳକ ହେବା, ସେ ପୁଣି ହେଲେ ଧର୍ମ ଦୁନିଆର କର୍ଣ୍ଣଧାର । ଅବସ୍ଥାଚକ୍ରରେ ରାମକୃଷ୍ଣଙ୍କର ସଂପର୍କରେ ସେ ଆସି ଭାଗ୍ୟ ତାଙ୍କର ବଦଳିଗଲ । ଦତ୍ତ ପରିବାରର ଅମାନିଆ ନରେନ ପୁଣି ହେଲେ ବିଶ୍ଵବନ୍ଦ୍ୟ ବିବେକାନନ୍ଦ ।

★★★

 

ଦେଶ ପାଇଁ ଦାନ ଦେଇ ଯେ ଦେବାଳିଆ

 

ପିଲା ଖଡ଼ି ଛୁଇଁଲେ ଅବଧାନେ ଶିଖାନ୍ତି–“ପାଠପଢ଼ିବ, ମଧୁବାବୁ ସଙ୍ଗେ ଲଢ଼ିବ ।” ସେ ମଧୁବାବୁ ଆଜି ନାହାନ୍ତି । କିନ୍ତୁ କୀର୍ତ୍ତିଃ ଯସ୍ୟ ସଃ ଜୀବତି । କଟକ ମିସନ ରୋଡ଼ର ରାସ୍ତାପାଖରେ ଦୃଷ୍ଟିପଡ଼େ ମହିଳା କଲେଜ ଉପରେ । ସେଠି ଜଣେ ଓଡ଼ିଆ ଥିଲା । ଜୀବନ ଯା’ର ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ଇତିହାସ, ଶୟନେ, ସ୍ଵପନେ, ଜାଗରଣେ ସିଏ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଚିନ୍ତା କରି କରି ଶେଷରେ ଆଖି ବୁଜିଥିଲା, ସେ ଥିଲେ ଆମ ପ୍ରତ୍ୟେକଙ୍କର ପ୍ରିୟ, ଚିରନମସ୍ୟ, ଏ ଜାତିର ଜୀବନ୍ତ ଅନୁଷ୍ଠାନ, କୁଳବୃଦ୍ଧ ମଧୁସୂଦନ ।

 

ସେ ଥିଲେ ଜଣେ ବିରାଟ ବ୍ୟକ୍ତି । ମଧୁସୂଦନ ଦାସ ନ କହି କେବଳ ମଧୁବାବୁ କହିଲେ ସମସ୍ତେ ତାଙ୍କୁ ହିଁ ବୁଝନ୍ତି । କିନ୍ତୁ ଦିନଥିଲା ଯେତେବେଳେ ତାଙ୍କୁ କେତେକ ବଙ୍ଗାଳୀ ବନ୍ଧୁ “ମଧୁଓଡ଼େ’ ବୋଲି ଡାକୁଥିଲେ । କିନ୍ତୁ ଏହି ମଣିଷକୁ ଯେଉଁମାନେ ହତାଦର କରିଛନ୍ତି, ସେମାନେ ଜାଣନ୍ତି ନାହଁ ଯେ, ସେ ତାଙ୍କ ବଙ୍ଗଳାର ବାଘ ଶ୍ରୀଯୁକ୍ତ ଆଶୁତୋଷଙ୍କ ଗୃହ ଶିକ୍ଷକ ଥିଲେ ।

 

୧୮୮୦ ମସିହାରେ କଲିକତାରୁ ଫେରି କଟକରେ ଓକିଲାତି ଆରମ୍ଭ କଲାବେଳକୁ ବଙ୍ଗାଳୀମାନେ ଏଠି ଆଡ୍ଡା ଜମାଇ ବସିଥାନ୍ତି । ଓଡ଼ିଆଟାଏ କି ଓକିଲାତି କରିବ, ତାଙ୍କ ମନକୁ ଆସିଲା ନାହିଁ । ସେଥିପାଇଁ ସେମାନେ ତାଙ୍କୁ ବସିବାକୁ ସ୍ଥାନ ସୁଦ୍ଧା ଦେଉ ନଥିଲେ । ସେଦିନ ସେମାନେ ଜାଣି ନଥିଲେ, କିନ୍ତୁ ପରେ ବୁଝିଥିବେ ଲଙ୍କାରେ ଯେ ସବୁଠୁ ସାନ ସେ ଷାଠିଏ ହାତ । ମଧୁବାବୁ କାହାକୁ ଖାତିର କରିବା ଲୋକ ନୁହନ୍ତି । ଲାଞ୍ଛନା, ଥଟ୍ଟା, ପରିହାସ ‘ଉଡ଼େ ଉଡ଼େ’ ଛାତ୍ରାବାସରେ ଦେହସୁହା ହୋଇ ଯାଇଥିଲା ।

 

ଛାତ୍ର ଅବସ୍ଥାରେ ବଙ୍ଗାଳୀ ବନ୍ଧୁମାନେ ତାଙ୍କ ଚାଲିଚଳଣ, ପୋଷାକ ପରିଚ୍ଛଦକୁ ପରିହାସ କରୁଥିଲେ । ସେ ମିରିଯାଇ ପିନ୍ଧୁଥିଲେ । ଲମ୍ବା ବାଳ ରଖିଥିଲେ, ମୁଣ୍ଡ ବାନ୍ଧୁଥିଲେ । ଥରେ ତାଙ୍କର ଜଣେ ବଙ୍ଗାଳୀ ସାଥି ବାଳ କେରାଟି କାଟି ଦେଇଥିଲେ । ମଧୁବାବୁ ତ ମୁଖରା, ସେ ସମ୍ଭାଳନ୍ତେ କେତେକେ । ସେ ସେହି ମଧୁଟି, ଯେ ଦିନେ ପ୍ରଧାନଶିକ୍ଷକଙ୍କ ଭୁଲ ଦେଖାଇ ସ୍କୁଲରୁ ତଡ଼ା ଖାଇଥିଲେ । ଏତେ ସହଜରେ ସେ ଏ ସହପାଠୀକୁ ଛାଡ଼ନ୍ତେ କିପରି ? ତାଙ୍କର ସେ ବାଳ କେରାଟି ସେ ବଂଧୁକୁ ମାଗିଥିଲେ ସାଇତି ରଖିବା ପାଇଁ । କାରଣ ଯଦି ପରେ ଜୀବନରେ କେବେ ବଙ୍ଗାଳୁଣୀ ବିଭା ହୁଅନ୍ତି, ତେବେ ବଙ୍ଗାଳୀ ଜାତିର କୃତୀତ୍ଵ ତାଙ୍କ ଘରଣୀକୁ ଦେଖାଇବେ । ଏମିତି ଯୋଗ ପଡ଼ିଲା ଯେ, ପର ଜୀବନରେ ସେ ଜଣେ ବଙ୍ଗାଳୀ ଝିଅକୁ ବିଭା ହେଲେ । ବିବାହପରେ ଅବଶ୍ୟ କ’ଣ କଲେ ଜଣାଯାଇ ନାହିଁ ।

 

ତାଙ୍କ ସ୍ତ୍ରୀଙ୍କ ନାମ ସୌଦାମିନୀ । କଲେଜ ଜୀବନରେ ସେ ତାଙ୍କୁ ଭଲ ପାଉଥିଲେ । ଏମ୍. ଏ. ପାଶ ପରେ ସେ ତାଙ୍କୁ ବିବାହ କରିଥିଲେ । ବିଭାଘର ଅତି ସାଧାସିଧା ଭାବେ ହୋଇଥିଲା । କଲେଜ ପିନ୍ଧା ଯାଇଥିବା ପୋଷାକରେ କଲେଜରୁ ଫେରି ବିଭା ହେବାପାଇଁ ସେ ସିଧା ଚର୍ଚ୍ଚକୁ ଯାଇଥିଲେ । ତାଙ୍କ ବିବାହ-ଜୀବନର ବିଶେଷତ୍ଵ ହେଉଛି ଯେ, ତାଙ୍କର ସ୍ତ୍ରୀ ତାଙ୍କଠାରୁ ଗୋଟିଏ ବର୍ଷ ବଡ଼ ।

 

ସେ ଥିଲେ ଭୀଷଣ ପ୍ରତ୍ୟୁପନ୍ନମତି । ଅନେକ ମକଦ୍ଦମାରେ ତା’ର ଦୃଷ୍ଟାନ୍ତ ମିଳିଛି । ସେ କଥା ଏଠାରେ କୁହାଯାଉ ନାହିଁ । ବିଭିନ୍ନ ଉପଲକ୍ଷେ ଘଟିଥିବା ଗୋଟିଏ ଦୁଇଟି ଘଟଣାର ଦୃଷ୍ଟାନ୍ତରୁ ତାହା ଜଣାଯାଏ । ଥରେ ପଶ୍ଚିମ ଛାତ୍ରାବାସକୁ ସେ ବକ୍ତୃତା ଦେବାପାଇଁ ଆସିଥିଲେ । ଓଡ଼ିଶାର ଭୁତପୂର୍ବ ଗଭର୍ଣ୍ଣର ଫିଲିଫ ମଧ୍ୟ ଆସିଥିଲେ । ସେ ଶ୍ରୀଯୁକ୍ତ ଦାସଙ୍କୁ ଲକ୍ଷ୍ୟ କରି କହିଲେ–ମୁଁ ଭାବୁଥିଲି ଆପଣ ମଲେଣି ବୋଲି । ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ଦାସ ବିନୟ ଭାବେ କହିଲେ, ତାହାହେଲେ ଆପଣ ତାଙ୍କ ପ୍ରେତକୁ ଦେଖୁଥିବେ । ତାଙ୍କୁ ଆଉଥରେ ଜଣେ ଇଂରେଜରେ କହିଥିଲେ “ବ୍ରିଟିଶ ସାମ୍ରାଜ୍ୟ ଏତେ ବିରାଟ ଯେ, ଏଠି ସୂର୍ଯ୍ୟ ଅସ୍ତ ହୁଏ ନାହିଁ ।” ଏଥିରେ ମଧୁବାବୁ କ’ଣ ଉତ୍ତର ଦେଇଥିଲେ ଜାଣ ? ସେ କହିଲେ, “ସତକଥା, ସବୁବେଳେ ଆଲୁଅ ନଥିଲେ ବ୍ରିଟିଶ ଜାତିକୁ ବିଶ୍ୱାସ କରିବ କିଏ ?”

 

ସେ ଜଣେ ସୁବକ୍ତା ଥିଲେ । ସେ କିପରି ଗୁରୁଗମ୍ଭୀର ସ୍ୱରରେ ବକ୍ତୃତା ଦେଇ ଲୋକମାନଙ୍କୁ ସ୍ତବ୍ଧ କରୁଥିଲେ, ଶୁଣିଥିବା ଲୋକେ ଆଜି ସେ କଥା କହନ୍ତି । ତାଙ୍କ ବକ୍ତୃତା ଶୁଣି ଖ୍ରୀଷ୍ଟିୟାନ ତାଙ୍କୁ ଧର୍ମଯାଜକ ହେବା ପାଇଁ ଅନୁରୋଧ କରିଥିଲେ । ସେ କହିଲେ, ‘’ଯଦି ପାଦ୍ରୀ ହେବି, ତେବେ ଖୁବ୍‍ ବହୁତ ଦରମା ନେବି, ନଚେତ୍ ମୋଟେ ନେବି ନାହିଁ ।‘’ ଏହି ଦୁଇଟି ସର୍ତ୍ତରୁ ଗୋଟିକରେ ମଧ୍ୟ ସେମାନେ ରାଜି ହୋଇ ନଥିଲେ । ପ୍ରଥମରେ ଖୁବ ବେଶୀ ଟଙ୍କା ଦେବାକଥା, ଦେଇପାରିଲେ ନାହିଁ । ମଧୁବାବୁ ଆଉ ଯେଉଁ ସବୁ ସର୍ତ୍ତ ଦେଇଥିଲେ ସେଗୁଡ଼ିକ ଏବେ ଅଦ୍ଭୁତ ଯେ ସେଥିରେ ରାଜି ହେବା ମୁସ୍କିଲ । ସେ କହିଲେ–ପାଦ୍ରୀଙ୍କ କଥା ମାନି ଧର୍ମପ୍ରଚାର କଲେ ଖୁବ୍ ଅଧିକ ଟଙ୍କା ନେବେ, କାରଣ ନିଜର ବିବେକକୁ ସେଠି ବଳିଦେଇ ସେ କାମ କରିବେ; କିନ୍ତୁ ବିନା ଟଙ୍କାରେ ପ୍ରଚାର କଲେ ସେ ବିବେକାନୁଯାୟୀ ପ୍ରଚାର କରିବେ ଓ ଧର୍ମ ପାଇଁ ସ୍ଵଇଚ୍ଛାରେ ପ୍ରଚାର କରିବେ । ତେଣୁ ପାଦ୍ରୀମାନଙ୍କ ନିର୍ଦ୍ଦେଶ ମାନିବା ଦରକାର ହେଲା ନାହିଁ । ଏହି ହେଲା ତାଙ୍କର ଆତ୍ମସମ୍ମାନର ଖିଆଲ । ସେ ବରାବର କହନ୍ତି, “ଗୋଲାପ ବଣର ଘାସ, ଗୋଲାପର ସମ୍ମାନ ପାଏ ନାହଁ ।” ଅନ୍ୟ କଥାରେ କହିଲେ କେବଳ ବଡ଼ ଲୋକଙ୍କ ସଙ୍ଗରେ ମିଶିଲେ କେହି ବଡ଼ ହୋଇଯିବ ନାହିଁ, ବଡ଼ ହେବାକୁ ହେଲେ ଅଧ୍ୟବସାୟ ଦରକାର ।

 

ସେ ମୂହୁର୍ତ୍ତଟିଏ ସମୟ ବୃଥାରେ ନଷ୍ଟ କରୁ ନଥିଲେ । ଥରେ କେନ୍ଦୁଝର ରାଜା ତାଙ୍କୁ ଆଠଟାରେ ସାକ୍ଷାତ୍‍ କରିବାର ଥାଏ । କିନ୍ତୁ ସେ ଆସିଲେ ସାଢ଼େ ଆଠରେ । ରାଜା ଆସିବା କଥା ଚପରାସୀ ଯାଇ ଜଣାଇଲା । ଯେତେବେଳେ ରାଜା ଆସିଛନ୍ତି ତାଙ୍କୁ ପାଛୋଟି ନେବା କଥା । ପାଛୋଟି ନେବା ଦୂରେଥାଉ, ସେ ଚପରାସୀକୁ କହିଲେ ତାଙ୍କୁ ବସିବାକୁ କହ । ବାସ ସେତିକି । ରଜା ସେପରି ଅପେକ୍ଷା କରିଥାନ୍ତି । ଦଶଟା ବେଳକୁ ରଜାଙ୍କୁ ସେ ଡାକି ପଚାରିଲେ, “ରାଜା ସାହେବ, ବାଡ଼ରେ ଘଣ୍ଟାଟା ଝୁଲୁଛି, ତା’ର ଦାମ କେତେ ହେବ କୁହନ୍ତୁ ତ ।” ଶହେ ଟଙ୍କା ରଜା ଉତ୍ତର କଲେ । ତାହା ଶୁଣି ମଧୁବାବୁ କହିଲେ, ‘’ମୋଟେ ଶହେଟଙ୍କାର ଘଣ୍ଟାଟାଏ, କିନ୍ତୁ କେନ୍ଦୁଝର ରାଜା ଆସିବେ ବୋଲି ସେ ତ ମୁହୁର୍ତ୍ତ ହେଲେ ଅଟକି ଗଲା ନାହିଁ । ମୋର ମୂଲ୍ୟ କ’ଣ ଶହେଟଙ୍କା ଠାରୁ ବି କମ୍ । ଯାହାହେଉ ଆପଣଙ୍କୁ ଏତିକି କହିବି ବୋଲି ଡାକିଥିଲି । ମୋର ଆଜି ଆଉ ସମୟ ନାହିଁ, ଆପଣ ବର୍ତ୍ତମାନ ଯାଇପାରନ୍ତି । ପୁଣି କେବେ ସମୟ ହେବ ବୁଝି ଆପଣ ଆସିବେ ।” ଛାତିରେ ଦମ୍ ଆଉ ମୁଣ୍ଡରେ ମସଲା ନ ଥିଲେ ସେକାଳରେ ରାଜାଙ୍କୁ ଏକଥା ଶୁଣାଇବା ପାଇଁ କାହା ଜିଭରେ ହାଡ଼ଥିଲା !

 

ଯେଉଁ ସବୁ କାମ କଲେ ସାରା ଓଡ଼ିଶାର ମଙ୍ଗଳ ହେବ, ସେହି କାର୍ଯ୍ୟରେ ସେ ପ୍ରାଣ ଢାଳି ଦେଇଥିଲେ । ରେଭେନ୍ସା କଲେଜର ଇତିହାସ ବିଭାଗ, ଇଂଜିନିୟରିଂ ସ୍କୁଲ ସ୍ଥାପନ ଓ ମହିଳାମାନଙ୍କ ପାଇଁ ଉଚ୍ଚ ଶିକ୍ଷାଲାଗି ସୁବିଧା କରିବା ପାଇଁ ସେ ପ୍ରଥମେ ପରିକଳ୍ପନା କରିଥିଲେ । ସେଥିପାଇଁ ସରକାରଙ୍କଠାରେ ସେ ଦାବୀ କରିଥିଲେ । ଅଧ୍ୟାପକ ଥାଇ ଆଇନ କଲେଜର ଛାତ୍ରମାନେ ଯେପରି ବିଶେଷ ସଂଖ୍ୟାରେ ପରୀକ୍ଷାରେ ସଫଳତା ଲାଭ କରିବେ, ସେ ସେଥିଲାଗି କିପରି ଚେଷ୍ଟା କରୁଥିଲେ ତାହା କାହାକୁ ଅବିଦିତ ନାହିଁ ।

 

ସେ ଥିଲେ ଦୂରଦ୍ରଷ୍ଟା । ସେ ବୁଝିଥିଲେ ଶିଳ୍ପ ପ୍ରସାର ବିନା ଏ ଜାତି ଉଠିବ ନାହିଁ । ସେଥିପାଇଁ ନିଜ ଅର୍ଜିତ ଅର୍ଥକୁ ଅକାତିରେ ବ୍ୟୟକରି ୧୮୯୭ରେ ‘ଓଡ଼ିଶା ସୂକ୍ଷ୍ମକଳା କାରଖାନା’ ଓ ୧୯୦୫ରେ ‘ଉତ୍କଳ ଟ୍ୟାନେରୀ’ ବସାଇ ଥିଲେ । ଅଳ୍ପଦିନ ମଧ୍ୟରେ ଦୁଇଟିଯାକ ଅନୁଷ୍ଠାନ ବେଶ ନାମ କରିଥିଲା । ମଧୁବାବୁଙ୍କ ଇଚ୍ଛା ଥିଲା ଓଡ଼ିଶାବାସୀ ଶିଳ୍ପଶିକ୍ଷା କରି ଆତ୍ମନିର୍ଭରଶୀଳ ହୁଅନ୍ତୁ, ବିଦେଶରେ ସୁନାମ ଅର୍ଜନ କରନ୍ତୁ, ପରର ଗୋଲାମି ନ କରନ୍ତୁ । ଗୋଟିଏ ଜୋତା ଖରାପ ହେଲେ ସାରା ଅନୁଷ୍ଠାନ ତଥା ଓଡ଼ିଆ ଜାତି କଳଙ୍କିତ ହେବ । ସେଥିପାଇଁ ସାମାନ୍ୟ ତ୍ରୁଟି ଦେଖିଲେ ସେ ହଳହଳ ଜୋତା ପୋଡ଼ି ନଷ୍ଟ କରିଦେଉଥିଲେ । କି ଆତ୍ମ-ଅଭିମାନ !

 

୧୯୦୬-୧୯୦୭ ବେଳକୁ ଏହି ଅନୁଷ୍ଠାନଗୁଡ଼ିକ ଦେଶର ସୀମା ଡେଇଁ ବିଦେଶରେ ସୁପରିଚିତ ହୋଇ ଯାଇଥିଲେ । ଟ୍ୟାନେରୀ ତିଆରି ଜିନିଷ କଲିକତା ପ୍ରଦର୍ଶନୀରେ ସ୍ଵର୍ଣ୍ଣ ପଦକ ପାଇଥିଲେ । ବିଦେଶୀ ପତ୍ରପତ୍ରିକା ତା’ର ବହୁ ପ୍ରଶଂସା କରିଥିଲେ ! ସୁନାମପାଇଁ ଆମ ମଧୁବାବୁ କିଛି କମ ଚେଷ୍ଟା କରି ନଥିଲେ । ସେ ଥରେ ଶିଳ୍ପ କମିସନଙ୍କୁ କହିଥିଲେ-ଏହି ଜୋତା କାରଖାନା ପାଇଁ ହଜାର ଦୁଇହଜାର ନୁହେଁ, ସର୍ବମୋଟ ତିନିଲକ୍ଷ ଟଙ୍କା କ୍ଷତି ସେ ସହିଛନ୍ତି । ଦେଶପାଇଁ ଏ କ୍ଷତିକୁ ସେ ମୋଟେ ବଡ଼ ବୋଲି ଭାବୁ ନଥିଲେ ।

 

ଗୋଟିଏ ସପ୍ତାହରେ ୫୦୦ବୁଟ ବ୍ୟତୀତ ଅନେକ ବ୍ୟାଗ୍, ସୁଟକେଶ, ମନିବ୍ୟାଗ, ଘୋଡ଼ାଜିନ ପ୍ରଭୃତି ତିଆରି ହେଉଥିଲା । କିନ୍ତୁ ଦୁର୍ଭାଗ୍ୟ ଓ ଦୁର୍ଦ୍ଦିନ ଯୋଗୁଁ ସବୁ ଚେଷ୍ଟା ବ୍ୟର୍ଥ ହୋଇଗଲେ । ଏ ହେଲା ୧୯୨୩ର ଘଟଣା । ନାନା କାରଣରୁ ଟ୍ୟାନେରୀ ୧୯୩୬ ସାଲାରେ ନିଲାମ ହୋଇଗଲା । ତା’ ପୂର୍ବରୁ କମ୍ପାନିଟିକୁ କିଣି ନେବାପାଇଁ କେତେକ ଲୋକ ଚେଷ୍ଟା କରିଥିଲେ । କିନ୍ତୁ ବ୍ୟବସାୟ ଚଳାଇବାକୁ ଓଡ଼ିଆ ଅପାରଗ ଏ ଦୁର୍ନାମ ହେବ, ସେଥିପାଇଁ ସେ ସମସ୍ତଙ୍କୁ ନାସ୍ତିବାଣୀ ଶୁଣାଇଥିଲେ । ଆଜି କିନ୍ତୁ ପ୍ରିୟ ଟ୍ୟାନେରୀ ତାଙ୍କର ନିଲାମ ହୋଇଗଲା । ଟ୍ୟାନେରୀ ନିଲାମ ହେବା ଦିନ ସେ ଦୀର୍ଘ ଆଠଘଣ୍ଟା ବେହୋସ୍ ହୋଇଯାଇଥିଲେ । କହିଥିଲେ, ‘’ଦେବତା ତୁମର ଇଚ୍ଛା ପୂର୍ଣ୍ଣ ହେଉ । ଫଳ କିନ୍ତୁ କିଛିହେଲା ନାହିଁ । ମଣିଷ ଯେଉଁ ମଣିଷର ଡାକ ଶୁଣେନାହଁ, ଦେବତା ସେଠି ତା’ର ପ୍ରାର୍ଥନା ଶୁଣନ୍ତା କାହିଁକି ?

 

ସେ ଭାରି ମୁକ୍ତ ହସ୍ତ ଥିଲେ । ତାଙ୍କୁ ମାଗିଲେ ସେ ମୁଠାଏ ଟଙ୍କା ଦେଇ ଦେଉଥିଲେ । ଟ୍ୟାନେରୀ ତା’ର ଗୋଟିଏ ଜ୍ଵଳନ୍ତ ନିଦର୍ଶନ । ଟଙ୍କାକୁ ସେ କିପରି ଦେଖୁଥିଲେ ତାଙ୍କ ନିଜ ଭାଷାରେ କହିବାକୁ ହେଲେ ‘ମୁଠାଏ ଧୂଳି’ ଯାହାକୁ ଫିଙ୍ଗିଦେଇ ମଧ୍ୟ ମନୁଷ୍ୟ ମନୁଷ୍ୟ ହୋଇ ରହେ । ହଜାର ହଜାର ଟଙ୍କା ସେ ଯେମିତି ରୋଜଗାର କରିଛନ୍ତି ସେମିତି ବି ଫିଙ୍ଗିଛନ୍ତି । ଟଙ୍କାକୁ ସେ ଯେମିତି ବେଖାତିର କରିଛନ୍ତି ଟଙ୍କା ସେମିତି ତାଙ୍କର ପ୍ରତିଶୋଧ ନେଇଛି । ପର ଜୀବନରେ ସେ ନିଷ୍ଠୁର ଆର୍ଥିକ ଅନାଟନର ସମ୍ମୁଖୀନ ହୋଇଛନ୍ତି । ୧୯୨୭ ମସିହାରେ ସରକାର ତାଙ୍କୁ ଦେବାଳିଆ ବୋଲି ଗ୍ରହଣ କଲେ । ସେତେବେଳକୁ ତାଙ୍କ ଋଣର ପରିମାଣ ଥିଲା ୧୮,୦୦,୦୦୦ ଓ ମୋଟ ସମ୍ପତିର ଦାମ୍ ଥିଲା ୧୯୫୬୪୧ ଟଙ୍କା ମାତ୍ର । ଶେଷରେ ତାଙ୍କର କଟକ କୋଠି, ଚଳନ୍ତି ଜିନିଷପତ୍ର ପ୍ରିୟ ପୁସ୍ତକାଗାରଟି ନିଲାମ ହୋଇଗଲା । ସେ ରାସ୍ତାର ଫକୀର ହେଲେ । ତାଙ୍କରି ଭାଷାରେ କହିବାକୁ ଗଲେ ତଥାପି ବା ସେ “ସ୍ଵର୍ଗୀୟ ଜ୍ୟୋତି ଘେନି ଏକ ମଣିଷ’ ଏହାହିଁ ତାଙ୍କର ବିଶେଷତ୍ଵ ।

 

ତାଙ୍କୁ କାହିଁକି ବିରାଟ ଲୋକ କୁହାଯାଏ ତା’ର ସନ୍ଧାନ ନେବା ପ୍ରୟୋଜନ ନାହିଁ । ତାଙ୍କ ବିଷୟରେ ଥରେ ସେ ଯାହା କହିଲେ ସେତକ ଜାଣିଲେ ଯଥେଷ୍ଟ ହେବ । ସେ କହିଥିଲେ, ମୁଁ ଓଡ଼ିଆ ଜାତିର ପ୍ରଥମ ଏମ୍. ଏ., ଓକିଲ, ଆଡ଼ଭୋକେଟ, ପ୍ରଥମ ବିଦେଶଯାତ୍ରୀ, ପ୍ରାଦେଶିକ ତଥା ବଡ଼ଲାଟଙ୍କ ବ୍ୟବସ୍ଥା ସଭାର ପ୍ରଥମ ଓଡ଼ିଆ ସଦସ୍ୟ, ପ୍ରଥମ ଓଡ଼ିଆ ମନ୍ତ୍ରୀ ଓ ମନ୍ତ୍ରିତ୍ଵ ତ୍ୟାଗ କରିବାରେ ସର୍ବପ୍ରଥମ ଭାରତୀୟ । ମୁଁ ଯାହା କରିଛି ଭାରତର ପ୍ରଥମ ଗ୍ରାଜୁଏଟ ଏତେ କାମ କେଉଁଠି କରି ନାହିଁ । ବଙ୍ଗର ପ୍ରଥମ ଗ୍ରାଜୁଏଟ ଜଣେ ପେନ୍‍ସନ୍‍ ପ୍ରାପ୍ତ ମାଜିଷ୍ଟ୍ରେଟ ରୂପେ ମରିଥିଲେ । ଆଜି ମୋ ଜୀବନର ଲକ୍ଷ୍ୟ ଯାହା, ଅର୍ଦ୍ଧଶତାବ୍ଦୀ ପୂର୍ବେ ସେଇଆ ଥିଲା । ତାହା ହେଉଛି ଓଡ଼ିଶାକୁ ପୃଥିବୀର ସାମନାକୁ ଆଣିବା ।”

 

ବିଦେଶୀ ସରକାର ତଳେ କି ବିରାଟ କୃତିତ୍ଵ ! କେତେ କାମ ସେ ନ କରିଛନ୍ତି ! ବିଶେଷତଃ ଯେତେବେଳେ କାମ କରିବା ସହଜ ନ ଥିଲା । ତାଙ୍କର କୃତିତ୍ଵ ପାଇଁ ତାଙ୍କୁ ପ୍ରଶଂସା କଲାବେଳେ ସେ କହନ୍ତି ତାଙ୍କ ଜୀବନ ନିରର୍ଥକ । ଆଶ୍ଚର୍ଯ୍ୟ ଲାଗେ, ଆଉ କରିବା ପାଇଁ କ’ଣ ବାକି ରହିଗଲା ! ଯାହା କରିଛନ୍ତି ସେତକରେ ସେ ସନ୍ତୁଷ୍ଟ ନୁହନ୍ତି । ସେକଥା କଳ୍ପନା କରି ହୁଏ ନାହିଁ ।

 

ମଧୁସୂଦନଙ୍କ ଜନ୍ମ ୧୮୪୮ ଓ ମୃତ୍ୟୁ ୧୯୩୪ ଏହି ଦୁଇଟି ମସିହା ଆମ ସମସ୍ତଙ୍କର ସ୍ମରଣୀୟ । ମୃତ୍ୟୁ ବେଳକୁ ତାଙ୍କୁ ବ୮୫|୬|୮ ଦିନ ହୋଇଥିଲା । ମୃତ୍ୟୁର ଅଳ୍ପଦିନ ପୂର୍ବରୁ ତାଙ୍କୁ ପଚଯାଇଥିଲା, “ଆପଣଙ୍କର ଦେଶକୁ ଯଦି କିଛି କହିବାର ଅଛି ତେବେ କୁହନ୍ତୁ ।” ତହୁଁ ସେ ଧୀରେ ଧୀରେ କହିଥିଲେ, “ଯାଅ ଲୋକଙ୍କୁ କହିବ, ପେଟରେ ଯାହା ମଇଳା ଅଛି ପରିଷ୍କାର କରିଦିଅନ୍ତୁ; ଆତ୍ମା ଛାଏଁ ପରିଷ୍କାର ହୋଇଯିବ ।” ସେ ତ ଅନେକ ଦିନ ହେଲା ମଲେଣି, କିନ୍ତୁ ସେ ଯାହା କହିଯାଇଥିଲେ ସେକଥା ଆଜି ଆମମାନଙ୍କ ପ୍ରତି କେତେ ଦୂର ପ୍ରଯୁଜ୍ୟ ପରୀକ୍ଷା କରି ଦେଖନ୍ତୁ । ଆତ୍ମାକଥା ଦୂରେ ଥାଉ, ଦେଶର ସ୍ୱାର୍ଥ ପାଇଁ ପ୍ରତି ଓଡ଼ିଆ ଜାତି ନିଜକୁ ପ୍ରଶ୍ନ କରୁ, ନିଜ ପେଟରେ ଯେଉଁ ମଇଳା ଅଛି ତାହା ସେ କେତେଦୂର ସଫା କରି ପାରିଛି ?

★★★

 

ଚିତ୍ତରଞ୍ଜନଙ୍କ ଚେକ୍‍ରେ ଯାହାଙ୍କ ପାଇଁ ଅଙ୍କ ନଥିଲା

 

ଆଜି ଯଦି କୌଣସି ବଡ଼ ଲାଇବ୍ରେରୀରେ ଛାତ୍ରମାନଙ୍କୁ ପଢ଼ିବା ପାଇଁ ଦିଆଯାଉ ଥିବା ବଙ୍ଗଳା ବହିର ହିସାବ ଦେଖନ୍ତି, ତେବେ ଶରତଚନ୍ଦ୍ର ଚଟ୍ଟୋପାଧାୟଙ୍କ ରଚନା ନିମନ୍ତେ ଚାହିଦାଟା କେତେ ବେଶୀ ବେଶ ବୁଝିପାରିବେ । ସେ ଭାରତର ସ୍ୱନାମଧନ୍ୟ ଔପନ୍ୟାସିକମାନଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ ଜୀବନରେ ସେ ବତିଶ ଖଣ୍ଡ ବିଖ୍ୟାତ ଉପନ୍ୟାସ ଲେଖିଛନ୍ତି । ଚରିତ୍ରହୀନ, ନିଷ୍କୃତି, ବିରଜା ବୋଉ, ବିପ୍ରଦାସ, ବଡ଼ଦିଦି, ଦେବଦାସ, ପରିଣୀତା, ପଲ୍ଲୀସମାଜ, ଶ୍ରୀକାନ୍ତ ସେଗୁଡ଼ିକ ମଧ୍ୟରେ ସୁପରିଚିତ । ତାଙ୍କ ରଚନାଗୁଡ଼ିକ ଏକ ଅନ୍ୟକୁ ବଳି ଚମତ୍କାର । ତାଙ୍କ ଉପନ୍ୟାସଗୁଡ଼ିକ ବହୁ ଭାଷାରେ ଭାଷାନ୍ତରିତ ହୋଇ କୋଟିକୋଟି ପାଠକଙ୍କର ପ୍ରିୟବସ୍ତୁ ହୋଇପାରିଛି । ବଙ୍ଗଦେଶର ଏହି ଔପନ୍ୟାସିକଙ୍କୁ ନିଜ ପ୍ରଦେଶରେ ଯେତିକି ଲୋକ ଚିହ୍ନନ୍ତି ତାଠୁ ଢେର୍ ବେଶୀଲୋକ ଚିହ୍ନନ୍ତି ବାହାରେ । ଲେଖକ ଶରତଚନ୍ଦ୍ରଙ୍କ ରଚନା ଯଦି ପଢ଼ିବା ପାଇଁ ଇଚ୍ଛା ନାହିଁ ତେବେ ତାଙ୍କର କେତେକ ଲେଖାଗୁଡ଼ିକ ଛାୟାଚିତ୍ରରେ କିପରି ବାସ୍ତବ ଜୀବନର ଆଲେଖ୍ୟ ଫୁଟାନ୍ତି ଏବଂ ଦର୍ଶନକୁ କିପରି ପ୍ରଭାବିତ କରନ୍ତି ଅନୁଭବ କରନ୍ତୁ ।

 

ଯାହାଙ୍କର ଲେଖା ଏତେ ଉଚ୍ଚକୋଟୀର, ଯାହାଙ୍କ ରଚନାର ଚଳଚ୍ଚିତ୍ର ଭାରତର କୋଣେ କୋଣେ ପ୍ରଚଳିତ ତଥା ପ୍ରଶଂସିତ, ସେହି ଲେଖକଙ୍କର ଶିକ୍ଷା ଥିଲା ଖୁବ କମ୍–ଏଫ୍.ଏ.ମାତ୍ର । ଆଜିର ଆଇ.ଏ. ପରୀକ୍ଷା ଉତ୍ତୀର୍ଣ୍ଣ ହେବାର ସୌଭାଗ୍ୟ ବି ତାଙ୍କୁ ମିଳି ନଥିଲା । ସେ କ’ଣ ଫେଲ୍ ହୋଇଥିଲେ ? ଛାତ୍ର ହିସାବରେ ଖରାପ ଥିଲେ ? ନା ସେସବୁ କିଛି ନୁହେଁ । ଏହି ଦୁଇଟି କଥାରୁ କେଉଁ ଗୋଟିଏ ବି ତାଙ୍କର ପ୍ରତିବନ୍ଧକ ହୋଇ ନଥିଲା ।ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ପରି ଆର୍ଥିକ ଅନାଟନ ଶିକ୍ଷାପଥରେ ତାଙ୍କର ମୁଣ୍ଡ ଟେକି ଉଠିଥିଲା । ପରୀକ୍ଷାର ଫିସ୍‍ ଦେବାକୁ ଟଙ୍କା କେଇଟା ତାଙ୍କୁ ମିଳି ନଥିଲା । କେହି ବି ତାଙ୍କୁ ସାହାଯ୍ୟ କରି ନଥିଲେ । ସେହି ଅଭାବରେ ଶିକ୍ଷାର ଶିଖାଟି ତାଙ୍କର ସବୁଦିନ ପାଇଁ ନିର୍ବାପିତ ହୋଇ ଯାଇଥିଲା ।

 

ତାଙ୍କ ପରିବାର ଲୋକେ ଆଶା କରିଥିଲେ ବଡ଼ ହେଲେ ଶରତ ଜଣେ ଓକିଲ ହେବ, କିନ୍ତୁ ସେକଥା ହୋଇ ପାରିଲା ନାହିଁ । ତେଜନାରାୟଣ ଜୁବୁଲି କଲେଜ ଛାଡ଼ି ସେ ଚାକିରୀ ଖୋଜି ବୁଲିଲେ । ବିରାଟ କଲିକତା ସହରରେ ତାଙ୍କୁ ଚାକିରୀ ମିଳିଲା ନାହିଁ । ତେଣୁ କଲିକତା ଛାଡ଼ି ସେ ଗଲେ ରେଙ୍ଗୁନ । ଗୀତ, ନାଟ, ସାହିତ୍ୟ ସବୁ ରହିଲା ଅଶ୍ରୁର ସ୍ମାରକୀ ହୋଇ । ପେଟ ପୂରିଲେ ସିନା ସବୁକିଛି । କିନ୍ତୁ ସେତିକି ଯେ ଅଭାବ । ନିଜେ ନ ଖଟିଲେ ପେଟକୁ ମୁଠିକ ଦାନା ଦେବ କିଏ-? ବହୁକଷ୍ଟରେ ସେଠି ଗୋଟିଏ ଏକାଉଣ୍ଟାଣ୍ଟ୍ ଅଫିସରେ ଢୁକିଲେ । ଏ ହେଲା ୧୯୦୩ ମସିହା କଥା । ଯେଉଁ ପିଲା ଏଫ୍. ଏ. ପରୀକ୍ଷାରେ ବସିପାରୁ ନଥିଲେ ଏପରି ଦିନ ଆସିଲା ବି. ଏ. ଶ୍ରେଣୀରେ ପ୍ରଶ୍ନ ତିଆରି କରିଦେବା ପାଇଁ କଲିକତା ବିଶ୍ଵବିଦ୍ୟାଳୟ କର୍ତ୍ତୁପକ୍ଷ ତାଙ୍କୁ ଅନୁରୋଧ କରିଥିଲେ । କେବଳ ସେତିକି ନୁହେଁ, ଦେଶର ବିଶିଷ୍ଟ ସାହିତ୍ୟିକ ହିସାବରେ କଲିକତା ବିଶ୍ୱବିଦ୍ୟାଳୟର ‘ଜାଗତାରିଣୀ’ ପଦକ ଓ ଢାକା ବିଶ୍ଵବିଦ୍ୟାଳୟ ଡଲଟ ଉପାଧି ତାଙ୍କୁ ମିଳିଥିଲା-। ସାଧନା ଥିଲେ ମଣିଷର କିଛି ଅସାଧ୍ୟ ରହିଯାଏ ନାହିଁ ।

 

ସେହି ସୁଦୂର ରେଙ୍ଗୁନରେ ଅଳ୍ପ ଦିନ କେଇଟାରେ ସେ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ । ବର୍ମା ଭାଷା ଶିକ୍ଷା କରିନେବାରେ ତାଙ୍କୁ ବିଶେଷ ସମୟ ଲାଗି ନଥିଲା । ସେ ବଙ୍ଗାଳୀମାନଙ୍କ କ୍ଳବରେ ଖାଇବା ଓ ରହିବା ଦ୍ଵାରା ସେ ସମସ୍ତଙ୍କର ଆପଣାର ହୋଇପାରିଥିଲେ । ରେଙ୍ଗୁନରେ ଥରେ ବଙ୍ଗର କବି ନବୀନଚନ୍ଦ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେ ଉପଲକ୍ଷେ ତାଙ୍କ କଣ୍ଠର ସଙ୍ଗୀତ ଶୁଣି କବି ତାଙ୍କୁ ‘ରେଙ୍ଗୁନ ରତ୍ନ’ ବୋଲି ଉପାଧି ଦେଇଥିଲେ ।

 

ସାହିତ୍ୟ, ସଙ୍ଗୀତ, ନାଟ ଓ ବାଜା ବଜାଇବାରେ ସେ ବହୁତ ସମୟ ବ୍ୟୟ କରୁଥିଲେ । ଅଧିକାଂଶ ସମୟରେ ସେ ବଂଶୀ ବଜାଉଥିଲେ ! ହାରମୋନିୟମ ବା ବେହେଲା ବଜାଇବାରେ ସେ ଯେତିକି ସିଦ୍ଧହସ୍ତ ଥିଲେ, ବଂଶୀ ବଜାଇବାରେ ସେତେ ନଥିଲେ । ଜୀବନରେ ସେ ବିଭିନ୍ନ ନାଟକ ଅଭିନୟରେ ଅଂଶଗ୍ରହଣ କରିଥିଲେ । ଅଭିନୟ କରିବାରେ ସେ କେତେ ବିନିଦ୍ର ରଜନୀ କଟାଇଛନ୍ତି, ସେକଥା ଆଜି ତାଙ୍କ ଗାଁ ଦେବାନନ୍ଦପୁରର ସମସାମୟିକ କେହିଥିଲେ କହିବେ । ରଙ୍ଗମଞ୍ଚର ଶିଳ୍ପୀ ହିସାବରେ ତାଙ୍କର ବିଶେଷତ୍ଵ ହେଉଛି ଯେ ସେ ନାରୀ ଭୂମିକାରେ ବିଶେଷ ଦକ୍ଷତାର ସହ ଅଭିନୟ କରିପାରୁଥିଲେ । ଗାଇବା, ନାଚିବା, ଲେଖିବାରେ ଯଦିଓ ସେ ସିଦ୍ଧହସ୍ତ ଥିଲେ, ବକ୍ତା ହିସାବରେ ସେ କାହାର ଦୃଷ୍ଟି ଆକର୍ଷଣ କରିପାରୁ ନଥିଲେ । ଦିନରାତି କଲମ ଯାହାପାଇଁ କଥାକହେ, ବକ୍ତା ହେବା ପାଇଁ ବେଳ ବା ତା’ର କାହିଁ ?

 

ଶରତଚନ୍ଦ୍ର, ପିଲାଦିନେ ଅତି ଦୁର୍ଦ୍ଦାନ୍ତ ଥିଲେ । ତାଙ୍କୁ ସମ୍ଭାଳିବା ସତରେ ଭାରି କଠିନ ବ୍ୟାପାର ଥିଲା । ସ୍କୁଲ ନ ଯାଇ ପଡ଼େଶୀ ବାଡ଼ିରୁ ଫଳ ଚୋରିକରି ଖାଇବା, ଗୁଡ଼ି ଉଡ଼ାଇବା, ଡୁଡୁ, ଡାଳମାଙ୍କୁଡ଼ି ଖେଳିବା ଓ ମାଛଧରିବାରେ ତାଙ୍କର ସମୟ କଟିଯାଉଥିଲା ।ତାଙ୍କ ବାପା ତାଙ୍କୁ ଅତି ସ୍ନେହ କରୁଥିବାରୁ ସେ ତା’ର ସୁବିଧା ନେଉଥିଲେ । ଏସବୁ ଦେଖି ପରିବାର ଲୋକେ କହୁଥିଲେ ପିଲା ନଷ୍ଟ ହୋଇଗଲା । ତା’ ଜୀବନରେ ସେ କିଛି ହୋଇପାରିବ ନାହିଁ ।

 

ସେଥିପାଇଁ ସେ କିଛି କମ ଗାଳି ସହି ନାହାନ୍ତି । ତାଙ୍କ ପାଇଁ ଜେଜେମା’ର ପଣତକାନି ଥିଲା ଅଭୟ ଆଶ୍ରୟ । କେହି ଗାଳି ଦେଲେ ସେ ଯାଇ ଜେଜେମା’ଙ୍କ ପାଖରେ ହାଜର ହୁଅନ୍ତି । ଜେଜେମା ତ ବରାବର କହନ୍ତି–ଦେଖିବ ଦିନେ ନା ଦିନେ ଶରତ୍ ଖୁବ ବଡ଼ଲୋକ ହେବ । ବାସ୍ତବରେ ବଡ଼ଲୋକ ହେଲେ ସେ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ମଣିଷର ପ୍ରକୃତି ବଦଳିଯାଏ । ଶରଚନ୍ଦ୍ରଙ୍କର ଚପଳ ପ୍ରକୃତି ମଧ୍ୟ ବଦଳିଯାଇଥିଲା ।ହେଲେ ମାଛ ଧରିବା ଅଭ୍ୟାସ ତାଙ୍କର ଅନେକ ଦିନ ପର୍ଯ୍ୟନ୍ତ ରହିଯାଇଥିଲା । ପୋଖରି ଅପେକ୍ଷା ନଦୀରେ ଯାଇ ମାଛ ଧରିବାକୁ ସେ ଅଧିକ ପସନ୍ଦ କରୁଥିଲେ ।

 

ଖେଳର ସଂସାର ଛାଡ଼ି ଛାତ୍ରଜୀବନ ଯେତେବେଳେ ଆରମ୍ଭ ହୁଏ ଓ ସାହିତ୍ୟସଙ୍ଗେ ତାଙ୍କର ପ୍ରଥମ ପରିଚୟ ହୁଏ, ସେ କିପରି ଅନୁଭବ କରୁଥିଲେ ସେ ବିଷୟରେ ସେ ନିଜେ କହନ୍ତି, ‘’ସହରକୁ ଆସିଲି । ଛାତ୍ରବୃତ୍ତି କ୍ଲାସରେ ମୋର ଅଭିଭାବକ ମୋତେ ଭର୍ତ୍ତି କରିଦେଲେ । ସେଠାର ପାଠ୍ୟ-ସୀତାର ବନବାସ, ଚାରୁପାଠ, ସଦଭାବ ଶତକ ଓ ଗୋଟିଏ ମୋଟା ବ୍ୟାକରଣ । ଏଗୁଡ଼ା ପଢ଼ାଯାଏ ନାହିଁ କି ପରୀକ୍ଷା କରାଯାଏ ନାହିଁ, ବରଂ ପଣ୍ଡିତଙ୍କ ଆଗରେ ଠିଆ ହୋଇ ସବୁଦିନ ମୁହାଁମୁହିଁ ଅଗ୍ନୀପରୀକ୍ଷା ଦେବାକୁ ପଡ଼ୁଥିଲା । ସେଥିପାଇଁ ସଜଳ ଆଖିରେ ସାହିତ୍ୟ ସଙ୍ଗେ ମୋର ହୋଇଥିଲା ପ୍ରଥମ ପରିଚୟ । ମଣିଷକୁ ଦୁଃଖ ଦେବା ବ୍ୟତୀତ ସାହିତ୍ୟର ଅନ୍ୟ କିଛି ଲକ୍ଷ୍ୟ ଥାଇପାରେ ବୋଲି ମୋର ସେତେବେଳେ ସେ ବିଶ୍ଵାସ ନଥିଲା ।” ଦୁଃଖ ଦେବା ବ୍ୟତୀତ ସାହିତ୍ୟ ଆମପାଇଁ କ’ଣ କରିପାରେ ଜାଣିବା ପାଇଁ କେବଳ ଏହି ପ୍ରିୟ ଔପନ୍ୟାସିକଙ୍କ ଲେଖା ପାଠକଲେ ଯଥେଷ୍ଟ ହେବ ।

 

ଶରତ ଚନ୍ଦ୍ରଙ୍କର ପିତାଙ୍କ ନାମ ମୋତିଲାଲ ଚଟ୍ଟୋପାଧାୟ । ସେ ଥିଲେ ଭାରି ଖିଆଲୀ-। ତେଣୁ କୌଣସି ନିର୍ଦ୍ଦିଷ୍ଟ କାମରେ ନିର୍ଲିପ୍ତ ଭାବେ ଲାଗି ରହିବା ତାଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା ।ତାଙ୍କ ଜୀବନରେ ସେ ଅନେକ ଚାକିରୀ କରିଛନ୍ତି ଓ ଅନେକ ଚାକିରୀ ଛାଡ଼ିଛନ୍ତି-। ଶିଳ୍ପୀ ହିସାବରେ ସେ ବେଶ ଜଣାଶୁଣା ଥିଲେ । ଚିତ୍ର କରିବା ବ୍ୟତୀତ ସେ ଗଳ୍ପ ଉପନ୍ୟାସ ଆଦି ଲେଖୁଥିଲେ । କିନ୍ତୁ ସେସବୁ ଅସମାପ୍ତ । ପର ଜୀବନରେ ଏହି ପ୍ରଭାବ ଶରତଚନ୍ଦ୍ରଙ୍କ ଉପରେ ଅନେକ ପଡ଼ିଛି । ସେ ନିଜେ କହିଛନ୍ତି, ବାପାଙ୍କ ଗୁଣ ମଧ୍ୟରୁ କେତେକ ତାଙ୍କର ରହିଯାଇଛି ବୋଲି ତାଙ୍କଠି ସାହିତ୍ୟପ୍ରୀତି ସଙ୍ଗେ ସଙ୍ଗେ ଅସ୍ଥିରତା ଗୁଣ ମଧ୍ୟ ରହିଯାଇଛି । ବାପାଙ୍କ-ଠାରୁ ପୁଅ ଚିତ୍ର କରିବାର ପ୍ରେରଣା ପାଇଥିଲେ । ‘ମହାଶ୍ୱେତା’ ନାମକ ଚିତ୍ରଟି ତାଙ୍କ ଉଚ୍ଚ ପ୍ରଶଂସା ପାଇଥିଲା-। ଦୁଃଖର କଥା, ସେହି ଚିତ୍ରଟିକୁ ଦେଖିବାର ସୁଯୋଗ ଆଜି ନାହିଁ । ତାହା ପୋଡ଼ି ଜଳି ନଷ୍ଟ ହୋଇଯାଇଛି ।

 

ନିଜ ପାଠପଢ଼ା ବ୍ୟତୀତ ସେ ବାପାଙ୍କର ଅର୍ଦ୍ଧଲିଖିତ ଉପନ୍ୟାସଗୁଡ଼ିକ ପଢ଼ିଲେ ! ସେଗୁଡ଼ିକର ଅବଶିଷ୍ଟାଂଶ କ’ଣ ହୋଇପାରେ ଭାବି ଭାବି ସେ ଅନେକ ସମୟ କଟାଇଛନ୍ତି । ତା’ର ଫଳ ଅବଶ୍ୟ କିଛି ହୋଇ ନାହିଁ । ଧୀରେ ଧୀରେ ପଢ଼ିବାର ଇଚ୍ଛା ତାଙ୍କର ପ୍ରବଳ ହୋଇଉଠିଛି । ସ୍କୁଲପାଠ୍ୟ ନୁହେଁ, ଅଭିଭାବକମାନଙ୍କ ଅଜାଣତରେ “ହରିଦାସେର ଗୁପ୍ତକଥା’ ଓ “ଭବାନୀ ପାଠକ’ ପ୍ରଭୃତି ଲୁଚିଲୁଚି ସାଙ୍ଗମାନଙ୍କୁ ଶୁଣାଉଥିଲେ । ସେ କଥା ଶୁଣିଲେ ଆଜି ହସଲାଗେ । ଦିନେ ସାହିତ୍ୟ-ଜଗତରେ ଯେ ଉତ୍କଳ ପ୍ରଦୀପଟିଏ ଜଳାଇ ପାରିଥିଲେ, ତାଙ୍କର ପୁଣି ସାହିତ୍ୟ ପଢ଼ିବାର ସ୍ଵାଧୀନତା ନଥିଲା । ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଦୁନିଆରେ ସବୁ ସମ୍ଭବ ।

 

ସେ ନିଜେ କହିଛନ୍ତି ବୋଧହୁଏ ବାପାଙ୍କର ବିଭିନ୍ନ ରଚନାଗୁଡ଼ିକ ପଢ଼ିପଢ଼ି ଗଳ୍ପ ଲେଖିବାର ସ୍ପୃହା ତାଙ୍କର ବଢ଼ିଯାଇଥିଲା । ତାଙ୍କୁ ଯେତେବେଳେ ସତରବର୍ଷ, ସେତିକି ବେଳେ ସେ ଗଳ୍ପ ଲେଖିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗଳ୍ପ ଲେଖିବାଟା ସମୟର ଅପବ୍ୟବହାର ଭାବି ସେ ଲେଖାଲେଖି ଛାଡ଼ି ଦେଇଥିଲେ । ବର୍ଷେ ଅବା ଦୁଇବର୍ଷ ନୁହେଁ, ଦୀର୍ଘ ଅଠର ବର୍ଷ ଧରି ସେ କଲମ ଛୁଇଁ ନଥିଲେ । ଅଠର ବର୍ଷ ପରେ ସେ ଯେତେବେଳେ ଲେଖନୀ ଧରିଲେ, ତାଙ୍କ ଲେଖନୀରୁ ଉଚ୍ଚକୋଟୀର ରଚନା ସୃଷ୍ଟି ହେଲା ।

 

କେତେକ ବନ୍ଧୁ ତାଙ୍କର ଗୋଟିଏ ପତ୍ରିକା ପ୍ରକାଶ କରୁଥିଲେ । ପତ୍ରିକା ତ କୌଣସି ମତେ ପ୍ରକାଶ ପାଇବ । ସେଥିପାଇଁ ବିଶିଷ୍ଟ ଲେଖକଙ୍କଠାରୁ ଲେଖା ପାଇବା ସମ୍ଭବ ନୁହେଁ । ତେଣୁ ତାଙ୍କୁ ଲେଖିବା ପାଇଁ ବାଧ୍ୟ କରାଯାଇଥିଲା । ପତ୍ରିକାଟି କେବଳ ତାଙ୍କର ଲେଖାରେ ଚଳୁଥିଲା କହିଲେ ଚଳେ । ସେ ଅଭ୍ୟାସ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ରହିଯାଇଛି । ପ୍ରଥମେ ପ୍ରବେଶିକା ପରୀକ୍ଷାରେ ପାଶ କରି ସେ ‘ବାସା’ ବୋଲି ଗୋଟିଏ ଉପନ୍ୟାସ ରଚନା କରିଥିଲେ । ବୋଧହୁଏ ଏହା ତାଙ୍କର ପ୍ରଥମ ରଚନା । ଏହାପରେ ସେ ଅନେକ ଲେଖିଛନ୍ତି । କିନ୍ତୁ ୩୫ବର୍ଷ ପୂର୍ବରୁ ସେଥି ମଧ୍ୟରୁ ଗୋଟିଏ ସୁଦ୍ଧା ପ୍ରକାଶ ହୋଇ ନଥିଲା । ଅନ୍ୟାନ୍ୟ ରଚନା ପରେ ଏହାକୁ ମଧ୍ୟ ସେ ଚିରିଫିଙ୍ଗି ଦେଇଥିଲେ । କାରଣ ତାହା ତାଙ୍କ ମନକୁ ଆସି ନଥିଲା ।

 

ଧୀରେଧୀରେ ତାଙ୍କର ରଚନାର ଆଦର ବଢ଼ିଲା । ବଙ୍ଗଳାର ବିଖ୍ୟାତ ‘ଯମୁନା’ ଓ ଅନ୍ୟାନ୍ୟ ପତ୍ରିକାରେ ରଚନା ତାଙ୍କର ପ୍ରକାଶ ପାଇଲା । ରଚନାଗୁଡ଼ିକ ତାଙ୍କର କିପରି ଉଚ୍ଚକୋଟୀର ଥିଲା, ଗୋଟିଏ ଘଟଣାରୁ ତାହା ଜଣାଯାଏ । ଥରେ ଦେଶ-ବନ୍ଧୁ ଚିତ୍ତରଞ୍ଜନ ନିଜର ‘ନାରାୟଣ’ ପତ୍ରିକା ପାଇଁ ଗୋଟିଏ ଲେଖାଲାଗି ତାଙ୍କ ପାଖକୁ ଲୋକଟିଏ ପଠାଇଥିଲେ । ଚିତ୍ତରଞ୍ଜନଙ୍କ ନାମ ଶୁଣି ସଙ୍ଗେସଙ୍ଗେ ‘ସ୍ଵାମୀ’ ବୋଲି ଗୋଟିଏ ଗଳ୍ପ ଲେଖି ସେ ଲୋକ ହାତରେ ପଠାଇଦେଇଥିଲେ । ସେ ଗଳ୍ପ ପଢ଼ି ଚିତ୍ତରଞ୍ଜନ ଏପରି ମୁଗ୍ଧ ହୋଇଯାଇଥିଲେ ଯେ, ସଙ୍ଗେସଙ୍ଗେ ପାରିଶ୍ରମିକ ସ୍ଵରୁପ ତାଙ୍କ ପାଇଁ ଗୋଟିଏ ଚେକ୍ ପଠାଇ ଦେଇଥିଲେ । ସେ ଚେକରେ କେତେ ଟଙ୍କା ଲେଖାଯାଇଥିଲା ।ଜାଣନ୍ତି ? ସେଥିରେ କିଛି ଲେଖା ନ ଥିଲା ! ବରଂ ଟଙ୍କାଘରଟି ସେହିପରି ଛାଡ଼ି ଦିଆଯାଇଥିଲା । ଚିତ୍ତରଞ୍ଜନ ତାଙ୍କୁ ଲେଖିଥିଲେ, “ଯେଉଁ ଅସାମାନ୍ୟ ଶିଳ୍ପୀର ରଚନା ଏଥର ‘ନାରାୟଣ’ ରେ ପ୍ରକାଶ ହେବାର ସୁଯୋଗ ମିଳିଛି, ତା’ର ମୂଲ୍ୟ ନିରୂପଣ କରିବାର ଦୁଃସାହସ ମୁଁ କରିପାରିବି ନାହିଁ । ସେଥିପାଇଁ କେବଳ ଚେକ୍‍ ପଠାଇଲି । କୌଣସି ସଙ୍କୋଚ ନକରି ଇଚ୍ଛାନୁସାରେ ସେଥିରେ ଅଙ୍କ ବସାଇବେ । ଏହା ତ କିଛି କମ ସୌଭାଗ୍ୟର କଥା ନୁହେଁ । ଅନ୍ୟ କେହି ନୁହେଁ, ଦେଶବନ୍ଧୁ ଚିତ୍ତରଞ୍ଜନଙ୍କର ଏ ହେଲା ତାଙ୍କ ଉପରେ ମତାମତ । ଶରତ ଚନ୍ଦ୍ର ଚେକରେ କେବଳ ଶହେ ମୁଦ୍ରା ପାଇଁ ଲେଖିଥିଲେ । ଏହା ସାମାନ୍ୟ ଘଟଣା ହେଲେ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବାରେ ଚିତ୍ତରଞ୍ଜନଙ୍କର ମନୋବୃତ୍ତିର ପ୍ରମାଣ ଦେଇଥାଏ ।

 

ବିରାଟ ଅଭିନୟର ଏହି ମାତ୍ର ହେଉଛି ପ୍ରଥମ ଦୃଶ୍ୟ । ଏହି ଘଟଣା ପରେ ଶରତଚନ୍ଦ୍ର ଓ ଚିତ୍ତରଞ୍ଜନଙ୍କ ମଧ୍ୟରେ ବନ୍ଧୁତ୍ଵ ବଢ଼ି ଉଠିଲା । ତାଙ୍କର ପ୍ରେରଣାରେ ସେ ଯୋଗଦେଲେ କଂଗ୍ରେସରେ, ଦେଶର ସେବା କଲେ, ବିଦେଶୀ ବସ୍ତ୍ର ଛାଡ଼ି ସ୍ଵଦେଶୀ ଖଦଡ଼ ପିନ୍ଧିଲେ, ଅନେକ ଦିନ ପର୍ଯ୍ୟନ୍ତ ନିୟମିତ ଭାବେ ଚରଖାରେ ସୂତା କାଟିଲେ ଓ ଦେଶର ବିଭିନ୍ନ ଅନୁଷ୍ଠାନ ସହିତ ସଂପୃକ୍ତ ରହିଲେ ।

 

ସେ ଅତି ଉଦାର ପ୍ରକୃତିର ଲୋକ ଥିଲେ । ରାତି ରାତି ଜାଗ୍ରତ ରହି ସେ ରୋଗୀଙ୍କ ସେବା କରିଛନ୍ତି । ମଲା ମଣିଷକୁ ନେଇ ଶ୍ମଶାନରେ ଦାହ କରିଛନ୍ତି । ଅତିଥି ଅଭ୍ୟାଗତମାନଙ୍କୁ ଅକାତରରେ ଦାନ କରିଛନ୍ତି ।ବ୍ୟକ୍ତିଗତ ବ୍ୟବହାର ତାଙ୍କର ଅତି ମଧୁର । ତାଙ୍କ ଘରର ଯତ୍ନ ନେଉଥିବା ସେବିକାମାନଙ୍କ ପ୍ରତି ତାଙ୍କର ଯେ ଆତ୍ମୀୟତା, ତାହା ଉଲ୍ଲେଖଯୋଗ୍ୟ ।କେବଳ ମଣିଷ ନୁହେଁ, ପଶୁପକ୍ଷୀଙ୍କୁ ମଧ୍ୟ ସେ ଅତି ଆଦର କରୁଥିଲେ । ରେଙ୍ଗୁନରେ ଥିବା ସମୟରେ ଥରେ ନିଆଁ ଲାଗିବାବେଳେ ସେ ନିଜର ଛୋଟ ଅଥଚ ମୂଲ୍ୟବାନ ଲାଇବ୍ରେରୀଟି ରଖିବାର କୌଣସି ଯତ୍ନ ନ କରି ଗୋଟିଏ ଛେଳିକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ସେହି ଛୋଟ ଲାଇବ୍ରେରୀଟି ଥିଲା ତାଙ୍କର ରଚିତ ପ୍ରସିଦ୍ଧ “ମହାଶ୍ଵେତା’’ ଚିତ୍ର ଓ ‘‘ନାରୀ ର ଇତିହାସ’’ ପାଣ୍ଡୁଲିପି ଏବଂ ଆହୁରି ଅନେକ ମୂଲ୍ୟବାନ ବସ୍ତୁ । ଏ ଗୋଟିକ ନୁହେଁ, ତାଙ୍କର ପଶୁପ୍ରେମର ଏହିପରି ଅନେକ ଦୃଷ୍ଟାନ୍ତ ଅଛି । ଥରେ ତାଙ୍କର ଗୋଟିଏ ପୋଷା ପକ୍ଷୀ ମରିଯିବାରୁ ସେ ତିନି ଦିନ ଖାଇ ନ ଥିଲେ । ନିଜର କୁକୁର ‘ଭେଲୁ ’କୁ ରୋଗରୁ ଭଲ କରିବା ପାଇଁ ନିଜେ କିପରି ଡାକ୍ତର-ଖାନାକୁ ଯାଉଥିଲେ ଓ ତା’ର ମୃତ୍ୟୁ ସଂବାଦ ଶୁଣି ଚକ୍ଷୁ ତାଙ୍କର ସଜଳ ହୋଇଉଠିଲା, ସେ କଥା ‘ଭାରତବର୍ଷ’ ପତ୍ରିକାର ସ୍ଵର୍ଗତ ସଂପାଦକ ଜଳଧର ସେନ ବର୍ଣ୍ଣନା କରିଛନ୍ତି ।

 

ସେ ଏକାନ୍ତ ଈଶ୍ଵର ବିଶ୍ଵାସୀ ଓ ଅନ୍ୟାୟର ଚରମ ଶତ୍ରୁ । ଅନ୍ୟାୟ ବିରୁଦ୍ଧରେ କିପରି ଲଢ଼ିଥିଲେ ଜାଣିଲେ ଅବାକ ହେବାକୁ ହୁଏ । ସେ ଥାନ୍ତି ରେଙ୍ଗୁନରେ । ଜନୈକ ଚକ୍ରବର୍ତ୍ତୀ ବ୍ରାହ୍ମଣ ନିଜର ଝିଅକୁ ଜଣେ ବୃଦ୍ଧଙ୍କ ସଙ୍ଗେ ବିବାହ ଦେବାର ପ୍ରସ୍ତାବ କରିଥିଲେ । ଏହି ବିବାହ କରିବା ପାଇଁ ଝିଅ ଅନିଚ୍ଛୁକ ଜାଣି ଶରତଚନ୍ଦ୍ର ଯାଇ ଏହି ବିବାହ ହୋଇପାରିବ ନାହଁ ବୋଲି କନ୍ୟାପିତାଙ୍କ ସଙ୍ଗେ ଯୁକ୍ତିତର୍କ କରିଥିଲେ । କେବଳ ତ କହିଦେଲେ କାମ ହୋଇଯିବ ନାହିଁ, ବୁଢ଼ାବର ଯଦି ଝିଅ ମନକୁ ଆସୁନାହିଁ, ତେବେ ତା’ ମନଲାଖି ବରଟିଏ ଏବେ ମିଳିବ କେଉଁଠୁଁ !

 

ନା, ଶରତଚନ୍ଦ୍ର ବଞ୍ଚି ଥାଉଁ ଥାଉଁ ସେକଥା କେବେ କରାଇଦେବେ ନାହିଁ । ସେ ନିଶ୍ଚୟ ଭଲ ବରଟିଏ ଯୋଗାଡ଼ କରିଦେବେ । ସେ ବର କିଏ ? ମଜାକଥା ହେଉଛି ସେ ନୂଆ ବରଟି ନିଜେ ଶରତଚନ୍ଦ୍ର । କି ତ୍ୟାଗ ! ଅତି ଦୁଃଖର କଥା ଯେ,, ଏ ବିରାଟ ତ୍ୟାଗର ପୁରସ୍କାର ସେ ପାଇ ନଥିଲେ । ତାଙ୍କର ଦାମ୍ପତ୍ୟ ଜୀବନର ଶେଷ ପରିଣତି ହେଲା ଅତି କରୁଣ ! ବିବାହର ଅଳ୍ପ ଦିନ ପରେ ତାଙ୍କର ସ୍ତ୍ରୀ ଓ ପୁଅ ଦୁହେଁ ପ୍ଲେଗ ରୋଗରେ ପଡ଼ି ପ୍ରାଣ ହରାଇଲେ । ଶରତବାବୁଙ୍କୁ ଏହି ଘଟଣା ବିଶେଷ ଆଘାତ ଦେଇଥିଲା ।ପ୍ରଣୟ-ପ୍ରଦୀପଟି ଦୀପ୍ତ ନହେଉଣୁ ଦୀପ କରି ଲିଭିଗଲା ।

 

ସହର ଅପେକ୍ଷା ପଲ୍ଲୀ ଥିଲା ଲେଖକଙ୍କର ଅଧିକ ପ୍ରିୟ । ଶେଷ ଜୀବନ ସେ ତାଙ୍କର ଶିବପୁର ବାସଭବନରେ କଟାଇଥିଲେ । ନିଜ ଗାଁ ଲୋକଙ୍କ ସୁଖସୁବିଧା ପାଇଁ ସେ ଗାଁରେ ନୂଆ ରାସ୍ତା ତିଆରି କରିଦେଇଥିଲେ । ପୂରାତନ ରାସ୍ତାଗୁଡ଼ିକ ମରାମତି କରାଇଦେଇ ଥିଲେ । ବାଳିକାମାନଙ୍କର ଶିକ୍ଷାପାଇଁ ଗୋଟିଏ ସ୍କୁଲ ପ୍ରତିଷ୍ଠା କରିଥିଲେ । ସେ ନିଜେ ହୋମିଓପ୍ୟାଥି ଚିକିତ୍ସା ଜାଣିଥିଲେ ଏବଂ ଏହି ଚିକିତ୍ସାଦ୍ଵାରା ଗାଁର ଅନେକ ରୋଗୀଙ୍କୁ ଭଲ କରିଥିଲେ । ଶେଷ ଜୀବନରେ ତାଙ୍କର ସ୍ଵାସ୍ଥ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । କ୍ୟାନ୍ସର ରୋଗରେ ପଡ଼ି ସେ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁରେ ସାହିତ୍ୟ ଜଗତ ତଥା ଜନସାଧାରଣ ମର୍ମାନ୍ତିକ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ଲକ୍ଷ୍ୟ କରି ରବୀନ୍ଦ୍ରନାଥ ଲେଖିଥିଲେ–

 

“ଯାହାର ଅମର ସ୍ଥାନ ପ୍ରେମର ଆସନେ

କ୍ଷତି ତା’ର କ୍ଷତି ନୟ ମୃତ୍ୟୁର ଶାସନେ

ଦେଶର ମାଟିର ଥକେ ନିଲ ଯା’ରେ ହରି

ଦେଶର ହୃଦୟ ତା’ରେ ରଖିୟାଛେ ବରି ।’’

★★★

 

ବୀଜଗଣିତ କଠିନ ହେବାରୁ ସେ ଲେଖି ବସିଲେ କବିତା

 

ଭାରତର ସୁପରିଚିତ ଯେଉଁ କେତେଜଣ ଲେଖକ-ଲେଖିକାଙ୍କୁ ବାହାର ଦୁନିଆ ଜାଣେ, ସରୋଜିନୀ ନାଇଡ଼ୁ ସେମାନଙ୍କ ମଧ୍ୟରେ ଅନ୍ୟତମ । ଶିକ୍ଷିତ ସମାଜ ତାଙ୍କୁ ସାହିତ୍ୟିକ ହିସାବରେ ଯେତିକି ଆଦର କରିଥାନ୍ତି, ଏ ଦେଶର ଅଗଣିତ ନରନାରୀ ତାଙ୍କୁ ନାରୀନେତ୍ରୀ ହିସାବରେ ତା’ଠାରୁ ଅଧିକ ଆଦର କରିଥାନ୍ତି । ଏଇ ସରୋଜିନୀ ଯେ ଦିନେ ସଜ ଗୋଲାପର ଶେଯ ଛାଡ଼ି ଦେଶପାଇଁ କଣ୍ଟକାକୀର୍ଣ୍ଣ ପଥର ପଥିକ ହେବେ ଏବଂ ଜାତିର ମୁକ୍ତି ପାଇଁ ପଳେ ପଳେ ପ୍ରାଣପାତ କରିବେ, ଏକଥା କେହି ହେଲେ ଦିନେ କଳ୍ପନା କରି ନଥିଲେ । ସେହି ତ୍ୟାଗ ସେ ପ୍ରାଣପାତ ପାଇଁ ସେ ଆଜି ଅମର, ସ୍ମରଣୀୟ ।

 

ସରୋଜିନୀଙ୍କ ବାଲ୍ୟଜୀବନ ଥିଲା ଅତି ସରସ ଓ ସୁଖମୟ । ସୂର୍ଯ୍ୟର କର୍କଶ କିରଣ କେବେହେଲେ ତାଙ୍କୁ ଛୁଇଁନି । ସମ୍ଭୋଗର ଶୀତଳ ଚାନ୍ଦିନୀରେ ସେ ବଢ଼ିଛନ୍ତି । ୧୮୬୯ ଫେବୃୟାରୀ ୧୩ ତାରିଖରେ ତାଙ୍କର ଜନ୍ମ । ରସାୟନବିଶାରଦ ପଣ୍ଡିତ ଅଘୋରନାଥ ଚଟ୍ଟୋପାଧାୟ ସେଦିନ ଆନନ୍ଦରେ ନାଚି ଉଠିଥିବେ । ହୃଦୟ ତାଙ୍କର ଫୁଲି ଉଠିଥିବ । ପ୍ରଥମ ସନ୍ତାନର ପିତା ହୋଇ ସେ ନିଜକୁ ଭାଗ୍ୟବାନ ମନେ କରିଥିବେ ।

 

ସରୋଜିନୀ ଥିଲେ ବୁଦ୍ଧିମତୀ । ମା’ଙ୍କ କବିପ୍ରତିଭା ଓ ବାପାଙ୍କର ଦାୟିତ୍ଵଜ୍ଞାନର ପ୍ରଭାବ ତାଙ୍କ ଉପରେ ଥିଲା ଯଥେଷ୍ଟ । ସେ ଯେ ଦିନେ ବିରାଟ ଲେଖିକା ହେବେ, ତାହା ନିହାତି ଅଳ୍ପ ବୟସରୁ ଜଣାପଡ଼ିଥିଲା । ବନସ୍ତ କଣ୍ଠୀ ମୂଳରୁ ଗଜାପରି ପିଲାଟି ଦିନୁ ସେ କବି । କବିତା ଲେଖିବା ପାଇଁ ତାଙ୍କୁ କେହି କେବେ ପ୍ରେରଣା ଦେଇ ନ ଥିଲେ । ତାଙ୍କୁ ଯେତେବେଳେ ମୋଟେ ୧୩ ବର୍ଷ, ସେତିକିବେଳେ ସେ ୧୩ଶହ ଧାଡ଼ିର ଏକ ଦୀର୍ଘ କବିତା ଛ’ ଦିନ ମଧ୍ୟରେ ଲେଖି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ । ପିଲାବୟସରେ ୨୦୦ ଧାଡ଼ିର ଏକ ନାଟକ ମଧ୍ୟ ସେ ଲେଖିଥିଲେ । ସେତେବେଳେ ସେ ଯେ ବିଶେଷ ପଢ଼ିଥିଲେ ତା’ ବି ନୁହେଁ । ମା’ଙ୍କର ଅଳ୍ପ କେତେକ ସାହିତ୍ୟ ପୁସ୍ତକକୁ ବାଦ୍‍ ଦେଲେ ବାକି ସବୁ ବାପାଙ୍କର ବିଜ୍ଞାନ ପୁସ୍ତକ । ପିତାଙ୍କର ଇଚ୍ଛା ଥିଲା, ଦିନେ ତାଙ୍କର ଝିଅ ସେସବୁ ପୁସ୍ତକ ପଢ଼ିବ । ଗଣିତରେ ନ ହେଲେ ବି ବିଜ୍ଞାନରେ ତାଙ୍କପରି ଉଚ୍ଚଶିକ୍ଷା ପାଇବ । ବିଧିର ବିଧାନ କିନ୍ତୁ ଅନ୍ୟ ପ୍ରକାର । ପିତାଙ୍କର ସ୍ୱପ୍ନ ସ୍ଵପ୍ନରେ ହିଁ ରହିଲା । ସେ ନା ହେଲେ ଗଣିତଜ୍ଞ, ନା ବୈଜ୍ଞାନିକ । କିନ୍ତୁ ହେଲେ କବି । ସେ ସାରା ପ୍ରାଚ୍ୟ ଜଗତର ବୁଲବୁଲ । (Nightangale of the east, Nightingale of India) ନାଇଡୁ ନିଜେ କହିଛନ୍ତି କବିତା ଲେଖିବା ପାଇଁ ତାଙ୍କୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିନାହଁ, ଛାଏଁ ଛାଏଁ କବିତାଗୁଡ଼ିକ ଫୁଟି ପଡ଼ିଛି । ପ୍ରଥମେ ସେ କିପରି କବିତା ଲେଖିଥିଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । ସେ ନିଜ ଭାଷାରେ କହିଛନ୍ତି । ମୁଁ ବିଳାସପ୍ରିୟ କଳ୍ପନାବିଳାସୀ ହେଲେ ମଧ୍ୟ ପିଲାଦିନେ କବିତା ଲେଖିବା ପାଇଁ ମୋର ସେପରି କୌଣସି ଆଗ୍ରହ ନଥିଲା । ମୋର ବୟସ ଯେତେବେଳେ ମୋଟେ ବାର, ସେତେବେଳେ ଦିନେ ଖଣ୍ଡେ ବୀଜଗଣିତର ଅଙ୍କ କଷି କଷି ମୁଁ କ୍ଲାନ୍ତ ହୋଇପଡ଼ିଲି । କିନ୍ତୁ ଫଳ କିଛି ହେଲା ନାହିଁ । ଅଙ୍କ ହେଲାନି ସତ, କିନ୍ତୁ ତା’ ପରିବର୍ତ୍ତେ ହଠାତ୍‍ ମନରେ ମୋର ଉଦୟ ହେଲା ଗୋଟିଏ କବିତା । ସଙ୍ଗେ ସଙ୍ଗେ ତାକୁ ମୁଁ ଲେଖି ପକାଇଲି । ସେଦିନୁ ହେଲା ମୋର କବି ଜୀବନର ଶୁଭାରମ୍ଭ ।

 

କଠିନ ଗଣିତସୂତ୍ରର ସମାଧାନ ଲାଗି ବାରମ୍ବାର ଯେଉଁଠି ଲେଖନି ଅଟକି ଯାଏ, ସେଠି ସ୍ୱତଃ ଝରିପଡ଼େ କାନ୍ତ କୋମଳ ପଦାବଳୀ ।

 

କବିତା ଛଡ଼ା ସେ ମଧ୍ୟ ନାଟକ ରଚନା କରିଛନ୍ତି । କବିତା ପାଇଁ ଅବଶ୍ୟ ସେ ସୁପରିଚିତ । ଏସବୁ ନାଟକ ଓ କବିତା ଇଂରେଜୀ ଭାଷାରେ ତାଙ୍କର ପାରଦର୍ଶିତାର ପ୍ରମାଣ ଦେଇଥାଏ । ସେ ଇଂରେଜ ଭାଷାରେ ଯେପରି ଲେଖନ୍ତି, ସେପରି ମଧ୍ୟ କହିଥାନ୍ତି । ଏକକାଳୀନ ସେ ତିନିଚାରି ଘଣ୍ଟା କହିପାରନ୍ତି । ଉଚ୍ଚକୋଟୀର ବକ୍ସି ହିସାବରେ ସେ ଜଣାଶୁଣା । ବକ୍ତୃତା ଦ୍ଵାରା ସେ ଉପସ୍ଥିତ ବିରାଟ ଜନତାକୁ ମନ୍ତ୍ରମୁଗ୍ଧ କରୁଥିଲେ । ଇଂରେଜ ବ୍ୟତୀତ ଉର୍ଦ୍ଦୁ ଓ ହିନ୍ଦୀ ଭାଷାରେ ମଧ୍ୟ ସେ ଉଚ୍ଚକୋଟୀର ଭାଷଣମାନ ଦେଇପାରୁଥିଲେ ।

 

କବିତା ଥିଲା ତାଙ୍କ ଜୀବନପଥର ଚିରପାଥେୟ । ଉଚ୍ଚକୋଟୀର କବିତା କିପରି ସେ ରଚନା କରିବେ, ଏହି ଥିଲା ତାଙ୍କର ଚିନ୍ତା । ୧୯୦୫ରେ ତାଙ୍କର ପ୍ରଥମ ରଚିତ କବିତା ସଂକଳନ ‘ଦି ଗୋଲଡ଼େନ ଥ୍ରେସହୋଲଡ’ ଓ ତା’ପରେ ୧୯୧୨ ରେ ‘ଦି ବାର୍ଡ଼ ଅଫ୍ ଟାଇମ’ ପ୍ରକାଶ ପାଇଥିଲା । ବହି ଦୁଇଟି ଉଚ୍ଚପ୍ରଶଂସିତ ହୋଇଥିଲା । ଏହି ଦୁଇଟିର ପ୍ରକାଶନ ପରେ ନାଇଡୁଙ୍କୁ ୧୯୧୪ ମସିହାରେ ଲଣ୍ଡନର ‘ରୟାଲ ସୋସାଇଟି ଅଫ୍ ଲିଟରେଚର’ର ଫେଲୋ ରୂପେ ଗ୍ରହଣ କରାଯାଇଥିଲା । ଭାଗ୍ୟବତୀ ସେ । ପ୍ରତିଭାର ଉପଯୁକ୍ତ ପୁରସ୍କାର ତାଙ୍କୁ ସଙ୍ଗେ ସଙ୍ଗେ ମିଳିଥିଲା-। ଏହି ବହି ଦୁଇଟି ବ୍ୟତୀତ ‘ଦି ବ୍ରୋକେନ ଉଇଙ୍ଗ’ ବା ‘ଭଗ୍ନଡେଣା’ ପୁସ୍ତକ ୧୯୧୬ ମସିହାରେ ପ୍ରକାଶିତ ହୋଇଥିଲା । କବିତାର ପ୍ରତି ଧାଡ଼ିରେ ଲେଖିକାଙ୍କର ମୌଳିକତା ଓ ନୁତନ ଚିନ୍ତାଧାର ପ୍ରମାଣ ମିଳେ । ଭାଷା ତାଙ୍କର ସରଳ, ତରଳ ଓ ମନମୁଗ୍ଧକର । ଭାରତର ସଂସ୍କୃତି, ଭାରତର ସଭ୍ୟତା, ତା’ର ଫୁଲଫଳ, ବଣବିଲ, ବିହଙ୍ଗ ଯାହା କିଛି ସୁନ୍ଦର, ସେ ସମସ୍ତ ତାଙ୍କ ଲେଖନୀରେ ଅମର ହୋଇ ଉଠିଛନ୍ତି । ଇଂରେଜ ଚିନ୍ତାଧାରର ପ୍ରଭାବ ତାଙ୍କ ଉପରେ ବେଶ ପଡ଼ିଥିଲା-

 

ସରୋଜିନୀଙ୍କୁ ଯେତେବେଳେ ମୋଟେ ବାରବର୍ଷ, ସେତେବେଳେ ସେ ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟରୁ ମାଟ୍ରିକ ପାଶ କରିଥିଲେ । ପାଶ କରିବାର ଠିକ ଚାରିବର୍ଷ ପରେ ୧୮୯୫ ମସିହାରେ ନିଜାମଙ୍କଠାରୁ ଏକ ସ୍ଵତନ୍ତ୍ର ବୃତ୍ତି ପାଇ ସେ ପଢ଼ିବା ପାଇଁ ବିଲାତ ଯାଇଥିଲେ । ପ୍ରଥମେ ଲଣ୍ଡନର କିଙ୍ଗ୍ସ କଲେଜରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେଠି ତାଙ୍କର ସ୍ୱାସ୍ଥ୍ୟ ଭଲ ନରହିବାରୁ କେମ୍ବ୍ରିଜ୍‍ (ଗ୍ରୀଟନ୍‍ କଲେଜ) ବିଶ୍ଵବିଦ୍ୟାଳୟରେ ଯୋଗଦେଇଥିଲେ । ତାଙ୍କ ଜୀବନରେ କେମ୍ବ୍ରିଜ୍‍ ରହଣୀର ବିଶେଷତ୍ଵ ଖୁବ୍ ବେଶୀ । ଏହି ସମୟରେ ସେ ଅନେକ ଗୁଡ଼ିଏ କବିତା ଲେଖି ସୁନାମ ଅର୍ଜନ କରିଥିଲେ । ଲଣ୍ଡନର ବିଶିଷ୍ଟ କବି ଓ ସମାଲୋଚକ-ମାନଙ୍କ ସଙ୍ଗେ ତାଙ୍କର ପରିଚୟ ହୋଇଥିଲା । ତାଙ୍କର ଚମତ୍କାର ଚେହେରା, ମଧୁର କଣ୍ଠସ୍ଵର ଓ ବଳିଷ୍ଠ ବ୍ୟକ୍ତିତ୍ଵ ତାଙ୍କ ସମ୍ପର୍କରେ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ମୁଗ୍ଧ କରିଥିଲା । ମୋଟରେ ତିନୋଟି ବର୍ଷ ସେ ଲଣ୍ଡନରେ ରହିଥିଲେ । ଆଉ ଅଧିକ ଦିନ ରହିବାର ବାସନା ତାଙ୍କର ଥିଲା; କିନ୍ତୁ ସେ ରହିପାରି ନଥିଲେ । କାରଣ ଅଧିକ ପରିଶ୍ରମରୁ ତାଙ୍କର ସ୍ଵାସ୍ଥ୍ୟ ନଷ୍ଟ ହୋଇଯାଇଥିଲା ତେଣୁ ସ୍ଵଦେଶକୁ ଫେରିଆସିବା ଦରକାର ହେଲା ।

 

ବାହୁଡା଼ ବାଟରେ କେତୋଟି ଦିନ ସେ ଇଟାଲିରେ ଅଟକି ଯାଇଥିଲେ । ଭୁସ୍ଵର୍ଗରେ ଇଟାଲିର ସୌନ୍ଦର୍ଯ୍ୟକୁ ଅଙ୍ଗେ ଲଗାଇବା ତାଙ୍କର ଇଚ୍ଛା । ଫ୍ଲୋରେନ୍ସର ବଣବିଲ, ନୀଳଆକାଶ, ପ୍ରାକୃତିକ ଦୃଶ୍ୟ ସମୂହ କବି ପ୍ରାଣରେ ଗଭୀର ରେଖାପାତ କଲା । ବିଲାତରେ ଯାହା କେବଳ ଶୁଣିଥିଲେ, ଫ୍ଲୋରେନ୍ସରେ ତାହା ଆଖିରେ ଦେଖିଲେ, ଅଙ୍ଗେ ଲିଭାଇଲେ । କିଛିଦିନ ପରେ ଫ୍ଲୋରେନ୍ସ ଛାଡ଼ି ଆସିଲେ ସତ, କିନ୍ତୁ ଫ୍ଲୋରେନ୍ସ ସ୍ମୃତି ସବୁଦିନ ପାଇଁ ତାଙ୍କର କବିତା ପଂକ୍ତିରେ ଆଙ୍କିହୋଇ ରହିଗଲା । ଏହି ମାଟିର ଧରଣୀରେ ସୁନାର ସୌନ୍ଦର୍ଯ୍ୟ ଫୁଟିଉଠେ । ସମସ୍ତେ ଦେଖନ୍ତି; ଭୁଲିଯାନ୍ତି, କିନ୍ତୁ କବି ରଚିଯାଏ ଅମର କବିତା । ସେ ଧନ୍ୟ, ସେ ବରେଣ୍ୟ ।

 

୧୯୧୮ ସେପଟେମ୍ବର ମାସରେ ଆସି ସେ ପହଞ୍ଚିଲେ ହାଇଦ୍ରାବାଦରେ । ପହଞ୍ଚିବାର ଠିକ ଚାରିମାସ ପରେ ଅର୍ଥାତ ଡିସେମ୍ବର ମାସରେ ନିଜାମଙ୍କ ଡାକ୍ତର ଏମ. ଗୋବିନ୍ଦ ରାଜୁଲ୍ ନାଇଡୁଙ୍କ ସହ ତାଙ୍କର ବିବାହ ହେଲା । ଜଣେ କବି, ଜଣେ ଡାକ୍ତର । ଜଣେ ମନପାଇଁ, ଜଣେ ଶରୀର ପାଇଁ ଖାଦ୍ୟ ଯୋଗାନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହୋଇଉଠିଲା । ପରିବାରରେ ଶାନ୍ତ ବାତାବରଣ ମଧ୍ୟରେ ପକ୍ଷୀକଣ୍ଠର ଗାନ ଓ ଶିଶୁ ସନ୍ତାନମାନଙ୍କର କଳରବରେ ଜୀବନ ତାଙ୍କର ମୁଖରିତ ହୋଇଉଠିଲା ।

 

ଦେଶରେ ସେତେବେଳେ ସ୍ଵାଧୀନତାର ବାତ୍ୟା ବହି ଚାଲିଥାଏ । ଲେଖିକା ଆମର ଲେଖିଚାଲିଥାନ୍ତି କବିତା ଗୋଟିକ ପରେ ଗୋଟାଏ । ଦିନେ ଗୋଖଲେ ତାଙ୍କୁ କହିଲେ, "ଘରେ ଯେତେବେଳେ ନିଆଁ ଲାଗିଛି ଗୀତଗାଇ ଲାଭ କ’ଣ ? ପାଣିବୋହିଆଣି ନିଆଁ ଲିଭାଇବା ହେଉଛି କବିର ପ୍ରଥମ କାମ ।" ସରୋଜିନୀ ତାଙ୍କ କଥାର ଅର୍ଥ ବୁଝିଲେ । ଲେଖନୀ ରଖିଦେଇ ଦେଶସେବା ପାଇଁ ସେ ଆଗେଇଲେ । ହାଇଦ୍ରାବାଦ ବନ୍ୟାପ୍ରପୀଡ଼ିତ ଅଞ୍ଚଳରେ ବୁଲିବୁଲି ସେ ଲୋକଙ୍କର ସେବାକଲେ । ହାଇଦ୍ରାବାଦରେ ଜୀବନରେ ପ୍ରଥମ କରି ସର୍ବସାଧାରଣଙ୍କ ସେବା କରିବା ପାଇଁ ସେ ଆରମ୍ଭକଲେ । ଯଥା ସମୟରେ ବାପୁଜୀଙ୍କ ସଙ୍ଗେ ତାଙ୍କର ସାକ୍ଷାତ୍‍ ହେଲା । ଭାରତର ସବୁ ନେତାଙ୍କ ପରି ଏହି ବୁଲବୁଲ୍ ଉପରେ ମଧ୍ୟ ବାପୁଙ୍କ କାଉଁରୀ କାମକଲା । ବୁଲବୁଲ୍ ନୀଡ଼କୁ ତା’ର ଆଉ ଫେରିଲା ନାହିଁ । ପୂରାତନ ତ୍ୟାଗକରି ସେ ଗାଇଲା ନୂତନ ସଙ୍ଗୀତ । କବିତାରେ ଶୁଣାଗଲା ବିପ୍ଳବର ଆବାହନା । ଦେଶରେ ଯେତିକି, ବିଦେଶରେ ତା’ଠାରୁ ଅଧିକ ବୁଲି ନିଜର ଦାବି ସେ ସର୍ବସାଧାରଣରେ ଉପସ୍ଥାପିତ କଲେ । ହିମାଳୟଠାରୁ କୁମାରୀକା ଯାଏ ବୁଲିବୁଲି ଶୁଣାଇଲେ ସ୍ୱାଧିନତାର ନବମନ୍ତ୍ର । ସେ ଗୋରା ଶାସକର ଅତ୍ୟାଚାରର ନିର୍ମମ କାହାଣୀ ସମସ୍ତଙ୍କୁ ଶୁଣାଇଲେ । କୌଣସି ପ୍ରକାର ପ୍ରଲୋଭନ ତାଙ୍କୁ ନିଜ ପଥରୁ ବିଚ୍ୟୁତ କରିପାରି ନାହିଁ । ୧୯୨୦ ମସିହାରେ ‘କାଇଜର୍-ଇ-ହିନ୍ଦ’ ପଦକ ସରକାରଙ୍କର କଳଙ୍କମୟ ଶାସନର ପ୍ରତିବାଦ ସେ ପ୍ରତ୍ୟାଖ୍ୟାନ କରିଥିଲେ । ସେଦିନ ପର୍ଯ୍ୟନ୍ତ ବ୍ରିଟେନ୍ ଲୋକେ ତାଙ୍କୁ କେବଳ କବି ବୋଲି ଜାଣିଥିଲେ । ତା’ପରେ କିନ୍ତୁ ସେମାନେ ବେଶ ବୁଝିଲେ ଭାରତର ବୁଲବୁଲ୍ କେବଳ ଗାଏ ନାହିଁ, ସ୍ଵାଧୀନତା ପାଇଁ, ସତ୍ୟ ପାଇଁ ବିପ୍ଳବ ମଧ୍ୟ କରିପାରେ ।

 

ଦେଶପାଇଁ ଏକାଧିକ ବାର ସେ କାରାବରଣ କରିଛନ୍ତି । ସେଥିପାଇଁ କିନ୍ତୁ ତାଙ୍କର ତିଳେ ହେଲେ ଶୋଚନା ନଥିଲା । କେବଳ ବିପ୍ଳବ କରିବା ପାଇଁ ନୁହେଁ, ଦେଶକୁ ନେତୃତ୍ଵ ଦେବାରେ ସେ ଥିଲେ ଅଗ୍ରଗଣ୍ୟ । ଦେଶବାସୀ ଏହା ବେଶ୍‍ ବୁଝିସାରିଥିଲେ । ସେଥିପାଇଁ ୧୯୨୫ ମସିହାରେ ଜାତୀୟ କଂଗ୍ରେସର ସଭାନେତ୍ରୀ ରୂପେ ତାଙ୍କୁ ବଛାଯାଇଥିଲା । ସରକାରଙ୍କ ସହିତ ସମ୍ମୁଖ ସମର କରିବାକୁ ହେବ । ସେ ସମୟରେ କଂଗ୍ରେସର ସଭାପତିଙ୍କର ଖୁବ ଗୁରୁ-ଦାୟିତ୍ଵ ଥିଲା । ସେପରି ଅବସ୍ଥାରେ ଏତେ ବିରାଟ ଅନୁଷ୍ଠାନର ନେତୃତ୍ଵ ନେବା କେତେଜଣଙ୍କ ଭାଗ୍ୟରେ ଘଟିଛି ?

 

୧୯୩୦ମସିହା–ବାପୁଜୀ ସ୍ଥିର କରିଥାନ୍ତି ତାଙ୍କର ଐତିହାସିକ ଦାଣ୍ଡି ଅଭିଯାନ ଆରମ୍ଭ କରିବା ପାଇଁ ଲୁଣମାରି ଆଇନ ଅମାନ୍ୟ କରିବା ପାଇଁ । ମାର୍ଚ୍ଚ ୧୨ ତାରିଖ ସକାଳେ ଆକାଶରେ ସୂର୍ଯ୍ୟ ଉଠିବା ପୂର୍ବରୁ ୭୯ ଜଣ ସହକର୍ମୀଙ୍କ ସହ ସେ ଦାଣ୍ଡି ଗ୍ରାମରେ ଯାଇ ପହଞ୍ଚିଲେ । ସେଠାରେ ପହଞ୍ଚି ଦୃଢ଼କଣ୍ଠରେ ବାପୁ ଘୋଷଣା କଲେ ‘‘ବର୍ତ୍ତମାନଠାରୁ ଦେଶର ସବୁସ୍ଥାନରେ ଲୁଣମାରିବା ପାଇଁ ଆରମ୍ଭ କରିଦିଅ ଓ ଇଂରେଜର ଆଇନ ଭଙ୍ଗ କରିଥିବା ଅପରାଧରେ କାରାବରଣ କରିବା ପାଇଁ ପ୍ରସ୍ତୁତ ହୋଇଯାଅ ।” ସେହି ଦଳରେ ଥିବା ସହକର୍ମୀଙ୍କ ମଧ୍ୟରେ ସରୋଜିନୀ ଅନ୍ୟତମ । ଦେଶ ଉଦ୍‍ଗ୍ରୀବତାର ସହିତ ଲକ୍ଷ୍ୟକରି ଚାହିଁ ରହିଥାଏ ସରୋଜିନୀଙ୍କୁ ସେ ଏ ଯାତ୍ରାରେ କେଉଁ ଦାୟିତ୍ଵ ବହନ କରିବେ ।

 

ଗାନ୍ଧିଙ୍କ ଗିରଫ ପରେ ନେତୃତ୍ଵ ଦେବାର ଦାୟିତ୍ଵ ପଡ଼ିଲା ନାଇଡୁଙ୍କ ଉପରେ । ଦାଣ୍ଡିଠାରେ ଗଦା ହୋଇଥିବା ଲୁଣକୁ ଜଗିରହିବାପାଇଁ ଗୋଟିଏ ଶୋଭାଯାତ୍ରାରେ ସେ ଯିବାପାଇଁ ପ୍ରସ୍ତୁତ ହେଲେ । ପଥରୋଧ କଲା ପୋଲିସ୍ । ସରୋଜିନୀ ସେହିପରି ଠିଆ ହୋଇ ରହିଲେ । ଆକାଶରେ ଉଜ୍ଜ୍ଵଳ ସୂର୍ଯ୍ୟର ଅଗ୍ନେୟ ଉତ୍ସବ । ଘଣ୍ଟା ପରେ ଘଣ୍ଟା ବିତିଗଲା । ସେ ସେହିପରି ଠିଆ ହୋଇ ରହିଥାନ୍ତି । କୁସୁମ କୋମଳ ନାରୀର କି ତପସ୍ୟା ! ସରକାରୀ ପୋଲିସର ପ୍ରାଣ ତରଳି ଗଲା । ଶେଷରେ ସେ ଆଉ ସମ୍ଭାଳି ନପାରି କହିଲା–ଏପରି ଟାଣୁଆ ଖରାରେ ଆପଣଙ୍କ ପରି ସ୍ତ୍ରୀଲୋକ କାହିଁକି ଏତେ କଷ୍ଟ କରୁଛନ୍ତି ? ଦେଶ ପାଇଁ ତ ପ୍ରାଣ ଦିଆଯାଇପାରେ ? ଇଏ ଅବା କେଉଁ କଥା । ଏଣୁ କୌଣସି ଉତ୍ତର ନଦେଇ ସରୋଜିନୀ ସାମାନ୍ୟ ହସିଥିଲେ ମାତ୍ର । ନିର୍ବୋଧ ପୋଲିସ୍ ଅଫିସର ସେ କ’ଣ ବା ବୁଝିଥିବ ! ଶେଷରେ ପୋଲିସ୍ ତାଙ୍କୁ ଗିରଫ କଲେ ।

 

ଗିରଫ ହୋଇ କାରାବରଣ କରିବାରେ ତାଙ୍କ ପାଇଁ କୌଣସି ନୂତନତ୍ଵ ନ ଥିଲା । ସେ ଯେତେ ବାର କାରାବରଣ କରୁଥାନ୍ତି, ଆତ୍ମବିଶ୍ଵାସ ତାଙ୍କର ସେତିକି ବଢ଼ୁଥାଏ, ନିଜଲକ୍ଷ୍ୟପଥର ଉଜ୍ଜ୍ୱଳ ନକ୍ଷତ୍ର ତାଙ୍କର ତେତିକି ନିକଟତର ହେଉଥାଏ । ଦିନ ଆସିଲା ଶେଷରେ ଚକ ଘୂରିଗଲା, ସାଧକମାନଙ୍କର ସାଧନା ସଫଳ ହେଲା–ଦେଶ ସ୍ୱାଧୀନ ହେଲା ।

 

ଦେଶବାସୀଙ୍କୁ ଦେଶର ଦାୟିତ୍ଵ ବହନ କରିବାକୁ ପଡ଼ିଲା । ସରୋଜିନୀ ହେଲେ ଉତ୍ତରପ୍ରଦେଶର ଲାଟ । ଏ ପଦପାଇଁ ସେ କେବେ ଲାଳାୟିତ ନ ଥିଲେ । ପଦ ଓ କ୍ଷମତାର ସେ ତ ଚିର-ବିରୋଧୀ ! ସେ ଦାୟିତ୍ଵ ଗ୍ରହଣ କଲେ ଏବଂ ଏହି ପଦ ପାଇ ସେ କହିଥିଲେ, “ସ୍ଵାଧୀନ ପକ୍ଷୀକୁ ଏବେ ସୁନାପଞ୍ଜୁରିରେ ରଖି ଦିଆଗଲା’’ । ଲାଟ ହୋଇ ତାଙ୍କର କର୍ତ୍ତବ୍ୟ ଶେଷ ହୋଇଗଲା ବୋଲି ସେ ଶାନ୍ତିରେ କେବେ ନିଶ୍ୱାସ ମାରିନାହାନ୍ତି । ଦେଶର ବିଭିନ୍ନ ମଙ୍ଗଳକର କାମରେ ଓ ନାରୀମାନଙ୍କୁ ଉନ୍ନତିପଥରେ ଆଗେଇ ନେବାରେ ସେ ସର୍ବଦା ବ୍ୟସ୍ତ ରହିଥିଲେ । ଦେଶହିତକର କାର୍ଯ୍ୟରେ ବିଶେଷ ଆଗେଇଯିବା ପୂର୍ବରୁ ଜୀବନ–ଦୀପଟି ତାଙ୍କର ଲିଭିଗଲା । ୧୯୪୯ ମାର୍ଚ୍ଚ ୨ ତାରିଖ ଖବରକାଗଜରେ ସମ୍ବାଦ ମିଳିଲା–ଆଜି ରାତି ସାଢ଼େ ତିନିଟା ସମୟରେ ଲକ୍ଷ୍ନୌ ରାଜଭବନରୁ ଭାରତର ବୁଲବୁଲ ଚିରଦିନ ପାଇଁ ସୁନାର ଶିକୁଳି ଛିନ୍ନକରି ଉଡ଼ିଯାଇଛି । ତା’ର ସଙ୍ଗୀତ ଆମେ ଆଉ ଶୁଣିପାରିବା ନାହିଁ ।

★★★

 

ବିପ୍ଳବୀ କବିଙ୍କ ପାଇଁ ଅସି ଓ ଶଶି ସବୁ ସମାନ

 

ଗ୍ରହ ସଂସାରରେ ରବି ପରି ମାଟିର ପୃଥିବୀରେ ସେତେବେଳେ କବି ରବୀନ୍ଦ୍ରଙ୍କ ପ୍ରଭାବ ଖୁବ ପ୍ରବଳ ଥିଲା । ସବୁଠାରେ କେବଳ ତାଙ୍କର ସ୍ତୁତି ପ୍ରଚାର । ରବି ତୁଳନାରେ ଅନ୍ୟ ଗ୍ରହମାନେ ଏକାନ୍ତ ନିଷ୍ପ୍ରଭ, ମ୍ଳାନ । ହେଲେ ଏଇ ମାଟିର ଦୁନିଆରେ ତା’ର ବ୍ୟତିକ୍ରମ ହୋଇଛି । ରବୀନ୍ଦ୍ରଙ୍କ ଛଡ଼ା ଆଉ ଜଣେ ଗ୍ରହ ମଧ୍ୟ ମୁଣ୍ଡ ଟେକି ଉଠିଛନ୍ତି, ନା ତାଙ୍କର କାଜି ନାଜରୁଲ ଇସଲାମ । ବିଦ୍ରୋହୀ କବି ରୂପେ ସମସ୍ତେ ତାଙ୍କୁ ଜାଣନ୍ତି । ତାଙ୍କର କବିତା ‘ବିଦ୍ରୋହ’ ତାଙ୍କୁ ବିଦ୍ରୋହୀ ରୂପେ ଦୁନିଆକୁ ଜଣାଇଦେଇଛି । ଅତି ଚମତ୍କାର କବିତା–ଉଭୟର ମଧୁର ମିଳନ । ଓଜସ୍ଵିନୀ ଭାବକୁ ଅଗ୍ନିମୟୀ ଭାଷା ।

 

କବି ଜନ୍ମରୁ ବିଦ୍ରୋହୀ । ଅତ୍ୟାଚାର, ଅନାଚାର, ଏକଛତ୍ରବାଦ, କୁସଂସ୍କାରର ସେ ଏକ ପରମ ଶତ୍ରୁ । ତାଙ୍କ ସଙ୍ଗୀତ ଏକ ପ୍ରପୀଡ଼ିତ ପ୍ରାଣର ସଙ୍ଗୀତ । ଦରିଦ୍ର ନିଃସହାୟକୁ ବଞ୍ଚିତ କରୁଥିବା ବ୍ୟକ୍ତିକୁ ସେ କଦାପି କ୍ଷମା ଦେଇପାରନ୍ତି ନାହିଁ । ବ୍ରିଟିଶ ଶାସନର ସେ ଏକ ରୁକ୍ଷ ସମାଲୋଚକ । ସେହି ପରାଧୀନତାର ଗଣ୍ଡିରୁ ମୁକ୍ତି ପାଇବା ପାଇଁ ଯୁବକସମାଜ ପ୍ରତି କବିତାଗୁଡ଼ିକ ତାଙ୍କର ଏକ ନୂତନ ଇସ୍ତାହାର, ନୂତନ ସନ୍ଦେଶ ।

 

ତାଙ୍କର ସେହି ବିଦ୍ରୋହୀ ପ୍ରଭୃତି ପାଇଁ ସେ ବରଣ କରିଛନ୍ତି କାରା । ବ୍ରିଟିଶର ଗୁଳିଗୁଳା ଅପେକ୍ଷା ଲେଖନୀ ତାଙ୍କର ଅଧିକ ଶକ୍ତିଶାଳୀ ହୋଇଉଠିଛି । ତାଙ୍କରି ଲେଖନୀର କବିତା ଲକ୍ଷପ୍ରାଣରେ ଯେଉଁ ଅଗ୍ନି ଜଳାଇପାରିଛି, ସମସ୍ତ ଶକ୍ତି ଖଟାଇ ଶାସକ ତାହା ଲିଭାଇପାରି ନାହାନ୍ତି । ଲେଖନୀର କି ବିରାଟ ଶକ୍ତି ! କାରଗାରର ସସୀମ ପ୍ରାଚୀର ତାଙ୍କ ସୁଦୂର ପ୍ରସାରୀ ମନକୁ ବାନ୍ଧି ରଖିପାରି ନାହିଁ । ସେ ବେଶ ବୁଝିଲେ–ଆଉ ଡେରିନାହିଁ, ଦିନ ଆସିବ, ସବୁଦିନ ପାଇଁ ଅନ୍ୟାୟ ଅତ୍ୟାଚାର, ନିଷ୍ପେଷଣ ପ୍ରତାରଣା ଜଳିପୋଡ଼ି ପାଉଁଶ ହୋଇଯିବ । ସେ ପାଉଁଶ ଉପରେ ମୁଣ୍ଡ ବିକିବ ନୂତନ ସମାଧି । ସେହି ହେବ ଆମର ଆଗାମୀ ବଂଶଧର ପାଇଁ ଆଶା ଓ ଆଲୋକର ଉଜ୍ଜ୍ୱଳ ସ୍ତମ୍ଭ । କେବଳ ସଂଗ୍ରାମ ନୁହେଁ, କବିତା ତାଙ୍କର ହିନ୍ଦୁ ମୁସଲମାନମାନଙ୍କର ମିଳିତ ସଭ୍ୟତା, ସଂସ୍କୃତି, ଭାଷା, ଭାବ, ଆଦର୍ଶ ଓ ଶାନ୍ତିର ନବମନ୍ତ୍ରର ଏକ ଜୀବନ୍ତ ବାହକ ।

 

ବର୍ଦ୍ଧମାନ ଜିଲ୍ଲାର ଚୁରୁଲିଆ ଗାଁରେ ତାଙ୍କର ଜନ୍ମ । ସମ୍ରାଟ ସାହାଆଲମଙ୍କ ସମୟରେ ତାଙ୍କର ପୂର୍ବ ପୁରୁଷମାନେ ପାଟଣାକୁ ଚାଲି ଆସିଲେ । ତାଙ୍କର ପିତାମାତା ଅତି ଦରିଦ୍ର । ବାପା ମା ତାଙ୍କୁ ଅତି ଦୁଃଖରେ ଡାକୁଥିଲେ ‘ଦୁଖ ମିଆଁନ’ । କାରଣ ତାଙ୍କ ପୂର୍ବରୁ ତାଙ୍କର ଚାରିଜଣ ବଡ଼ଭାଇ ଜନ୍ମ ହେବା ସଙ୍ଗେ ସଙ୍ଗେ ପ୍ରାଣ ହରାଇଥିଲେ । ତାଙ୍କୁ ଯେତେବେଳେ ମୋଟେ ଆଠବର୍ଷ, ସେତିକିବେଳେ ବାପା ତାଙ୍କର ମରି ଯାଇଥିଲେ ।

 

ପିଲାବେଳେ ପାଠପଢ଼ାରେ ତାଙ୍କର ଉତ୍ସାହ ନଥିଲା । କ୍ଲାସର ଟେବୁଲ ଚଉକି ଥିଲେ ତାଙ୍କର ଶତ୍ରୁ । ସେ ବରାବର ସ୍କୁଲରୁ ଲୁଚି ପଳାଇଆସୁଥିଲେ । ପୃଥିବୀର କୌଣସି ବସ୍ତୁପ୍ରତି ତାଙ୍କର କୌଣସି ମମତା ନଥିଲା । ସେ ଥିଲେ ନିହାତି ଦୁର୍ଦ୍ଦାନ୍ତ । ସେଥିପାଇଁ ପଡ଼େଶୀମାନେ ତାଙ୍କୁ ଖାପା ଅବା ପାଗଳ ବୋଲି ଡାକୁଥିଲେ ।

 

ପାଠପଢ଼ା ତାଙ୍କ ହାତରେ ହେଲା ନାହିଁ । ବଞ୍ଚିବା ପାଇଁ ୧୪/୧୫ବର୍ଷ ବୟସରେ ରୋଜଗାରର ଏକ ପନ୍ଥା ସେ ଖୋଜି ବାହାର କରିଥିଲେ । ସେ ଭାରି ସୁନ୍ଦର ଗୀତ ଗାଇପାରୁଥିଲେ । ତାଙ୍କୁ ଯେତେବେଳେ ମୋଟେ ତେର ବର୍ଷ, ସେତିକିବେଳେ ସେ ନାଟ ଦଳରେ ଯୋଗଦେଇଥିଲେ । ସେକ୍ସପିଅରଙ୍କ ପରି ନାଟଦଳରେ ଯୋଗଦେବା ପରେ ପରେ ତାଙ୍କ କବି ଜୀବନ ଆରମ୍ଭ ହେଲା । ସେହି ନାଟ ଦଳୀରେ ପ୍ରଥମେ ତାଙ୍କର ତୀକ୍ଷ୍‍ଣ ପ୍ରତିଭାର ସୂଚନା ମିଳିଥିଲା । ଦଳର ମାଲିକ ଅନେକ ବାର କହିଛନ୍ତି, ଜୀବନରେ ବଞ୍ଚିରହିଲେ ଏ ଦିନେ ଜଣେ ବଡ଼ ଲୋକ ହେବ । ସେହି ସମୟରେ ‘ମେଘନାଦ ବଧ’ କାବ୍ୟର ଅନୁକରଣରେ ସେ ଏକ କାବ୍ୟ ଲେଖିଥିଲେ । ତା’ ଛଡ଼ା କବିତା, ସଙ୍ଗୀତ ଓ ନାଟକ ଲେଖା ଚାଲିଥାଏ ।

 

ଏହି ଦୁର୍ଦ୍ଦାନ୍ତ ନାଜରୁଲ ଗାଁରୁ ପଳାଇଯାଇ ଆସନସୋଲରେ ଗୋଟିଏ ବିସ୍କୁଟ ଦୋକାନରେ ପ୍ରଥମେ ଚାକିରୀ କରୁଥିଲେ । ମାସକୁ ଦରମା ମୋଟେ ପାଞ୍ଚଟଙ୍କା । ଏହିଠାରେ ଜଣେ ଭଦ୍ରଲୋକ ପିଲାଟିର ଉଜ୍ଵଳ ପ୍ରତିଭାର ସୂଚନା ପାଇ ତାଙ୍କୁ ନିଜ ଗାଁକୁ ନେଇଯାଇଥିଲେ । ତାଙ୍କର ଇଚ୍ଛା ପିଲାପଢ଼ୁ । କିନ୍ତୁ ନାଜରୁଲ ତ ଆକାଶର ମୁକ୍ତ ବିହଙ୍ଗ । ସ୍କୁଲର ଧରାବନ୍ଧା ରୁଟିନ ଜୀବନ ତାଙ୍କୁ କିପରି ସୁଖ ଦିଅନ୍ତା । ସେଠୁ ସେ ପୁଣି ପଳାଇଆସିଲେ ନିଜ ଘରକୁ ।

 

ଘରେ ପହଞ୍ଚିବା ପରେ କାହିଁକି କେଜାଣି ମନ ତାଙ୍କର ବଦଳିଗଲା । ସେ ପୁଣି ପଢ଼ିବା ପାଇଁ ସ୍ଥିର କଲେ । ସିଆରସୋଲ ସ୍କୁଲରେ ତିନୋଟି ବର୍ଷ ପାଇଁ ଭର୍ତ୍ତିହେଲେ । କିନ୍ତୁ ଭାଗ୍ୟରେ ତାଙ୍କର ମାଟ୍ରିକ ପାସ ଲେଖା ନଥିଲା ।୧୯୧୭ ମସିହା । ପ୍ରଥମ ବିଶ୍ଵଯୁଦ୍ଧ ଲାଗିଥିଲା । ସେତେବେଳକୁ ସେ ଦଶମ ଶ୍ରେଣୀର ଛାତ୍ର । ତାଙ୍କ ସାଥିମାନେ ଦିନେ ଦେଖିଲେ ଯେ ନାଜରୁଲ ନାହଁ । ସେମାନେ ସ୍ଥିର କରିନେଲେ ଯେ ନାଜରୁଲ କେଉଁଆଡ଼େ ପୁଣି ପଳାଇଛି । କିନ୍ତୁ ସେଥର ସେ କେଉଁଆଡ଼େ ନଯାଇ ଯୁଦ୍ଧରେ ଯୋଗଦେଇଥିଲେ ଜର୍ମାନ ସହିତ ଲଢ଼ିବା ପାଇଁ ।

 

ସୈନିକ ହିସାବରେ ଯଥେଷ୍ଟ ସୁନାମ ତାଙ୍କର ଥିଲା । ଅଳ୍ପ ସମୟ ମଧ୍ୟରେ ସେ ହାବିଲଦାର ହୋଇ ପାରିଥିଲେ । କେବଳଯୁଦ୍ଧରେ ସେ ମାତି ନଥିଲେ, ଛାଉଣିରେ ବସି ବସି କବି ହେବାର ସ୍ଵପ୍ନ ମଧ୍ୟ ଦେଖୁଥିଲେ । ଯୁଦ୍ଧପଡ଼ିଆରୁ ଫେରି ଭେରୀ ବନ୍ଧୁକ ରଖିଦେଇ ବସାରେ ବସି ସେ କବିତା ଲେଖୁଥିଲେ । ସେହି ସମୟରେ ଅନେକ ଗୁଡ଼ିଏ କ୍ଷୁଦ୍ରଗଳ୍ପ ମଧ୍ୟ ସେ ଲେଖିଛନ୍ତି । ସେ ଯୁଦ୍ଧ ଛାଉଣିରେ ରୁବୁ-ଇ-ୟାତ-ଇ-ହାଫିଜକୁ ବଙ୍ଗଳାରେ ଅନୁବାଦ କରିଥିଲେ । ଏକ ସମୟରେ ବୁଲେଟ ଓ ଲେଖନୀ ସେ କିପରି ଚଳାଉଥିଲେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ସେ ବେଶ୍ ବୁଝିଥିଲେ ବଞ୍ଚିବାକୁ ହେଲେ ଏ ଦୁଇଟିର ପ୍ରୟୋଜନ ଅଧିକ ।

 

୧୯୧୯ରେ ସେ ଯୁଦ୍ଧରୁ ଫେରିଆସିଲେ । ଏହି ସମୟରେ କବିଙ୍କର କେତେଗୁଡ଼ିଏ ଜଣାଶୁଣା କବିତା ବଙ୍ଗଳା ମାସିକ ‘ମୁସଲିମ୍‍ ଭାରତ’ ରେ ପ୍ରକାଶ ପାଇଥିଲା । ସେତେବେଳକୁ ତାଙ୍କ ଚିନ୍ତାଧାରରେ ଅନେକ ପରିବର୍ତ୍ତନ ଆସି ଯାଇଥିଲା । ଦେଶ ପ୍ରତି ଯେ ତାଙ୍କର ଗୋଟିଏ କର୍ତ୍ତବ୍ୟ ଅଛି, ସେ ବେଶ୍‍ ବୁଝିପାରିଥିଲେ । ‘ଧୂମକେତୁ’ ନାମକ ଏକ ପତ୍ରିକାରେ ସେ ସମୟରେ ତାଙ୍କୁ ନିଜ ସମ୍ପାଦକତ୍ଵରେ ପ୍ରକାଶ କରିଥିଲେ । ଶାସକଗଣ ପତ୍ରିକାର ଉଦ୍ଦେଶ୍ୟ ବୁଝିପାରି ତାଙ୍କୁ ବର୍ଷେ ଜେଲଦେଲେ । କିନ୍ତୁ ଏତିକିରେ ସବୁ ଶେଷହେଲା ନାହିଁ । ଜେଲରେ ତାଙ୍କୁ ହଇରାଣ ହେବାକୁ ପଡ଼ିଲା, ଶାସ୍ତି ଭୋଗକରିବାକୁ ପଡ଼ିଲା । ତା’ର ପ୍ରତିବାଦ କରି ସେ ହୁଗୁଳି ଜେଲରେ ଅନଶନ କଲେ । ବନ୍ଧୁମାନଙ୍କ ଅନୁରୋଧ, ସରକାରଙ୍କ ଚେଷ୍ଟା ସେଥିରୁ ତାଙ୍କୁ ବିରତ କରିପାରିଲା ନାହିଁ । ସମସ୍ତ ଚେଷ୍ଟାସତ୍ତ୍ୱେ ଅନଶନ ଅନେକ ଦିନ ଚାଲିଥିଲା । ଏହି ଅନଶନ ସମୟରେ ମଧ୍ୟ କବିତା ରଚନା ଓ କର୍ତ୍ତୁପକ୍ଷଙ୍କ ସଙ୍ଗେ ଲଢ଼ିବା ବନ୍ଦ ନଥିଲା ।ବନ୍ଦ ବା ହୁଅନ୍ତା କିପରି ? ସେ ଯେ ଚିର ବିଦ୍ରୋହୀ ।

 

ଜେଲର ଯନ୍ତ୍ରଣା –ଜୀବନ ଶେଷକରି ସେ ଫେରିଆସିଲେ । ଜେଲରୁ ମୁକ୍ତ ହେବାର ଅଳ୍ପଦିନ ପରେ ସେ ଜନୈକା ହିନ୍ଦୁ ରମଣୀଙ୍କୁ ବିବାହ କରିଥିଲେ । ନାଁ ତାଙ୍କର ପ୍ରମିଳା । ଏବେ ପ୍ରମିଳା ତାଙ୍କ ଜୀବନରେ ଝରାଇଥିଲେ ପ୍ରେମର ନୂତନ ଝରଣା ।

 

ନଜରୁଲ ବଙ୍ଗଳାରେ ‘ଗଜଲ’ ସଙ୍ଗୀତର ସ୍ରଷ୍ଟା । ଯେଉଁଦିନ ସେ ଆପଣାର କକ୍ଷମଧ୍ୟରେ ଶୁଣିପାରିଥିଲେ ପଥପ୍ରାନ୍ତର ଭିକାରୀ ଉର୍ଦ୍ଦୁ ଗଜଲ ଗାଇ ଗାଇ ଭିକମାଗି ଚାଲିଛି, ସେଦିନ ତା’ର କଣ୍ଠର ସଙ୍ଗୀତ ସ୍ଵର ଓ ରଚନାର ମାଧୁରୀ କବିଙ୍କୁ ସ୍ପର୍ଶ କଲା । ସେପରି ସଙ୍ଗୀତ ବଙ୍ଗଳାରେ ରଚନା କରିବା ପାଇଁ ସେ ମନ ବଳାଇଲେ ଓ ଶେଷରେ ସେଥିରେ ମଧ୍ୟ ସଫଳତା ଲାଭ କଲେ ଆଜି ବି ରେଡ଼ିଓ ଖୋଲି–ବସିଲେ ତାଙ୍କର ରଚନା ବଙ୍ଗଳା ଗଜଲ, ବଙ୍ଗ ତରୁଣୀ ଗାୟିକାଙ୍କ କଣ୍ଠରେ ଶୁଣିପାରିବେ ।

 

୧୯୨୧ ମସିହାରେ ରବି ଠାକୁରଙ୍କ ସଂସ୍ପର୍ଶରେ ସେ ଆସିଥିଲେ । କବୀନ୍ଦ୍ର ସେତେବେଳକୁ ନିଜ ଘର ‘ଯୋଡ଼ାଶଂଖ’ରେ ରହୁଥାନ୍ତି । ଦିନକର କଥା, ଠାକୁର ସେଦିନ ସୁପରିଚିତ କବି ସତ୍ୟେନ ଦତ୍ତ ଓ ଅନ୍ୟ କେତେଜଣ ବନ୍ଧୁଙ୍କ ଗହଣରେ ଥାଆନ୍ତି । ହଠାତ୍‍ ନଜରୁଲ ସେଠି ଆସି ପହଞ୍ଚିଲେ । କବି ହସିହସି ତାଙ୍କୁ ସ୍ୱାଗତ କଲେ । ତା’ପରେ ଆଲୋଚନା ଚାଲିଲା । ଲେଖି ଆଣିଥିବା କବିତା ପଢ଼ିବା ବ୍ୟତୀତ ନିଜ ରଚିତ ଗୋଟିଏ ଦୁଇଟି ସଙ୍ଗୀତ ସେ ଗାଇ ରବି ଠାକୁରଙ୍କୁ ଶୁଣାଇଲେ । କବି କବିତାର ସ୍ଵର–ଯୋଜନା ବିଶେଷ ସଙ୍ଗୀତର ଛନ୍ଦ ଯୋଜନା ପାଇଁ ତାଙ୍କୁ ଅନେକ ପ୍ରଶଂସା କଲେ । ସେ ନାଜରୁଲଙ୍କୁ ଲକ୍ଷ୍ୟ କରି କହିଲେ, “ତୁମର କବିତାର ଛନ୍ଦେ ଛନ୍ଦେ ମୁଁ ଆରବୀ ଅଶ୍ଵର ପଦଧ୍ଵନି ଶୁଣିପାରିଲି । ଆଜିଠୁ ମୁଁ ତୁମକୁ ‘ଛନ୍ଦ ସ୍ଵଛନ୍ଦ’ ପଦଟି ଦେଲି’’ ତା’ପରେ ସେ କବିଙ୍କୁ ଲକ୍ଷ୍ୟକରି କହିଲେ, “ସତ୍ୟେନ୍ ! ତୁମକୁ ବି ଇଏ ଟପି ଗଲେ ।” ମନେରଖନ୍ତୁ, ଏହା ଯେ କେହି ଲୋକର ପ୍ରଶଂସା ନୁହେଁ । କବିତା ଓ ସଙ୍ଗୀତର ଆଜୀବନ ସାଧକ ବିଶ୍ଵକବି ଠାକୁରଙ୍କ ଏ ହେଲା ବିପ୍ଲବୀ କବିଙ୍କ ଉପରେ ମତାମତ ।

 

କେବଳ ସେତିକି ନୁହେଁ, ସେହିଦିନୁ ସେ ଦୁହିଙ୍କୁ ମଧ୍ୟରେ ସହୃଦୟତା ବଢ଼ିଗଲା । ସେ ସମୟରେ କବିଙ୍କ ସମ୍ମୁଖରେ ନାଜରୁଲଙ୍କ ସ୍ଥାନ ଟିକେ ଅଧିକ ହୋଇଗଲା । ଠାକୁର କବିଙ୍କୁ ଏପରି ଭଲ ପାଉଥିଲେ ଯେ, ଶେଷରେ ନାଜରୁଲଙ୍କୁ ନିଜ ରଚିତ ଗୋଟିଏ ଗୀତ–ନାଟ୍ୟ (Lyrical drama) ଉତ୍ସର୍ଗ କରିଥିଲେ । କେହି ପଚାରିପାରେ ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅବା ଅଛି-! ନିଜ ବହି ସେତ ଅନେକଙ୍କୁ ଉତ୍ସର୍ଗ କରିଥିଲେ, କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର ଅନେକ କାରଣ ଥିଲା । ଏହା ପୂର୍ବରୁ ସେ କୌଣସି କବିଙ୍କୁ ନିଜର ରଚନା କେବେ ଉତ୍ସର୍ଗ କରି ନଥିଲେ-। ଏଇହେଲା ପ୍ରଥମ । ସେତେବେଳେ ନାଜରୁଲ ସେତେ ଜଣାଶୁଣା ନଥାନ୍ତି । ରବିଠାକୁରଙ୍କର ଊତ୍ସର୍ଗୀକୃତ ବହିଟି ଦେଖି ସମସ୍ତେ ଅବାକ୍‍ ହେଲେ । ଏହି ନୂତନ କବିଙ୍କୁ ଠାକୁର କିପରି ଏତେ ଗଭୀର ଭାବେ ଜାଣିଲେ, ସେହି ହେଲା ଆଲୋଚନାର ବସ୍ତୁ । କିନ୍ତୁ ଏଥିରେ ଅବାକ ହେବାର କ’ଣ ବା ଥିଲା ! କବି ଚିହ୍ନିଲେ କବିଙ୍କୁ । କୌଣସି ପ୍ରତିଭାକୁ ଜନସାଧାରଣ ଚିହ୍ନିବା ପୂର୍ବରୁ ତାଙ୍କୁ ଚିହ୍ନାଇଦେବା ତ ହେଲା ପଣ୍ଡିତର କର୍ତ୍ତବ୍ୟ । ଉଦାରହୃଦୟ କବିନ୍ଦ୍ର ସେତକ ସହଜରେ କରିଦେଲେ-। ଧୀରେଧୀରେ ସୁନାମ ତାଙ୍କର ବଢ଼ିବା ସଙ୍ଗେସଙ୍ଗେ ରୋଜଗାର ମଧ୍ୟ ବଢ଼ିଗଲା । ଦୁଃଖ ଦୁରେଇ ଗଲା, ସଙ୍ଗୀତ ଗାଇ ସେ ଜଗତକୁ ଆପଣାର କଲେ, ପଇସା ମଧ୍ୟ ଯଥେଷ୍ଟ ମିଳିଲା ।

 

କିନ୍ତୁ ଦୁଃଖର କଥା ବେଶୀଦିନ ସେ ସୁଖରେ ସମୟ କାଟିପାରିଲେ ନାହିଁ । ଦୈବ ଦୁର୍ଯ୍ୟୋଗରେ ବସନ୍ତ ରୋଗରେ ତାଙ୍କର ଦୁଇଟିଯାକ ପୁଅ ସୁଦର୍ଶନ ଓ ବୁଲବୁଲ ପ୍ରାଣ ହରାଇଲେ-। ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଧୀରେଧୀରେ ନଷ୍ଟ ହୋଇଗଲା । କବି ଯଥାର୍ଥରେ ଜୀବନର ବୁଲବୁଲକୁ ହରାଇଲେ । ମନସ୍ତାପ ତାଙ୍କର ବଢ଼ିଗଲା । କୌଣସି କାମ କରିବା ପାଇଁ ତାଙ୍କର ଉତ୍ସାହ ନାହଁ-। ରୋଜଗାର ମଧ୍ୟ କମିଗଲା । ଦୁଃଖଦୁର୍ଦ୍ଦଶା, ଦୁର୍ଦ୍ଦିନ ପୁଣି ତାଙ୍କର ମାଡ଼ି ଆସିଲା । ଶେଷରେ ବିପ୍ଲବୀ କବି ସବୁଦିନ ପାଇଁ ପାଗଳ ହୋଇଗଲେ । ତାଙ୍କର ଏହି ଦୁର୍ଦ୍ଦିନରେ ଦେଶବାସୀ ମ୍ରିୟମାଣ ହୋଇଥିଲେ । ଚିକିତ୍ସା ନିମନ୍ତେ ଜନସାଧାରଣ ଅର୍ଥ ସଂଗ୍ରହ କରି ତାଙ୍କୁ ବିଲାତ ପଠାଇଲେ-। ଫଳ କିନ୍ତୁ କିଛି ହେଲା ନାହିଁ । ଶେଷରେ ସେ ପୁଣି ଫେରିଆସିଲେ ସ୍ଵଦେଶକୁ । ହେଲେ କବିଙ୍କର ବିରାଟ ଦାନକୁ ଲୋକେ ଭୁଲିଯାଇ ନଥାନ୍ତି । ଜୀବନପୋଷଣ ପାଇଁ ବଙ୍ଗ ସରକାର ତାଙ୍କୁ ମାସିକ ଦୁଇଶତ ଟଙ୍କା ସାହାଯ୍ୟ କରୁଥିଲେ ।

 

ଦୁଃଖର କଥା ସ୍ୱାଧୀନତା ପାଇଁ, ଶାନ୍ତିପାଇଁ ଦୀର୍ଘ ଜୀବନ ସେ ଆନ୍ଦୋଳନ କରି ଆସିଥିଲେ, ସେ ଟିକିଏ ଶାନ୍ତି ପାଇପାରିଲେ ନାହିଁ । ଦେଶ ଯେ ତାଙ୍କର ସ୍ୱାଧୀନ, ତାହା ସେ ଆଖିରେ ଦେଖି ପାରିଲେ ନାହିଁ । ଦୁଃଖର ଜୀବନ ଦୁଃଖରେ ହିଁ ଶେଷହେଲା । କିନ୍ତୁ ଅନ୍ଧକାର ମଧ୍ୟରେ ପ୍ରଦୀପ ଯେତିକି ସମୟ ଜଳିଉଠିଥିଲା, ସେହି ଆଲୋକ ଚିରଦୀପ୍ତ ରହିଲା, ରହିଥିବ । ତାହା ହିଁ ନାଜରୁଲଙ୍କ ଆଗ୍ନେୟ କବିତା ।

★★★

 

ବାପୁଜୀଙ୍କ ବକ୍ତୃତାକୁ ବ୍ରିଜ ଖେଳରୁ ଯେ ଅଧିକ ମନେ କରୁ ନଥିଲେ

 

୧୪-୧୨-୪୭–ଓଡ଼ିଆ ଜାତିର ଏକ ସ୍ମରଣୀୟ ଦିନ । ସେଦିନ ହୋଇଥିଲା ବିଶାଳ ଉତ୍କଳର ସୃଷ୍ଟି । ସେହିଦିନ ହୋଇଥିଲା ଅନ୍ଧାରରେ ଆଲୁଅ । ସେହିଦିନ ଲୋପ ହେଲା ଗଡ଼ଜାତର ଅନ୍ଧାରୀ ଶାସନ–ଯୁଗଯୁଗର ଦଳିତ ମଣିଷ ସେଦିନ ଦେଖିଲା ସ୍ଵାଧୀନତାର ନୂତନ ଆଲୋକ । ଯେଉଁ ରାଜ୍ୟରେ କଥା କହିଲେ ଜିଭକଟି ଯାଉଥିଲା, ସେଇଠି ଲୋକେ ପୁଣି କଥା କହିଲେ । ଅନ୍ଧାର ଆଲୁଅ ମିଶିଗଲା; ଜନ୍ମହେଲା –ଆମ ବିଶାଳ ଉତ୍କଳ । ଓଡ଼ିଶାର ସୀମାରେଖା ସେଦିନ ଯଥେଷ୍ଟ ବଢ଼ିଗଲା । ସବୁଦିନ ପାଇଁ ଗଡ଼ଜାତ-ଗୁଡ଼ିକରୁ ଲାଠିବେଠି, ନିର୍ଯ୍ୟାତନା, ନିଷ୍ପେଷଣ, ମନମାଫି ଶାସନ ସବୁ ଏକାଥରକେ ଲୋପ ପାଇଲା । ଏ ସମସ୍ତ ବିପ୍ଳବର ଅସଲ ବିପ୍ଳବୀ ହେଉଛନ୍ତି ଲୁହାର ମଣିଷ ସ୍ଵର୍ଗୀୟ ସର୍ଦାର ବଲ୍ଲଭଭାଇ ଆମମାନଙ୍କର ଚିର ସ୍ମରଣୀୟ, ଚିରନମସ୍ୟ-। ଦେହ ତାଙ୍କର ମାଟିରେ ମିଶିଥିଲେ ମଧ୍ୟ ଆତ୍ମା ତାଙ୍କର ଆମ ଚାରିପାଖେ ଘୂରୁଛି-। ଷ୍ଟ୍ରାଲିନଙ୍କ ପରି ସେ କହିଥାନ୍ତି, ଅବଶ୍ୟ ଷ୍ଟାଲିନ ଓ ପଟେଲଙ୍କ ମଧ୍ୟରେ ତାଳତିଳର ତଫାତ୍-। ତରବାରି ଷ୍ଟାଲିନଙ୍କ ଅସ୍ତ୍ର, କିନ୍ତୁ ପଟେଲଙ୍କ ଅସ୍ତ୍ର ହେଉଛି ଅହିଂସାର ମନ୍ତ୍ର ।

 

ବମ୍ବେର କରମସାଦ ଗାଁରେ ତାଙ୍କର ଜନ୍ମ । ଗରିବ ହେଲେ ବି ତାଙ୍କ ବାପାଙ୍କର ସେ ଅଞ୍ଚଳରେ ଖୁବ ନାଁ । ଅତି ପିଲାଟି ଦିନୁ ପଟେଲଙ୍କୁ ଦୁନିଆର ଦୁଃଖକଷ୍ଟ ସଙ୍ଗେ ଲଢ଼ିବାକୁ ପଡ଼ିଥିଲା-। ସେଥିପାଇଁ ଅଠର ବର୍ଷ ବୟସ ପର୍ଯ୍ୟନ୍ତ ମାଟି ସଙ୍ଗେ ମାଟି ହୋଇ ଜମିରେ ସେ ନିଜ ବାପାଙ୍କୁ ସାହାଯ୍ୟ କରୁଥିଲେ । ପିଲାଦିନେ ପାଠ ପଢ଼ିବା ପାଇଁ ନେହେରୁଙ୍କ ପରି ଘରେ ତାଙ୍କର ଶିକ୍ଷକ ନ ଥିଲେ କିମ୍ବା ସୁଭାଷଙ୍କ ପରି ସାହେବୀ ପୋଷାକର ସୌଭାଗ୍ୟ ବା ସ୍ୱପ୍ନ ତାଙ୍କର ନଥିଲା-। କିନ୍ତୁ ସେ ଥିଲେ ବନସ୍ତ କଣ୍ଟା, ମୂଳରୁ ଖୋଜା । ବଣର ମାଳତୀ ପରି ବଣରେ ଝଡ଼ି ପଡ଼ିବା ପାଇଁ ସେ ଜନ୍ମ ହୋଇ ନଥିଲେ । ନିଜ ଗୋଡ଼ରେ ନିଜେ ଠିଆ ହୋଇ ସେ ମଣିଷ ହୋଇଥିଲେ ।

 

ପିଲାଦିନୁ ସେ ଖୁବ ସ୍ଵାଧୀନ ଚେତା, ନ୍ୟାୟୀ ଓ ବେପରୁଆ ଥିଲେ । ସ୍କୁଲରେ ଛାତ୍ରଥିଲା ବେଳେ ଦିନେ ଶିକ୍ଷକଙ୍କର କ୍ଲାସକୁ ଆସିବାରେ ଡେରି ହୋଇଗଲା । ଡେରିହେବା ଦେଖି ପଟେଲଙ୍କ ନିର୍ଦ୍ଦେଶରେ କ୍ଲାସ ପିଲାମାନେ ଗୀତ ଗାଇବାକୁ ଆରମ୍ଭ କଲେ । ଶିକ୍ଷକ ପହଞ୍ଚି ବିରକ୍ତ ହୋଇ ପଚାରିଲେ, “ଏସବୁ କ’ଣ ?” ଜବାବ ମିଲିଲା, ଆପଣ ତ ଅଫିସରେ ବସି ଗପ କରୁଥିଲେ, ଆମେ ଆଉ କ’ଣ କରିଥାନ୍ତୁ ? ଖାଲି ବସିବା ଅପେକ୍ଷା ଗୀତ ଗାଇବା କ'ଣ ଭଲ ନୁହେଁ । ଶିକ୍ଷକ ଖୁବ ରାଗିଯାଇ ପଟେଲଙ୍କୁ କ୍ଲାସରୁ ତଡ଼ିଦେଲେ । ତା’ପରେ ଶିକ୍ଷକ ସେ ଶାନ୍ତିରେ ପାଠ ପଢ଼ାଇଲେ ତା ନୁହେଁ, ବରଂ ଫଳ ହେଲା ଓଲଟା । ପଟେଲଙ୍କୁ କ୍ଲାସରୁ ତଡ଼ିଦେଇ ଶିକ୍ଷକ ଛାତ୍ରମାନଙ୍କୁ ଉପଦେଶ ଦେବା ପାଇଁ ଭାବୁଛନ୍ତି, ଦେଖିଲେ ଉପଦେଶ ଶୁଣିବାକୁ କେହି ନାହାନ୍ତି । ମୁହୂର୍ତ୍ତକରେ କ୍ଲାସ ଶୂନ୍ୟ ହେଲା । ସର୍ଦାର ଯେତେବେଳେ ଚାଲିଗଲେ, ସୈନ୍ୟମାନେ ଆଉ ରହନ୍ତେ କିପରି ? ସର୍ଦାର ପଦଟା ଯଦିଓ ତାଙ୍କୁ ବହୁପରେ ବର୍ଦ୍ଧୋଲାଇରେ ମିଳିଥିଲା, କିନ୍ତୁ ସର୍ଦାରି କରିବାଟା ତାଙ୍କର ପିଲା ଦିନର ଅଭ୍ୟାସ ଥିଲା ।

 

ଅନ୍ୟାୟ କଲେ ଶିକ୍ଷକଙ୍କୁ ସେ ଯେପରି ବିବ୍ରତ କରୁଥିଲେ, ଭଲକଥାରେ ବି ତାଙ୍କୁ ସବୁ ସାହାଯ୍ୟ କରୁଥିଲେ । ଥରେ ତାଙ୍କର ଜଣେ ଶିକ୍ଷକ ମ୍ୟୁନିସିପାଲିଟି ନିର୍ବାଚନରେ ଠିଆ ହୋଇଥିଲେ । ତାଙ୍କର ପ୍ରତିଦ୍ଵନ୍ଦୀ ଥିଲେ ଜଣେ ପୋଖତ ରାଜନୀତିଜ୍ଞ ଓ ନିର୍ବାଚନ ଜିତିବାର ବହୁକୌଶଳ ତାଙ୍କୁ ଜଣା ଥିଲା । ସେହି ନିର୍ବାଚନରେ ଉକ୍ତ ଶିକ୍ଷକ ଛାତ୍ରମାନଙ୍କର ସାହାଯ୍ୟ ଲୋଡ଼ିଥିଲେ । ଏହା ଦେଖି ତାଙ୍କ ପ୍ରତିଦ୍ଵନ୍ଦୀ ହସିଲେ–ଛେଳି ପରା କୁଆଡ଼େ ବେଙ୍ଗଳା କରି ଧାନ ଝାଡ଼ିବେ । ମାଷ୍ଟ ଜିତିଲେ ସେ ନିଶ କାଟିଦେବେ ବୋଲି କହି ବୁଲିଲେ । ପଟେଲଙ୍କୁ କଥାଟା ଟିକିଏ ବାଧିଲା । ଜିତିବାର ଆଶା ଯଦିଓ କମ୍‍ ଥିଲା, ତଥାପି ପଟେଲ ସାଙ୍ଗସାଥିଙ୍କୁ ନେଇ ଲାଗିପଡ଼ି ଲଢ଼ିଲେ । କେବଳ ଲଢ଼ିଲେ ନାହଁ ତ ଲଢ଼େଇରେ ଶିକ୍ଷକଙ୍କୁ ଜିତେଇଦେଲେ । ନିର୍ବାଚନ ଫଳ ବାହାରିବା କ୍ଷଣି, ୫୦ ଜଣ ପିଲା ଓ ଜଣେ ଭଣ୍ଡାରୀକୁ ସଙ୍ଗରେ ନେଇ ସେ ସିଧାସିଧା ଯାଇ ପ୍ରତିଦ୍ଵନ୍ଦୀଙ୍କ ପାଖେ ହାଜର ହେଲେ ତାଙ୍କ କଥା ରଖିବା ପାଇଁ, ଶତ୍ରୁର ବଡ଼ିମାକୁ ଧୂଳିସାତ୍‍ କରିବା ପାଇଁ ତାଙ୍କର କି ଜିଦ୍‍ ! ବକ୍ତୃତା ଦେବା, ସଭାସମିତି ପ୍ରସ୍ତୁତ କରିବାରେ ଛାତ୍ରଙ୍କ ଭିତରେ ସେ ଆଗ୍ରହୀ ଥିଲେ ।

 

ତାଙ୍କ ସମୟରେ ସମାଜରେ ଓକିଲମାନଙ୍କର ସମ୍ମାନ ଅଧିକ ଥିଲା । ତେଣୁ ସେ ଓକିଲ ହେବା ପାଇଁ ଚାହିଁଥିଲେ । ତାଙ୍କ ଶିକ୍ଷକମାନେ ତାଙ୍କୁ ମାଷ୍ଟ୍ର ହେବାପାଇଁ ଉପଦେଶ ଦେଇଥିଲେ ମଧ୍ୟ ସେ ମାଷ୍ଟ୍ର ହେବାକୁ ପସନ୍ଦ କରି ନଥିଲେ । ତାଙ୍କ ଓକିଲାତି ଜୀବନରେ ସେ କେବଳ ଫଉଜଦାରୀ ମକଦ୍ଦମା ଲଢ଼ୁଥିଲେ ଏବଂ ସେଥିରେ ସହଜରେ ଜିତୁଥିଲେ । ସେ ମନଧ୍ୟାନ ଦେଇ ନିଜ ବ୍ୟବସାୟ କରୁଥିଲେ । ଟଙ୍କା ହେଲେ ବିଲାତ ଯାଇ ବାରିଷ୍ଟରୀ ପଢ଼ିବେ ବୋଲି ଆଶାଥିଲା । ବୃଦ୍ଧିବୃତ୍ତି ଯାହା ଥାଉନା କାହିଁକି ବିଲାତି ଷ୍ଟାମ୍ପର ଦାମ ସବୁବେଳେ ଚଢ଼ା । ସେଇଥିପାଇଁ ଅନ୍ତତଃ ବିଲାତ ଯିବାକଥା । ଶେଷରେ ସେ ବିଲାତ ଗଲେ ।

 

ବିଲାତରୁ ଫେରି ଜୋତାପିନ୍ଧି କଚେରୀରେ ପଶିବା ଲୋକଙ୍କ ମଧ୍ୟରେ ସେ ହୁଏତ ପ୍ରଥମ । ତା’ ପୂର୍ବରୁ ଖାଲି ପାଦରେ କୋର୍ଟକୁ ଯିବାର ବିଧି ଥିଲା । ନିଜପକ୍ଷକୁ ଜିତାଇଇବାର ପ୍ରଶାନ୍ତି ଚେଷ୍ଟା, ଯୁକ୍ତିରେ ମୌଳିକତା ଓ ନିର୍ଭୀକତା ତାଙ୍କୁ ଅନ୍ୟ ଓକିଲମାନଙ୍କଠାରୁ ସ୍ଵତନ୍ତ୍ର କରି ଦେଉଥିଲା । ମନପ୍ରାଣ ଦେଇ ସେ କିପରି ଲଢ଼ୁଥିଲେ, ତା’ର ଏକ କାହାଣୀ ଅଛି । ଗୋଟିଏ ଖୁଣି ମାମଲାରେ ଲଢ଼ୁଥାନ୍ତି, ହଠାତ୍ ଗୋଟିଏ ଟେଲିଗ୍ରାମ ପାଇଲେ । ଟେଲିଗ୍ରାମଟି ଉପରେ ଆଖି ବୁଲାଇଆଣି ପୁଣି ପକେଟରେ ରଖିଦେଲେ । ଟେଲିଗ୍ରାମଟିରେ କି ଖବର ଅଛି ଚିନ୍ତାକରିବାକୁ ତାଙ୍କୁ ବେଳନାହିଁ । ମକଦ୍ଦମାରେ ଆଗ ଜିତିବାକୁ ହେବ, ତା’ ପରେ ଯାହା । ଟେଲିଗ୍ରାମର ବିଷୟ ଭୁଲିଯାଇ କାମରେ ଲାଗିଲେ । ବିଚାର ପରେ ସେ ବାର୍‍ ଲାଇବ୍ରେରୀରେ ପହଞ୍ଚିବା ପରେ ଟେଲିଗ୍ରାମଟି କ’ଣ ବୋଲି ବନ୍ଧୁମାନେ ପଚାରିଲେ । “ସ୍ତ୍ରୀ ମୋର ବେମାର ଥିଲେ; ମୋତେ ଛାଡ଼ି ଚାଲିଗଲେ କହି ଟେଲିଗ୍ରାମଟି ବନ୍ଧୁଙ୍କୁ ବଢ଼ାଇଦେଲେ । ବନ୍ଧୁମାନେ କିଛି କହିପାରିଲେ ନାହିଁ, କେବଳ ତାଙ୍କୁ ଚାହିଁ ରହିଲେ । କି ନିର୍ମମ ସତେ ! କି ପଥର ଛାତି ! ଦୁନିଆରେ ଏମିତି କେଇଜଣ ଅଛନ୍ତି ? ବିଶ୍ଵବିଜୟୀ ନେପୋଲିଆନ ନିଜ ପ୍ରଣୟିନୀଠାରୁ ପତ୍ରଖଣ୍ଡିଏ ନ ପାଇ ପାଗଳ ହେଉଥିଲେ ପରା ? ମାର୍କିନ୍‍ ସଭାପତି ଉଇଲ୍‍ସନ୍‍ ପରା ପତ୍ନୀଙ୍କ ମୃତ୍ୟୁପରେ ତାଙ୍କୁ ୭୨ ଘଣ୍ଟା ଜଗି ବସିଥିଲେ । ବିଶିଷ୍ଟ କବି ଉସେଟିଙ୍କ କେତେଗୋଟି ବିଶିଷ୍ଟ ରଚନା ପରା ତାଙ୍କ ପ୍ରିୟାଙ୍କ କବରରୁ ଉଦ୍ଧାର କରାଯାଇଥିଲା ! ସେ ପତ୍ନୀଙ୍କୁ କବର ଦେଲାବେଳେ ବହିଗୁଡ଼ିକୁ କଫିନରେ ରଖି ଦେଇଥିଲେ ।

 

ଗୋଟିଏ ପରିବାରର ଦୁଇଜଣ ଓକିଲ, ବଡ଼ଭାଇ ବିଟଲ ଭାଇ ଓ ନିଜେ ସର୍ଦାରଜୀ । ଦୁହେଁ ଦୁହିଁଙ୍କୁ ଅଜଣାରେ ବିଲାତ ଯିବା ପାଇଁ ଚେଷ୍ଟା କରୁଥାନ୍ତି । ଶେଷରେ ବଳ୍ପବଭାଇଙ୍କ ପାସପୋର୍ଟ ପଡ଼ିଲା ବିଟଲ ଭାଇଙ୍କ ହାତରେ । ପାସପୋର୍ଟ ଧରି ବଡ଼ ଭାଇ ସାନଭାଇଙ୍କୁ କହିଲେ, “ବଡ଼ଭାଇ ଆଗେ ଯିବାକଥା, ତୁ ଥା–ମୁଁ ଯାଉଛି ।” ବିଲାତର ସ୍ଵପ୍ନ କେତେଜଣ ବଳି ଦେଇପାରନ୍ତି-? ପୁଣି ସେ ଯୁଗରେ ? କିନ୍ତୁ ପଟେଲ ନାହିଁ କରିବା ଲୋକ ନୁହନ୍ତି । ପାସପୋର୍ଟ ତ ଦେଲେ, ତେଣେ ଭାଇଙ୍କର ବିଦେଶରେ ସମସ୍ତ ଖର୍ଚ୍ଚ ଦେଇ ଏଣେ ଘରେ ତାଙ୍କ ପିଲାପିଲିଙ୍କ କଥା ବୁଝିଲେ-

 

ତେଣେ ଭାଇ ବିଦେଶରେ । ନିଜେ ସେ ଘରେ ମୁରବୀ । ଏଣେ ଭାଉଜ ଓ ନିଜ ସ୍ତ୍ରୀଙ୍କ ମଧ୍ୟରେ ହେଲା କଳି । ଘରେ ଅଶାନ୍ତି । ଭାଇ ନାହାନ୍ତି । ଭାଉଜଙ୍କୁ କିଛି କହିବାଟା ଅନ୍ୟାୟ ହେବ-। ତେଣୁ ସେ ନିଜ ସ୍ତ୍ରୀଙ୍କୁ ତାଙ୍କ ବାପଘରକୁ ପଠାଇ ଦେଲେ । ପରପାଇଁ ଘରକୁ ଆଡ଼େଇ ଦେବାକଥା କେଡ଼େ କଠିନ ! ତାଙ୍କ ପକ୍ଷରେ ସବୁ ସମ୍ଭବ–ଲୁହାର ମଣିଷ ପାଇଁ ସବୁ ସମ୍ଭବ-

 

ବିଲାତରେ ପଢ଼ିବା ବେଳେ ସେ ଗୋଟିଏ ବସା ଭଡ଼ାନେଇ ରହୁଥିଲେ । ବସାଠାରୁ ଏଗାର ମାଇଲ ମିଡିଲଟେମ୍ପଲ, ଲାଇବ୍ରେରୀକୁ ସେ ସବୁଦିନ ପଢ଼ିବା ପାଇଁ ଚାଲି ଚାଲି ଯାଉଥିଲେ-। ଫଳରେ ବ୍ୟାୟାମ ଓ ପାଠପଢ଼ା ଦୁଇଟିଯାକ କାମ ଏକ ସଙ୍ଗରେ ହୋଇ ଯାଉଥିଲା-। ସେଠି ପରୀକ୍ଷାରେ ପ୍ରଥମ ହୋଇ ୫୦ ପାଉଣ୍ଡର ଗୋଟିଏ ପୁରସ୍କାର ପାଇଥିଲେ । ନିର୍ଦ୍ଦିଷ୍ଟ ସମୟର ଛ ମାସ ପୂର୍ବରୁ ପରୀକ୍ଷା ଦେବାପାଇଁ ସେ କର୍ତ୍ତୁପକ୍ଷଙ୍କୁ ଦରଖାସ୍ତ କରିଥିଲେ ! କିନ୍ତୁ ତାଙ୍କୁ ସେ ସୁବିଧା ଦିଆଯାଇ ନଥିଲା । କାଳେ ସେହି ଦୃଷ୍ଟାନ୍ତ ସବୁ ଭାରତୀୟ ଛାତ୍ର ଅନୁକରଣ କରି ବସିବେ-

 

ବିଲାତ ଫେରନ୍ତା ବାରିଷ୍ଟର । ଚାଲିଚଳନ, କଥାବାର୍ତ୍ତା ସବୁଥିରେ ସାଇବଙ୍କ ଠାଣି । ଓକିଲାତି ଓ ଫୁର୍ତ୍ତିକରିବା ଦୁଇଟି ମାତ୍ର କାମ । କଚେରୀ ଛାଡ଼ିଲେ ଗୁଜୁରାଟି କ୍ଲବରେ ସମୟ କଟେ-। ଦେଶ ସେବା ସ୍ଵପ୍ନ ସେତେବେଳେ ସେ ଦେଖି ନଥାନ୍ତି । ବ୍ରିଜ ଖେଳପାଇଁ ବନ୍ଧୁ ମିଳିଲେ, ସେ ଭଲ ତ ଦୁନିଆ ଭଲ ।

 

ପର ଜୀବନରେ ସେ ଗାନ୍ଧିଙ୍କର ଅନ୍ଧ ସମର୍ଥକ କିମ୍ବା ଲୁଇଫିସରଙ୍କ ଭାଷାରେ ଗାନ୍ଧିଙ୍କର ଯେ ଡାହାଣ ହାତ ସେ ବି ଦିନେ ଗାନ୍ଧିଙ୍କ ବକ୍ତୃତାକୁ ବ୍ରିଜ ଖେଳରୁ ଅଧିକ ମନେ କରୁନଥିଲେ । ଦିନେ ଗାନ୍ଧି ଗୁଜୁରାଟ କ୍ଳବରେ ବକ୍ତୃତା ଦେଉଥାନ୍ତି । ଶୁଣିବା ତ ଦୂରର କଥା, ତାଙ୍କ ପାଇଁ ପଟେଲଙ୍କର ଟିକିଏ ସୁଦ୍ଧା ସହାନୁଭୁତି ନଥାଏ । ନିଜେ ଶୁଣିବା କଥା ଦୂରେ ଥାଉ, ସେ ଚାହୁଁଥିଲେ ବ୍ରିଜଖେଳ ଛାଡ଼ି ଅନ୍ୟମାନେ ମଧ୍ୟ ନଯାନ୍ତୁ । କିନ୍ତୁ ଦିନ ପୁଣି ଆସିଲା କାୟାସଙ୍ଗେ ଛାୟାପରି ଗାନ୍ଧିଙ୍କ ସଙ୍ଗେ ରହିଲେ ପଟେଲ । ଗାନ୍ଧିଙ୍କ ଉପରେ ତାଙ୍କର ଅଟଳ ବିଶ୍ଵାସ । ତାଙ୍କର ସବୁ କଥାରେ ହଁ । ଗାନ୍ଧିଙ୍କ କଥାର ମୁଲ୍ୟ ତାଙ୍କୁ ବେଶ ଜଣାଥିଲା । କେବଳ ହଁ ତ କରୁନଥିଲେ, ଲାଗିପଡ଼ି କଥା ଅନୁସାରେ କାମମଧ୍ୟ କରୁଥିଲେ । ଗାନ୍ଧି କ’ଣ କହନ୍ତି ଅନେକ ସମୟରେ ନେହେରୁ ବି ବୁଝନ୍ତି ନାହିଁ । କିନ୍ତୁ ପଟେଲ ଯାହା ବୁଝନ୍ତି କରିଜାଆନ୍ତି । ଗାନ୍ଧିଙ୍କ କଥାରେ ହଁ କରବା ପାଇଁ ତାଙ୍କର ଢେର ଆତ୍ମ ବିଶ୍ୱାସ ଥିଲା ।

 

ପଟେଲ ବଡ଼ କଡ଼ାଲୋକ ବୋଲି ଦୁନିଆ ଜାଣେ । କିନ୍ତୁ ସେ ବ୍ୟକ୍ତିଗତ ଜୀବନରେ ଭାରି ମେଳାପୀ ଅଥଚ ଦେଶର ଶତ୍ରୁମାନଙ୍କ ପାଇଁ ନିତାନ୍ତ ନିଷ୍ଠୁର; କିନ୍ତୁ ବେଳେବେଳେ ଭାରୀ ଦରଦି । ତାହା ମହାଦେବ ଦେଶାଇଙ୍କ ଡାଏରୀରୁ ଜଣାପଡ଼େ ।୧୯୩୨ ମସିହା ୟାରୋଡ଼ା (ୟୁନା) ଜେଲରେ ଥାଆନ୍ତି ଗାନ୍ଧି ଓ ପଟେଲ । ଜେଲରେ ରହି ମଧ୍ୟ ଜନସାଧାରଣଙ୍କୁ ଗାନ୍ଧି କିପରି ପରାମର୍ଶ ଦେଉଥାନ୍ତି । ଅନେକ ସମୟରେ ଚିଠିପତ୍ର ଦେବାବେଳେ ବାପୁ ପଟେଲଙ୍କ ସହ ପରାମର୍ଶ କରିଥାନ୍ତି । ସେ ଯାହା କହିଥାନ୍ତି ତାହା ଯେପରି ଯୁକ୍ତିଯୁକ୍ତ, ସେପରି ବ୍ୟଙ୍ଗପୂର୍ଣ୍ଣ । ସେଥିରୁ କେତେଗୋଟି ତଳେ ଦିଆଗଲା ।

 

୧–୫-୩୨–‘’ନ୍ୟୁୟୁସ୍କେଟର’’ ପତ୍ରିକାରେ ଲର୍ଡ଼ ସାଂକେଙ୍କ ଲେଖାପଢ଼ି ବାପୁ ଭୀଷଣ ରାଗିଉଠିଲେ ଓ ଏଥିରେ ଅନେକ ଭୁଲ ଅଛି ବୋଲି କହିଲେ । ତାହା ତାଙ୍କୁ ଜଣାଇଦେବା ଉଚିତ୍‍ । ସେ ବି ବାପୁଙ୍କ ପ୍ରସ୍ତାବରେ ଏକମତ ହେଲେ । ବାପୁ ଚିଠିଟି ଡାକିଲା ବେଳେ ପଟେଲ ଶୁଣୁଥାନ୍ତି । ଚିଠି ଡକାସରିବା ପରେ ସେ ବାପୁଙ୍କୁ କହିଲେ–ଏତେ ଲମ୍ବା ଚିଠି ଲେଖିଲେ କାହିଁକି ? ଅଳ୍ପକେ କହିଦିଅନ୍ତୁ ଯେ ସେ ଜଣେ ପକ୍କା ମିଛୁଆ । ତାହା ଶୁଣି ବାପୁ ହସିହସି କହିଲେ, ବାସ୍ତବରେ ମୁଁ ତାଙ୍କୁ ତୁମଠୁ ଅଧିକ କିଛି କହିଛି । ମୁଁ ଲେଖିଛି ତାଙ୍କ ଆଚରଣ ଭଦ୍ରୋଚିତ ନୁହେଁ । ଇଂରେଜ ଲୋକଙ୍କୁ ଏତିକି ଢେର ବାଧିବ ।

 

୩୧-୬-୦୩୨–ଜଣେ ବ୍ରାହ୍ମଣ ଜମିଦାର ଗୋଟିଏ ଧୋବଣୀକୁ ମାରିଥିବା ଅପରାଧରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ପାଞ୍ଚବର୍ଷ ସଶ୍ରମ କାରାଦଣ୍ଡ ଦେଲେ । ଏହି ସମ୍ବାଦଟି ପଢ଼ି ପଟେଲଙ୍କୁ ବାପୁ କହିଲେ–ପାଞ୍ଚ ବର୍ଷ ସଜା ହୋଇଛି ସତ, କିନ୍ତୁ ସେ ଶୀଘ୍ର ମୁକ୍ତି ପାଇବେ; କାରଣ ସେ ସରକାରଙ୍କ ପାଇଁ ସଭାର ଯୋଗାଡ଼ କରିବ, ବହୁ ଅର୍ଥ ଭେଟି ଦେବ ଓ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗ ନ ଦେବା ପାଇଁ ପ୍ରତିଶ୍ରୁତି ଦେବ । ପଟେଲ ଏହା ଶୁଣି କହିଲେ–ଏତେ କଥା କରିବା କି ଦରକାର । ସେତ ମୂଳରୁ କହିଥାନ୍ତା–ଧୋବଣୀ ସ୍ଵରାଜ୍ୟ ଦାବୀକୁ ସମର୍ଥନ କରୁଛି । କଂଗ୍ରେସ ଲୋକଙ୍କ ଖଦଡ଼ ଲୁଗା ଛଡ଼ା ଆଉ କିଛି ଧୋଇବ ନାହିଁ ବୋଲି ମନା କରୁଛି । ତେଣୁ ମୁଁ ତାକୁ ମାରିଲି ।

 

୨୪-୧୧–୩୨–ଜଣେ ଲୋକ ଚିଠିଦ୍ଵାରା ଗାନ୍ଧିଙ୍କୁ ପଚାରିଥିଲେ ଯେ ତାଙ୍କ ସ୍ତ୍ରୀ ସୁନ୍ଦରୀ ନୁହନ୍ତି । ଫଳରେ ସେ ସୁଖୀ ହୋଇପାରୁ ନାହାନ୍ତି । ଏଥିରୁ କିପରି ରକ୍ଷା ପାଇବେ ? ପ୍ରଶ୍ନକର୍ତ୍ତାଙ୍କୁ କି ପରାମର୍ଶ ଦିଆଯିବ ପଚାରିବା ସଙ୍ଗେ ସଙ୍ଗେ ପଟେଲ କହିଲେ–ତାଙ୍କୁ ଲେଖି ଦିଅନ୍ତୁ ସେ ତାଙ୍କର ଆଖିଦୁଇଟି ଫୁଟାଇ ଦିଅନ୍ତୁ । ତାହା ହେଲେ ଆଉ ଦେଖିପାରିବେ ନାହିଁ କି ଦୁଃଖ ରହିବ ନାହିଁ ।

 

ନାନାଲୋକଙ୍କ ସଙ୍ଗେ ତାଙ୍କର ଥଟ୍ଟା ପରିହାସର କାହାଣୀ ଶୁଣାଯାଏ । ସାବରମତି ଜେଲରେ ପଟେଲ ଥିଲାବେଳେ ଦେଶାଇ ତାଙ୍କ ସଙ୍ଗେ ସାକ୍ଷାତ୍‍ କରି କଥାବାର୍ତ୍ତା ହୋଇ ଫେରିଲା ବେଳେ ପଚାରିଥିଲେ–ଆଉ କ’ଣ କହିବାର ଅଛି କୁହନ୍ତୁ । ଏ ତିନିମାସ ମଧ୍ୟରେ ଆଉ ସାକ୍ଷାତ୍‍ ହୋଇପାରିବ ନାହିଁ । ଉତ୍ତରରେ ପଟେଲ କହିଥିଲେ–ମୋତେ କେହି ଦେଖାକରିବା ପାଇଁ ଆସିବା ଦରକାର ନାହିଁ । ମୋତେ କେହି ଦେଖା କରିବାକୁ ଆସିଲେ ଖରାପ ଲାଗେ । ଏ ପର୍ଯ୍ୟନ୍ତ ବି ଲୋକେ ଆହୁରି ପଦାରେ ଅଛନ୍ତି, ଜେଲ ଯାଇନାହାନ୍ତି ।

 

ତାଙ୍କ ଜୀବନରେ ସେ ବହୁ ଆନ୍ଦୋଳନ କରି ଜୟଯୁକ୍ତ ହୋଇଛନ୍ତି । ଅହିଂସା ଉପାୟରେ କାମ କରିବା ପାଇଁ ଲୋକ-ମାନଙ୍କୁ ସେ ଏପରି ପ୍ରେରଣା ଦେଉଥିଲେ ଓ ନିର୍ଭୟ କରିଦେଉଥଲେ ଯେ କୌଣସି ଅଞ୍ଚଳରେ ଆନ୍ଦୋଳନ ଚାଲୁକରିବା ପାଇଁ ପଟେଲଙ୍କୁ ଦାୟିତ୍ଵ ଦେବାର ଜଣାପଡ଼ିଲା ସେତେବେଳର ଅଫିସରମାନେ ତାଙ୍କୁ ଭୟ କରୁଥିଲେ । ନିଜ କାମଦ୍ଵାରା କେବଳ ଇଂରେଜ ନୁହେଁ, କଂଗ୍ରେସ ଲୋକଙ୍କର ବି ସେ ଥିଲେ ଆତଙ୍କ । କିଳାପୋତା ତଥା ପ୍ରିୟାପ୍ରୀତି ତୋଷଶର ସେ ଥିଲେ ଚରମ ଶତ୍ରୁ । ସବୁବେଳେ ଏମିତି ଚିନ୍ତାପୂର୍ଣ୍ଣ ଓ ବଳିଷ୍ଠ ଯୁକ୍ତି ଦେଉଥିଲେ ଯେ ବିରୋଧୀମାନଙ୍କର ବୁଦ୍ଧି ହଜିଯାଉଥିଲା ।

 

ସମସ୍ତ ଭାରତୀୟ ନେତାଙ୍କ ପରି ଜେଲ ତାଙ୍କ ସାଧନାର କ୍ଷେତ୍ରଥିଲା । ସେଠାରେ ସେ ସଂସ୍କୃତ ଶିକ୍ଷା କରିଥିଲେ, ଆବଶ୍ୟକ ପୁସ୍ତକ ପାଠ କରିଥିଲେ । ସୂତାକଟାଠାରୁ ଆରମ୍ଭ କରି ଲୁଗାସଫା ପର୍ଯ୍ୟନ୍ତ ସେ ସବୁ ନିଜ ହାତରେ କରୁଥିଲେ । ୧୯୩୦ରେ ସାବରମତି ଜେଲରେ ସିଗାରେଟ ଓ ୟାରୋଡ଼ା ଜେଲରେ ଗାନ୍ଧିଙ୍କ ସଙ୍ଗେ ଥିଲାବେଳେ ଚା’ ଖିଆ ଛାଡ଼ିଥିଲେ । ହୁକା ଖାଇବା ଅଭ୍ୟାସ ଆଗରୁ ଛାଡ଼ିଥିଲେ । ବିଦେଶୀ ବର୍ଜନ ଆନ୍ଦୋଳନ ବେଳେ ଦାମିକା ଟାଇ, ପ୍ୟାଣ୍ଟ, କୋଟ ସବୁ ନିଆଁରେ ପୋଡ଼ି ମୋଟା ଖଦଡ଼ ପିନ୍ଧିଥିଲେ । ଦେଶପାଇଁ ପୋଷାକ, ପରିଚ୍ଛଦ, ବ୍ୟବସାୟ ସବୁ ଯାଇଥିଲା । ଥିଲା କେବଳ ଖାଇବାରେ ଯାହା ଟିକିଏ ସଉକ । ୟାରୋଡ଼ା ଜେଲରେ ସେତକ ବି ଗଲା । ସେ ମୋଟା ଚାଉଳ ଖାଇବା ପାଇଁ ଆରମ୍ଭ କଲେ । ଜେଲରେ ଥିଲା ବେଳେ ଗୀତାପାଠ ଓ ସୂତାକଟା ତାଙ୍କର ପ୍ରଧାନ କାମ । ସେ ଅଧିକାଂଶ ସମୟ ଲଫାଫା ତିଆରି କରୁଥିଲେ । ତାଙ୍କ ଲଫାପା ଦେଖି ଥରେ ଗାନ୍ଧି ପରିହାସରେ ପଚାରିଥିଲେ–ତୁମେ ତ ଏତେ ବଢ଼ିଆ ଲଫାପା ତିଆରି କରୁଛ ସ୍ଵାଧୀନତା ପରେ ମନ୍ତ୍ରୀମଣ୍ଡଳ ଗଢ଼ାଗଲେ ତୁମେ କେଉଁ ବିଭାଗ ନେବ ? ସେ ନମ୍ର ଭାବରେ ଉତ୍ତର ଦେଇଥିଲେ–ଥାଳଧରି ବୁଲିବା ଭାଗଟା ମୋର । ସ୍ଵାଧୀନତା ଏବେ ବି ବହୁତ ଦୂରରେ । ସେକଥା କାହିଁକି ପଡ଼ିଛି ।

 

ପଟେଲ ଯେମିତି କମ୍‍ କଥା କହନ୍ତି, ଚିଠିପତ୍ର ଲେଖିଲା ବେଳେ ମଧ୍ୟ ସେମିତି କମ୍‍ ଲେଖିଥାନ୍ତି । ସେଥିପାଇଁ ତାଙ୍କ ସମ୍ପର୍କରେ ଯେଉଁମାନେ ଆସନ୍ତି, ତାଙ୍କୁ ନିଷ୍ଠୁର ବୋଲି ଭାବି ନେଇଥାନ୍ତି । କିନ୍ତୁ ପ୍ରକୃତରେ ସେ ତାହା ନୁହନ୍ତି ।

 

ସେ ସଦା ପ୍ରଫୁଲ୍ଲ । ବିପଦରେ ଅଧୀର ହେବା ଲୋକ ସେ ନୁହନ୍ତି ।ସାଧାରଣରେ ସେ ମୋଟେ ଦୁଇଥର କାନ୍ଦିବାର ଲୋକମାନେ ଦେଖିଛନ୍ତି । ପ୍ରଥମ ଥର ଗାନ୍ଧିଙ୍କ ମୃତ୍ୟୁରେ ପିଲାପରି ସେ କଇଁକଇଁ ହୋଇ କାନ୍ଦିଥିଲେ । ସେ ଦିନ ସେ କେଡ଼େ ବିବ୍ରତ ହୋଇ ପଡ଼ିଥିଲେ ତାଙ୍କ ରେଡ଼ିଓ ଭାଷଣରୁ ଜଣାଯାଏ । ସେଦିନ ଲୁହ ସମ୍ଭାଳିବା ପ୍ରକୃତରେ ତାଙ୍କ ପକ୍ଷେ କଠିନ ହେଲା । ଗାନ୍ଧିଙ୍କର ସେ ଅତି ପ୍ରିୟଥିଲେ । ଦାଣ୍ଡିଯାତ୍ରା ପୂର୍ବରୁ ପଟେଲଙ୍କ ଗିରଫ ସମ୍ବାଦ ଶୁଣି ଗାନ୍ଧି ଦୀର୍ଘନିଶ୍ଵାସ ପକାଇ କହିଲେ–ସରକାର ମୋର ହାତ ଦୁଇଟା ନେଲେ ।

 

ଦ୍ଵିତୀୟବାର ରାଜସ୍ଥାନ ୟୁନିଅନ ପ୍ରତିଷ୍ଠା ଦିନ ଜୟପୁରରେ । ରାସ୍ତାରେ ଦିଲ୍ଲୀରୁ ଜୟପୁର ଯିବା ବିମାନଟି ଗୋଟିଏ ନଦୀକୂଳରେ ପଡ଼ି ଠିକ୍‍ ସମୟରେ ସେ ପହଞ୍ଚି ନପାରି ସାରା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପଟେଲଙ୍କ କଥା ଜାଣିବା ପାଇଁ ଜୟପୁର ଜନସାଧାରଣ ହୋଇ ଚାହିଁ ରହିଥାନ୍ତି । ତା ପରଦିନ ସାଧାରଣ ସଭାରେ ପାଞ୍ଚଫୁଟ ସାଢ଼େ ପାଞ୍ଚଇଞ୍ଚର ଲୁହାର ମଣିଷକୁ ସମ୍ମୁଖରେ ଉଦ୍‍ବିଘ୍ନ ଦେଖି ଲୋକେ ଆନନ୍ଦରେ ଉଦ୍‍-ବେଳିତ ହୋଇ ‘ସର୍ଦାର ପଟେଲ କି ଜୟ’ ନାଦରେ ଆକାଶ ପାତାଳ ଫଟେଇ ଦେଇଥିଲେ । କି ଆନନ୍ଦ ସେମାନଙ୍କର ! ଯେଉଁ ପ୍ରିୟ ନେତାଙ୍କୁ ହରାଇଥିଲେ ବୋଲି ସେମାନେ ଭାବୁଥିଲେ, ଦେବତା ତାଙ୍କୁ ବଞ୍ଚାଇ ଦେଇଛନ୍ତି । ପଟେଲ ଆଉ ସମ୍ଭାଳି ପାରିଲେ ନାହିଁ । ଆଖିରେ ତାଙ୍କର ଲୁହର ଝରଣା ଝରି ଉଠିଲା । ଜନତାର ସହୃଦୟତା ସେଦିନ ତାଙ୍କୁ ବିଚଳିତ କରିଥିଲା । ଲୁହାର କଙ୍କାଳ ତଳେ ଥିବା ମଣିଷ ଯେ ଏପରି ସ୍ନେହ-କାଙ୍ଗାଳ, ସେ ଦିନ ଜଣାପଡ଼ିଥିଲା ।

 

ମନ୍ତ୍ରୀଥାଇ ଦେଶର ଦାୟିତ୍ଵ ତାଙ୍କର ଯେତିକି ଯେତିକି ବଢ଼ୁଥିଲା, ସେ ସେତିକି ସେତିକି ଅଧିକ ପରିଶ୍ରମ କରିଥିଲେ । ଫଳରେ ସ୍ଵାସ୍ଥ୍ୟ ତାଙ୍କର ନଷ୍ଟ ହୋଇଯାଇଥିଲା । ଚିକିତ୍ସକମାନେ ବିଶ୍ରାମ ନେବା କଥା ଯେତେଥର ଉଠାଇଲେ, ସେ କହନ୍ତି–ନିଜର ଶରୀର ରକ୍ଷାପାଇଁ ବିଶ୍ରାମ ନେଇ ଦିନକେଇଟା ଅଧିକା ବଞ୍ଚିବା ଅପେକ୍ଷା ଦେଶସେବା କରି ଯଦି ତା’ ପୂର୍ବରୁ ମୃତ୍ୟୁ ହୁଏ ତେବେ କିଛି କ୍ଷତିନାହିଁ । ସେ ପ୍ରକୃତରେ ବେଶୀଦିନ ବଞ୍ଚିଲେ ନାହିଁ । ତାଙ୍କର ପ୍ରିୟ ଦେଶମାଟି ; କୋଟି କୋଟି ଜନତା, ବର୍ଦ୍ଧୋଲେଇର କୃଷକ କାହାର ଆକର୍ଷଣ ତାଙ୍କୁ ଅଟକାଇ ପାରିଲା ନାହିଁ । ୧୯୫୦, ମସିହା ଡିସେମ୍ବର୧୪ତାରିଖ ସକାଳ ୯ ଟା ୩୭ମିନିଟରେ ପ୍ରାଣବାୟୁ ତାଙ୍କର ଉଡ଼ିଗଲା ।

 

ପଟେଲଙ୍କ ଶେଷ ଦର୍ଶନ ନିମନ୍ତେ ବମ୍ବେଯିବା ପୂର୍ବରୁ ନେହେରୁ କହିଥିଲେ ତାଙ୍କ ଜୀବନୀ ଇତିହାସର ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ସେ ହେଉଛନ୍ତି ନବ ଭାରତର ସ୍ରଷ୍ଟା । ସ୍ଵାଧୀନତା ସଂଗ୍ରାମରେ ସେ ଥିଲେ ସର୍ବଶ୍ରେଷ୍ଠ ସେନାପତି । ସମ୍ପଦ ଓ ବିପଦରେ ସେ ଥିଲେ ମୋର ପଥପ୍ରଦର୍ଶକ । ସେ ମୋର ବନ୍ଧୁ ସହକର୍ମୀ, ସହଯାତ୍ରୀ । ଏକାନ୍ତ ଭାବେ ମୁଁ ତାଙ୍କ ଉପରେ ନିର୍ଭର କରୁଥିଲି । ସେ ମୋର ଶାନ୍ତିର ଉତ୍ସ ସୂରୁପ ଥିଲେ । ବିପଦରେ ଓ ଦୁର୍ଦ୍ଦିନରେ ସେ ମୋର ପ୍ରାଣରେ ଆଶାର ଆଲୋକ ସଂଚାର କରୁଥିଲେ । ଏହି ଘରଟିରେ ଗୋଟିଏ ଆସନରେ ଆମେ ଦୁହେଁ ପାଖାପାଖି ହୋଇ ବସୁଥିଲୁ । ତାଙ୍କର ଶୂନ୍ୟ ଆସନ ଦେଖି ଏବେ ମୁଁ ନିଜକୁ ନିଃସହାୟ ମନେ କରୁଛି ।

 

ତାଙ୍କର ଅନୁପସ୍ଥିତି ବିଶ୍ଵର ଶାନ୍ତିଦୂତ ନେହେରୁଜୀଙ୍କୁ କିପରି ଅଶାନ୍ତ କରିଥାଏ, ସେ କେବଳ ଜାଣନ୍ତି । ଏବେ ମଧ୍ୟ ତାଙ୍କ ଅନୁପସ୍ଥିତି ଦେଶ ଲୋକେ ଖୁବ୍ ଅନୁଭବ କରନ୍ତି । ଆନ୍ତର୍ଜାତିକ କ୍ଷେତ୍ରରେ ଆମ ବୈଦେଶିକ ନୀତି ପାଇଁ ଆମକୁ ଯେତିକି ସୁନାମ ମିଳୁଛି, ଆଭ୍ୟନ୍ତରୀଣ ନୀତି ପାଇଁ ଆଜି ସେତିକି ବିବ୍ରତ ହେବାକୁ ପଡ଼ୁଛି । ଘର ଆଜି ଘୋର ହେବାକୁ ବସିଲାଣି । ଦେଶ ବାହାରେ ଆମ ସୁନାମ ପାଇଁ ଆମେ ନେହେରୁଙ୍କୁ ପ୍ରଶଂସା କରୁ । କିନ୍ତୁ କାଶ୍ମୀର ସୀମାରେ ପାକିସ୍ଥାନ ସୈନ୍ୟର ଫୁତ୍‍କାର ଶୁଣି ମଣିଷ ଆପେଆପେ କହିପକାଏ–କାହାନ୍ତି ସେ ଲୁହାର ମଣିଷ ପଟେଲ !

★★★

 

ପଥପ୍ରାନ୍ତେ ଯାର ମୃତ୍ୟୁ, ଜୀବନ-ପଥିକରୁ ସେ ପଥ ବଢ଼ାଏ

 

କେବେ କ’ଣ ଥିଲା, ଆଜି କିନ୍ତୁ ଆପଣ ରୁଷିଆ ବିଷୟରେ ଅନେକ କଥା ଶୁଣୁଛନ୍ତି । ଆଉ କିଛି ଶୁଣନ୍ତୁ ନ ଶୁଣନ୍ତୁ, ଷ୍ଟାଲିନଙ୍କ ନାମ ଓ ନିକଟରେ ଭାରତ ଭ୍ରମଣରେ ଆସିଥିବା ବୁଲଗାନିନ୍ ଓ କୃଶ୍ଚେଭଙ୍କ ନାମ ନିଶ୍ଚୟ ଶୁଣିଥିବେ । ଏମାନେ ସବୁ ହେଲେ ରୁଷିଆର ନେତୃସ୍ଥାନୀୟ ବ୍ୟକ୍ତି । ଏମାନଙ୍କ ମତବାଦ ପାଇଁ ଏମାନଙ୍କୁ ପୃଥିବୀରେ ଆଦର କରନ୍ତି ଯେତିକି, ଘୃଣା କରନ୍ତି ପ୍ରାୟ ସେତିକି । ଷ୍ଟାଲିନ୍‍ କହିଲେ କେଉଁଠି ଲୋକଙ୍କ ହୃତ୍‍କମ୍ପ ହୁଏତ କେଉଁଠି କିଏ ଘୃଣାରେ ମୁହଁ ମୋଡ଼େ; କେଉଁଠି ହୁଏତ କାହାର ଛାଏଁ ମଥା ନଇଁପଡ଼େ । ଏହାର ଉଦାହରଣ ଅବା ନାହିଁ । ଦୈନିକ ସମ୍ବାଦପତ୍ରର ପୃଷ୍ଠା ଲେଉଟାଇଲେ ଏହାର ସତ୍ୟାସତ୍ୟ ବେଶ୍ ବୁଝାପଡ଼େ । କିନ୍ତୁ ସେହି ଦେଶରେ ଜଣେ ଲୋକ ଜନ୍ମ ହୋଇଥିଲେ, ଯାହାକୁ କି ଜାତି, ଧର୍ମ ଓ ଦେଶ ନିର୍ବିଶେଷରେ ମହାମାନବ ବୋଲି ସମସ୍ତେ ସମ୍ମାନ କରନ୍ତି ଓ ଆପଣାର ବୋଲି ଦାବି କରନ୍ତି । ତାଙ୍କୁ ଆପଣ ଜାଣନ୍ତି ତ ? ସେ ହେଉଛନ୍ତି ରୁଷିଆର ଋଷିପ୍ରାଣ ଟଲଷ୍ଟୟ । ଟଲଷ୍ଟୟଙ୍କୁ ଲୋକେ ଏପରି ଜାଣନ୍ତି ଯେ ତାଙ୍କର ପୁରା ନାମ ଲିଓ ଟଲଷ୍ଟୟ ଏକଥା କହିବାର ପ୍ରୟୋଜନ ପ୍ରାୟ ପଡ଼ି ନ ଥାଏ

 

ଟଲଷ୍ଟୟ ପୃଥିବୀର ବିଶିଷ୍ଟ ସାହିତ୍ୟିକ ମାନଙ୍କ ମଧ୍ୟରୁ ଜଣେ । War and Peace (ୱାର ଆଣ୍ଡ ପିସ୍) ଏବଂAnna Karina (ଆନା କାରିନା) ଉପନ୍ୟାସ ଦୁଇଟି ତାଙ୍କର ଦୁଇଟି ବିଶିଷ୍ଟ ରଚନା । ଏହି ପୁସ୍ତକ ଦୁଇଟି ପାଠ କଲେ ତାଙ୍କ ରଚନା ବିଷୟରେ ଅନେକ କଥା ଜାଣିପାରିବେ । ଏ ପୁସ୍ତକ ଦୁଇଟି ପୁସ୍ତକ-ଦୁନିଆରେ ଉଜ୍ଜ୍ୱଳ ରତ୍ନ । ଆପଣ ପଚାରି ପାରନ୍ତି, ଏ ବହି ଦୁଇଟି ବାଦ ଦେଲେ ସେ ଅନ୍ୟ କିଛି କ’ଣ ସେଭଳି ଲେଖି ନାହାନ୍ତି ? ଗୋଟିଏ ଦୃଷ୍ଟିରୁ ନାହିଁ କରାଯାଇପାରେ । କିନ୍ତୁ ଏହା ପରେ ସେ ଯେ ଆଦୌ ଲେଖି ନାହାନ୍ତି କହିବା ଅବଶ୍ୟ ସତ୍ୟର ଅପଳାପ କରିବା । ଏହି ପୃଥିବୀ ବିଖ୍ୟାତ ବହି ଦୁଇଟି ଲେଖି ସେ ଅନେକ ଖୁସି ହୋଇଥିବେ ବୋଲି ଆପଣ ଭାବୁଛନ୍ତି; ନୁହେଁ ? ଯେ କେହି ଖୁସି ହେବାର କଥା । ସେ ବି ଖୁସି ହୋଇଥିଲେ; କିନ୍ତୁ ସେ ଅଳ୍ପ ସମୟ ପାଇଁ । ତା’ପରେ ଏଥିପାଇଁ ସେ ଲଜ୍ଜ୍ୟାବୋଧ କରିଥିଲେ । ଏହା ପରେ ସେ ବହିଲେଖା ଛାଡ଼ି କେବଳ ପାମ୍ପଲେଟ ଲେଖୁଥିଲେ । ଏହି ପାମ୍ପଲେଟ ସାହାଯ୍ୟରେ ସେ ପ୍ରେମ ଓ ଶାନ୍ତିର ମହତୀ ବାଣୀ ପ୍ରଚାର କରୁଥିଲେ । ଏହି ପାମ୍ପଲେଟ ଗୁଡ଼ିକ ଶସ୍ତା ସଂସ୍କରଣରେ ପ୍ରକାଶ କରାଯାଉଥିଲା । ସେଗୁଡ଼ିକୁ ବୁଲାବିକାଳି ଓ ଭ୍ରାମ୍ୟମାଣ ବହି ଦୋକାନମାନ ବୁଲି ବୁଲି ବିକ୍ରି କରୁଥିଲେ । ମୋଟ ଚାରି ବର୍ଷ ମଧ୍ୟରେ ୧୨,୦୦୦,୦୦୦ପୁସ୍ତକ ଲୋକମାନଙ୍କୁ ବିନା ମୂଲ୍ୟରେ ବାଣ୍ଟି ଦିଆଯାଇ ଥିଲା ।

 

ଟଲଷ୍ଟୟ ସେତେ ବେଶୀ ଦିନର ଲୋକ ନୁହନ୍ତି । ସେ ଗତ ୧୯୧୦ ରେ ପ୍ରାଣତ୍ୟାଗ କରିଛନ୍ତି । ମୃତ୍ୟୁର ଠିକ କୋଡ଼ିଏ ବର୍ଷ ପୂର୍ବରୁ ତାଙ୍କ ରହିବା ସ୍ଥାନ ଜନସାଧାରଣଙ୍କର ଗୋଟିଏ ତୀର୍ଥ ସ୍ଥଳୀ ହୋଇ ପଡ଼ିଥିଲା । ତାଙ୍କର ସାକ୍ଷାତ ପାଇଁ, ତାଙ୍କଠୁ ପଦେ କଥା ଶୁଣିବା ପାଇଁ ଦୁରଦୁରନ୍ତରୁ ଲୋକେ ଆସି ରୁଣ୍ଡ ହେଉଥିଲେ; ବର୍ଷବର୍ଷ ଧରି ତାଙ୍କ ସହିତ ଜୀବନ କଟାଉଥିଲେ । ତାଙ୍କ ପାଟିରୁ ଯାହା କିଛି ବାହାରୁଥିଲା, ସେମାନେ ସଙ୍ଗେସଙ୍ଗେ ତାହା ଲେଖି ନେଉଥିଲେ । ତାଙ୍କ ଉପରେ ବିରାଟ ଗ୍ରନ୍ଥମାନ ଲେଖା ଯାଇଛି । ହିସାବଦ୍ଵାରା ଜଣାଯାଇଛି ଯେ ମୋଟରେ ୨୩୦୦୦ ପୁସ୍ତକ ତାଙ୍କ ଉପରେ ପ୍ରକାଶ ପାଇଛି । ଏ ପୁସ୍ତକମାନଙ୍କୁ ଛାଡ଼ିଦେଲେ ସମ୍ବାଦପତ୍ର ଓ ମାଗାଜିନରେ ତାଙ୍କ ଉପରେ ଓ ତାଙ୍କର ଆଦର୍ଶ ଉପରେ ଲେଖା ଯାଇଥିବା ପ୍ରବନ୍ଧଗୁଡ଼ିକର ସଂଖ୍ୟା ହେଉଛି ୫୬,୦୦୦ । ଏତ ଗଲା ଅନ୍ୟମାନେ ତାଙ୍କ ଉପରେ ଯାହା ଲେଖିଛନ୍ତି । ଏବେ ସେ ନିଜେ ଯାହା ଲେଖିଛନ୍ତି ତା’ର ହିସାବ ନିଅନ୍ତୁ । କେତେ ହୋଇଥିବ ବୋଲି ଭାବୁଛନ୍ତି ! ପାଞ୍ଚ,ଦଶ ଅବା କୋଡ଼ିଏ ଗ୍ରନ୍ଥ ? ନା, ମୋଟେ ନୁହେଁ । ତା ଠାରୁ ଢେର ବେଶୀ । କୋଡ଼ିଏରେ ପାଞ୍ଚ ଗୁଣିଲେ ଯେତିକି, ସେତିକି ଗ୍ରନ୍ଥ । ସତରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଟଲଷ୍ଟୟଙ୍କ ଦାନ କେତେ ବିରାଟ ! ଆପଣ ଶୁଣିଲେ ହୁଏତ ଅବିଶ୍ୱାସ କରିପାରନ୍ତି, କିନ୍ତୁ ଏହା ନିରାଟ ସତ୍ୟ । ଯେଉଁ ଲୋକଙ୍କ ଭାବନା ଓ ଆଦର୍ଶ ଉପରେ ଏତେ ବଡ଼ ଲେଖାଯାଉଛି, ତାହା ହିସାବ କରିହୁଏ ନାହିଁ ଯେ ଦୁଇଖଣ୍ଡ ବହି ଲେଖି ଚିର ଅମର, ତାଙ୍କୁ ତାଙ୍କ ମାଷ୍ଟର ମାନେ କହୁଥିଲେ ମୋଟା ବୁଦ୍ଧିଆ, ଅପଦାର୍ଥ । ସେ ତାଙ୍କର କଲେଜ ପରୀକ୍ଷାରେ ଫେଲ ହୋଇଥିଲେ । ସେ ତାଙ୍କ ନିଜ ଜୀବନୀରେ ନିଜେ ସେ ବିଷୟରେ ଲେଖିଛନ୍ତି –ଫେଲ ପରେ ତିନି ଦିନ ଧରି ମୁଁ ମୋଟେ ମୋ ଘରୁ ବାହାରି ନାହିଁ, କାହାକୁ ଦେଖା ଦେଇନାହିଁ । ଆତ୍ମହତ୍ୟା କରିବାପାଇଁ ଗୋଟାଏ ପିସ୍ତଲ ଖୋଜୁଥାଏ । ବଞ୍ଚି ରହିବା ପାଇଁ ଆଦୌ ଇଚ୍ଛା ହେଉ ନ ଥାଏ...ଇତ୍ୟାଦି । ଟିକିଏ ଚିନ୍ତାକରି ଦେଖନ୍ତୁ ତ ଏଥିରୁ କ’ଣ ଆମର କିଛି ଶିଖିବାର ନାହିଁ ?

 

ଏହି ମହାନ ବ୍ୟକ୍ତିଙ୍କର ଜୀବନ କାହାଣୀ ଯେ କୌଣସି ରୋମାଞ୍ଚକର କାହାଣୀଠାରୁ ଅଧିକ କୌତୂହଳପୂର୍ଣ୍ଣ । ରୁଷିଆର ଏକ ଆଭିଜାତ୍ୟ ପୂର୍ଣ୍ଣ ପରିବାରରେ ତାଙ୍କର ଜନ୍ମ । ଧନଦୌଲତଭରା ସାଜସଜ୍ଜାପୂର୍ଣ୍ଣ ଏକ ବୟାଳିଶ ପ୍ରକୋଷ୍ଠ ଯୁକ୍ତ ବିରାଟ ଘରେ ତାଙ୍କର ଜନ୍ମ । ସେବା ଶୁଶ୍ରୂଷା ପାଇଁ ପରିଚାରକ, ପରିଚାରିକାଙ୍କର ଅଭାବ ନ ଥିଲା । ଯୁବକ ସମୟରେ ସେ ନିଜକୁ ସଦା ସୁନ୍ଦର ପୋଷାକ ପରିଛଦରେ ସଜାଉଥିଲେ । କିନ୍ତୁ ପର ଜୀବନରେ ତାଙ୍କର ଘୋର ପରିବର୍ତ୍ତନ ଘଟିଥିଲା । ସେ ସମସ୍ତ ପ୍ରକାର ଧନସଂପତ୍ତି, ଜମିଜମା ଲୋକଙ୍କୁ ଦାନ କରିଦେଇ ନିହାତି ସରଳ ଜୀବନଯାପନ କରୁଥିଲେ । ରୁଷିଆର କୃଷକମାନଙ୍କପରି ସେ ମୋଟା କନାରେ ପୋଷାକ ପିନ୍ଧୁଥିଲେ । ନିଜ ରହିବା ଘର ଓ ପିନ୍ଧିବା ପୋଷାକକୁ ନିଜ ହାତରେ ସଫା କରୁଥିଲେ । ଏପରି ଜୀବନ ତାଙ୍କୁ ଆନନ୍ଦ ଦେଉଥିଲା । ସେ ନିଜେ କହନ୍ତି ଯେ ଯୁବକ ସମୟରେ ସେ ଏକ ଘୃଣ୍ୟ ଜୀବନଯାପନ କରୁଥିଲେ । ସେ ସମୟରେ ଯାବତୀୟ ଅନ୍ୟାୟ ଅନାଚାର ସେ କରିଛନ୍ତି । ଏପରି କି ହତ୍ୟା ମଧ୍ୟ କରିଛନ୍ତି । ସ୍ରଷ୍ଟାର ସୃଷ୍ଟି ବଡ଼ ବିଚିତ୍ର । ଜାଣନ୍ତି ନା, ଜନ୍ମ ଯାହାର ମୁହଁରେ ସୁନା ଚାମଚ ନେଇ, ସେ ମଲେ କିପରି ? ଟଲଷ୍ଟୟ ମରିଥିଲେ ଅର୍ଥଶୂନ୍ୟ, ଅସହାୟ ଅବସ୍ଥାରେ ଶୀତଦିନରେ ଶୀତରେ ସଢ଼ିସଢ଼ି ରୁଷିଆର ଗୋଟିଏ ଷ୍ଟେସନ ନିକଟରେ ଓ ସେତେବେଳକୁ ତାଙ୍କ ନିକଟରେ ଥାଆନ୍ତି କେବଳ କେତେ ଜଣ କୃଷକ ।

 

ଟଲଷ୍ଟୟ ଦେଖିବାକୁ ସେତେ ସୁନ୍ଦର ନୁହନ୍ତି । ଥରେ ତାଙ୍କର ମାତା ତାଙ୍କୁ କହିଲେ~–ତୋତେ ଦେଖି କେହି କେବେ ଭଲ ପାଇବ ନାହିଁ । କାରଣ ତୁ ସେତେ ସୁନ୍ଦର ନୋହୁଁ । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ତୋତେ ଚାଲକ ଚତୁର ଓ ଭଦ୍ର ହେବାକୁ ହେବ । ସେଥିପାଇଁ ସେ ଚାଲକ ଚତୁର ହେବା ସକାଶେ ବହୁତ ଚେଷ୍ଟା କରିଛନ୍ତି । ଅନେକ ସମୟରେ କିନ୍ତୁ ସେ ହତାଶ ହୋଇଛନ୍ତି ଓ ତାଙ୍କୁ ସୁନ୍ଦର କରିଦେବା ପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି । ସେ ନିଜେ କହିଛନ୍ତି–ମୋ ନାକ ପରି ଓସାରିଆ ନାକ, ମୋଟା ମୋଟା ଓଠ ଓ ଛୋଟ ଅଥଚ ସାନ ସାନ ମାଟିଆ ରଙ୍ଗର ଆଖିଥିବା ଲୋକକୁ ପସନ୍ଦ କରିବ ଅବା କିଏ ? ମୋର ଯେତେ ଧନସମ୍ପତ୍ତି ଅଛି ଓ ଭବିଷ୍ୟତରେ ଯାହା ହେବ, ତା ବଦଳରେ ଭଗବାନ ମୋତେ ଟିକେ ହେଲେ ସୁନ୍ଦର କରି–ଦିଅନ୍ତେ କି ? ନିଜକୁ ସୁନ୍ଦର କରିବାକୁ ଚେଷ୍ଟା ନ କରେ କିଏ ? ଟଲଷ୍ଟୟ ଜାଣନ୍ତି କି ନାହିଁ କେଜାଣି, ସ୍ରଷ୍ଟା ଯାହାକୁ ଅସୁନ୍ଦର କରି ଗଢ଼ିଥିଲେ, ସେ କିନ୍ତୁ ସୃଷ୍ଟିକୁ କରିଗଲା ଯଥେଷ୍ଟ ସୁନ୍ଦର, ରୁଚିର ଓ ମହୀୟାନ୍ । ଏହା କ’ଣ କମ ଗୌରବର କଥା !

 

ଟଲଷ୍ଟୟ ମାଆଙ୍କୁ ଭାରି ଭକ୍ତି କରୁଥିଲେ । ମାଆଙ୍କ ମୃତ୍ୟୁରେ ପ୍ରାଣରେ ତାଙ୍କର ଭୀଷଣ ଆଘାତ ଲାଗିଥିଲା । ବାପା ଯେତେବେଳେ ଦ୍ଵିତୀୟ ଥର ବିବାହ କରିଥିଲେ, ସେ ସାମାନ୍ୟ ବିବ୍ରତ ହୋଇ ପଡ଼ିଥିଲେ ନୂଆ ମା’ କିପରି ଲୋକ, ଏମାନଙ୍କୁ (ଟଲଷ୍ଟୟଙ୍କ ଭାଇ ଭଉଣୀମାନଙ୍କୁ) ଆଦର କରିବ କି ନାହିଁ ଓ ବାପା ବିବାହ ପରେ ପୂର୍ବପରି ସେମାନଙ୍କୁ ସ୍ନେହ କରିବେ କି ନାହିଁ ପ୍ରଭୃତି କଥା ଭାବି । ସେ ନିଜ ବାପାଙ୍କ ବିଷୟରେ କହିଛନ୍ତି ସେ ବଡ଼ କଡ଼ା ମିଜାଜର ଲୋକ । ସେ ତାଙ୍କ ଜୀବନରେ ଅନେକ ପୂର୍ତ୍ତି କରିଛନ୍ତି, ଅନେକ ଖର୍ଚ୍ଚ କରିଛନ୍ତି, ଶିକାରରେ ଅନେକ ସମୟ କାଟିଛନ୍ତି ଓ ଅନେକ ସ୍ତ୍ରୀଙ୍କ ସହ ସମ୍ପର୍କ ରଖିଛନ୍ତି । ସେ ଯେତେ ଜଣ ସ୍ତ୍ରୀ ଲୋକଙ୍କ ସଙ୍ଗେ ମିଶିଛନ୍ତି, ସମସ୍ତଙ୍କୁ ପ୍ରାୟ ପ୍ରେମ ଚକ୍ଷୁରେ ଦେଖିଛନ୍ତି–ଇତ୍ୟାଦି ଇତ୍ୟାଦି ।

 

ଯେଉଁ ମହାପୁରୁଷ କୋଟି ପ୍ରାଣରେ ଆଣିଦିଅନ୍ତି ଅପାର ଆନନ୍ଦ, ତାଙ୍କର ଗୃହ-ଜୀବନ ହୋଇଛି ନିରାନନ୍ଦର ଆଧାର । ଗୃହ-ଜୀବନ ତାଙ୍କର ଏତେ କରୁଣ ଯେ ତାହା ପାଠକଲେ ପାଠକର ଚକ୍ଷୁ ଛାଏଁ ଛାଏଁ ଅଶ୍ରୁସିକ୍ତ ହୋଇଉଠେ । ଏଥିପାଇଁ ପ୍ରଧାନତଃ ସ୍ତ୍ରୀ ତାଙ୍କର ଦାୟୀ । ସ୍ତ୍ରୀଙ୍କର ପ୍ରକୃତି ତାଙ୍କ ପ୍ରକୃତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଟଲଷ୍ଟୟ ଶୀତଳ ଲହୁଣୀ ହେଲେ ତାଙ୍କ ସ୍ତ୍ରୀ ଗୋଟାଏ ଉତ୍ତପ୍ତ ଲୌହ ପିଣ୍ଡୁଳା । ତାଙ୍କ ସ୍ତ୍ରୀ ଚାହୁଁଥିଲେ ସାମାଜିକ ସମ୍ମାନ, ଚାହୁଁଥିଲେ ଧନଦୌଲତ ଓ କ୍ଷମତା ବଳରେ ଲୋକଙ୍କୁ କରଗତ କରିବା ପାଇଁ, ଟଲଷ୍ଟୟ କିନ୍ତୁ ଏହାର ବିରୋଧ କରୁଥିଲେ । ତାଙ୍କ ଚକ୍ଷୁରେ ଏ ଧନଦୌଲତ ଓ ସାମାଜିକ ସମ୍ମାନର ମୂଲ୍ୟ କିଛି ନ ଥିଲା-। ଏସବୁ ପାପ ବୋଲି ସେ ମନେ କରୁଥିଲେ । ମଣିଷକୁ ଆପଣାର କରିବା ପାଇଁ, ଆପ୍ପତ୍ତି କରିବା ପାଇଁ କ୍ଷମତା ଅପେକ୍ଷା ପ୍ରେମ ପ୍ରଧାନ ଆୟୁଧ ବୋଲି ସେ ପ୍ରଚାର କରୁଥିଲେ । ଯଥାର୍ଥରେ ସେ ଥିଲେ ପ୍ରେମ ଓ ଶାନ୍ତିର ପରମ ପୂଜାରୀ । ସ୍ତ୍ରୀ କିନ୍ତୁ ସଂସାରୀ ଓ ସୌଭାଗ୍ୟର ଚରମ ଅଭିଳାଷିଣୀ-

 

ଘଟଣା ଦିନକୁ ଦିନ ମନ୍ଦ ଆଡ଼କୁ ଗତି କଲା । ସେ ଟଲଷ୍ଟୟଙ୍କ ବନ୍ଧୁମାନଙ୍କୁ ଯାହା ଇଚ୍ଛା ତାହା ବ୍ୟବହାର କଲେ । ନିଜ ଝିଅକୁ ଧକ୍କା ଦେଇ ଘରୁ ତଡ଼ିଦେଲେ । ଏପରିକି ତା’ର ଫଟୋଖଣ୍ଡିକ ନଷ୍ଟ କରିଦେବା ପାଇଁ ମଧ୍ୟ ଛାଡ଼ିଲେ ନାହିଁ । ଯେଉଁମାନେ ଟଲଷ୍ଟୟଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିଲେ, ତାଙ୍କୁ ଯାହା ପାରନ୍ତି କହନ୍ତି । ଏପରି ପରିସ୍ଥିତିରେ କେତେ ବର୍ଷ କଟିଗଲା । ଟଲଷ୍ଟୟ ସବୁ ସହିଯାଉଥାନ୍ତି । ବିନା ରୟାଲିଟିରେ ପୁସ୍ତକ ଛପାଇବା ପାଇଁ ଋଷିଆ ଲୋକଙ୍କୁ ଅଧିକାର ଦେବା ପାଇଁ ଯେଉଁଦିନ ସେ ରାଜିହେଲେ, ତାଙ୍କ ସ୍ତ୍ରୀ ସେଦିନ ଟଲଷ୍ଟୟଙ୍କୁ ଖୁବ ଧିକାରି ଥିଲେ । ଶେଷରେ ସାଧାରଣ ନାଗରିକଙ୍କ ପରି ଅଫିମ ଖାଇ, କୂଅକୁ ଡେଇଁ ପ୍ରାଣ ହରାଇବା ପାଇଁ ଧମକାଇଲେ ଓ ତଳେ ଚଟାଣ ଉପରେ ଗଡ଼ିଲେ । ଦୁନିଆରେ ସବୁ ମାଇପେ ବୋଧହୁଏ ସମାନ । ଯେଉଁ ଋଷିପ୍ରାଣ ବ୍ୟକ୍ତିଙ୍କ ସାମନ୍ୟ ପ୍ରଭାବରେ ଅନ୍ୟ ଲୋକଙ୍କ ପ୍ରାଣରେ ବଡ଼ ପରିବର୍ତ୍ତନ ହେଉଥିଲା, ସେଠି ତାଙ୍କ ସ୍ତ୍ରୀଙ୍କର କିଛି ହେଲା ନାହିଁ । ଦୀପ ତଳ ପରା ସବୁଦିନେ ଅନ୍ଧାର !

 

ପ୍ରତିଦିନ ଏହି ଧକଚକ ଓ ଅଶୋଭନୀୟ ପରିସ୍ଥିତି । ଶେଷରେ ସେ ଆଉ ସହିପାରିଲେ ନାହିଁ । ହଠାତ୍‍ ଦିନେ ରାତିରେ ଘରଦ୍ଵାର, ସ୍ତ୍ରୀ ସନ୍ତାନସନ୍ତତି ସମସ୍ତଙ୍କ ସ୍ନେହ ମମତା ତ୍ୟାଗ କରି ବୁଦ୍ଧଦେବଙ୍କ ପରି ପଳାଇଗଲେ । ସେ ଦିନ ସମସ୍ତଙ୍କର ମନେ ରଖିବା କଥା । ତାହା ହେଇଛି ୧୯୧୦ ଅକ୍ଟୋବର ୨୧ ତାରିଖ ରାତି । ତା’ର ଠିକ୍‍ ବାର ଦିନପରେ ଶୀତରେ ସଢ଼ିସଢ଼ି ନିମୋନିଆ ରୋଗରେ ପଡ଼ି ରୁଷିଆର ଏକ ରେଲୱେ, ଷ୍ଟେସନରେ ସେ ସବୁଦିନ ପାଇଁ ଆଖି ବୁଜିଲେ । ମଲାବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ମରିବାପୂର୍ବରୁ ଶେଷଥର ପାଇଁ ସେ କହିଥିଲେ– ଭଗବାନ ସବୁ ଠିକ କରିଦେବେ । ତାଙ୍କର ଆର୍ଶୀବାଦ ଆମର ଚିରକାମ୍ୟ । ଭଗବାନଙ୍କ ଉପରେ କି ଅଟଳ ବିଶ୍ୱାସ, କି ଭକ୍ତି !

 

ଶୁଣାଯାଏ, ମରିବା ପୂର୍ବରୁ ତାଙ୍କୁ ଘରକୁ ନେବାକୁ ପଚରା ଯାଇଥିଲା । ସେ କିନ୍ତୁ କ’ଣ କହିଥିଲେ ଜାଣନ୍ତି ! ସେ ଅତି ଦୁଃଖରେ କହିଥିଲେ ଆପଣମାନେ ଯାହା ଇଚ୍ଛା ତାହା କରି-ପାରନ୍ତି; କିନ୍ତୁ ସାବଧାନ, ମୋର ସ୍ତ୍ରୀକୁ ଯେପରି ମୋର ମୃତ୍ୟୁ ସମ୍ବାଦ ନ ଦିଅନ୍ତି । ନାରୀର ସାମାନ୍ୟ ପରାଶ ପାଇଁ ମୃତ୍ୟୁଶଯ୍ୟାରେ ଯେଉଁଠି ମଣିଷ ବ୍ୟାକୁଳ ହୋଇ ଚାହିଁ ରହିଥାଏ, ସେ କିନ୍ତୁ ସେଠି ନିଜ ସ୍ତ୍ରୀକୁ ଦେଖିବାକୁ ମନା କରିଦେଇଥିଲେ । ବାହାର ଦୁନିଆ ଯା ପାଇଁ ଏତେ ପାଗଳ, ତା’ର ଘର ଭିତର ସତେ କେଡ଼େ ଅନ୍ଧାର !!

★★★

 

Unknown

ସେହି ଦିନର ସିପାହୀ ଆଜି ବିଶ୍ଵର ବିଶିଷ୍ଟ ସାହିତ୍ୟରଥୀ

 

ସବୁ ବର୍ଷପରି ୧୯୫୪ ମସିହାରେ ମଧ୍ୟ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯାଇଛି । ଏଥର ଏହି ବିରାଟ ସମ୍ମାନର ଅଧିକାରୀ କିଏ ହୋଇଛନ୍ତି ଜାଣନ୍ତି ? ଆର୍ଣ୍ଣେଷ୍ଟ ହୋମିଙ୍ଗୱେ । ଘର ତାଙ୍କର ଆମେରିକା । ଅନେକ ଲେଖକ ନୋବେଲ ପୁରସ୍କାର ପାଇ ସାରିଲା ପରେ ଜନପ୍ରିୟ ହୋଇଉଠନ୍ତି । ହୋମିଙ୍ଗୱେ କିନ୍ତୁ ପୁରସ୍କାର ପ୍ରାପ୍ତିର ବହୁ ପୂର୍ବରୁ ନିଜର ରଚନା ପାଇଁ ସର୍ବସାଧାରଣଙ୍କର ପ୍ରିୟ ହୋଇ ପାରିଥିଲେ । ଏହାହିଁ ତାଙ୍କର ବିଶେଷତ୍ଵ । ଲେଖକଙ୍କର ଜୀବନ ଦର୍ଶନ, ପ୍ରକୃତି ଚିତ୍ରଣ, ରଚନାଶୈଳୀ ଏକାବେଳକେ ଅଭିନବ । ଭାଷା ଅତି ସାଧା । ଏହି ଶୈଳୀ ହୋମିଙ୍ଗୱେଙ୍କ ଏକାନ୍ତ ନିଜସ୍ଵ । ଏହି ଲେଖକଙ୍କୁ ଅନୁକରଣ କରି ଆଜି ଅନେକ ଲେଖକ ଲେଖିବା ପାଇଁ ଚେଷ୍ଟା ଚଳାଇଛନ୍ତି । ସମାଲୋଚକମାନେ ମତ ଦିଅନ୍ତି ହୋମିଙ୍ଗୱେଙ୍କର ରଚନାର ମୃତ୍ୟୁ ହୋଇଯାଇପାରେ, କିନ୍ତୁ ତାଙ୍କୁ ଅନୁକରଣ କରି ଯେତେଜଣ ଲେଖକ କଲମ ଚଳାଇଛନ୍ତି, ସେମାନଙ୍କର ହିସାବ କରିବା କଠିନ । ପରୀକ୍ଷା କରି ଦେଖାଯାଇଛି ଯେ ସେକ୍ସପିଅର, ଟଲଷ୍ଟୟ, କାର୍ଲାଇଲଙ୍କୁ ଅନୁକରଣ କରି ଯେତେ ନୁହେଁ, ତା’ଠାରୁ ଢେର ବେଶୀ ଚେଷ୍ଟା କରନ୍ତି ହୋମିଙ୍ଗୱେଙ୍କ ଶୈଳୀ ନେଇ ଲେଖିବା ପାଇଁ । ଏ ଗୌରବ କେତେଜଣ ଲେଖକଙ୍କ ଭାଗ୍ୟରେ ଘଟେ !

 

ମାର୍କିନ ଜୀବନ ଆଜି ସରଳ ଜୀବନର ବହୁଦୂରରେ ଏକାନ୍ତ ଯାନ୍ତ୍ରିକ ଓ କୃତ୍ରିମ ହୋଇପଡ଼ିଛି । ଲେଖକ ଏହି ମନୋବୃତ୍ତିର ତୀବ୍ର ସମାଲୋଚନା କରିଛନ୍ତି । ସେଥିପାଇଁ ମାର୍କିନ ସମାଲୋଚକ ଗଣ ତାଙ୍କ ରଚନାର ଅନୁକୂଳ ଅଭିମତ ପୋଷଣ କରନ୍ତି ନାହଁ । ସେମାନଙ୍କ ଅଭିଯୋଗ, ହୋମିଙ୍ଗୱେ, ଅଶ୍ଲୀଳ, ନୀରାଶବାଦି–ରଚନାରେ ତାଙ୍କର ଜୀବନ ଉପଭୋଗର ନିର୍ଦ୍ଦେଶ ନାହିଁ ! ଏହିସବୁ ଅଭିଯୋଗ କିନ୍ତୁ ଚିରସ୍ଥାୟୀ ହୋଇପାରିଲା ନାହିଁ । ସେହି ଦିନଠାରୁ ସମାଲୋଚକମାନେ ସେମାନଙ୍କ ମତ ବଦଳାଇଲେ । ଦିନକର ସନ୍ଧ୍ୟା । ୧୯୪୪ର ଗୋଟିଏ ସ୍ମରଣୀୟ ଦିବସ । ସେଦିନ ଶନିବାର । “ରିଭିଉ ଅଫ୍ ଲିଟରେଚର’ ସାହିତ୍ୟ ପତ୍ରିକା ଜନପ୍ରିୟ ଔପନ୍ୟାସିକ ବାଛିବା ନିମନ୍ତେ ଭୋଟ ଗ୍ରହଣର ଏକ ବ୍ୟବସ୍ଥା କଲେ । ଭୋଟ ଗ୍ରହଣ କରାଗଲା । ଭୋଟ ପରେ ଦେଖାଗଲା, ହୋମିଙ୍ଗୱେ ସମସ୍ତଙ୍କଠାରୁ ଅଧିକ ଭୋଟ ପାଇଛନ୍ତି । ଲେଖକଙ୍କ ସଂପର୍କରେ ପୁରାତନ ଧାରଣା ସେଦିନ ସମ୍ପୂର୍ଣ୍ଣ ବଦଳିଗଲା । ବହୁମୁଖରେ ଶୁଣାଗଲା ହୋମିଙ୍ଗୱେଙ୍କ ପ୍ରଶଂସା । ସେ ହୋଇଉଠିଲେ ଏକ ନୂଆ ମଣିଷ । ଯୋଗ୍ୟ କଳାକାର । କେତେଦିନ ବା ବଳିଷ୍ଠ ପ୍ରତିଭାକୁ ବଞ୍ଚିତ କରାଯାଇପାରେ !

 

ଲେଖକ ଦେଖିବାକୁ ବଳିଷ୍ଠ । ସ୍କନ୍ଧଦେଶ ତାଙ୍କର ପ୍ରଶସ୍ତ । ମୁଣ୍ଡ ସାମାନ୍ୟ ବଡ଼ ଶିରୋଦେଶରେ ଲମ୍ବାକେଶ ଓ ମୁଖ-ମଣ୍ଡଳରେ କ୍ଷୁଦ୍ର ଶୁକ୍ଳ ଶ୍ମଶ୍ରୁ । ଚକ୍ଷୁଦୁଇଟି ଅନ୍ୟ ଆମେରିକାବାସୀଙ୍କ ଅପେକ୍ଷା ସାମାନ୍ୟ ମଳିନ । ସେ ଉତ୍ସାହୀ, କର୍ମଠ । ଘଣ୍ଟାଘଣ୍ଟା ଧରି ସେ କାର୍ଯ୍ୟ କରିପାରନ୍ତି । ଷଣ୍ଢ ଲଢ଼ାଇ, ମତ୍ସ୍ୟ ଧାରଣ, ଶିକାର କରିବା ତାଙ୍କର ଚିତ୍ତବିନୋଦନର ପ୍ରିୟ ଉପାଦାନ ।

 

କ୍ୟୁବାସ୍ଥିତ ୧୫ ଏକର ବିଶିଷ୍ଠ ଏକ ସ୍ଥାନରେ ହୋମିଙ୍ଗୱେ ଅବସ୍ଥାନ କରନ୍ତି । ତାରି ମଧ୍ୟରେ ଅଛି ଛୋଟିଆ ବଗିଚାଟିର୍ଏ, ପୁଷ୍କରିଣୀ ଏବଂ ଟେନିସ ପଡ଼ିଆ । ଏସବୁ ବ୍ୟତୀତ ଅଛି ରହଣି ଘର ଏବଂ ଏକ ଉଚ୍ଚଦୁର୍ଗ । ଏହି ଦୁର୍ଗ ଉପରେ ସେ ନିଜର ସବୁକିଛି ଲେଖାଲେଖି କରିଥାନ୍ତି-। ସୂର୍ଯ୍ୟର ପ୍ରଥମ ପରଶ ଦୁର୍ଗର ଶିରଦେଶରେ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ସେ ଶଯ୍ୟାତ୍ୟାଗ କରି ଲେଖା ଲେଖିରେ ଲାଗି ଯାଆନ୍ତି । ସେ ସକାଳ ଏବଂ ଦ୍ଵିପ୍ରହର ଦୁଇ ବେଳା କାର୍ଯ୍ୟବ୍ୟସ୍ତ ଥାଆନ୍ତି-। ଯେଉଁଦିନ ସକାଳବେଳା । କାମ ସରିଯାଏ, ସେଦିନ ମଧ୍ୟାହ୍ନରେ ଲେଖାଲେଖି ବନ୍ଦକରି ମାଛ ଧରିବା ପାଇଁ ବାହାରି ଯାଆନ୍ତି । ଲେଖା ଶେଷରେ ସାମାନ୍ୟ ମଦ୍ୟପାନ କରି ସନ୍ତରଣ କରିବାକୁ ସେ ଭଲପାଆନ୍ତି ବୋଲି ଅନେକବାର ପ୍ରକାଶ କରିଛନ୍ତି । କଥା ଶିଳ୍ପୀଙ୍କ ଶୋଇବା କକ୍ଷଟିର ଲମ୍ବ ସାତଫୁଟ । ଅନେକଗୁଡ଼ିଏ ମୃତ ପଶୁପକ୍ଷୀଙ୍କ ମୁଣ୍ଡ ଏବଂ ଦେହରେ କୋଠା ସୁସଜ୍ଜିତ-। ତାଙ୍କ ପରିବାରରେ ତାଙ୍କୁ ମିଶାଇ ନଅଜଣ ଥାଆନ୍ତି । ଏମାନଙ୍କ ବ୍ୟତୀତ ୧୬ଟି କୁକୁର, ୫୨ବିରାଡ଼ି, ୩୬ ଗାଈ ଏବଂ ଅନେକ ପାରା ଥାଆନ୍ତି । ଏ ପଶୁପକ୍ଷୀ ଲେଖାଲେଖିରେ ଲେଖକଙ୍କୁ ଅନେକ ପ୍ରେରଣା ଦେଇଥାନ୍ତି । ତା’ ବ୍ୟତୀତ ଗୋଟିଏ କଳାକୁକୁର ଓ ତିନୋଟି ବିରାଡ଼ି ଲେଖିବାରେ ତାଙ୍କୁ ବିଶେଷ ପ୍ରେରଣା ଓ ଉତ୍ସାହ ଦେଇଥାନ୍ତି ବୋଲି ଅନେକ ଥର ପ୍ରକାଶ କରିଛନ୍ତି । ହୋମିଙ୍ଗୱେଙ୍କର ନାଟ୍ୟକାର, କଥାଶିଳ୍ପୀ, ଚିତ୍ରକର, ଚିତ୍ରତାରକା ଏହିପରି ଅନେକ ବନ୍ଧୁ ଅଛନ୍ତି । ସେମାନଙ୍କ ସଙ୍ଗରେ ସେ ଅଧିକାଂଶ ସମୟ କାଟନ୍ତି । ଅତି ଆଦରରେ ସେମାନେ ତାଙ୍କୁ ଡାକନ୍ତି “ପାପା’’-

 

ଲେଖକଙ୍କ ଗୃହ ଜୀବନ ସରସ ନୁହେଁ । ସେ ଏ ପର୍ଯ୍ୟନ୍ତ ଚାରିଜଣଙ୍କୁ ବିବାହ କରିଛନ୍ତି-। ୧୯୧୯ରେ ତାଙ୍କର ବାଲ୍ୟ-ପ୍ରେମିକା ହାର୍ଡେଲ ରିଚାର୍ଡସନଙ୍କ ସଙ୍ଗେ ତାଙ୍କର ପ୍ରଥମ ପରିଣୟ ହୋଇଥିଳା । କିନ୍ତୁ ମତାନ୍ତର ହେତୁ ସେ ଠିକ ସାତଟି ବର୍ଷ ପରେ ହାର୍ଡ଼ଲଙ୍କୁ ଛାଡ଼ପତ୍ର ଦେଲେ ଏବଂ ଦ୍ଵିତୀୟ ଦାର ଗ୍ରହଣ କଲେ । କିନ୍ତୁ ଏହି ବିବାହ ମଧ୍ୟ ସୁଖପ୍ରଦ ହେଲାନାହିଁ । ତେଣୁ ସେ ଦ୍ଵିତୀୟ ସ୍ତ୍ରୀକୁ ଛାଡ଼ି ତୃତୀୟ ସ୍ତ୍ରୀ ଗ୍ରହଣ କଲେ । ଏ ହେଉଛନ୍ତି ଜନୈକା ଲେଖିକା । ତାଙ୍କ ନାଁ ମାର୍ଥା ଗେଲେହର୍ଣ୍ଣ । ଆପଣ କ’ଣ ଭାବୁଛନ୍ତି ଲେଖକ, ଲେଖିକା ଦୁହିଁଙ୍କ ମିଳନରେ ଗୃହ-ଜୀବନ ସରସ ହୋଇଉଠିଥିବ ! ନା, ମୋଟେ ନୁହେଁ । ବରଂ ବିବାହ-ଜୀବନ ଦୁର୍ବିସହ ହୋଇଉଠିଲା । ଦିନ କେତେଟାରେ ସେ ଏ ଲେଖିକାଙ୍କୁ ଛାଡ଼ିଲେ । ଚତୁର୍ଥ ଥର ପାଇଁ ବିବାହ କଲେ ଜଣେ ସାମ୍ବାଦିକାଙ୍କୁ । ଏହି ସାମ୍ବାଦିକାଙ୍କ ସଙ୍ଗେ ସେ ବର୍ତ୍ତମାନ ଅଛନ୍ତି । ଏହିପରି କେତେକ କାରଣରୁ ହୋମିଙ୍ଗୱେଙ୍କୁ ନାରୀ ବିଦ୍ଵେଶୀ ବୋଲି ଅନେକେ ଅଭିମତ ଦେଇଥାନ୍ତି । କିନ୍ତୁ ପ୍ରକୃତରେ ଏହା ସତ ନୁହେଁ । ସମୂହଭାବେ ସ୍କାର ୱାଇଲଡଙ୍କ ପରି ନାରୀ ଜାତି ବିରୁଦ୍ଧରେ ତାଙ୍କର ଅଭିଯୋଗ କିଛି ନାହିଁ । ତାଙ୍କ ଅଭିଯୋଗ କେବଳ ମାର୍କିନ ରମଣୀଙ୍କ ବିରୁଦ୍ଧରେ । ତା’ର ଦୁଇଟି କାରଣ ଅଛି-। ପ୍ରଥମରେ ମାର୍କିନ ମହିଳା ନାରୀସୁଲଭ ଗୁଣଛାଡ଼ି ଆଜି ପୁରୁଷର ସ୍ଥାନ ଗ୍ରହଣ କରିବା ପାଇଁ ବିଶେଷ ପ୍ରୟାସୀ; ଦ୍ଵିତୀୟରେ ସାଧାସିଧା ଜୀବନ ତ୍ୟାଗକରି କୃତ୍ରିମ ଯାନ୍ତ୍ରିକ ଜୀବନ ବରଣ-। ମାର୍କିନ ମହିଳାଙ୍କୁ ପରିହାସ କରି ସେ ଏକ ସ୍ଥାନରେ କହିଛନ୍ତି–"Put the paint in the body instead of blood what you get it American women,” ରକ୍ତ ବଦଳରେ କିଛି ପ୍ରସାଧାନ ସାମଗ୍ରୀ ଦେହରେ ଲିପିଦେଲେ ଆମେରିକା ରମଣୀଟି ପାଇପାରିବେ-। ବିଭବବହୁଳ ମାର୍କିନ ଜୀବନ ପ୍ରତି ଲେଖକଙ୍କର ବିଶେଷ ବିତୃଷ୍ଣା ।

 

ହୋମିଙ୍ଗୱେ ଗମ୍ଭୀର, ଶାନ୍ତକାମୀ, ଯୁଦ୍ଧଦ୍ରୋହି । ଯୁଦ୍ଧର କରୁଣ ପରିସ୍ଥିତି ବିଷୟରେ ଲେଖକଙ୍କର ପ୍ରତ୍ୟକ୍ଷ ଅଭିଜ୍ଞତା ଅଛି । ସେ ମାନବ ଶକ୍ତି ଏବଂ ସୌନ୍ଦର୍ଯ୍ୟର ପୂଜାରୀ । ସେ ସର୍ବଦା ଜନନେତ୍ରର ଅନ୍ତରାଳରେ ରହିବା ପାଇଁ ଇଚ୍ଛା କରନ୍ତି । ସେଥିପାଇଁ ବେଳେବେଳେ ବ୍ୟସ୍ତ ମଧ୍ୟରେ ଯାଇ ସେ ସମୟ କଟାନ୍ତି । ତାଙ୍କର ଏଇ ନେପଥ୍ୟେ ଚଳିବାର ମନୋବୃତ୍ତି ଜନସାଧାରଣଙ୍କର କୌତୂହଳ ଉପୁଜାଇ ଥାଏ ।

 

ପର୍ଯ୍ୟନ୍ତ ୧୮ଖଣ୍ଡ ଉପନ୍ୟାସ ଲେଖିଲେଣି । ଉପନ୍ୟାସ ବ୍ୟତୀତ କ୍ଷୁଦ୍ରଗଳ୍ପ ଲେଖିବାରେ ସେ ସିଦ୍ଧହସ୍ତ । ତାଙ୍କର ରଚନା ‘ଦି ଓଲ୍‍ଡ ମାନ ଆଣ୍ଡ ଦି ସି’ ପାଇଁ ସେ ଏଥର ନୋବେଲ ପୁରସ୍କାର ପାଇଛନ୍ତି । ବହିର ବିଷୟବସ୍ତୁ ଅତି ଚମତ୍କାର । ଗୋଟିଏ ବୃଦ୍ଧ ସମୁଦ୍ରରେ ମାଛ ଧରିବା ପାଇଁ ଯାଇଥିଲା ଏବଂ ଏକ ମସ୍ତବଡ଼ ମାଛ ଧରିଲା । ଜଳର ଅନନ୍ତ ଜଳରାଶି ମଧର ମାଛକୁ ଟାଣିଆଣିବା ପାଇଁ ବୃଦ୍ଧର ଯଥେଷ୍ଟ ଶକ୍ତି ନଥିଲା । ବୃଦ୍ଧ ଶକ୍ତିହୀନ ହୋଇଥିଲେ ମଧ୍ୟ ମାଛକୁ ଛାଡ଼ି ଫେରି ଆସି ନଥିଲେ । ସେ ଆପଣାର ସମସ୍ତ ଶକ୍ତି ପ୍ରୟୋଗ କରି ଦୀର୍ଘ ତିନିଦିନ ଧରି ଏହି ମାଛଟିକୁ ଆଣିବା ପାଇଁ ବିଶେଷ ଚେଷ୍ଟା କରି ଶେଷରେ ସଫଳ ହେଲା । ଏହି ତିନିଦିନର ସଂଗ୍ରାମ ଫଳରେ ବୃଦ୍ଧର ମାଛପ୍ରତି ଏକ ମାୟା ଜନ୍ମି ଯାଇଥିଲା । କାରଣ ଏହି ମାର୍କିନ ମାଛ ପ୍ରକୃତି ଏବଂ ପ୍ରାଣୀଜଗତର ସୌନ୍ଦର୍ଯ୍ୟର ପ୍ରତୀକ ଏବଂ ସୃଷ୍ଟିର ମହତ୍ତ୍ଵ ବିକାଶ କରୁଥିଲା । ଶେଷରେ ସେ ଏହି ମାଛକୁ ହତ୍ୟା କରିଥିଲେ । କାରଣ ସେ ତାକୁ ଅନ୍ତରର ସହ ଭଲ ପାଉଥିଲା । ‘’ if you love him, it is not a sin to kill him” ଯାହାକୁ ଭଲ ପାଅ, ତାଙ୍କୁ ହତ୍ୟା କରିବାରେ ପାପ ନାହିଁ । ମାଛ ସଙ୍ଗେ ଲଢ଼ିଲଢ଼ି ବୃଦ୍ଧ ଥରେ ହତାଶ ହୋଇ ପଡ଼ିଥିଲା । ସେତେବେଳେ ଲେଖକ କହିଛନ୍ତି 'Man is not Made for defeat. A man can be destroyed but not defeated. It is silly not to hope, he thought. Besides I believe it is a sin'' ପରାଜୟ ପାଇଁ ମଣିଷର ସୃଷ୍ଟି ନୁହେଁ । ମଣିଷ ନଷ୍ଟ ହୋଇଯାଇପାରେ, କିନ୍ତୁ ପରାଜୟ ସ୍ୱୀକାର କରିପାରେନା । ଆଶାବାଦୀ ନ ହେବା ହଁ ଅନ୍ୟାୟ, ପାପ । ଲେଖକଙ୍କର ଏହାହିଁ ମାନବସମାଜ ପ୍ରତି ଆଶା ଓ ଆଲୋକର ସନ୍ଦେଶ ।

 

ହୋମିଙ୍ଗୱେ, କେବଳ ବଳିଷ୍ଠ ଔପନ୍ୟାସିକ ନୁହନ୍ତି, ସେ ଏକାଧାରରେ କଥାକାର, ସାମ୍ବାଦିକ, ସୌନିକ, ଶିକାରୀ । ତାଙ୍କର ବିଭିନ୍ନ ଜୀବନର ଛାଇ ବିଭିନ୍ନ ପୁସ୍ତକରେ ପ୍ରତିଫଳିତ ହୋଇଅଛି । ପ୍ରଥମ ମହାଯୁଦ୍ଧରେ ଇଟାଲିର ପଦାତିକ ସୈନ୍ୟବିଭାଗର ଆମ୍ବୁଲାନ୍ସ ଚାଳକ ରୂପେ ସେ ଯୋଗଦେଇଥିଲେ ଏବଂ ଯୁଦ୍ଧରେ ଗୁରୁତର ରୂପେ ଆହତ ହୋଇ ଘରକୁ ଫେରିଆସିଲେ । ସମରଭୂଇଁରେ ହୋମିଙ୍ଗୱେ ବିଶେଷ ସାହସିକତାର ପରିଚୟ ଦେଇଛନ୍ତି । ଏ ଯୁଦ୍ଧର ପ୍ରଭାବ ତାଙ୍କ ଉପରେ ବିଶେଷ ପଡ଼ିଛି : “Farewell to the arms” (ଫେୟାରୱେଲ ଟୁ ଦି ଆରମସ୍) ଇଟାଲିର ପଟ୍ଟଭୂମି ଉପରେ ରଚିତ । ତା’ ବ୍ୟତୀତ ସ୍ପେନ ଗୃହଯୁଦ୍ଧରେ ସେ ବିଶେଷ ଭାଗ ନେଇଥିଲେ ।

 

ଲେଖକଙ୍କ ବାଲ୍ୟଜୀବନ ପାଠକଲେ ମୋଟେ ମନେ ହୁଏ ନାହିଁ ଯେ ସେ ଦିନେ ଜଣେ ପ୍ରଖ୍ୟାତନାମା ଲେଖକ ହେବେ । ହୋମିଙ୍ଗୱେଙ୍କ ବାପା ଥିଲେ ଜଣେ ଡାକ୍ତର ଏବଂ ନାମଜାଦା ଶିକାରୀ । ସେ ପୁଅକୁ ଜଣେ ଡାକ୍ତର ରୂପେ ଦେଖିବା ପାଇଁ ଆଶାପୋଷଣ କରିଥିଲେ । ମାଆଙ୍କ ଆଶା କିନ୍ତୁ ସଂପୂର୍ଣ୍ଣ ଭିନ୍ନ ଥିଲା । ସେ ଚାହୁଥିଲେ ପୁଅ ତାଙ୍କର ବଡ଼ ହେଲେ ହେବ ଜଣେ ସଙ୍ଗୀତର-ଶିଳ୍ପୀ । ସେଥିପାଇଁ ସେମାନେ ହୋମିଙ୍ଗୱେଙ୍କର ପଢ଼ାପଢ଼ିରେ ବିଶେଷ ଯତ୍ନ ନେଇଥିଲେ ଓ ନିକଟସ୍ଥ ଗୋଟିଏ ସ୍ଥାନୀୟ ସ୍କୁଲକୁ ପଠାଇଥିଲେ । ପଢ଼ାପ୍ରତି ତାଙ୍କର ଆଦୌ ସ୍ପୃହା ନ ଥିଲା । ସେ ବରାବର ସ୍କୁଲରୁ ପଳାଇ ଆସୁଥିଲେ । ୟାକୁ ମାର, ତାକୁ ଧର ଏବଂ ସାଥୀମାନଙ୍କୁ ମିଳାଇ ଶିକାର କରିଯିବା, ଖେଳାଖେଳିରେ ମାତି ରହିବା ଥିଲା ତାଙ୍କର ବ୍ୟବସାୟ । ସେ ଯାହାହେଉ, ତାଙ୍କର ଏହି ଶିକାରୀ ମନୋବୃତ୍ତିକୁ ସେ ବେଶ ପସନ୍ଦ କରୁଥିଲେ । ତାକୁ ଯେତେବେଳେ ୧୮ବର୍ଷ, ସେତେବେଳେ ତାଙ୍କ ବାପା ତାଙ୍କୁ ଗୋଟିଏ ବନ୍ଧୁକ ଉପହାର ଦେଇଥିଲେ । ୧୯ ବର୍ଷ ବୟସରେ ସ୍କୁଲ ଜୀବନ ଶେଷକରି ସେ ଚାକିରୀ ଜୀବନ ଆରମ୍ଭ କରିଥିଲେ ‘କାନମାସ ସିଟି ଷ୍ଟାର’ ରିପୋର୍ଟର ରୂପେ ସେ ପ୍ରଥମେ ନିଯୁକ୍ତିପତ୍ର ପାଇଥିଲେ । ତା’ପରେ ସେ ଯୋଗ ଦେଇଥିଲେ ଇଟାଲିର ପଦାତିକ ସୈନ୍ୟ ବିଭାଗରେ । ତା’ପରେ ହେଲା ହୋମିଙ୍ଗୱେଙ୍କ ଜୀବନର ଧୀର କ୍ରମବିକାଶ ।

★★★

 

ଘୋଡ଼ାଜଗାଳି ପିଲା ଇଂରାଜୀ ସାହିତ୍ୟର ନାଟ୍ୟ ସମ୍ରାଟ

 

ଏ ଦୁନିଆରେ ଦୁଇଜଣ ବିଶିଷ୍ଟ ଲୋକ ଗୋଟିଏ ଦୃଷ୍ଟିରୁ ଦେଖିଲେ ଯେତିକି ଭାଗ୍ୟବାନ୍, ଅନ୍ୟ ଦୃଷ୍ଟିରୁ ଦେଖିଲେ ସେତିକି ହତଭାଗ୍ୟ । ଭାଗ୍ୟବାନର କାରଣ ତାଙ୍କୁ ଦୁନିଆରେ ସମସ୍ତେ ଜାଣନ୍ତି । ହତଭାଗ୍ୟର କାରଣ ଲୋକେ ଯାହା ଜାଣନ୍ତି ତାହା ନ ଜାଣିଲା ପରି । ଏମାନଙ୍କ ଭିତରୁ ଜଣେ ହେଉଛନ୍ତି ଭାରତର ମହାକବି କାଳିଦାସ, ଆଉ ଜଣେ ଇଂଲଣ୍ଡର ସେକ୍ସପିଅର । ଇଂରାଜୀ ଜାଣିଥିବ ଅଥଚ ସେକ୍ସପିଅରଙ୍କ ନାଁ ନ ଶୁଣିଥିବ ଏଭଳି ଲୋକ ବୋଧେ ଦୁନିଆରେ ନ ଥିବେ । କାଳିଦାସଙ୍କ କାଳ ଓ ସ୍ଥାନ ଯେପରି ଏବେ ମଧ୍ୟ ଅନିଶ୍ଚିତ ରହିଛି, ସେପରି ସେକ୍ସପିଅରଙ୍କ ସଠିକ ଖବର ଏବେ ମଧ୍ୟ ଲୋକଙ୍କୁ ଜଣା ନାହଁ । ତାଙ୍କ ବିଷୟରେ କିଏ କେତେ କଥା କହନ୍ତି ଓ ପ୍ରତିଦିନ ନୂତନ ତଥ୍ୟ ବାହାରୁଛି ! ଏହି ବିଶାଳ ପୃଥିବୀର ସବୁ କୋଣରେ ତାଙ୍କର ଭକ୍ତ ଭରି ରହିଛନ୍ତି । ଗୋଟି ଗୋଟି କରି ସେ ୩୭ଟି ନାଟକ ଲେଖିଛନ୍ତି । ପ୍ରତ୍ୟେକଟି ଉଚ୍ଚ ମାନବିକ ରସରେ ରସାଣିତ । ସେଥିପାଇଁ ସେକ୍ସପିଅର ଶାଶ୍ଵତ, ସନାତନ । ଷ୍ଟାର୍ଟ-ଫୋର୍ଡ-ଅନ-ଆଭେନ୍ କେଉଁ ଏକ ଅଜଣା ଅଶୁଣା ଗାଁ; କିନ୍ତୁ ସେକ୍ସପିଅରଙ୍କ ଲାଗି ତାହା ଆଜି ବିଶ୍ୱର ସାହିତ୍ୟ ସଂସାରର ଏକ ପରମ ତୀର୍ଥ ।

 

ଶ୍ରେଷ୍ଠ ନାଟ୍ୟକାର ହିସାବରେ ନାମ କରିବା ଯା’ର ଭାଗ୍ୟରେ ଥିଲା, ଶିକ୍ଷା ତା’ର କେତେ କମ ଶୁଣନ୍ତୁ । ଗାଁ ସ୍କୁଲରେ ସେ ଅଳ୍ପ କେତେ ବର୍ଷ ପଢ଼ିଥିଲେ । ତାଙ୍କୁ ମୋଟେ ତେର ବର୍ଷ ବେଳେ ତାଙ୍କ ପୋଥିରେ ଡୋରି ବନ୍ଧା ହୋଇଥିଲା । ମାଟି ଚସି ଯିଏ ପେଟ ପୋଷିବ, ପାଠ ପଢ଼ିବା ପାଇଁ ତା’ର ବେଳ କାହିଁ ? ବାପାଙ୍କ ସଙ୍ଗରେ ସେ ବିଲ ଚଷନ୍ତି, ଗାଈ ଦୁହନ୍ତି, ମେଣ୍ଡା ଜଗନ୍ତି, ଚମଡ଼ା କଷନ୍ତି ।

 

ଅତି ଅଳ୍ପ ବୟସରେ ଆନି ହାଥୱେ, ନାମକ ଜନୈକ ତରୁଣୀଙ୍କ ପ୍ରେମରେ ସେ ପଡ଼ିଲେ । ସମସ୍ତଙ୍କ ପରି ସେତେବେଳେ ଯୁବକ ସେକ୍ସପିଅର ଅତି ଅସ୍ଥିର, ଚଞ୍ଚଳ । ସେ ଆନିଙ୍କୁ ଭୁଲି ଯାଇ ଅନ୍ୟ ଏକ କୁମାରୀ ହ୍ଵାଟେଲଙ୍କ ପ୍ରେମ ଭିକ୍ଷାକଲେ । ପୂର୍ବ, ପ୍ରେମିକାଙ୍କ ପ୍ରାଣ ଅସ୍ଥିର ହୋଇଉଠିଲା । ଆନି ଯେତେବେଳେ ଜାଣିଲେ ଯେ, ସେକ୍ସପିଅର ଆଉ ଜଣଙ୍କୁ ଭଲ ପାଉଛନ୍ତି, ସେ ପାଗଳିନୀ ପରି ପ୍ରଳାପ କରିବାକୁ ଲାଗିଲେ । ନିଜକୁ ବିଶ୍ୱାସ କରିପାରିଲେ ନାହିଁ । ଗୋପନରେ, ନୀରବରେ ଉଇଲିୟମ ତେବେ ତାଙ୍କୁ ଯେତେ ଯାହା କହିଥିଲେ ସବୁ କ’ଣ କଳ୍ପନା, ସବୁ କ’ଣ ମିଥ୍ୟା ? ସାକ୍ଷୀ ତ ତା’ର କେହି ନାହିଁ । ନିସ୍ତବ୍ଧ, ଗଭୀର ରଜନୀ, ଶାନ୍ତ ଅକାଶର ଚନ୍ଦ୍ର ତାରା ତୁଷାର କ’ଣ ଆଉ ପାଟି କରି କହିବେ ! ନା ମୋଟେ ନୁହେଁ । ଆନି ହାଥୱେଙ୍କୁ ନିଜେ ସବୁ କହିବାକୁ ହେବ । ଏଠି ନୀରବ ରହିଲେ ଅଶ୍ରୁପାତ କରିବା କେବଳ ସାର ହେବ । ସମସ୍ତ ମାନ ଅପମାନ ଭୁଲି ଶେଷରେ ହାଥୱେ, ନିଜର ପଡ଼େଶୀମାନଙ୍କ ନିକଟରେ କଲେ ଅଶ୍ରୁଳ ଅଭିଯୋଗ । ତାଙ୍କୁ ଭଲପାଇ ଅନ୍ୟ ଜଣକୁ ବିବାହ କରିବା ଏକାନ୍ତ ଅସୁନ୍ଦର ଓ ଅନ୍ୟାୟ । ସେହି କାରଣରୁ ସେକ୍ସପିଅର କେବଳ ତାଙ୍କୁ ହିଁ ବିଭାହେବା ଉଚିତ୍‍ । ସରଳ ପଡ଼େଶୀମାନେ ସହଜରେ ହାଥୱେକୁ ବିଶ୍ୱାସ କରିଗଲେ । ଉଇଲିୟମ କେବଳ ସେହି ଝିଅକୁ ବିବାହ କରିବା କଥା । ଏ ବିବାହକୁ ଅସ୍ୱୀକାର କରିବା ଅର୍ଥ ଦୁନିଆରେ ଧର୍ମବୋଲି ଯେ ଗୋଟାଏ ଜିନିଷ ଅଛି, ତାକୁ ଅସ୍ୱୀକାର କରିବା । ଶେଷରେ ପଡ଼େଶୀମାନଙ୍କ କଥା ହିଁ ହେଲା । ଆନି ହାଥୱେଙ୍କ ସଙ୍ଗେ ସେକ୍ସପିଅରଙ୍କ ବିବାହ ହେଲା । କିନ୍ତୁ ଏତକରେ ସ୍ତ୍ରୀଙ୍କର ଆଶା ପୂରଣ ହେଲା ବୋଲି ଧରିନେଲେ ଭୁଲ ହେବ । ସେକ୍ସପିଅର ତାଙ୍କୁ ଠକି ଚାଲି ଯାଉଥିଲେ, ଏବେ ଧରା ପଡ଼ିଛନ୍ତି । ତାଙ୍କୁ କି ଏତେ ସହଜରେ ସେ କ୍ଷମା କରିପାରନ୍ତି ! ସେ ଯେ ନାରୀ । ଯଥାର୍ଥରେ ବିବାହ-ଜୀବନରେ ନାଟ୍ୟକାରଙ୍କର ଦୁଃଖର ମାତ୍ରା ବଢ଼ିଗଲା । ଗୃହଜୀବନ ତାଙ୍କର ଦୁର୍ବହ ହୋଇଉଠିଲା । ବିବାହ ପରେ ଅଧିକାଂଶ ସମୟ ସେ କଟାଇଲେ ଲଣ୍ଡନରେ । ବର୍ଷକରେ ଥରେ ଅଧେ ସେ ଯାହା ନିଜ ଗାଁକୁ ଯାଇ ଘରଦ୍ଵାର ଦେଖି ଆସୁଥିଲେ ।

 

ନାରୀ ଯେ କି ଭୟଙ୍କର ହୋଇପାରେ, ତାଙ୍କରି ରଚିତ ନାଟକ ପଢ଼ିଲେ ବେଶ ଜଣାପଡ଼େ । ସେସବୁ ଚିତ୍ରଣ କରିବା ପାଇଁ ତାଙ୍କୁ ବିଶେଷ କଷ୍ଟ ସ୍ଵୀକାର କରିବାକୁ ପଡ଼ି ନଥିବ । ସେ ଚରିତ୍ର ଗୁଡ଼ିକ ପାଇଁ ସେ ପରକୁ ଚାହିଁ ନଥିବେ । ହାତରେ ଶଙ୍ଖା ଥାଉ ଥାଉ ସେ ପର ଦର୍ପଣକୁ ଚାହାଁନ୍ତେ କାହିଁକି ? ସ୍ତ୍ରୀ ତାଙ୍କଠୁ ଆଠ ବର୍ଷ ବଡ଼ । ନିଜଠାରୁ ବୟସରେ ବଡ଼ ସ୍ତ୍ରୀଙ୍କୁ ବିଭା ହେଲେ ଯେ ବିପତ୍ତି, ନାଟକରେ ସେ ଅନେକ ସ୍ଥଳରେ ସେକଥା କହିଛନ୍ତି ଓ ସେଥିପାଇଁ ସାବଧାନ ହେବା ନିମନ୍ତେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ସେକ୍ସପିଅରଙ୍କ ବାପାଙ୍କର ନାମ ଜନ ସେକ୍ସପିଅର । ସେ ତାଙ୍କ ଜୀବନରେ ଚାଷ କରିବା, ଉଲ୍, ଚମଡ଼ା ଓ ମାଂସ ବିକ୍ରି କରିବା ଏପରି ଅନେକ ବ୍ୟବସାୟ କରିଛନ୍ତି । ତାଙ୍କର ଅଳ୍ପ କିଛି ଜମି ବି ଥିଲା । ସେ ତାଙ୍କ ଅଞ୍ଚଳରେ ଜଣେ ଜଣାଶୁଣା ଲୋକ । ନିଜ ଜନ୍ମସ୍ଥାନ ଛୋଟ ସହରଟିରେ ସେ ଜଣେ ସରକାରୀ କର୍ମଚାରୀ ଥିଲେ । ଥରେ ଦିନେ ରାତିରେ ନିଜ ବାରଣ୍ଡାରେ କେତେକ ପଳାତକଙ୍କୁ ଆଶ୍ରୟ ଦେଇଥିବାରୁ ସେ ଜୋରିମାନା ଦେଇଥିଲେ । ସେତେବେଳେ ଗାଁ ଲୋକେ ଭାରି ଦରିଦ୍ର ଥିଲେ । ଗାଁକୁ ଭଲ ରାସ୍ତା ନଥିଲା । ଲୋକମାନେ ଯେଉଁ ଘରେ ରହୁଥିଲେ, ତା’ର ଅବସ୍ଥା ଅତି ଖରାପ । ଗାଁର ଅଧାରୁ ଅଧିକ ଲୋକେ ସରକାରୀ ସାହାଯ୍ୟ ଉପରେ ନିର୍ଭର କରୁଥିଲେ । ଲୋକେ କେବଳ ଧନରେ ନୁହେଁ, ଜ୍ଞାନରେ ମଧ୍ୟ ଦରିଦ୍ର ଥିଲେ । ଗାଁଲୋକଙ୍କ କଥା ଥାଉ, ସେକ୍ସପିଅରଙ୍କ ବାପ, ମା, ଭଉଣୀ, ଝିଅ ଏପରି କି ନାତି ଓ ନାତୁଣୀ ମଧ୍ୟ ଲେଖିପଢ଼ି ଜାଣି ନଥିଲେ । ସେହି ପରିବେଷ୍ଟନୀରେ ବଢ଼ି ସେକ୍ସପିଅର ଆଜି ଏତେ ବିରାଟ ।

 

ସେ ପ୍ରଥମେ ଲଣ୍ଡନ ଆସିଥିଲେ ଚାକିରୀ କରିବା ଉଦ୍ଦେଶ୍ୟରେ । ତାଙ୍କୁ ଚାକିରୀ ମିଳିଲା । ଗ୍ଲୋବ ଥିଏଟରରେ ଦେଖିବାକୁ ଆସୁଥିବା ଲୋକମାନଙ୍କର ଘୋଡ଼ା ଜଗିବା କାମ । ସେହିଠାରୁ ହେଲା ତାଙ୍କର ଉନ୍ନତି । ଘୋଡ଼ା ଜଗାଳି ପିଲା ଶେଷରେ ହେଲା ନାଟ୍ୟ ଜଗତର ସମ୍ରାଟ । ସେଦିନ କିନ୍ତୁ ତାଙ୍କର ଧାରଣା ନ ଥିଲା ଦୁନିଆରେ ଦିନେ ତାଙ୍କର ନାଟକ ଚହଳ ପକାଇବ । ସେ ଯେତେବେଳେ ଲଣ୍ଡନ ଛାଡ଼ି ଚାଲିଆସିଲେ, ନାଟକଗୁଡ଼ିକର ସଂରକ୍ଷଣ ନିମନ୍ତେ କୌଣସି ବନ୍ଦୋବସ୍ତ କରି ଆସି ନଥିଲେ । ତାଙ୍କ ମରିବାର ଦୀର୍ଘ ସାତବର୍ଷ ପରେ ତାଙ୍କର ସମସ୍ତ ରଚନାଗୁଡ଼ିକ ପ୍ରକାଶ ପାଇଥିଲା ।

 

ପ୍ରଥମେ ଯେତେବେଳେ ସେ ଲଣ୍ଡନ ଆସିଥିଲେ, ହାତରେ ତାଙ୍କର ପଇସାଟିଏ ନଥିଲା-। ସେ ଥିଲେ ଏକାନ୍ତ ନିଃସ୍ଵ, ଦରିଦ୍ର । କିନ୍ତୁ ଫେରିଲାବେଳେ ପଇସାବାଲା ହୋଇ ଘରକୁ ଫେରିଲେ । ଦୁର୍ଦ୍ଦିନର ସ୍ମୃତିଗୁଡ଼ିକ ସୁଦିନରେ ତାଙ୍କର ବିଳାସର ସାମଗ୍ରୀ ହୋଇଥିବ । ପାଞ୍ଚବର୍ଷ ମଧ୍ୟରେ ଅଭିନେତା ହିସାବରେ ସେ ଯଥେଷ୍ଟ ଆୟ କରିଥିଲେ । ଦୁଇଟି ଥିଏଟରରେ ସେ ଅଂଶୀଦାର ଥିଲେ । ଆୟ ଟଙ୍କାରେ ସେ ଜମିଜମା କିଣିଥିଲେ । ସୁଧରେ ଲୋକଙ୍କୁ ଟଙ୍କା ଧାର ଦେଉଥିଲେ । ତାଙ୍କୁ ଯେତେବେଳେ ପଇଁଚାଳିଶ ବର୍ଷ ବୟସ, ସେତେବେଳେ ତାଙ୍କର ବାର୍ଷିକ ଆୟ ୪୦୦୦ ପାଉଣ୍ଡ ବା ଆମ ଟଙ୍କାରେ ଅନ୍ତତଃ ୫୨ ହଜାର ଟଙ୍କା ।

 

ବାର୍ଷିକ ଆୟ ଯାହାର ୫୨ହଜାର ଟଙ୍କା, ମଲାବେଳକୁ ସ୍ତ୍ରୀଙ୍କ ପାଇଁ କେତେ ଛାଡ଼ି ଯାଇଥିବେ ବୋଲି ଭାବୁଛନ୍ତି କୁହନ୍ତୁ ତ ! ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଅଧଲାଟିଏ ବି ନୁହେଁ । ସ୍ତ୍ରୀଙ୍କୁ ଦେଇ ଯାଇଥିଲେ ବିଛଣା ରଖିବା ପାଇଁ କେଉଁ ସମ୍ପତ୍ତିରେ ସେ ଗଣା ଓ ତାହା ସ୍ତ୍ରୀଙ୍କୁ ଦେବାରେ ପୁଣି କେତେ ହନ୍ତସନ୍ତ ! ବୋଧହୁଏ ବହୁତ ପରେ ଦେବାପାଇଁ ସ୍ଥିର କରିଛନ୍ତି । ତାଙ୍କ ଉଇଲ ଦେଖିଲେ ଜଣାଯାଏ, ସ୍ତ୍ରୀଙ୍କୁ ଦେବାକଥା ଆଗେ ଲେଖା ନ ଥିଲା । ପରେ ଗେଞ୍ଜି ଗେଞ୍ଜି ତାହା ଲେଖି ଦିଆଯାଇଥିଲା ।

 

ସେ ଅନେକ ଦିନ ହେଲା ମଲେଣି ସତ, କିନ୍ତୁ ଆପଣ ଯଦି ତାଙ୍କର କୌଣସି ରଚନାର ପ୍ରଥମ ପ୍ରକାଶିତ ସଂସ୍କରଣ ଚାହାନ୍ତି, ତେବେ ପାଇପାରିବେ । ସେ ସବୁ ନ୍ୟୁୟର୍କରେ ମିଳିବ । ସେସବୁର ହାରାହାରି ଦାମ୍ ୨୫୦,୦୦୦ ପାଉଣ୍ଡ । ମଲା ପରେ ବହିର ଦାମ ଯାହାର ଏତେ ଅଧିକ, ବଞ୍ଚି ଥାଉଁ ଥାଉଁ ନିଜର ବିଖ୍ୟାତ ନାଟକ ହାମଲେଟ , ମିଜ୍ସ ସମର ଡ୍ରିମ ଅବା ମାକବେଥ ପାଇଁ ସେ ଶହେ ପାଉଣ୍ଡ ଅବା ଆମ ଟଙ୍କାରେ ୧୩୦୦ ଟଙ୍କା ସୁଦ୍ଧା ପାଇ ପାରି ନ ଥିଲେ ।

 

ଏହି ନାଟ୍ୟ ସମ୍ରାଟଙ୍କୁ ନିଜ ଗାଁ ର ଛୋଟ ଗୀର୍ଜା ହତାରେ କବର ଦିଆଯାଇଛି । ଗାଁ ଲୋକମାନେ ତାଙ୍କୁ ଯେ ସେଠି କବର ଦେଇଛନ୍ତି, ସେଥିରୁ ଧରାଯିବନାହିଁ ଯେ ଲୋକମାନେ ତାଙ୍କର ପ୍ରତିଭାର ପୂଜାରୀ ଥିଲେ । ସେଠି ଲୋକମାନେ ତାଙ୍କୁ ଆଦରର ସହିତ କବର ଦେବାର କାରଣ ହେଉଛି ଯେ ଲୋକମାନଙ୍କୁ ସେ ବିପଦରେ ସାହାଯ୍ୟ କରୁଥିଲେ, ଅଭାବ ଅସୁବିଧାରେ ଟଙ୍କା ଧାର ଦେଉଥିଲେ । ତା’ର ପ୍ରତିଦାନ ସ୍ଵରୁପ ଲୋକେ ତାଙ୍କୁ ଗାଁ ଗୀର୍ଜାରେ କବର ଦେଇଥିଲେ । ସେକ୍ସପିଅର ଅଳ୍ପ ସୁଧରେ ଧାର ଦେଉଥିଲେ, ଜାଣିଲେ ଆମର ହଠାତ୍‍ ତାଙ୍କର ‘ମର୍ଚ୍ଚେଣ୍ଟ ଅଫ୍ ଭେନିସ’ ନାଟକର ସାଇଲକ ଚରିତ୍ର କଥା ମନେ ପଡ଼େ । କି ନିର୍ମମ ସତେ ସେ ! ମଣିଷର କଲିଜା ତଳୁ ଗୋଟିଏ ପାଉଣ୍ଡ ମାଂସ କାଟିନେବା ପାଇଁ ମଧ୍ୟ ସେ ସଂକୋଚ ପ୍ରକାଶ କରିନାହିଁ । ଯେଉଁ କଳାକାର ଏତେ ଉଦାର, ତା’ର ସୃଷ୍ଟି ଚରିତ୍ରକୁ ସେ ଯେ ଏତେ ନିର୍ମମ ନିଷ୍ଠୁର ଭାବେ ଚିତ୍ରଣ କରିପାରେ, ତାହାହିଁ ଆମକୁ ବିସ୍ମିତ କରିଥାଏ ! ଧନ୍ୟ ସେ ନାଟ୍ୟ ଶିଳ୍ପୀ !

 

ସେ ମରିବାର ଅନେକ ଦିନ ହୋଇଗଲାଣି ; କିନ୍ତୁ ଆଜି ସୁଦ୍ଧା ସେକ୍ସପିଅରପ୍ରେମୀମାନେ ତାଙ୍କ କଥା କହିଲାବେଳେ ଶତଜିହ୍ଵ ହୋଇଉଠନ୍ତି । ପ୍ରତିଦିନ ତାଙ୍କ ଉପରେ ନୂଆ ନୂଆ ତଥ୍ୟ ବାହାରୁଛି ଓ ଗବେଷଣା ଚାଲିଛି । ତାଙ୍କ କଥା ଭାବିଲେ ମନେହୁଏ, ସତେ ଯେପରି ସେ କହୁଛନ୍ତି, ‘କୀର୍ତ୍ତି ଯସ୍ୟ ସଃ ଜୀବତି’ । ତାଙ୍କ ଲେଖା ପ୍ରାୟ ପୃଥିବୀର ସବୁ ବହିଦୋକାନରେ ମିଳେ ତାଙ୍କ ଲେଖା ନଥାଇ ବହିଦୋକାନ ନାହିଁ କହିଲେ ଚଳେ । ଆପଣ ପରୀକ୍ଷା କରନ୍ତୁ ଦେଖିବେ, ବେଶି ନ ହେଲେ ମଧ୍ୟ ଯାହା ହେଲେ ଖଣ୍ଡେ ଲେଖା ତାଙ୍କର ଥିବ । ନାଟ୍ୟକାରଙ୍କର ନିଜ ରଚନା ନ ଥାଇପାରେ; ଆଉ ତାଙ୍କ ଉପରେ ଲିଖିତ ଅନ୍ୟ କାହାର କିଛି ନା କିଛି ଲେଖା ନିଶ୍ଚୟ ଥିବ ।

★★★

 

ମାର୍କିନ ମାଟିରେ ଜନ୍ମ ଯାହାର, ସେ ପୁଣି ଲାଲ ଚୀନର କଥାକାର

 

ଆପଣ ଯଦି ଇଂରେଜୀ ଉପନ୍ୟାସ ପଢ଼ୁଥିବେ କିମ୍ବା କେବେ ପେଙ୍ଗୁଇନ ସିରିଜ ପରି ଶସ୍ତା ସଂସ୍କରଣ ବହି ଦୋକାନକୁ ଯାଇଥିବେ, ତେବେ ‘ଗୁଡ଼୍‍ଆର୍ଥ’ ନାମ ନିଶ୍ଚୟ ଶୁଣିଥିବେ । ପୃଥିବୀର ଯେ କୌଣସି ବହି ଦୋକାନକୁ ଯାଆନ୍ତୁ, ଦେଖିବେ ‘ଗୁଡ଼୍‍ଆର୍ଥ’ । ଅନ୍ୟ ବହି ନ ପାଇପାରନ୍ତି, କିନ୍ତୁ ‘ଗୁଡ଼୍‍ଆର୍ଥ’ ନ ପାଇ ହତାଶ ହେବାର ଆଶା ଖୁବ କମ୍ । ଏହି ଉପନ୍ୟାସଟି ଦୁନିଆରେ ଦିନେ ଚହଳ ପକାଇଥିଲା । ପାର୍ଲସ ବକଙ୍କର ‘ଗୁଡ଼୍‍ଆର୍ଥ’ ଏକ ଅମର ସୃଷ୍ଟି । ଗୋଟିଏ ଚୀନ ପରିବାରର ଚାଲିଚଳନ, ଉତଥାନ ପତନକୁ ଭିତ୍ତିକରି ଏହି ଉପନ୍ୟାସ ଗଢ଼ି ଉଠିଛି । ବହିଟିର ଭାବ ପରିଭାଷା ଚମତ୍କାର । ଇଂରେଜୀରେ ଯଦି ୨୬ଟି ଅକ୍ଷର ଓ ଆଉ କେତେଗୋଟି ସାଧାରଣ କଥା ଜାଣିଥାନ୍ତି, ତେବେ ସବୁ ବୁଝିପାରିବେ । କିଛି ଅବୁଝା ରହିବ ନାହିଁ । ଆପଣ ଓଡ଼ିଆ ହୋଇ ବୈଦେହୀଶ ବିଳାସ ବୁଝି ନପାରନ୍ତି; କିନ୍ତୁ ଇଂରେଜ ଲେଖା ‘ଗୁଡ୍ଆର୍ଥ’ ନିଶ୍ଚୟ ବୁଝିବେ । କଥାଟା କେତେଦୂର ସତ୍ୟ, ପରୀକ୍ଷା କଲେ ବୁଝିପାରିବେ । ଏହି ବିଶ୍ଵବିଖ୍ୟାତ ବହିର ପ୍ରଖ୍ୟାତ ଲେଖିକା ଜଣେ ମାର୍କିନ ମହିଳା, ଆମରି ସେ ଅତି ପରିଚିତା ପାର୍ଲସ ବକ ।

 

ଏହି ବହିଟି ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା । ନୋବେଲ ପୁରସ୍କାର ଦାମ କେତେ ଜାଣନ୍ତି ତ ? ଜାଣି ନ ଥିଲେ ଜାଣିବାକୁ ଚେଷ୍ଟା କରନ୍ତୁ । ନୋବେଲ ପୁରସ୍କାରଟି ଖୁବ କମ କ୍ଷଣଜନ୍ମାଙ୍କ ଭାଗ୍ୟରେ ଜୁଟିଥାଏ । ପୃଥିବୀର କେତେଜଣ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି, କିଏ ଚେଷ୍ଟା କଲେ ଏକ ଦୁଇ କରି ଆଙ୍ଗୁଠି ଅଗରେ ଗଣିଦେଇ ପାରିବେ । ଏ ପର୍ଯ୍ୟନ୍ତ ଭାରତୀୟ ହିସାବରେ ସାହିତ୍ୟ ପାଇଁ ରବିଠାକୁରଙ୍କ ଭାଗ୍ୟରେ ଏ ସମ୍ମାନ ମିଳିଛି । ଗତ ୧୯୫୩ ମସିହାରେ ସାହିତ୍ୟ ପାଇଁ ବିଲାତର ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ଏହି ପୁରସ୍କାରଟି ପାଇଛନ୍ତି । ଏସବୁ ଆମ ସମସ୍ତଙ୍କର ମନେ ରଖିବା କଥା ।

 

ଏହି କଥାକାର ପ୍ରଖ୍ୟାତ ରମଣୀ କେବଳ ‘ଗୁଡ୍ଆର୍ଥ’ ନୁହଁ, ଅନେକଗୁଡ଼ିଏ ବହି ରଚନା କରିଛନ୍ତି । କ୍ଷୁଦ୍ର ଗଳ୍ପ ଉପରେ ମଧ୍ୟ ଲେଖିକାଙ୍କର ହାତ ଥିଲା । ବିଷୟବସ୍ତୁର ତାରତମ୍ୟ ନ ହୋଇପାରେ; କିନ୍ତୁ ସବୁ ବହିରେ ଗୋଟିଏ କଥା ଲକ୍ଷ୍ୟ କରିପାରିବେ । ତାହା ହେଉଛି ଚୀନକଥା । ଅଳ୍ପ ଅଧିକେ ସବୁଥିରେ ଚୀନଜୀବନ, ତା’ର ଚାରୁପ୍ରକୃତି, ସମରକାହାଣୀ, ବନ୍ୟା ବିତ୍ପାତର ମର୍ମନ୍ତୁଦ କରୁଣ କାହାଣିର ନିଖୁଣ ପ୍ରତିବିମ୍ବ ପାଇପାରିବେ । ବାସ୍ତବରେ ବକଙ୍କ ପକ୍ଷରେ ଚୀନର ଗୋଡ଼ି ମାଟି କେଡ଼େପ୍ରିୟ ! ଚୀନ ସହିତ ଯାର ପ୍ରତି ଶିରାପ୍ରଶିରା ଏପରି ନିଗୂଢ଼ ଭାବେ ଜଡ଼ିତ, ସେ ଯେ ଜଣେ ଚୀନର ରମଣୀ ନୁହନ୍ତି ଜାଣିଲେ ବିସ୍ମୟର ସୀମା ରହେନାହଁ । ସତରେ ସେ ଚୀନା ନୁହନ୍ତି, ଘର ତାଙ୍କର ମାର୍କିନ ମାଟିରେ । ଦକ୍ଷିଣ ଭର୍ଜିନିଆର ହିଲ୍ସବରୋ ନାମକ ଜାଗାରେ ଜନ୍ମ ତାଙ୍କର । ତାଙ୍କର ଜନ୍ମ ପାଇଁ କେବଳ ୧୮୯୨ ମସିହାଟି ଆମ ସମସ୍ତଙ୍କର ସ୍ମରଣୀୟ ।

 

ସେ ମାର୍କିନ ମାଟିରେ ଜନ୍ମ ହୋଇଥିଲେ ସତ, ଚୀନ ମାଟିରେ କିନ୍ତୁ ହେଲେ ମଣିଷ ଚୀନର ବିରାଟ ପ୍ରାଚୀର, ନଦନଦୀ, ଚାରୁପ୍ରକୃତି ପାଇଁ ସେ ସିନା ଆଜି କଥାକାର ! ସେ ସେକଥା ସ୍ୱୀକାର କରନ୍ତି । ଚୀନ ତାଙ୍କ ରକ୍ତମାଂସ ଠାରୁ ଆହୁରି ପ୍ରିୟ । ସେଥିପାଇଁ ବୋଧେ ଅତି ପିଲାଟି ଦିନୁ ସେ ମା’ଙ୍କ କଥା ମାନୁ ନଥିଲେ । ମା’ ବରାବର ଶିଖାନ୍ତି–ଯେ ପଚାରିବେ କହିବୁ ଆମଘର ଆମେରିକା । ନିମକ ସଚ୍ଚା ବକ କିନ୍ତୁ ଯା’ ର ଖାଆନ୍ତି, ତା’ର ଗାଆନ୍ତି । ପଚାରିଲେ କହନ୍ତି–ଘର ଚୀନ । ସତରେ କେଡ଼େ ସଚୋଟ ପିଲାଟିଏ ! ବକଙ୍କ ବାପ ମା ମିସନାରୀ କାମ କରୁଥିଲେ । ପ୍ରଚାର ନିମନ୍ତେ ଅନ୍ୟ ଦେଶ ପରି ଚୀନ ଆସିଥିଲେ । ସେମାନେ ଆସିଲାବେଳେ ପାର୍ଲସ ବକ ଖୁବ ଛୋଟ ଶିଶୁ, ମୋଟେ ଚାରି ବର୍ଷର । ‘ୟାଙ୍ଗଚି’ ଚୀନର ଗୋଟିଏ ଛୋଟ ନଦୀ । ତାରି କୂଳରେ ଛୋଟିଆ ବଙ୍ଗଳାଟିଏ । ସେଥିରେ ସେମାନେ ରହୁଥିଲେ । ବାରଣ୍ଡାରେ ଠିଆ ହେଲେ ନିକଟରେ ଥିବା ସହର ଦେଖାଯାଏ । ତା’ ବ୍ୟତୀତ ପାଖରେ ଥିବା ଛୋଟ ବଡ଼ ଅନେକ ପଥୁରିଆ ପାହାଡ଼, ବାଉଁଶବୁଦାଟିଏ ଓ ଛୋଟିଆ ମନ୍ଦିରଟିଏ ଥାଏ । ପିଲାଟି ଦିନୁ ପାର୍ଲସ ବକ ବସିବସି ସେସବୁ ନିବିଡ଼ ଭାବେ ନିରୀକ୍ଷଣ କରୁଥିଲେ । ବହୁତ ଖୁସି ହେଉଥିଲେ ।

 

ପ୍ରଚାର କାମରେ ବାପମା ବାହାରି ଯାଆନ୍ତି । ଛୋଟ ବକ୍ ଏକା ଘରେ ରହନ୍ତି । ପିଲାର ଯତ୍ନ ନେବା ପାଇଁ ଘରେ ଗୋଟିଏ ବୁଢ଼ୀଧାଈ ଥାଏ । ବୁଢ଼ୀ ବେଶ ସୁନ୍ଦର ଗପ କହିପାରେ-। ଗପ କହିବା ପାଇଁ ସେ ବୁଢ଼ୀକୁ ଅଳି କରନ୍ତି । ସେ ଗପକହେ, ବାଳିକା ବକ ମନଦେଇ ଶୁଣନ୍ତି-। ଗପ ଭିତରେ ବୁଢ଼ୀର ପିଲା କାଳକଥା, ବୌଦ୍ଧ ପ୍ରଚାରକଙ୍କ କଥା ଓ ଟାଓଙ୍କ ନୀତି ଶିକ୍ଷାର କ୍ଷୁଦ୍ରଗଳ୍ପଗୁଡ଼ିକ ପ୍ରଧାନ । ବକ ନିଜେ କହନ୍ତି–ସବୁଗପ ଭିତରେ ଟାଓଙ୍କ ଗପଗୁଡ଼ିକ ଶୁଣିବା ପାଇଁ ତାଙ୍କୁ ଭାରି ଭଲ ଲାଗୁଥିଲା । ସେସବୁ ଅବିକଳ ବୁଢ଼ୀ ଅସୁରୁଣୀ, ଅପ୍ସରୀ, ରଜାପୁଅ, ମନ୍ତ୍ରୀପୁଅଙ୍କ କାହାଣୀ ପରି । ଗପ କହିବା ପାଇଁ ବାପମାଙ୍କୁ ମଧ୍ୟ ସେ ଅନେକ ସମୟରେ କହୁଥିଲେ-। ସେମାନେ ତାଙ୍କୁ ନିଜ ଦେଶର ବିଶିଷ୍ଟ ଯୋଦ୍ଧା, ସାହିତ୍ୟିକ, ରାଜନୀତିଜ୍ଞମାନଙ୍କ ଜୀବନୀ ଓ ମିସନାରୀ ଜୀବନର ଅନୁଭୂତିକୁ କଥା ଆକାରରେ ଶୁଣାଉଥିଲେ । ପରଜୀବନରେ ଏହି କଥାଗୁଡ଼ିକ କଥାକାରଙ୍କୁ ଯଥେଷ୍ଟ ଖାଦ୍ୟ ଯୋଗାଇଛି । ମା’ ଯେ କେବଳ ଗପ ଶୁଣାଉ ଥିଲେ ତା ନୁହେଁ, କଥା ସଙ୍ଗେ ସଙ୍ଗେ ସଙ୍ଗୀତ ବି ଶିଖାଉଥିଲେ । ପ୍ରକୃତିରେ କୌଣସି ସୁନ୍ଦର ଜିନିଷ ଦେଖୁଥିଲେ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇଦେଉଥିଲେ । ଶିଶୁ ବକଙ୍କ ଚକ୍ଷୁ ଦୁଇଟି ସେଥିରେ ଲାଖି ଯାଉଥିଲା ।

 

ପ୍ରଥମେ ସେ ଗୋଟିଏ ଚୀନ ସ୍କୁଲରେ ଯୋଗ ଦେଇଥିଲେ । ପିଲାଦିନୁ ଚୀନ ଭାଷା ଶିକ୍ଷା କରୁଥିଲେ । ଚୀନ ଭାଷା ଛଡ଼ା ଇଂରେଜୀ ତାଙ୍କୁ ତ ଜନ୍ମରୁ ଜଣା । ସେତେବେଳେ ଚୀନରେ ପିଲାଙ୍କ ପାଇଁ ‘’ସାଙ୍ଘାଇ ମର୍କରି’ ନାମରେ ଏକ କାଗଜ ପ୍ରକାଶିତ ହେଉଥିଲା । ସେଥିରେ ପାର୍ଲସବକ ଧାରାବାହିକ ଲେଖାଲେଖି କରୁଥିଲେ । ବରାବର ପୁରସ୍କୃତ ହେଉଥିଲେ । ସେ ସେଦିନ ଜଣେ ବିଶିଷ୍ଟ ଲେଖିକା ହେବେ, ପିଲାଟିଦିନୁ ତାହା ଜଣାପଡ଼ୁଥିଲା । ବନସ୍ତ କଣ୍ଟା ମୂଳରୁ ଗୋଜା । କଥାଟା କିଛି ମିଛ ନୁହେଁ ।

 

ତାଙ୍କୁ ଯେତେବେଳେ ପନ୍ଦର ବର୍ଷ, ସେତେବେଳେ ସେ ସାଙ୍ଘାଇରେ ଛାତ୍ରୀ । ତା’ର ଠିକ୍ ଦୁଇବର୍ଷ ପରେ ଅର୍ଥାତ୍ ୧୭ବର୍ଷ ବୟସରେ କଲେଜ ଶିକ୍ଷାପାଇଁ ରାଣ୍ଡୋଲଫ୍-ମକୋନ କଲେଜରେ ଭର୍ତ୍ତି ହେଲେ । ସେ ନିଜେ କହନ୍ତି, କଲେଜର କାନ୍ଥ-ଘେରା ଜୀବନ ତାଙ୍କୁ ଆଦୌ ସୁଖ ଲାଗୁ ନଥିଲା । ଅନ୍ୟ ଝିଅଙ୍କ ପରି ସେ କଲେଜ-ଜୀବନ ଉପଭୋଗ କରିପାରୁ ନଥିଲେ । ସେ କଲେଜରେ ନେତ୍ରୀ କିମ୍ବା ସଭାନେତ୍ରୀ ହେଉନଥିଲେ । ସାହିତ୍ୟ ତାଙ୍କର ବିଶେଷ ପ୍ରିୟ ଥିଲା । ପଢ଼ୁଥିବା ସମୟରେ ସେ ସାହିତ୍ୟ ପାଇଁ ଦୁଇଟି ପୁରସ୍କାର ପାଇଥିଲେ । ସେଥିରୁ ଗୋଟିଏ କ୍ଷୁଦ୍ର ଗଳ୍ପପାଇଁ ।

 

ପଢ଼ା ଶେଷରେ ଶଯ୍ୟାଶାୟୀ ମା’ଙ୍କ ଯତ୍ନ ନେବା ପାଇଁ ତାଙ୍କୁ ଚୀନ ଫେରି ଆସିବାକୁ ପଡ଼ିଥିଲା । ଦୁଇବର୍ଷର ଦୀର୍ଘ ସେବା ଶୁଶ୍ରୂଷା ପରେ ମାଆ ଆରୋଗ୍ୟ ହୋଇଥିଲେ । ଠିକ୍ ଏହି ସମୟରେ ଜନୈକ ଆମେରିକା ତରୁଣଙ୍କ ସଙ୍ଗେ ତାଙ୍କର ବିବାହ ହେଲା । ସ୍ଵାମୀ ବି ଚୀନରେ କାମ କରନ୍ତି । ସ୍ଵାମୀଙ୍କ ଚାକିରୀ ପାଇଁ ଉତ୍ତର ଚୀନର ଗୋଟିଏ ସହରରେ ତାଙ୍କୁ ପାଞ୍ଚଟି ବର୍ଷ କଟାଇବାକୁ ପଡ଼ିଥିଲା ।

 

ଏହି ସମୟରେ ଲୋକଙ୍କ ସଙ୍ଗେ ବନ୍ଧୁତା କରିବା ଓ ଚୀନ ଜୀବନ, ଆଚାର ବ୍ୟବହାର ନିରୀକ୍ଷଣ କରିବା ପାଇଁ ତାଙ୍କୁ ଖୁବ୍ ସୁବିଧା ହୋଇଥିଲା । ତା’ପରେ ସେମାନେ ନାନକିଙ୍ଗ ଆସିଥିଲେ । ସେଠାରେ ବିଶ୍ଵବିଦ୍ୟାଳରେ ସ୍ଵାମୀ ଅର୍ଥନୀତିର ଅଧ୍ୟାପକ । ଏଠାରେ ସେମାନଙ୍କୁ ଏକକାଳୀନ ଦଶଟି ବର୍ଷ ରହିବାକୁ ପଡ଼ିଥିଲା । ଅବଶ୍ୟ ପୂରା ନୂଆଜୀବନ, ସବୁବେଳେ ଶିକ୍ଷିତ ସମାଜରେ ବୁଲାଚଲା ।

 

ଏହି ସମୟରେ ଘରକାମ, ବାପ ମା’, ଛୋଟ ପିଲାଙ୍କ ଯତ୍ନ ନେବାରେ ଓ ନିଜ ସ୍ଵାମୀଙ୍କୁ ହିସାବ କାମରେ ସାହାଯ୍ୟ କରିବାରେ ସର୍ବଦା ବ୍ୟସ୍ତ ରହୁଥିଲେ । ପ୍ରେସ୍, ବ୍ରିଟେରିଆନ ପ୍ରଚାରକ ହିସାବରେ ନାନକିଙ୍ଗ ଦକ୍ଷିଣ-ପୂର୍ବ ଓ ପରେ ଚୁଆଙ୍ଗହ୍ୟାଙ୍ଗ ବିଶ୍ଵବିଦ୍ୟାଳୟର ଇଂରେଜୀ ସାହିତ୍ୟ ପଢ଼ାଉଥାନ୍ତି । କାମ, କାମ, କାମ–ସବୁବେଳେ କାମ; ମରିବାକୁ ବେଳନାହିଁ । ଲେଖାଲେଖିର ପ୍ରଶ୍ନଉଠୁଛି କେଉଁଠି ? ସେଦିନ ନ ଲେଖୁଥିଲେ ବି ଦିନେ ଯେ ନିଶ୍ଚୟ ଲେଖିବେ, ଏଇ ଦୃଢ଼ ଧାରଣା ମନରେ ଥାଏ । ଅନେକ ସମୟରେ ସୁନ୍ଦର କଥାବସ୍ତୁ ମନେ ମନେ ଠିକ କରି ରଖନ୍ତି । ବହୁତ ଦିନ ପରେ ୧୯୨୨ ମସିହାରେ ପୁଣି ତାଙ୍କୁ ସମୟ ମିଳିଲା । ପୁଣି ଲେଖାଲେଖିରେ ସେ ବ୍ୟସ୍ତ ରହିଲେ । ଲେଖା ସବୁ ବେଶ୍ ଆଦୃତ ହେଲା ।

 

କର୍ଣ୍ଣେଲରେ ପଢ଼ି ଏମ୍. ଏ. ଡିଗ୍ରୀ ପାଇବା ପାଇଁ ୧୯୨୫ ମସିହାରେ ସେ ସ୍ୱାମୀଙ୍କ ସଙ୍ଗେ ଆମେରିକା ଯାଇଥିଲେ । ସେହି ସମୟରେ ସେ ଲାଭରା ମେସେଞ୍ଜର ପୁରସ୍କାର ପାଇଥିଲେ । ଏ ବହିଟି ଇତିହାସ ଛାତ୍ରଙ୍କୁ ମିଳେ । କିନ୍ତୁ ସେ ବର୍ଷ ବକ୍ ଇତିହାସ ଛାତ୍ରୀ ନଥାଇ ମଧ୍ୟ ପୁରସ୍କାର ପାଇ ସମସ୍ତଙ୍କର ପ୍ରିୟ ଓ ପ୍ରଶଂସାର ପାତ୍ରୀ ହୋଇପାରିଥିଲେ । ସତରେ ଇଂରେଜ ପଢ଼ି ଇତିହାସରେ ପୁରସ୍କାର ନେବା କିଛି ଥଟ୍ଟାର କଥା ନୁହେଁ । China and the West (ଚାଇନା ଓ ପାଶ୍ଚାତ୍ୟ) ଥିଲା ବିଷୟ ବସ୍ତୁ । ବୁଦ୍ଧି ଥିଲେ ଇଂରେଜୀ ବା ଇତିହାସ ଭିତରେ ତଫାତ୍ କ’ଣ ?

 

ଦି କଲିଫୋନ (The Colyphon) ବକଙ୍କ ପ୍ରଥମ ଚେଷ୍ଟା ! ୧୯୨୫ରେ ଏହା ଗୋଟିଏ କ୍ଷୁଦ୍ର ଗଳ୍ପ ଆକାରରେ ଆତ୍ମ ପ୍ରକାଶ କରିଥିଲା ଏବଂ ପରେ ଏହାକୁ ବଢ଼ାଇ ଦିଆଯାଇଛି-। ଏହି ବହି ପରେ ଗୋଟି ଗୋଟି କରି ୨୪ଖଣ୍ଡ ବହି ସେ ଲେଖିଛନ୍ତି ।ସବୁର ଭାଷା ସିଧାସଳଖ-। ପ୍ରକାଶ ଭଙ୍ଗୀ ଅନ୍ୟ କାହାର ଅଛି କି ନାହିଁ ସନ୍ଦେହ । East wind; West wind (ଇଷ୍ଟ ଉଇଣ୍ଡ, ୱେଷ୍ଟ ଉଇଣ୍ଡ) ବେଶ କାଟ୍‍ତି ହେଲା । ତାଙ୍କ ବହି ଯେ ଜନସାଧାରଣରେ ନିଶ୍ଚୟ ଆଦୃତ ହେବ, ଏହି ଧାରଣା ତାଙ୍କର ଦୃଢ଼ୀଭୂତ ହୋଇଗଲା । ଦ୍ଵିଗୁଣିତ ଉତ୍ସାହରେ ସେ କାମରେ ଲାଗିଗଲେ । ପ୍ରଶଂସା ପାଇଲେ କାମ ନ କରିବ କିଏ ? ୧୯୩୦ରେ ‘ଗୁଡ୍ଅର୍ଥ’ ର ରଚନା ଶେଷ ହେଲା ଓ ପରବର୍ଷ ପ୍ରକାଶ ପାଇଲା । ‘ଗୁଡ୍ଆର୍ଥ’ ପାଠକ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କଲା-। ଦିନେ ନୁହେଁ, ଦୁଇଦିନ ନୁହେଁ, ମାସ ମାସ ଧରି ୨୧ ମାସ ଆମେରିକାର ବେଷ୍ଟ ସେଲସ (Best sells) ଲିଷ୍ଟରେ ରହିଲା । ‘ଗୁଡ୍ଆର୍ଥ’ ଶ୍ରୀମତୀ ବକଙ୍କ ସୁନାମ ପାଇଁ ସତରେ ‘ଗୁଡ୍ଆର୍ଥ, ଯାହାକୁ ଓଡ଼ିଆରେ ଆମ କହିବା ଭଲ ମାଟି ତାହାହିଁ ଯୋଗାଇଥିଲା । ଯଥାର୍ଥରେ ଏହିବର୍ଷ ପାଇଁ ସେ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେଲେ; ବିଶ୍ଵର ନମସ୍ୟ ହେଲେ । ଦୈନିକ, ମାସିକ, ବାର୍ଷିକ ସେ କୌଣସି ପତ୍ରିକାଗୁଡ଼ିକୁ ଲେଖିକାଙ୍କର ଦାନ କିଛି କମ ନୁହେଁ ।

 

ଉପନ୍ୟାସ ଲେଖିବା ତାଙ୍କର ଏକ ନିଶା । ଲେଖାଲେଖି ନ କଲେ ତାଙ୍କୁ ଶାନ୍ତି ମିଳେ ନାହଁ । କିନ୍ତୁ ସେ ନିଜେ କହନ୍ତି–ଉପନ୍ୟାସ ଲେଖିବା ଏବଂ ପଢ଼ିବା ଜୀବନର ଏକ ପ୍ରୟୋଜନୀୟ କଥା ବୋଲି ମୋର ମୋଟେ ମନେ ହୁଏ ନାହିଁ । ଲକ୍ଷଲକ୍ଷ ଚୀନବାସୀ ଉପନ୍ୟାସ ନ ଲେଖି, ନ ପଢ଼ି ମଧ୍ୟ ଦେଶରେ ସୁଖରେ ଅଛନ୍ତି । ସେଥିପାଇଁ ମୁଁ ସେମାନଙ୍କୁ ସମ୍ମାନ କଲେ ମଧ୍ୟ ବେଳେବେଳେ ହିଂସାକରେ ।

★★★

 

ଅଶ୍ରୁ ଯା’ର ଆଶ୍ରୟ, ପ୍ରତି ଶବ୍ଦ ତା’ର ତିନି ପାଉଣ୍ଡ

 

ଦୀର୍ଘ ଛଅ ମାସଧରି ଛାତ୍ରମାନେ ଯେଉଁ ବହିଉପରେ ଅଧ୍ୟାପକଙ୍କ ବକ୍ତୃତା ଶୁଣି ଆସୁଥିଲେ, ସେହି ବିଷୟଟି ଆଜି ଦେଖିବାକୁ ପାଇବେ ରୂପେଲି ପରଦାରେ । ପରୀକ୍ଷା ଦୃଷ୍ଟିରୁ ଭଲ । ଗୋଟିଏ ମାତ୍ର ସୋ ! ସେଥିପାଇଁ ଟିକେଟ ଘରେ ଛାତ୍ରମାନଙ୍କର ଏତେ ଭିଡ଼, ସିନେମା ହଲରେ ଏ କଳରବ । କି ଛବି ଜାଣନ୍ତି ନା ? ଅମର ଲେଖକଙ୍କର ଅମୃତ ସୃଷ୍ଟି ‘ଡାଭିଡ୍ କପର ଫିଲଡ୍’ । ଯେଉଁ ଡିକେନ୍ସଙ୍କ ପାଇଁ କଟକ କ୍ୟାପିଟାଲ ସିନେମାରେ ବି ଏତେ ଚହଳ, ତାଙ୍କରି କଥା ଶୁଣନ୍ତୁ । ସେ ଇଂରେଜ ଜାତିର ଜଣେ ବିଶିଷ୍ଟ ଲେଖକ । ଇଂରେଜ ଭାଷାରେ ତ ଅନେକ ଲେଖିଛନ୍ତି ଓ ଲେଖିବେ; ହେଲେ ଚାର୍ଲସ ଡିକେନ୍ସଙ୍କ ପରି କେହି ଲେଖିପାରିବେ ନାହିଁ । ଖଣ୍ଡ ଖଣ୍ଡ କରି ସେ ୧୭ ଖଣ୍ଡ ବହି ଲେଖିଛନ୍ତି । କେଉଁ ଖଣ୍ଡିକୁ ବି ଖରାପ କହିହେବ ନାହିଁ ; କାରଣ ଏକକୁ ଆରେକ ବଳି । ତାଙ୍କର ୧୭ ଖଣ୍ଡ ଉପନ୍ୟାସ ସାହିତ୍ୟ ଜଗତର ୧୭ଟି ଜ୍ଜ୍ୱଳନ୍ତ ପ୍ରଦୀପ । କାଗଜ କଲମ ଉପରେ ତାଙ୍କର କିପରି ହାତ ଥିଲା କଳ୍ପନା କରନ୍ତୁ । ସତର ଖଣ୍ଡି ଉପନ୍ୟାସ ସେ ଲେଖିଛନ୍ତି, ସେ ଲେଖାଲେଖି ନିହାତି ପିଲାଦିନୁ ଆରମ୍ଭ କରିଥିବେ ଓ ତାଙ୍କ ନାଁ ପଛରେ ଅନେକ ଗୁଡ଼ାଏ ଡିଗ୍ରୀ ଥିବ ନିଶ୍ଚୟ ; କିନ୍ତୁ ସତ କହିବାକୁ ଗଲେ ପିଲାଦିନେ ସେ ମୋଟେ ଲେଖାଲେଖି କରୁ ନଥିଲେ । ଏତ ଗଲା ଲେଖାଲେଖି କଥା । ଏବେ ଶିକ୍ଷା କଥା ଶୁଣନ୍ତୁ । ଶିକ୍ଷାଥିଲା ତାଙ୍କର ସାମାନ୍ୟ । ଚାରି ବର୍ଷ ପାଇଁ ମୋଟେ ସେ ସ୍କୁଲକୁ ଯାଇଥିଲେ । କିନ୍ତୁ ଏଇ ଚାରି ବର୍ଷ ଶିକ୍ଷାପାଇ ସେ ଯାହା କରିଯାଇଛନ୍ତି, ଚାଳିଶ ବର୍ଷିଆ ଶିକ୍ଷିତଙ୍କର ସେସବୁ ଦେଖି ମୁଣ୍ଡ ଘୂରିଯାଏ । ବାସ୍ତବିକ୍‍ ଲେଖକ ହେବା ପାଇଁ ସ୍କୁଲ କଲେଜ ପଢ଼ା ଅବା ବିଶ୍ଵବଦ୍ୟାଳୟ ଡିଗ୍ରୀର ପ୍ରୟୋଜନ ନାହିଁ । ପ୍ରୟୋଜନ ମନ ଓ ଚେଷ୍ଟା । ଚାର୍ଲସ ଚେଷ୍ଟାରୁ ଆଜି ଏତେ ବଡ଼ । ଚେଷ୍ଟାକଲେ ଆପଣ କିମ୍ବା ମୁଁ ଯେ ଚାର୍ଲସଙ୍କୁ ବଳି ନ ଯିବା କିଏ କହିବ ! ନିରାଶ ହେବାର କିଛି ନାହିଁ । ସବୁ ହେବ–ଆମର ପରିବେଷ୍ଟନୀ ଯାହା ଥାଉନା କାହିଁକି ! ପରିବେଷ୍ଟନୀ ବଡ଼ କଥା ନୁହେଁ । ବଡ଼କଥା ହେଉଛି ମନ । ପରିବେଷ୍ଟନୀ କେବେ କାହାକୁ ଟାଣି ରଖିପାରିବ ନାହିଁ । ସବୁବେଳେ ପଙ୍କରୁ ପଙ୍କଜର ଜନ୍ମ । ସବୁ ସୂର୍ଯ୍ୟ ତ ଅନ୍ଧକାରର ଅନ୍ତଫାଡ଼ି ଜନ୍ମ ନେଇଛନ୍ତି । ଗର୍କି କହନ୍ତୁ, ଏଚ୍.କି, ଉଏଲ୍ସ କୁହନ୍ତୁ, ସମସ୍ତେ ଉଠିଛନ୍ତି ଏଇ ମାଟିରୁ । ଆମର ଡିକେନ୍ସ ବି ସେଇଆ ।

 

ଚାର୍ଲସ ଡିକେନ୍ସ ପିଲାଦିନୁ ଅଭାବରେ ବଢ଼ିଛନ୍ତି । ସେତେବେଳେ ମୋଟେ ତାକୁ ଦଶବର୍ଷ ପେଟକୁ ମୁଠାଏ ଖାଇବା ଓ ଦେହକୁ ପିନ୍ଧିବାକୁ ପୋଷାକ ଖଣ୍ଡିଏ ନ ଥାଏ । କୁକୁର ବିଲେଇ ପିଲାଙ୍କ ପରି କାରଖାନା ଘରେ ଚୁପଚାପ୍‍ ଶୋଇ ସେ ଅନେକ ଦିନ କଟାଇଛନ୍ତି । ପେଟ ପାଇଁ କାରଖାନାରେ କାମ କରିଛନ୍ତି ତାଙ୍କ କାମ ହେଲା ବୋତଲରେ ଠିପି ଲଗେଇ ମୁହଁ ବନ୍ଦ କରିବା ଓ କମ୍ପାନୀ ବ୍ରାଣ୍ଡ କାଗଜରେ ଅଠାଦେଇ ବୋତଲରେ ମାରିବା । ପରଜୀବନରେ ଯେଉଁ ଲେଖକ ଶତମୁଖରେ ଫୁଟାଇଛନ୍ତି ହସର ଜୁଆର ତାଙ୍କର ବାଲ୍ୟ ଜୀବନ ସତେ କି ମର୍ମନ୍ତୁଦ, କି କରୁଣ !

 

ଡିକେନ୍ସ ଲେଖକ ହେବା ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । ଗପ ପରେ ଗପ ଲେଖି ସେ କାଗଜକୁ ପଠାଇଛନ୍ତି । କିନ୍ତୁ ସମ୍ପାଦକଙ୍କର ଦୃଷ୍ଟି ଆକର୍ଷଣ କରିପାରି ନାହାନ୍ତି । ସେଥିପ୍ରତି ତାଙ୍କର ଖିଆଲ ନାହିଁ । ପ୍ରତୀକ୍ଷା କରିବା କେଦବଳ ସାର ହୋଇଛି । ସେ ଭାଙ୍ଗି ପଡ଼ିବା ଉପରେ । ପ୍ରତୀକ୍ଷା କରିବାର ତ ପୁଣି ଗୋଟାଏ ସୀମା ଅଛି । ଶେଷରେ ଦିନେ ତାଙ୍କର ଗୋଟିଏ ଲେଖା କାଗଜରେ ପ୍ରକାଶ ପାଇଲା । ସେ ପୁରସ୍କୃତ ହେଲେ ଗୋଟିଏ ପାଉଣ୍ଡ । ପୁରସ୍କାର ନେଇ ସେ ସେତେ ଭାବି ନାହାନ୍ତି । ଲେଖାଟି ଦେଖି ତାଙ୍କର ସ୍ଵର୍ଗ ପାଇଲା ପରି ମନେହେଲା । ଆନନ୍ଦରେ ଆଖିରୁ ତାଙ୍କର ଝରିପଡ଼ିଲା ଅଶ୍ରୁବିନ୍ଦୁ । ପାଗଳପରି ଲଣ୍ଡନର ଗଳିକନ୍ଦିରେ ସେ ବୁଲି ଆସିଲେ । ପ୍ରଥମ କରି ଜଣାଶୁଣା ଲୋକଙ୍କ ପାଖରେ ନିଜ ନାମଟା ଛପାହୋଇ ବାହାରିଲେ ଖୁସି ନ ହେବ ଅବା କିଏ ? ସେ ତ ସହଜେ ଚାହିଁ ବସିଥିଲେ । ଏଇ ସାମାନ୍ୟ ସୁବିଧା ଟିକକ ନ ମିଳିଥିଲେ ଏତେ ବଡ଼ ଲେଖକ ହୁଏତ ମଉଳି ପଡ଼ିଥାନ୍ତେ ବଣର ମାଳତି ପରି ।

 

ଡିକେନ୍ସ ଥିଲେ ବଡ଼ ଦୟାଳୁ । ତାଙ୍କର ସମାଲୋଚନା ପାଇଁ ପ୍ରାଣଭୟ । ସେ ଯେତେବେଳେ ପ୍ରଥମ ଲେଖାଟି କାଗଜକୁ ପଠାଇଥିଲେ କେହି ଜାଣନ୍ତି ନାହିଁ । ତାଙ୍କ ପରି ଗୋଟିଏ ବାଳକ ଲେଖିବାର ଧୃଷ୍ଟତା କରିଛି ଜାଣିଲେ ଲୋକେ ହୁଏତ ହସିବେ ଏଥିଲାଗି ସମସ୍ତଙ୍କ ଅଜଣାତରେ ରାତିରେ ସେ ଲେଖାକୁ ଡାକରେ ପଠାଇଥିଲେ । ଲୋକେ ହସନ୍ତେ କାହିଁକି ? ନିଜ ଭୟ ସିନା ନିଜକୁ ଖାଏ ! ଆତ୍ମବିଶ୍ଵାସ ତାଙ୍କର କେତେ କମ୍ ଥିଲା ଦେଖନ୍ତୁ । ସେ ଯାହାହେଉ ଏଥିପାଇଁ ଲୋକେ ହସନ୍ତୁ ଅବା ନିନ୍ଦା କରନ୍ତୁ ପରଜୀବନରେ କିନ୍ତୁ ଲେଖକ ସାରା ଦୁନିଆକୁ ହସାଇଛନ୍ତି । ତାଙ୍କ ଲେଖା ବାହାରିବ ଲୋକେ ଚାତକ ପରି ଚାହିଁ ରହିଛନ୍ତି । ଗଣତିରୁ ଜଣାଯାଇଛି ଗଲା ଶହେ ବର୍ଷ ମଧ୍ୟରେ ଡିକେନ୍ସଙ୍କର ସବୁଠାରୁ ବହୁତ ବହି ବିକ୍ରି ହୋଇଛି । ଏପରିକି ବାଇବେଲ୍ ଓ ସେକ୍ସପିଅରଙ୍କୁ ତାହା ଟପିଯାଇଛି । ତାଙ୍କର ସବୁ ଭୟ ଉଭୟ ପ୍ରକାରେ ସଫଳତା ଅର୍ଜନ କରିଛି । ସାଧାରଣତଃ ପଢ଼ିବା ପାଇଁ ଯେମିତି, ରଙ୍ଗମଞ୍ଚ ପାଇଁ ତଥା ସିନେମା ପାଇଁ ବି ସେମିତି ଉପଯୁକ୍ତ ହୋଇଛି ।

 

ଅତି ବେଶି ହେଲେ ଜଣେ ଲେଖକକୁ ସାଧାରଣତଃ ମରିବାର ପନ୍ଦର ଷୋଳ ବର୍ଷ ମଧ୍ୟରେ ଲୋକେ ଭୁଲି ଯାଆନ୍ତି । କିନ୍ତୁ ମରିବାର ଦୀର୍ଘ ୬୪ ବର୍ଷ ପରେ ଚାର୍ଲସଙ୍କ ଲିଖିତ ‘ଆମର ମୁନିବ’ (The Story of our Lord) ଛୋଟ ବହିଟି ପାଇଁ ପ୍ରକାଶକ ୪୦,୦୦୦ପାଉଣ୍ଡ ତାଙ୍କର ବଂଶଧରମାନଙ୍କୁ ଦେଇଥଲେ । ଏସବୁ ସେ ନିଜ ପିଲାଙ୍କ ପାଇଁ ଲେଖିଥିଲେ । ତାଙ୍କର ବହି ସର୍ବସାଧାରଣରେ କିପରି ଆଦୃତ ହୁଏ ସେହି କଥା ଶୁଣନ୍ତୁ । ଖ୍ରୀଷ୍ଟମାସ ସମୟ ।ସବୁଠି ହସଖୁସି ମଉଜ ମଜଲିସ୍‍ ।ପରସ୍ପର ପରସ୍ପରକୁ ପଚାରନ୍ତି–'ଆପଣ କ’ଣ ସେ ବହିଟି ପଢ଼ିସାରିଲେଣି । ଉତ୍ତର ମିଳେ–ହଁ ନିଶ୍ଚୟ, ବେଶ ଚମତ୍କାର ହୋଇଛି, ଭଗବାନ ତାଙ୍କର ମଙ୍ଗଳ କରନ୍ତୁ । ଲେଖକଙ୍କର ସେ ପୃଥିବୀ ବିଖ୍ୟାତ ବହିଟିର ନାମ କ’ଣ ଜାଣନ୍ତି ନା ! ତା’ର ନାମ ହେଉଛି ‘’Christmas Carol’’ ପୃଥିବୀରେ ଛୋଟ ଅଥଚ ସୁନାମଧନ୍ୟ ବହି । ପ୍ରଥମ ଯେଉଁ ଦିନ ବହି ପ୍ରକାଶିତ ହେଲା ସେଦିନ କେତେ କପି ବିକ୍ରି ହୋଇଛି ଜାଣନ୍ତି ନା ? ପାଞ୍ଚ ନୁହେଁ କି ପଚାଶ ନୁହେ, ଖଣ୍ଡ ଖଣ୍ଡ କରି ହଜାର କପି । ଦେଖୁ ଦେଖୁ ପନ୍ଦରଦିନରେ ପନ୍ଦର ହଜାର କପି ଖତମ୍ । ପୃଥିବୀରେ ପ୍ରାୟ ସବୁ ଭାଷାରେ ଏହି ବହିଟି ଅନୁବାଦିତ ହୋଇଅଛି । ଏ ଭଳି ଲେଖକଙ୍କର ଆଉ କ’ଣ ଟଙ୍କାର ଅଭାବ ହୁଅନ୍ତା ! ବହିରୁ ସେ ଅନେକ ଟଙ୍କା ପାଇଛନ୍ତି । ମନେଥିବ କହିଛି ପ୍ରଥମ ଗପଟି ପାଇଁ ସେ ଗୋଟିଏ ମାତ୍ର ପାଉଣ୍ଡ ପାଇଥିଲେ; କିନ୍ତୁ ଦିନ ଆସିଲା ଯେତେବେଳେ କି ତାଙ୍କର ଳିଖିତ ଶେଷ ପାଣ୍ଡୁଲିପିଟିର ପ୍ରତିଶବ୍ଦ ପାଇଁ ସେ ତିନି ପାଉଣ୍ଡ ଲେଖାଏଁ ପାଇଥିଲେ । ଏ ସୌଭାଗ୍ୟ କେବଳ ବୋଧେ ତାଙ୍କୁ ଇ ମିଳିଛି । ଆଉ କାହାକୁ ମିଳିବ କି ନା ସନ୍ଦେହ ।

 

ଲେଖକ ହିସାବରେ ଏପରି ଯାହାର ଖ୍ୟାତି । ତାଙ୍କର ଲେଖାବଳୀ ବିଷୟରେ ଅନ୍ୟଠୁ ଶୁଣିବା ଅପେକ୍ଷା ନିଜେ ପଢ଼ିବା ଭଲ । ସେ ତ ଅନେକ ଲେଖିଛନ୍ତି । ଏଟା ଭଲ ନ ଲାଗିଲେ ସେଟାକୁ ଚେଷ୍ଟାକରି ଦେଖନ୍ତୁ । ଆପଣଙ୍କ ମନଲାଖି ଲେଖାଟିଏ ନିଶ୍ଚୟ ପାଇବେ । ଖାଲି ପଢ଼ିଲେ ହେଲା । ଅଧିକାଂଶ ଛାତ୍ରଙ୍କ ପାଖେ ତାଙ୍କର ବହି ଖଣ୍ଡେ ହେଲେ ବି ଲେଖାଥିବ, ସେସବୁ ପଢ଼ା ବହି ।

 

ଅନ୍ୟ କଥାଥାଉ ‘ଡାଭିଡ଼ କପରଫିଲ୍‍ଡ’ ପଢ଼ି ଆପଣଙ୍କ ଚକ୍ଷୁ ନିଶ୍ଚୟ ଅଶ୍ରୁସିକ୍ତ ହୋଇ ଉଠିବ । ଡାଭିଡ୍ ପାଇଁ ପ୍ରାଣ ଆଣଙ୍କର କାନ୍ଦିବ, ଆପଣ ଆହ । କରିବେ । କାଗଜ କାଳିର ସେ ଜୀବନ୍ତ ମଣିଷ ସେ କରିଛନ୍ତି । ସତେ ଯେପରି ସେ ଆମକୁ ଚାହିଁ ରହିଛନ୍ତି ସେ ସ୍ନେହ କାଙ୍ଗାଳି । ଜୀବନ ତା’ର ଗୋଟାଏ ଅଭିଶାପ । ମରୁବାଲି ଚଲା ପଥରେ ତା’ର ଅଶ୍ରୁ, ଅଭିମାନ, ଅନାଟନ, ହା ହତାଶର ନିର୍ମମ କରୁଣ ଚିତ୍କାର ଶୁଣାଯାଉଛି ।

 

କଥାଅଛି ‘କାବ୍ୟ କବି ଜୀବନର ମୁକୁର’ । ଏହି ଡାଭିଡ଼ ଯେ ଆମର ପ୍ରିୟ ଚାର୍ଲସ ନୁହନ୍ତି କିଏ କହିବ ! ପିଲାଦିନ କଥା ସେ ନିଜେ କହିଛନ୍ତି । ବାପା ଧାର ସୁଝି ନପାରି ଶେଷରେ ବନ୍ଦି ହେଲେ, ତାଙ୍କ ପରେ ପରେ ମା ବି । ଜେଲ ଜୀବନ ବିଶେଷତଃ ସେ ସମୟର ଜେଲ କି କରୁଣ ପଢ଼ିଲେ ଜାଣିବେ । ଆକାଶରେ ସୂର୍ଯ୍ୟ ଉଠିବା ସଙ୍ଗେ ସଙ୍ଗେ ଚାର୍ଲ୍ସ ଯାଇ ବାପା ମାଙ୍କ ପାଖରେ ହାଜର । ଦିନଟି ତାଙ୍କର ସେଇଠି କଟେ । ସନ୍ଧ୍ୟାହେଲେ ସେଠୁ ପୁଣି ଫେରିଆସନ୍ତି । ରାତିଟି ଏଠି ସେଠି କଟେ । ଚଳିବା ପାଇଁ ଘରେ ଯେଉଁ କେତେ ଖଣ୍ଡ ଚୌକି ବେଞ୍ଚ ଓ ଅନ୍ୟାନ୍ୟ ଜିନିଷ ଥିଲା ସେ ସବୁ ସେ ଖଣ୍ଡଖଣ୍ଡ କରି ବିକ୍ରି କରିଛନ୍ତି । ବାପ ମା ବନ୍ଦୀଶାଳାରେ । ସାଙ୍ଗ ସାଥି କେହି ନାହିଁ । ଜୀବନରେ ଏକ ମାତ୍ର ସାଥି କେଇ ଖଣ୍ଡ ବହି । ତାଙ୍କରି ଉପରେ ମାନ ଅଭିମାନ । ଶେଷରେ ଦିନ ଆସିଲା ସେସବୁ ବି ତାଙ୍କୁ ବିକିବାକୁ ପଡ଼ିଲା । ପରଜୀବନରେ ସେ କହିଛନ୍ତି, “ଯେତେବେଳେ ମୁଁ ବହିଗୁଡ଼ିକ ବିକିଲି ସେତେବେଳେ ମୋର ମନେ ହେଲା ସତେ ଯେମିତି ମୋ ଛାତି ଫାଟିଯିବ । ଦାରିଦ୍ର୍ୟର କି ତୀବ୍ର ଦଂଶନ ।''

 

ଅନ୍ୟାନ୍ୟ ବିଶିଷ୍ଟ ଲେଖକଙ୍କ ପରି ତାଙ୍କର ପୁସ୍ତକ ଗୁଡ଼ିକରେ ଆଦର୍ଶ ଗୃହଜୀବନର ଚିତ୍ର ମିଳେ । କିନ୍ତୁ ବହି ଥୋଇଦେଇ ତାଙ୍କ ଘର ଭିରରକୁ ଚାହିଁଲେ ମନରେ ସନ୍ଦେହ ଉଙ୍କିମାରେ । ଏଇ ଡିକେନ୍ସ ପୁଣି ପବିତ୍ର ଗୃହଜୀବନର ଚିତ୍ର ଦେଇ ବହିର ଫାଳ ପରେ ଫାଳ କରି ଅନେକ ଫାଳ ପୂରଣ କରିଛନ୍ତି । ଗୃହଜୀବନ ତାଙ୍କର କରୁଣ । ବିବାହହିଁ ତା’ର କାରଣ । ଯେଉଁ ସ୍ତ୍ରୀ କୁ ସେ ଆଦୌ ଭଲ ପାଉ ନ ଥିଲେ ଦିର୍ଘ ତେଇଶ ବର୍ଷ ତାଙ୍କୁ ତାଙ୍କ ସଙ୍ଗେ କଟାଇବାକୁ ପଡ଼ିଥିଲା । ଘର ଯାଇ ସାରା ଦୁନିଆର ଆକର୍ଷଣ ସେଠି, ଅଶ୍ରୁ ଓ ଅଶାନ୍ତିର ଚରମ ବିଜୟ । ଶେଷରେ ସେ ଆଉ ବରଦାସ୍ତ କରିପାରି ନାହିଁ । ତା’ର ପ୍ରତିକାର ପାଇଁ ସେ ଏକ ନାହିଁ ନ ଥିବା କାମ ସେହି ଭିକ୍ଟୋରିଆ ଯୁଗରେ କଲେ । ନିଜ କାଗଜରେ ସେ ସମସ୍ତଙ୍କୁ ଜଣାଇ ଦେଲେ ଯେ ସେ ନିଜ ସ୍ତ୍ରୀଙ୍କଠାରୁ ଅଲଗା ହୋଇ ଯାଇଛନ୍ତି । ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନକଲେ ସେସବୁ ଦୋଷ ସ୍ତ୍ରୀଙ୍କ ମୁଣ୍ଡରେ ଲଦିଛନ୍ତି ।

 

ତାଙ୍କର ମରିବାବେଳକୁ ସେ ନିଜର ଶାଳୀଙ୍କ ପାଇଁ ୪୦,୦୦୦ପାଉଣ୍ଡ ରଖିଦେଇ ଯାଇଥିଲେ । ନିଜର ଶାଳୀ ପାଇଁ ଯେ୪୦,୦୦୦ପାଉଣ୍ଡ ରଖିଯାଏ ନିଜର ଦଶଟି ପିଲାଙ୍କର ଯତ୍ନ ନେଉଥିବା ସ୍ତ୍ରୀଙ୍କ ପାଇଁ କେତେ ଛାଡ଼ିଯାଇଥିବେ ଅନୁମାନ କରନ୍ତୁ ତ । ୪୦,୦୦୦ ପାଉଣ୍ଡରୁ ଅଧିକ ନିଶ୍ଚୟ ନା ମୋଟେ ନୁହେଁ । ଦିନକୁ ପାଉଣ୍ଡଟିଏ ହିସାବରେ ସପ୍ତାହକୁ ମୋଟେ ସାତ ପାଉଣ୍ଡ । ଏଥିରୁ ଲେଖକଙ୍କର ପତ୍ନୀ ପ୍ରେମ ବୁଝନ୍ତୁ ।

 

ଚାର୍ଲ୍ସ ଭୀଷଣ ବଦରାଗି । ସାମାନ୍ୟ କଥାରେ ବିରକ୍ତ ହୋଇଉଠନ୍ତି । ଦେଖିବାକୁ ସେ ଖୁବ ସୁନ୍ଦର । ନିଜ ରୂପ ପାଇଁ ସେ ଗର୍ବ କରନ୍ତି । ତାଙ୍କୁ ପୋଷାକପତ୍ର, ଚାଲିଚଳଣ, ନାଟକୀୟ କଥାବାର୍ତ୍ତା ଦେଖି ଆମେରିକାନ୍‍ଙ୍କର ଆଖି ଖୋସି ହୋଇଯାଇଥିଲା । ସର୍ବସାଧାରଣରରେ ତାଙ୍କୁ ମୁଣ୍ଡ କୁଣ୍ଡାଉ ଥିବାର ଦେଖି ଆମେରିକାନ ମାନେ ଜିଭ, କାମୁଡ଼ି ଚାହିଁଥିଲେ । ମହା ମଲା କେତେ ବଡ଼ଲୋକ କ’ଣ କରୁଛନ୍ତି ! ଦ୍ଵିତୀୟବାର ସେ ଯେତେବେଳେ ଆମେରିକା ଆସନ୍ତି ତାଙ୍କ ବକ୍ତୃତା ଶୁଣିବା ପାଇଁ ଲୋକଙ୍କୁ ଟିକଟ କରିବ । ସକାଶେ ପଡ଼ିଥିଲା । ବର୍ଷା ରାତିରେ ଝଡ଼ତୋଫାନ ଭିତରେ ଲୋକମାନେ ଥରେମାତ୍ର ଏହି ପ୍ରିୟ ଲେଖକଙ୍କୁ ଦେଖିବା ପାଇଁ ଓ ତାଙ୍କ ପାଟିରୁ ପଦେ କଥା ଶୁଣିବା ପାଇଁ ପିମ୍ପୁଡ଼ି ଧାରଧରି ଅପେକ୍ଷାକରି ରହିଥାନ୍ତି । ଶେଷରେ ଦେଖାଗଲା ତା ପାଟିତୁଣ୍ଡ କରି ଲୋକେ ଫେରିଗଲେ । ଟିକଟ ମିଳିଲା ନାହିଁ ।

 

ତାଙ୍କ ଜୀବନରେ କି ବିରାଟ ପରିବର୍ତ୍ତନ ! କି ବିରାଟ ସମ୍ମାନ ! ଏସବୁ ପାଇଁ ସେ ଗତ ଜୀବନର ସବୁକଥା ଭୁଲି ଯାଇଥିବେ ।ନା ମୋଟେ ନୂହେଁ । ସେ କାରଖାନାରେ ଯେଉଁ ମଇଳା ଘରଟିରେ ଶୋଇ ସମୟ କଟାଉଥିଲେ ଆପଣ ପଢ଼ି ଦୁଃଖକରି ପାରନ୍ତି । ସେ କିନ୍ତୁ କ’ଣ କହନ୍ତି ଜାଣନ୍ତି ନା । ଶୁଣନ୍ତୁ, ସେ କହନ୍ତି ସେ ଛୋଟ ଅଥଚ ମଇଳା ଘରଟି ଅତି ପ୍ରିୟ, ମାଟିରେ ଇନ୍ଦ୍ରପୁରୀ-। ଦୁନିଆରେ ଜଣଙ୍କର ଚିନ୍ତାଧାରା ସତରେ ଅନ୍ୟଠାରୁ କେତେ ଫରକ !

★★★

 

ମେଡିସିନ୍ ଓ ସିନେମା ବୁଦ୍ଧି ଥିଲେ ସବୁସମାନ ସମରସେଟମମ୍

 

ଲଣ୍ଡନ ସେଣ୍ଟ ଥୋମାସ ଡାକ୍ତରୀ କଲେଜରୁ ଡିଗ୍ରୀ ନେଇ ସାରିଲା ପରେ ସେ ଯେତେବେଳେ ମେଡ଼ିସିନ ଛାଡ଼ି ମନଦେଲେ ସାହିତ୍ୟ ସାଧନାରେ କିଏ ହସିଲା ତ କିଏ କହିଲା ପାଗଳ । ସେଥିପାଇଁ କିନ୍ତୁ ତାଙ୍କର ଭୃକ୍ଷେପ ନାହଁ । ସେ ଜାଣିଥିଲେ ତାଙ୍କର ସେ ଆତ୍ମ ବିଶ୍ଵାସ ଥିଲା, ବହି ଲେଖି ସେ ସୁନାମ ଅର୍ଜନ କରି ପାରିବେ । ସମସ୍ତଙ୍କୁ ନିଜ ଭାବରେ ଭସାଇ ନେବେ । ଶେଷରେ ସେଇୟା ତ ହେଲା । ସତରେ ଆଜି ଦୁନିଆରେ ବିଶିଷ୍ଟ ଲେଖକ ମାନଙ୍କ ମଧ୍ୟରୁ ଜଣେ-। ଲେଖକ ଭାବରେ ସେ ଏପରି ଯେ ତାଙ୍କର ପୂରାନାମ ସମରସେଟ ମମ ନ କହି କେବଳ ମମ କହିଲେ ଚଳିବ । ସମସ୍ତେ ତାକୁଇ ଜାଣିବେ ଯାର ମୁଣ୍ଡରେ ମସଲା ଅଛି ତା ପାଇଁ ସାହିତ୍ୟ ଓ ସେବା (ରୋଗୀର) ଭିତରେ କୌଣସି ତଫାତ ବା କ’ଣ ?

 

ତାଙ୍କୁ ଯେତେବେଳେ ମୋଟେ ତେଇଶ ସେତିକିବେଳେ ତାଙ୍କର ପ୍ରଥମ ଲେଖା ପ୍ରକାଶ ପାଇଥିଲା । ତାଙ୍କର ଉପନ୍ୟାସ ମଧ୍ୟରେ ‘ଅଫ ଦି ହ୍ୟୁମନ ବଣ୍ଡେଜ ’’ ‘ଦ ମୁନ୍ ଆଣ୍ଡ ଦ ସିକ୍ସ ପେନସ’, ‘କେକସ ଅଣ୍ଡ ଏଲ', “ରେଜରସ୍ ଏଡ୍ସ ପ୍ରଭୃତି ପ୍ରଧାନ । ସେ କିପରି ଉଚ୍ଚକୋଟୀର କଥାଶିଳ୍ପୀ ସେ ବିଷୟରେ (New Statesman) ପତ୍ରିକା ମତ ଦେଇଛନ୍ତି । ଜିବିତ କ୍ଷୁଦ୍ରଗଳ୍ପ ସ୍ରଷ୍ଠା ମାନଙ୍କ ମଧ୍ୟରେ ମମ ହେଉଛନ୍ତି ସର୍ବପ୍ରଧାନ ଓ ନିର୍ଦ୍ଵନ୍ଦରେ ତାଙ୍କୁ ଏକ ଉଚ୍ଚକୋଟୀର ଲେଖକ ବୋଲି ଗ୍ରହଣ କରାଯାଇ ପାରେ । ତାଙ୍କର ସାହିତ୍ୟିକ ପ୍ରତିଭାକୁ ସ୍ୱୀକାର କରିବା କ’ଣ ତାଙ୍କ ପକ୍ଷେ ଯଥେଷ୍ଟ ସମ୍ମାନ ନୁହେଁ ? ଏ ତ ଗଲା ଔପନ୍ୟାସିକ ଓ ଗାଳ୍ପିକ ହିସାବରେ ତାଙ୍କ ଉପରେ ଅନ୍ୟମାନଙ୍କର ମତାମତ, ଏବେ ତାଙ୍କ ନାଟ୍ୟକାର ଜୀବନର ବିଚିତ୍ର କାହାଣୀ ଶୁଣନ୍ତୁ । ନାଟକ ନ ଲେଖିଲେ ବି ସେ କିପରି ନାଟ୍ୟକାର ହେଲେ ।

 

ସେଦିନ ନ୍ୟୁୟର୍କର ସମାଲୋଚକଗଣ ଆଜି ପର୍ଯ୍ୟନ୍ତ ଲେଖାଯାଇଥିବା ସୁପରିଚିତ ଓ ପ୍ରଧାନ ଦଶଖଣ୍ଡ ବାଛିବା ପାଇଁ ଠିକ କଲେ, ଭୋଟ ନିଆଗଲା । ଦୀର୍ଘ ତିନିଶ ବର୍ଷ ତଳର ଇଂରେଜ ନାଟ୍ୟ ସମ୍ରାଟର ମଉଡମଣି ସେକ୍ସପିଅରଙ୍କ ‘ହାମଲେଟ’ ପ୍ରଥମ ସ୍ଥାନ ଅଧିକାର କଲା । ହାମଲେଟ ହେଲେ ପ୍ରଥମ, ତେବେ ଦ୍ଵିତୀୟ ସ୍ଥାନ ଅଧିକାର କଲା କିଏ ? ସେକ୍ସପିଅରଙ୍କ ରୋମିଓଜୁଲିଏଟ,’ ‘କଂରାଲିଅର; ମାକବେଥ କିମ୍ବା ଅନ୍ୟ କୌଣସି ନାଟକ, ନା ମୋଟେ ନୁହେଁ । ଏପରିକି ତାଙ୍କର ସମସାମୟିକ କୌଣସି ନାଟ୍ୟକାରଙ୍କ ଲେଖା ନୁହେଁ । ଦ୍ଵିତୀୟ ସ୍ଥାନ ଅଧିକାର କଲା ‘ରେନ’ । ରେନ’ର ଲେଖକ ହେଉଛନ୍ତି ଆମର ସୁପରିଚିତ ମମ୍ । ଏହି ନାଟକଟି ପାଇଁ ସେ କେତେ ଟଙ୍କା ପାଇଥିଲେ ଜାଣନ୍ତି । ୪୦,୦୦୦ପାଉଣ୍ଡ । ଆମ ଦେଶ ଟଙ୍କା ହିସାବ କରି ଦେଖନ୍ତୁ କେତେ ହେଲା । ତାଙ୍କର ପ୍ରତି ପାଉଣ୍ଡ ଆମ ଦେଶର ତେର ଟଙ୍କା ପାଞ୍ଚଣା ଚାରି ପାହୁଲା ସଙ୍ଗେ ସମାନ ।

 

ଏହି ନାଟକଟି ସମଙ୍କୁ ନାଟକ ଦୁନିଆରେ ପ୍ରଥମେ ପରିଚିତ କରାଇ ଦେଇଥିଲା । ରେନ ଯଥାର୍ଥରେ ବଡ଼ୱେର ଚହଳ ପକାଇଥିଲା । ଦିନେ ନୁହେଁ ଦୁଇଦିନ ନୁହେଁ ଏକ କାଳୀନ ୪୧୫ ଦିନ ଏହି ନାଟକଟି ଜନଗହଳି ମଧ୍ୟରେ ଚାଲିଥିଲା । କେତେଜଣ ନାଟ୍ୟକାରଙ୍କୁ ଏ ସୌଭାଗ୍ୟ ମିଳେ । ଏହି ନାଟକଟି ରଚନା କରିବା ପାଇଁ ସେ କେତେ ସମୟ ଦେଇଥିଲେ, କେତେଘଣ୍ଟା, କେତେ ଦିନ ବା କେଇମାସ । ସେ ନାଟକ ଲେଖି ସାରିବା ପରେ ତାହା କେବେ ମଞ୍ଚସ୍ଥ ହେଲା ଇତ୍ୟାଦି ଜାଣିବା ପାଇଁ ଆପଣ ଆଗ୍ରହ ପ୍ରକାଶ କରି ପାରନ୍ତି । ଯେ କୌଣସି ବ୍ୟକ୍ତିର ଏ କୌତୁହଳ ଜାତ ହେବା ସ୍ଵାଭାଭିକ । ଅନୁମାନ କରି କହନ୍ତୁ ତ, କ’ଣ ପାଞ୍ଚଘଣ୍ଟା, ସାତ ସପ୍ତାହ ବା ଆଠମାସ ଲାଗି ସେ ଏହା ଲେଖିଥିଲେ ? ନା ଏଥିପାଇଁ ମଧ୍ୟ କେଉଁ ଗୋଟିଏ ବି ଠିକ୍ ନୁହେଁ । ସେ ଏହି ନାଟକଟି ଲେଖିବା ପାଇଁ ପାଞ୍ଚମିନିଟ ସୁଦ୍ଧା ସାରିନାହାନ୍ତି । ତେବେ ଏ ସବୁ ହେଲା କିପରି ? ଶୁଣି ନ ଥିଲେ ଶୁଣନ୍ତୁ ?

 

ସେଦିନ ରାତିରେ ଜନକୋଲଟନ ସମଙ୍କ ଘରେ । ନିଦ ନ ହେବାରୁ ଜନ ମମଙ୍କୁ କିଛି ଗୋଟାଏ ପଢ଼ିବାକୁ ମାଗିଲେ । ମମ ବନ୍ଧୁଙ୍କୁ ଗୋଟାଏ ପୁରୁଣା ଗପ ବହି ପଢ଼ିବାକୁ ଦେଲେ । ଗପ ନା ସାଡ଼ାଇ ଥର୍ମସନ୍ (sadie Thompson) । ମମ୍ ଶୋଇଲେ । ଜନଙ୍କୁ କିନ୍ତୁ ନିଦ ହେଲା ନାହିଁ । ସେ ଶେସରେ ପଡ଼ି ରହି ପୁରୁଣା ଗପଟି ଉପରେ ଚିନ୍ତା କରି ବସିଲେ । ପୁରୁଣା ଗପଟି ତାଙ୍କୁ ଅଭୁତ କରି ପକାଇଲା । ସେ ଦେଖିଲେ ତାହା ଗୋଟିଏ ସରସ ନାଟକ ହୋଇପାରିବ ।

 

ପରଦିନ ସକାଳେ ଜନ ବନ୍ଧୁଙ୍କୁ ମନକଥା କହିଲେ, ମମ ମୋଟେ ବିଶ୍ୱାସ କରିପାରିଲେ ନାହିଁ । ଉତ୍ସାହହୀନ କଣ୍ଠରେ କହିଲେ, ହଁ ହୋଇପାରେ ଗୋଟାଏ ମାମୁଲି ଧରଣର ନାଟକ ହେବ-। ଛଅ ସପ୍ତାହ ଖଣ୍ଡେ ଚାଲି ପାରେ । କିନ୍ତୁ ହେଲା କ’ଣ ? ଏହି ନାଟକ ମଞ୍ଚସ୍ଥ ହେଲା-। ନାଟକ ନାମ ଦିଆଗଲା ‘ରେନ୍’ ତା’ପରେ ମମଙ୍କ ଘରଠି ସାହିତ୍ୟିକ, ସାମ୍ବାଦିକ ଓ ପ୍ରକାଶକଙ୍କ ଭିଡ଼ ଦେଖେ କିଏ ? ତାଙ୍କ ଲେଖା ପାଇଁ ଚାରିଆଡ଼େ ଚାହିଦା । ଯେଉଁ ପୁରୁଣା ଲେଖା ଏଣେତେଣେ ସେ ପକାଇ ଦେଇଥିଲେ ସେସବୁ ଗୋଟାଇ ଆଣିଲେ, ସବୁ ପ୍ରକାଶ ପାଇଲା, କିଏ ହେଲା ନାଟକ-। କେଉଁ କ୍ଷୁଦ୍ରଗଳ୍ପର ପରିସର ବଢ଼ି ହେଲା ଉପନ୍ୟାସ ସୃଷ୍ଟି । ସେସବୁ ମମଙ୍କୁ ଅମର କଲେ-। ଏହି ବିରାଟ ବ୍ୟକ୍ତି ନିଜ ପ୍ରତିଭା ବିଷୟରେ କେତେ ଅଜ୍ଞ ନ ଥିଲେ ସତରେ । ‘ରେନ୍’ ବ୍ୟତୀତ ଅନେକ ନାଟକ ସେ ଲେଖିଛନ୍ତି । ସେସବୁର ବି ସୁନାମ ଅଛି । ଅଥଚ ଯେଉଁ ‘ରେନ’ ତାଙ୍କୁ ମଣିଷ କଲା ସେଥିପାଇଁ ସେ ମୃହୁର୍ତ୍ତଟିଏ ବି ଦେଇନାହାନ୍ତି । ୟାଠୁ ବଳି ଆଶ୍ଚର୍ଯ୍ୟ ଆଉ କ’ଣ ହୋଇପାରେ-

 

ଆଜି ଲୋକେ ତାଙ୍କୁ ପ୍ରତିଭାବାନ କହି ସମ୍ମାନ ଦିଅନ୍ତି । ସେ ଲେଖକ ହିସାବରେ ଆଜି ବାର୍ଷିକ ୨୦୦,୦୦୦ପାଉଣ୍ଡ ଅର୍ଜନ କରନ୍ତି । କିନ୍ତୁ ଆପଣ ବିଶ୍ୱାସ କରନ୍ତୁ ଅବା ନ କରନ୍ତୁ ସେ ସେ ତାଙ୍କର ଲେଖକ ଜୀବନର ପ୍ରଥମ ବାରବର୍ଷ ମଧ୍ୟରେ ମୋଟ ୧୦୦ଟି ପାଉଣ୍ଡ ପାଇଥିଲେ ଏହା ନିରାଟ ସତ୍ୟ, ଅତି କଷ୍ଟରେ ଦିନ କାଟୁଥିଲେ । ମଝିରେ ମଝିରେ ସଂମ୍ପାଦକୀୟ ଲେଖି କିଛି କିଛି ପାଉଥିଲେ । ଅନେକ ସମୟରେ ସେ ଉପବାସରେ ରହିଛନ୍ତି । ବନ୍ଧୁମାନେ ବୋକା କହି ତାଙ୍କୁ ବ୍ୟଙ୍ଗ କରିଛନ୍ତି । କାଳି କଲମ ଛାଡ଼ି ଔଷଧରେ ମନଦେବା ପାଇଁ ଉପଦେଶ ଦେଇଛନ୍ତି । ସେ କିନ୍ତୁ ଅଟଳ । ଆଜି ହୁଏତ ବନ୍ଧୁମାନେ ବୁଝିବେ ମମ କେବଳ ବୋକା ନ ଥିଲେ । ବୁଦ୍ଧି ବି ତାଙ୍କର ଥିଲା, କଳାମେଘ ତଳେ ବିଜୁଳି କେବଳ ଛପି ରହିଥିଲା ସୁଯୋଗ ପାଇ ଜଳି ଉଠିବା ପାଇଁ ।

 

ମମ ସ୍ଵୀକାର କରନ୍ତି ଫ୍ରାନସର ପ୍ରଭାବ ତାଙ୍କ ଉପରେ ଖୁବ ବେଶି । ମୋପାସାଂଙ୍କ ପରି ବଳିଷ୍ଠ ଲେଖକଙ୍କର ପ୍ରଭାବ ତାଙ୍କ ଉପରେ ଅନେକଟା ପଡ଼ିଛି । ତାଙ୍କର ଲେଖାର ପ୍ରତି ଛତ୍ରେ ଛତ୍ରେ ଫ୍ରାନସର ଜଗତମାଳି ପରିଲଖିତ ହୁଏ । ଫ୍ରାନସରେ ଥିଲା ବେଳେ ସେ ଅନେକଗୁଡ଼ିଏ ଗଳ୍ପ ରଚନା କରିଥିଲେ । ତାଙ୍କ ଉପରେ ଫ୍ରାନସର ପ୍ରଭାବ କଥା କହିବାକୁ ଯାଇ ସେ କହିଛନ୍ତି ' ଫ୍ରାନସ ମୋର ଶିକ୍ଷୟିତ୍ରୀ । ସେ ମୋତେ କରିଛି ସତ୍ୟ, ଶିବ, ସୁନ୍ଦର ପୂଜାରୀ । ଲେଖକ ହେବାର ପ୍ରେରଣା ମୁଁ ପ୍ରଥମେ ପାଇଛି ଫ୍ରାନସରୁ । ଫ୍ରାନସକୁ ସେ ପ୍ରାଣରୁ ଅଧିକ ଭଲ ପାଆନ୍ତି । ଫ୍ରାନସ କ’ଣ ସେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି । ସେ ସମ୍ମାନ ଦେଇଛନ୍ତି ଫ୍ରାନସକୁ । ପ୍ରତିବଦଳରେ ଫ୍ରାନସ ନିଜର ଶକ୍ତିଶାଳୀ ଲେଖକଙ୍କ ପରି ତାଙ୍କ ପ୍ରତିଭାକୁ ସ୍ୱୀକାର କରିଛି । ସେ ଫ୍ରାନସ ବିଶ୍ଵବିଦ୍ୟାଳୟରୁ ଅନେକ ଡ଼ିଗ୍ରୀ ପାଇଛନ୍ତି ।

 

ତାଙ୍କ ଜୀବନରେ ସେ ଅନେକ ଜାଗା ଘୂରିଛନ୍ତି । ସେ ଜାଗାମାନଙ୍କ ମଧ୍ୟରେ ଭାରତ, ଶ୍ୟାମ, ମାଳୟ, ଚୀନ, ରୁଷିଆ, ଆମେରିକା ପ୍ରଭୃତି ଉଲ୍ଲେଖ ଯୋଗ୍ୟ । ଏସବୁ ସ୍ଥାନ ବୁଲିଥିଲେ ମଧ୍ୟ ଲଣ୍ଡନ, ପ୍ୟାରିସ୍ ଓ ନ୍ୟୁୟର୍କରେ ସେ ଅଧିକାଂଶ ସମୟ କଟାନ୍ତି, ଏହି ଭ୍ରମଣର ଛାପ ତାଙ୍କ ଉପରେ ଯଥେଷ୍ଟ ଅଛି ।

 

ମମଙ୍କ ସ୍ଵାସ୍ଥ୍ୟ ସୁନ୍ଦର । ସେ ଦେଖିବାକୁ ଗମ୍ଭୀର ଓ ଚିନ୍ତାଶୀଳ । ତାଙ୍କ ଲେଖା ବିଷୟରେ ସେ ନିଜେ କହିଛନ୍ତି ; ଗୋଟାକ ପରେ ଆଦୌ ଲେଖନ୍ତି ନାହିଁ । ଦ୍ଵିପହର ବେଳେ ତାଙ୍କର ମସ୍ତିସ୍କ ମୋଟେ କାମକରେ ନାହିଁ ବୋଲି ତାଙ୍କର ମନହୁଏ । ସେ ମାନ୍ଦା ମାନ୍ଦା ବୋଧ କରନ୍ତି । ଫ୍ରାନସର ଏକ ନଦୀକୂଳସ୍ଥ ମୋରିସଭିଲର ଉଚ୍ଚ ପ୍ରକୋଷ୍ଠରେ ସେ ଲେଖା ଲେଖି କରନ୍ତି-। ସେ ପ୍ରାୟ ସବୁବେଳେ ପାଇପ୍ ଟାଣୁଥାନ୍ତି । ଲେଖାଲେଖି ଆରମ୍ଭ କରିବାର ଘଣ୍ଟାକ ପରେ ପୂର୍ବରୁ ସେ ଦର୍ଶନ ପଢ଼ନ୍ତି, ସେ ମନ୍ଦ ଗ୍ରହ ଇତ୍ୟାଦିରେ ବିଶ୍ୱାସ କରନ୍ତି ବୋଲି କୁହନ୍ତି-। କିନ୍ତୁ ମନ୍ଦଗ୍ରହରୁ ରକ୍ଷା ପାଇବା ପାଇଁ ସେ ଗୋଟାଏ ଚିହ୍ନ ବ୍ୟବହାର କରନ୍ତି । ସେ ଚିହ୍ନ ତାଙ୍କର ରହିବା ଭିଲାର ଫାଟକ ଠାରୁ ଧରି ଖେଳୁଥିବା ପର୍ଯ୍ୟନ୍ତ ସବୁଠାରେ ଅଛି । ତା’ର କାରଣ କ’ଣ ବୋଲି ଢ଼େଳନାର୍ଣ୍ଣେଣୀ ଥରେ ତାକୁ ପଚାରିଥିଲେ । ସେ ତା’ର କିଛି ଉତ୍ତର ନ ଦେଇ ସାମାନ୍ୟ ହସିଥିଲେ ମାତ୍ର ।

 

ସେ ବରାବର ଫ୍ରାନସରେ ରୁହନ୍ତି । ୧୯୪୦ରେ ଯେତେବେଳେ ଯୁଦ୍ଧ ହେଲା ସେତେବେଳେ ସେ ଫ୍ରାନସରୁ ପଳାଇ ଗଲେ ଲଣ୍ଡନକୁ । କିନ୍ତୁ ଯୁଦ୍ଧ ସରିବା ସଙ୍ଗେସଙ୍ଗେ ସେ ପୁଣି ଫେରିଆସିଲେ ଫ୍ରାନ୍ସକୁ । ବର୍ତ୍ତମାନ ସେ ସେହି ମୋରିସ ଜିଲାରେ ଅଛନ୍ତି । ଏହି ଲେଖକଙ୍କ ବାପ ମା ହେଉଛନ୍ତି ଜାତିରେ ଇଂରେଜ । ସେ ମେଡିସିନ ପଢ଼ିବା ପୂର୍ବରୁ କାଣ୍ଡାରବରୀ ସ୍କୁଲରେ ପଡ଼ୁଥିଲେ ଓ ତା’ପରେ ଯୋଗ ଦେଇଥିଲେ ହାରଡେଲ୍ବର୍ଗ ବିଶ୍ଵବିଦ୍ୟାଳୟରେ । ଆଗରୁ ସେ ଲେଖାଲେଖି କରୁ ନ ଥିଲେ ସତ । କିନ୍ତୁ ମେଡ଼ିସିନ ପାସ ପରେ ପ୍ରକୃତରେ ତାଙ୍କର ସାହିତ୍ୟିକ ଜୀବନର ଆରମ୍ଭ ହେଲା । କି ମହାନ ସେ ବ୍ୟକ୍ତିତ୍ଵ । ସାଧନାର କି ଉଜ୍ବଳ ବିକାଶ ! ସେ ମନିଷୀଙ୍କ ଜନ୍ମ ହେଉଛି ୧୮୭୪ ! ଏ ବୟସରେ ବି କଲମ ତାଙ୍କର କଥା କହୁଛି ।

★★★

 

ଭଲ ଲେଖିବା ପାଇଁ ସେ ସଫା ପାଷାକ ପିନ୍ଧି ବସୁଥିଲେ–ହେନେରି ଡିକ, ବାଲଜାକ୍

 

ଶ୍ରେଷ୍ଠ ଉପନ୍ୟାସ ରଚନା ନ କରି ମଧ୍ୟ ସେ ଉପନ୍ୟାସ ଜଗତର ମଉଡ଼ ମଣି । ଏହା ହିଁ ତାଙ୍କର ବିଶେଷତ୍ଵ, ଏହିକ୍ଷଣ ଜନ୍ମା ଭାଗ୍ୟବାନ, ଲେଖକଙ୍କୁ ଜାଣି ନ ଥିଲେ ଏବେ ଜାଣନ୍ତୁ । ସେ ହେଉଛନ୍ତି ଆମର ପ୍ରିୟ ଲେଖକ ହେନେରି ଡ. ବାଲଜାକ୍ ଅବଶ୍ୟ ଖାଲି ବାଲଜାକ କହିଲେ ସାରା ଦୁନିଆଁ ତାଙ୍କୁଇ ବୁଝେ । ୧୬୯୯ ମସିହାରେ ସେ ଫ୍ରାନସରେ ଜନ୍ମ ଗ୍ରହଣ କରିଥିଲେ । ସେ ଫ୍ରାନସରେ ଜନ୍ମ ହୋଇଥିଲେ ସତ, କିନ୍ତୁ ନିଜର ପ୍ରତିଭା ପାଇଁ ସମଗ୍ର ମାନବ ସମାଜର ସେ ନମସ୍ୟ । ପ୍ରତିଭାର କି ପୃଣ୍ୟ ପୁରସ୍କାର !

 

ତାଙ୍କ ରଚନାର ବିଶେଷତ୍ଵ ହେଉଛି ନିତିଦିନିଆ ପରିବେଶ ମଧ୍ୟରେ ଚରିତ୍ର ସଂଗ୍ରହ କରିବା । ତାଙ୍କର ଚରିତ୍ର ଗୁଡ଼ିକ ଯାଇଁ ଦୁନିଆକୁ ସରସ ସୁନ୍ଦର କରିବା ପାଇଁ ଯେତିକି ପରପାଇଁ ତା’ଠାରୁ ଅଧିକ ଘର କରି ଯାଇଥାନ୍ତି । ଜୀବନ ବିଷୟରେ ଅଭିଜ୍ଞତା ତାଙ୍କର ଅଧିକ, ସହରର ଶ୍ରମିକ ତଥା ପଲ୍ଲୀର କୃଷକ ଅପେକ୍ଷା ଡାକ୍ତର, ଓକିଲ, କିରାଣୀ, ସମ୍ପାଦକ, ଦୋକାନୀ, ଗାଁ ପୁରୋହିତ ଓ ମଧ୍ୟବିତ୍ତ ଶ୍ରେଣୀକୁ ସେ ଅଧିକ ଜାଣନ୍ତି । ନିରୀହ ଅପେକ୍ଷା ଦୁଷ୍ଟ ଚରିତ୍ର ଗୁଡ଼ିକ ତାଙ୍କ ଲେଖନୀରେ ଅଧିକ ପ୍ରାଣବକ୍ତ । ବ୍ୟକ୍ତି, ଜାତି, ଦଳ ଏପରିକି ସମ୍ପ୍ରଦାୟର ଚିତ୍ର ଅପେକ୍ଷା ଏକ ନିର୍ଦ୍ଦିଷ୍ଟ ସମୟ କିମ୍ବା ସଭ୍ୟତାର ଚିତ୍ର ଦେବାପାଇଁ ସେ ଅଧିକ ଲାଳାୟତ । ଓଡ଼ିଆ ସାହିତ୍ୟରେ ସେନାପତିଙ୍କ ପରି ଚରିତ୍ରରେ ନାମ କରଣ ତାଙ୍କର ଏକ ବିଶେଷତ୍ଵ ।

 

ବ୍ୟକ୍ତିଗତ ଜୀବନ ଉପରେ ଅର୍ଥନୀତିର ଯେ ଗଭୀର ପ୍ରଭାବ ତାଙ୍କ ରଚନାରେ ସେ ପ୍ରଥମେ ଉପଲବଧୀ କରିଥିଲେ । ସେ କହନ୍ତି ଅର୍ଥ ସମସ୍ତ କ୍ରିୟା ପ୍ରତିକ୍ରିୟାର ପ୍ରାଣକେନ୍ଦ୍ର । ତାଙ୍କ ଚରିତ୍ର ଚାହାନ୍ତି ଜୀବନକୁ ପଳେ ପଳେ ଉପଭୋଗ କରିବା ପାଇଁ । ସେମାନେ ଚାହାନ୍ତି ପ୍ରତିପ୍ରତ୍ତି, ସମ୍ପତ୍ତି, ସୁନ୍ଦର ଘର, ସୁନ୍ଦରୀ ସ୍ତ୍ରୀ । ଏଥିରେ ଅବାକ ହେବାର କ’ଣ ବା ଅଛି । ତାଙ୍କ ସମୟରେ ସେ ଏସବୁ ଯେତିକି ଲୋଡ଼ୁଥିଲେ ଆମେ ଆଜି କ’ଣ ତା’ଠାରୁ ଅଧିକ ଲୋଡ଼ୁ ନାହିଁ କି ?

 

ସେ ଅନେକ ଲେଖିଛନ୍ତି । କେଉଁଥିରେ ବ୍ୟକ୍ତିତ୍ଵ ତାଙ୍କର ବିଶେଷ ଭାବେ ପ୍ରତିଫଳିତ ହୋଇଛି କହିବା କଠିନ । ତେବେ ମମଙ୍କ ମତରେ ‘ଓଲଡମ୍ୟାନ ଚାରିଏଟ’’ (Old man Gariat) ଯାହକୁ କି ଆମେ ‘’ବୃଦ୍ଧ ଗାରିଏଟ’’ ବୋଲି କହି ପାରିବା, ତାଙ୍କର ଶ୍ରେଷ୍ଠ ରଚନା । ସେ ଏତେ ବିରାଟ ଲେଖକ ହେଲେ ମଧ୍ୟ ସମାଲୋଚନାରୁ ସେ ବାଦ ପଡ଼ି ନାହାନ୍ତି । ଟଲଷ୍ଟୟ,ଏଡ଼ାଟେସଭିସ୍କଙ୍କ ବିରୁଦ୍ଧରେ ରୁଷିଆର, ଡିକେନ୍ସଙ୍କ ବିରୁଦ୍ଧରେ ଇଂରେଜୀରେ ଯାହା !, ବାଲଜାକଙ୍କ ବିରୁଦ୍ଧରେ ଫ୍ରାନସ ସମାଲୋଚକର ସେହି ଅଭିଯୋଗ । ଅନ୍ୟ ବିଶିଷ୍ଟ ଲେଖକତ୍ରୟିଙ୍କ ପରି ବାଲଜାକଙ୍କର ନିଜ ଘରେ ଯଥେଷ୍ଟ ଦଖଲ ନ ଥିଲା । ଉପନ୍ୟାସ ସମ୍ରାଟ ପୁଣି ଆପଣା ଭାଷାରେ ଅପାରଗ ! ବଡ଼ ବିଚିତ୍ର କଥା !!

 

ପର ଜୀବନରେ ସେ ଯେ ଜଣେ ଏପରି ବିରାଟ ଲେଖକ ହେବେ ତାଙ୍କ ଜୀବନୀ ପାଠକଲେ କେବେ ବିଶ୍ୱାସ ହୁଏ ନାହିଁ । ବାପା ତାଙ୍କର ଡାକ୍ତରଖାନାରେ ଜଣେ କର୍ମଚାରୀ । ଚାରିଗୋଟି ସନ୍ତାନ ମଧ୍ୟରେ ସେ ହେଉଛନ୍ତି ବାପାଙ୍କର ପ୍ରଥମ ସନ୍ତାନ । ସ୍ନେହ ସୋହାଗ ତେଣୁ ଅନ୍ୟମାନଙ୍କ ଅପେକ୍ଷା ଅଧିକା ପାଇଛନ୍ତି । ଛାତ୍ର ହିସାବରେ ସେ ଏକାନ୍ତ ଅନାମଧେୟ, ଅଳସୁଆ-। କୌଣସି-ମତେ ପାସ କରିଯାଇ ଥିଲେ । ପାସ ପରେ ମା ଚାହୁଥିଲେ ପୁଅ ତାଙ୍କର ଓକିଲାତି କରୁ । କିନ୍ତୁ ପୁଅଙ୍କୁ ଝୁଙ୍କ ସେ ହେବେ ଲେଖକ । ଲେଖକ ହେବା ପାଇଁ ପୁଅର ଏକାନ୍ତ ଜିଦ ଦେଖି ବାପା ଶେଷରେ କହିଲେ–ନା, ତାକୁ ବାଧ୍ୟ କରନାହିଁ । ତା ଇଚ୍ଛା ଯାହା ପାଉଛି କରୁ । ତା’ପରେ ସେ ତାଙ୍କ ଲେଖକ ଜୀବନର ଶୁଭ ଦେଲେ ।

 

ତାଙ୍କର ପ୍ରଥମ ରଚନା ହେଉଛି କ୍ରମୱେଲଙ୍କ ଉପରେ ଏକ ବିୟୋଗାନ୍ତକ କାବ୍ୟ । ପରିବାରର ଲୋକଙ୍କୁ କାବ୍ୟଟି ଯେତେ–ବେଳେ ସେ ପଢ଼ି ଶୁଣାଇଲେ ସମସ୍ତେ ଏକ ସ୍ଵରରେ କହିଲେ ବାଜେ’ ବାଜେ’ ବାଜେ’ । ଜଣେ ପ୍ରବୀଣ ଅଧ୍ୟାପକ ତାହା ପଢ଼ି ମତ ଦେଲେ ଲେଖାଲେଖି ଛଡ଼ା ଅନ୍ୟ ଯେ କୌଣସି ବ୍ୟବସାୟ ସେ କରିପାରନ୍ତି ।” ତାହା ଶୁଣି ବାଲଜାକ ରାଗିଲେ ଯେତିକି, ହତାଶ ହେଲେ ସେତିକି । କିନ୍ତୁ ଲେଖାଲେଖି ଛାଡ଼ି ଦେବାକଥା ସେ କେବେ ଚିନ୍ତା କରି ନାହାନ୍ତି । ପରିବର୍ତ୍ତନ ଅବଶ୍ୟ ହେଲା ସେ କାବ୍ୟ ଲେଖା ଛାଡ଼ି ଦୁଇ ଖଣ୍ଡ, ଉପନ୍ୟାସ ସୃଷ୍ଟି କଲେ । ସେଥିରେ ଲେଖାର ମାନ ଯେ ତାଙ୍କର ବଢ଼ିଲା କହିବା କଠିନ । ସେ ଉପନ୍ୟାସ ଉପରେ ଯେଉଁ ମତାମତ ମିଳିଲା ତାହା ନ ଜାଣିବା ବରଂ ଭଲ । ଲେଖାଲେଖିରେ ଆଉ ଅଧିକ ସମୟ ନ କାଟି ଘରକୁ ଫେରିଯିବା ପାଇଁ ପୁଅକୁ ବାପା ବାଧ୍ୟ କଲେ । ସେତେବେଳେ ପ୍ୟାରିସର ଅଳ୍ପ ଦୁରରେ ସେମାନେ ବାସ କରୁଥିଲେ । ଶେଷରେ ବାଲଜାକ ବାଧ୍ୟହୋଇ ପ୍ୟାରିସରୁ ଫେରିଲେ ପଲ୍ଲୀକୁ । ଭଂଗାମନ ସଂପୂର୍ଣ୍ଣ ଭାଙ୍ଗି ପଡ଼ିବା ପୂର୍ବରୁ ଜନୈକ ବନ୍ଧୁଙ୍କ ପ୍ରେରଣାରେ ପୁଣି ସେ ଚଳାଇଲେ ଲେଖନୀ ।

 

ବିରାମହୀନ ସାଧନା । ଦୀର୍ଘ ପାଞ୍ଚବର୍ଷ ୧୮୨୧ରୁ୧୮୨୫ । ଖଣ୍ଡେ ନୁହେ ଦୁଇଖଣ୍ଡ ନୁହେ ପଚାଶ ଖଣ୍ଡ ଉପନ୍ୟାସ ଏହି ପାଞ୍ଚବର୍ଷ ମଧ୍ୟରେ ସେ ଲେଖିଛନ୍ତି ବୋଲି କେତେକ କହନ୍ତି । ଦିନେ ଯେଉଁମାନେ ତାଙ୍କୁ ହସୁଥିଲେ ସେମାନେ ଚୁପ ହେଲେ । “ତୁମ ଭବିଷ୍ୟତ ଉଜ୍ଜ୍ଵଳ, ଲେଖି ଚାଲ’ କହି ସମସ୍ତେ ତାଙ୍କୁ ଉତ୍ସାହ ଦେଲେ । ଶେଷରେ ସ୍ଵପ୍ନ ତାଙ୍କର ସତ୍ୟ ହେଲା । କିଛି ବହୁତ ଦିନନୁହେଁ–ଏ ହେଲା ମୋଟେ ପାଞ୍ଚଟି ବର୍ଷ ପରିଶ୍ରମର ପୁରସ୍କାର । ଆମେ ହସଖୁସିରେ ହୁଏତ ପାଞ୍ଚବର୍ଷ ଉଡ଼ାଇ ଦେଇଥାଏ । ସେ କିନ୍ତୁ ସେତିକି ସମୟରେ ଦୁନିଆରେ ନା ମାରିନେଲେ । ଯାହା କହନ୍ତି କରିପାରିଲେ ସବୁ ।”

 

ବାଲଜାକଙ୍କ ଚରିତ୍ର ଗୁଡ଼ିକ ପରି ସେ ନିଜେ ଭାରି ଜାତ୍ୟାଭିମାନୀ ଓ ବିଳାସୀ । ସବୁବେଳେ ସେ ସୁସଜ୍ଜିତ ଗୃହ ଓ ଦାମିକା ଜିନିଷପତ୍ର ବ୍ୟବହାର କରିଥାନ୍ତି । ସେ କିପରି ପୋଷାକପ୍ରିୟ ତାଙ୍କୁ ଭେଟିଲେ ସହଜରେ ଜଣାପଡେ । ସନ୍ଧ୍ୟାବେଳେ ଗଲେ ଦେଖିବ–ସେ ଗୋଟିଏ କଳାପ୍ୟାଣ୍ଟ, ସୁନାବୋତାମ ଦିଆ ସାଗୁଆ କୋଟ ଓ ହଳଦିଆ ମୋଜା ସଙ୍ଗେ ହଳେ ସୁନ୍ଦର ଜୋତା ପିନ୍ଧିଥିବେ । ସନ୍ଧ୍ୟାରେ ଯାହାଙ୍କର ଏମିତି ସାଜସଜା ଦିନରେ ସେ କେମିତି ନ ଥିବେ ! ଦିନବେଳେ ସେ ଗୋଟିଏ ମଇଳା କୋଟ, ପୁରୁଣା ପ୍ୟାଣ୍ଟ, ମଇଳା ଜୋତା ଓ ପୁରୁଣା ଟୋପି ପିନ୍ଧି ବସିଥାନ୍ତି । ତାଙ୍କ ସମସାମୟିକମାନେ କହନ୍ତି ବାଲଜାକ ତିରିଶ ବର୍ଷ ବୟସରେ ସେ ଯେତିକି ରୋମାଣ୍ଟିକ ସେତିକି ବିଶ୍ଵସ୍ତ, ରହସ୍ୟପ୍ରିୟ ଓ କର୍ମପ୍ରବଣ ।

 

ଦେଖିବାକୁ ସ୍କନ୍ଧଦେଶ ତାଙ୍କର ଶକ୍ତ । ବକ୍ଷ ପ୍ରଶସ୍ତ । ନାକପୁଡ଼ାଦୁଇଟି ବଡ଼ ବଡ଼ । ପ୍ରଶସ୍ତ କପାଳ ଏବଂ ମୁଣ୍ଡର ଘନ କେଶରାଶି ପଛକୁ ଲମ୍ବି ରହିଥାଏ । ଦେହର ରଙ୍ଗ ଲାଲ । ହାତ ଦୁଇଟି ବେଶ ସୁନ୍ଦର । ସେ ହାତ ଦୁଇଟି ପାଇଁ ସେ ଗର୍ବ କରନ୍ତି । ଛୋଟ ଅଥଚ ମାଂସଳ ହାତରେ ଗୋଲପୀ ରଙ୍ଗର ନଖ ଗୁଡ଼ିକ ତାଙ୍କୁ ବେଶ ମାନେ ।

 

କାର୍ଯ୍ୟବ୍ୟସ୍ତବେଳେ ସେ ନିୟମିତ ଜୀବନ କାଟନ୍ତି । ସନ୍ଧ୍ୟା ଭୋଜନ ଶୀଘ୍ର ଶେଷକରି ଶୋଇ ପଡ଼ନ୍ତି । ରାତ୍ର ଗୋଟାକ ସମୟରେ ଶଯ୍ୟଛାଡ଼ି ସକାଳ ସାତଟା ପର୍ଯ୍ୟନ୍ତ ଲେଖାଲେଖି କରନ୍ତି । ସାତଟାରେ ସ୍ନାନ ସାରି ଶେଯରେ ପଡ଼ି ରୁହନ୍ତି । ଆଠଟା ନ’ଟା ମଧ୍ୟରେ ପ୍ରୁଫ ଦେଖିବା ଓ ପ୍ରକାଶକମାନଙ୍କୁ ସାକ୍ଷାତ ଦେବାରେ ସେ ବ୍ୟସ୍ତ ରହନ୍ତି । ତା’ପରେ ପୁଣି ମଧ୍ୟାହ୍ନ ପର୍ଯ୍ୟନ୍ତ ଲେଖାଲେଖି କରନ୍ତି । ମଧ୍ୟାହ୍ନରେ ସିଝା ଅଣ୍ଡା, କଫି ଖାଇ ପୁଣି ସନ୍ଧ୍ୟାଛ’ ଟା ପର୍ଯ୍ୟନ୍ତ ଲେଖାଲେଖି କରନ୍ତି । ସନ୍ଧ୍ୟାରେ କେବେ କେତେକ ବନ୍ଧୁମାନଙ୍କ ସଙ୍ଗେ ଅଳ୍ପ ଆଳାପ କରି ଶୋଇ ପଡ଼ନ୍ତି । ରାତିରେ ଲେଖିବାର ବିଶେଷତ୍ଵ ହେଉଛି ଯେ ସେ ଗୋଟିଏ ମହମବତୀ ଆଲୁଅ ଜାଳି ପରକଲମରେ ଲେଖାଲେଖି କରନ୍ତି ଓ ବରାବର କଫି ଖାଉଥାନ୍ତି; ସେତେବେଳେ ପୋଷାକ ତାଙ୍କର ମଲ୍ଲିଫୁଲ ପରି ତୋଫା । ସେଥିରେ ସାମାନ୍ୟ ମଇଳା କିମ୍ବା ଦାଗଟିଏ ସୁଦ୍ଧା ଲାଗି ନ ଥାଏ-। ସେ କହନ୍ତି ଲେଖାଲେଖିଲା ବେଳେ କ’ଣ ଆପଣାକୁ ପରିଷ୍କାର ପେଷାକରେ ଢାଙ୍କି ରଖିବା ଉଚିତ୍‍ ।

 

ସେ କ’ଣ ଲେଖିବେ ଆଗରୁ ଠିକ କରି ନ ଥାନ୍ତି । ଲେଖିବା ପାଇଁ ଲେଖନ୍ତି । ପରେ ଦରକାର ଅନୁଯାୟୀ ବଦଳାନ୍ତି ପ୍ରୁଫ ଦେଖିବାବେଳେ ଗୋଟାଏ ଶବ୍ଦକୁ ଏପଟ ସେପଟ କରିବାଠାରୁ ଗୋଟିଏ ନୂତନ ପାରା କିମ୍ବା ପରିଛେଦକୁ ପୁରୁଣା ଲେଖାରେ ଯୋଗ କରିଦେବା ପାଇଁ ସେ ପଛାନ୍ତି ନାହିଁ । ଫଳରେ ପ୍ରକାଶକ ଓ ଛପାଳି ଉଭୟେ ହଇରାଣ ହୋଇଥାନ୍ତି । ଖର୍ଚ୍ଚଟା ବଢ଼ିବା ନିହାତି ସ୍ଵାଭାବିକ କଥା । ସେଥିପାଇଁ ପ୍ରକାଶକ ଓ ଲେଖକଙ୍କ ମଧ୍ୟରେ ସମ୍ପର୍କଟା ଟିକିଏ ତିକ୍ତ ହୋଇଉଠେ ।

 

ଏହିସବୁ ବିବରଣୀରୁ ଧରିଯିବ ନାହିଁ ଯେ ଲେଖକ ଅନେକ ଆୟ କରୁଥିବେ । ସେ ଆୟକରନ୍ତି ସତ ହେଲେ ଆୟ ଅପେକ୍ଷା ବ୍ୟୟ ତାଙ୍କର ଅଧିକ । ସେ ବଡ଼ ଆଶାବାଦୀ । ସେଥିପାଇଁ ଧାରକରି ଚଳିବାକୁ ସେ କେବେ ପଛାନ୍ତି ନାହିଁ । ତାଙ୍କର ବିଶ୍ୱାସ ଲେଖାଲେଖିରେ ଯାହା ମିଳିବ ସେଥିରେ ଋଣ ପରିଶୋଧ ହୋଇଯିବ । କିନ୍ତୁ ବାସ୍ତବ ଜୀବନରେ ତାହା ହୋଇ ପାରେ ନାହିଁ । ତାଙ୍କୁ ଅଭାବ ବରାବର ଲାଗି ରହିଥାଏ । ଅଭାବରେ ପଡ଼ି ସେ ନକରିବା କାର୍ଯ୍ୟ କରିଥାନ୍ତି । ବହି ଲେଖିବା ଆଗରୁ ପ୍ରକାଶକଙ୍କଠାରୁ ଟଙ୍କା ନେଇ ଆସନ୍ତି । ଯଦି ବରାଦି ବହିଟି ଲେଖା ଚାଲିଛି ଅଥଚ ଟଙ୍କା ଦରକାର ହେଲା ତେବେ–ସେ ବହି ଅନ୍ୟ ପ୍ରକାଶକଙ୍କୁ ଦେଇ ଟଙ୍କା ନେବାପାଇଁ ସେ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ । କେବେ କେବେ ଟଙ୍କା ଆଣି ମୋଟେ ଲେଖନ୍ତି ନାହଁ । ଧାର ଉଧାର ତାଙ୍କର ଥାଏ ତଥାପି ସେ ବେପରୁଆ । ଋଣଦାତା ଟଙ୍କା ଫେରିପାଇବା ପାଇଁ ଲୋକେ ସର୍ବସାଧାରଣରେ ତାଙ୍କର ଚଳନ୍ତି ଜିନିଷ ଚୌକି, ଟେବୁଲ ପର୍ଯ୍ୟନ୍ତ ନିଲାମ କରି ନେଇଛନ୍ତି । ସେ ବିଷୟରେ ବାକଜାକ ନିର୍ଲ୍ଲଜ କିନ୍ତୁ ସେଥିରେ ବିଚଳିତ ହୁଅନ୍ତି ନାହିଁ । ପୂର୍ବପରି ଧାର ମାଗନ୍ତି ।

 

ସମସ୍ତ ଦୁର୍ଗୁଣ ସତ୍ତ୍ୱେ ବନ୍ଧୁମାନେ ତାଙ୍କୁ ଧାର ଦିଅନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ସ୍ଵଭାବତଃ ଧାରଦେବା ପାଇଁ କୁଣ୍ଠାବୋଧ କରୁଥିବା ନାରୀମାନେ ମଧ ତାଙ୍କୁ ଧାର ଦେବାକୁ ପଛାନ୍ତି ନାହିଁ । ସଚୋଟ ଲୋକପରି ଧାର ପରିଶୋଧ ପାଇଁ ବାଲଜାକ ଗଧପରି ଖଟିଛନ୍ତି । ମାତ୍ର ଫଳ କିଛି ହୋଇ ନାହଁ । ତାଙ୍କର ଏହି ବ୍ୟର୍ଥ ଓ କଳଙ୍କମୟ ଜୀବନର ଏକମାତ୍ର ବିଶେଷତ୍ଵ ହେଉଛି, ଯଦି ଦୁନିଆ ପ୍ରତି ତାଙ୍କର କିଛି ଅବଦାନ ଥାଏ ତେବେ ତାହା ହଉଛି କେଇ ଖଣ୍ଡ ଉପାଦେୟ ପୁସ୍ତକ ।

 

ବାଲଜାକଙ୍କ ପାରିବାରିକ ଅବସ୍ଥା ଅତି ଦୁଃଖମୟ । ପ୍ୟାରିସରେ ଥିବାବେଳେ ସେ ଜଣେ ଜର୍ମାନ ଗାୟକଙ୍କ କନ୍ୟା ମାଡାମ୍ ଡି.ବର୍ନିଙ୍କ ପ୍ରେମରେ ବନ୍ଦୀ ହେଲେ । ସେତେବେଳକୁ ପ୍ରେମିକା ଆଠଟି ସନ୍ତାନର ମା । ବୟସ୪୫ । କେବଳ ପ୍ରେମିକା ନୁହେଁ, ଅନ୍ତରଙ୍ଗ ବନ୍ଧୁ ହିସାବରେ ଲେଖାଲେଖିରେ ସେ ବାକଜାକଙ୍କୁ ଯଥେଷ୍ଟ ପ୍ରେରଣା ଦେଇଥିଲେ । ଶେଷରେ ଏହି ବର୍ନିଙ୍କ ସଙ୍ଗେ ତାଙ୍କର ବିବାହ ହେଲା । ବାକଜାକଙ୍କ ମା’ଙ୍କ ମନସ୍ତାପ ବଢ଼ିଲା ଯେତିକି, ଲୋକେ ହସିଲେ ସେତିକି । ବୟସ ଦୃଷ୍ଟିରୁ ଦେଖିଲେ ବର୍ନି ତାଙ୍କର ମା ସମାନ ତା ଛଡ଼ା ପରର ଚାକରାଣୀକୁ ବୋହୁ କରିବା ପାଇଁ କେଉଁ ମା ଚାହିଁବ ବା କାହିଁକି ?

 

ଏହି ସମୟରେ ବାକଜାକଙ୍କ ଆୟ ଅଳ୍ପ । ଭଲରେ ଚଳିବା ପାଇଁ ସେ ପ୍ରେସଟିଏ ଆରମ୍ଭ କରିଥିଲେ । ପରେ ସେ ଏକାଧାରରେ ପ୍ରକାଶନ, ପ୍ରିଣ୍ଟର, ବ୍ଲକମେକର ସବୁ । ସବୁ ପରିଶ୍ରମ ସତ୍ଵେ ଫଳ କିଛି ଆଶାଜନକ ହେଲେ ନାହଁ । କାରଣ ସେସବୁ ବିଷୟ ବୁଦ୍ଧି ତାଙ୍କର ଥିଲା ଅତି କମ୍ । ସେ ସ୍ଵଭାବତଃ ବଦଖର୍ଚ୍ଚି । ସବୁଠି ବାକି । ଏପରିକି ଧୋବା, ଭଣ୍ଡାରି , ମୋଚି ବାଦ ପଡ଼ି ନାହାନ୍ତି । ଶେଷରେ ପ୍ରେସ ନିଲାମ ହୋଇଥିବା କଥା । କିନ୍ତୁ ମା’ଙ୍କ ଚେଷ୍ଟାରୁ ଅଳ୍ପକେ ରକ୍ଷା ପାଇଗଲା । ସବୁ ଦୁର୍ଦ୍ଦିନ ପରା କଳାକାରମାନଙ୍କ ପାଇଁ ଗୋଟାଏ ଦୃଷ୍ଟିରେ ଆର୍ଶୀବାଦ । ତାଙ୍କ ଜୀବନରେ ବି ସେଇୟା ହୋଇଛି । ସେ ଦୁର୍ଦ୍ଦିନର ଅନୁଭୁତି ତାଙ୍କ ଉପନ୍ୟାସ ସୃଷ୍ଟିରେ ଯଥେଷ୍ଟ ପ୍ରଭାବ ପକାଇଛି ।

 

ସେ ଜଣକୁ ବିବାହ କରିଥିଲେ ସତ; କିନ୍ତୁ ଏକାଧିକ ରମଣୀଙ୍କ ସହ ପ୍ରଣୟାସକ୍ତ ଥିଲେ-। କେତେକଙ୍କ ସଙ୍ଗେ କିଛି କିଛି ସମୟ କାଟିଛନ୍ତି । ପ୍ରଣୟ ଜୀବନ ତାଙ୍କର ବାସ୍ତବରେ କରୁଣ-। ଲେଖକ ହିସାବରେ ନାଁ ତାଙ୍କର ଯେତିକି ବଢ଼ୁଥାଏ, ଧନୀ ତଥା ଉଚ୍ଚ ପରିବାରର ରମଣୀମାନଙ୍କ ସହିତ ତାଙ୍କର ସମ୍ପର୍କ ସେତିକି ବଢ଼ୁଥାଏ । ସେମାନଙ୍କୁ ଭଲ ପାଇବା ପଛରେ ମନର ଆକର୍ଷଣ ଅପେକ୍ଷା । ଅର୍ଥର ମାୟା ତାଙ୍କୁ ଅଧିକ ପାଗଳ କରିଥାଏ । କିନ୍ତୁ ବିଧିର ବିଡ଼ମ୍ବନା ଯୋଗୁଁ ପ୍ରଣୟ ଜୀବନର ପ୍ରତି ପଦକ୍ଷେପରେ ସେ ପାଇଛନ୍ତି ଆସକ୍ତ ଆଉ ଅପମାନ । ମୁହଁରେ ହସ ଅପେକ୍ଷା ଆଖିର ଅଶ୍ରୁ ହୋଇଛି ତାଙ୍କର ସମ୍ବଳ । କେଉଁଠି ପ୍ରେମର ଫୁଲ ଫଳ ଧରିବା ପୂର୍ବରୁ କଢଟି ମଉଳି ଯାଇଛି ତ, କେଉଁଠି ଦେହର ମିଳନ ପୂର୍ବରୁ ମନ ଫାଟି ଯାଇଛି ।

 

ତାଙ୍କର ପ୍ରଣୟିନୀମାନଙ୍କ ଭିତରେ ଲଣ୍ଡନର ରାଜା ୨ୟ ଜେମସଙ୍କ ସମ୍ପର୍କୟା ଝିଆରୀ ମାର୍କ୍ୟୁସ ଡି. କାଟିର୍ଜ, ପୋଲାଣ୍ଡର ଧନିକ ରମଣୀ ଏଭେଲିନହାନସ୍କା, ପ୍ୟାରିସର ଇଂରେଜ ରମଣୀ ମିସେସ ଲିକାଉଣ୍ଟ ପ୍ରଭୃତି ପ୍ରଧାନ । ଏକ ସମୟ ମଧ୍ୟରେ ଏକାଧିକ ନାରୀଙ୍କୁ ପ୍ରେମ କରିବା ଓ ଫଳରେ ସମସ୍ତଙ୍କୁ ହରାଇ ବସିବା ତାଙ୍କ ଜୀବନର ବ୍ୟର୍ଥତାର କାରଣ ମଧ୍ୟରୁ ଅନ୍ୟତମ ।

 

ପ୍ରଥମେ ନିଜ ନାମ ନ ଦେଇ ଠିକଣା ନ ଦେଇ ନାରୀ ମାନଙ୍କୁ ପତ୍ର ଲେଖନ୍ତି ଓ ତା’ପରେ ସେମାନଙ୍କୁ କିପରି ପାଇବାକୁ ହେବ ସେଥିରେ ସେ ଲାଗି ପଡ଼ନ୍ତି । ଏଭେଲିନ ହାନାସ୍କାଙ୍କ ଠାରୁ ପ୍ରଥମ ଚିଠି ପାଇଲା ପରେ ତାଙ୍କ ଠିକଣା ପାଇବା ପାଇଁ ସମସ୍ତ ଚେଷ୍ଟା କରି ବାକଜାକ ବିଫଳ ହେବାପରେ କlଗଜ ଜରିଆରେ ସେ କିପରି ବିଜ୍ଞାପନ ଦେଇଥିଲେ ପଢ଼ନ୍ତୁ । ସେ ଲେଖିଥିଲେ ‘’ବାଲଜାକ ତୁମ ପତ୍ର ପାଇଛନ୍ତି । କିନ୍ତୁ ଦୁଃଖର କଥା କେଉଁ ଠିକଣାରେ ଲେଖିଲେ ତୁମେ ଚିଠି ପାଇବ ସେ ଜାଣନ୍ତି ନାହିଁ ।‘’ ଶେଷରେ ପ୍ରଣୟିନୀ ଠିକଣା ପଠାଇଥିଲେ । ଏଥିରୁ ଜଣାଯାଏ ଲେଖକ କିପରି ପ୍ରଣୟ ପାଗଳ ଥିଲେ । ତାଙ୍କ ଜୀବନରେ ପ୍ରଣୟର ଝଡ଼ ଯେପରି ଅଚାନକ ସୃଷ୍ଟି ହୋଇଛି ସେହିପରି ନିରାଡ଼ମ୍ବର ଭାବରେ ମଧ୍ୟ ଥମି ଯାଇଛି । ତାଙ୍କର ରଚନା ଦେଖି ଦୂରରୁ ତାଙ୍କ ପ୍ରତି ଯେ ଆକୃଷ୍ଟ ହୋଇଛି ନିକଟ ସମ୍ପର୍କକୁ ଆସି ତାଙ୍କୁ ବୁଦ୍ଧିହୀନ, ବେପରୁଆ, ବଦଖର୍ଚ୍ଚୀ,ଦେଖି ବହୁ ପ୍ରଣୟି ଦୂରେଇ ଯାଇଛନ୍ତି । ୧୮୩୬ ରେ ତାଙ୍କର ପ୍ରଥମ ସ୍ତ୍ରୀ ବର୍ନି ପ୍ରାଣ ହରାଇ ଥିଲେ । ଲେଖକ ପ୍ରିୟାଙ୍କ ମୃତ୍ୟୁରେ ମଉଳି ପଡ଼ିଥିଲେ । ଲୋକେ କହନ୍ତି ସେ ଦୁହିଁଙ୍କ ମଧ୍ୟରେ କେବଳ ଗଭୀର ସମ୍ପର୍କ ଥିଲା ! ଆଉ ସବୁ ଲୋକଦେଖାଣିଆ, ଫାଲତୁ ।

 

ସେ ବିଳାସୀ, ବଦଖର୍ଚ୍ଚୀ, ବହୁଦାବପ୍ରିୟ ଏ ଦୃଷ୍ଟିରୁ ବିଚାର କଲେ ତାଙ୍କ ପ୍ରତିଭାର ଅବମାନନା ହେବ । ସେ ବିରାଟ କଳାକାର ସେଥିରେ ସନ୍ଦେହ ନାହିଁ । ସେଥିପାଇଁ ବିଶ୍ଵ ତାଙ୍କୁ ସମ୍ମାନ କରେ । ବହୁ ଦୁର୍ଗୁଣ ମଧ୍ୟରେ ଏକ ବଳିଷ୍ଠ ଗୁଣ ତାଙ୍କୁ ଏବେ ବି ବଜୟୀ କରିରଖିଛି ।

★★★

 

ବାର ବର୍ଷରେ ଯେ ଖଡ଼ି ଛୁଇଁଥିଲେ ବିଶ୍ୱସଭାକୁ ବଞ୍ଚାଇବା ପାଇଁ ସେ ଅଣ୍ଟା ଭିଡିଥିଲେ

 

ଆମ ସମସ୍ତଙ୍କର ଉଡ ଉଇଲସନଙ୍କୁ ଜାଣିବା ଉଚିତ୍‍ । ସେ ଯେ ଆମେରିକାର ସଭାପତି ଥିଲେ ତାହା ନୁହେଁ ସେ ସମରବିକ୍ଷୁବଧ ମଣିଷ ସମାଜକୁ ଶାନ୍ତି ଦେବାପାଇଁ, ସବୁଦିନ ଲାଗି ଯୁଦ୍ଧ ଏଡ଼ି ଦେବାପାଇଁ ପ୍ରଥମେ “ଲିଗ୍ ଅଫ ନେସନସ’’ ର ପରିକଳ୍ପନା କରିପାରିଥିଲେ । ଯୁଦ୍ଧ ନ ହେବାପାଇଁ ଚିରସ୍ଥାୟୀ ବନ୍ଦୋବସ୍ତ କରିବା କ’ଣ ଏଡ଼େ ସହଜ । ଯୁଦ୍ଧ ବନ୍ଦକରିବାକୁ ଚେଷ୍ଟା କରି କେବଳ ନିଜର ନୂହେଁ, ମାନବ ଜାତିର ମଙ୍ଗଳ କରିଯାଇଛନ୍ତି । ଅବଶ୍ୟ ତାଙ୍କର ପରିକଳ୍ପନା କେତେଦୁର କାର୍ଯ୍ୟକାରି ହୋଇଥିଲା ସେ ସ୍ଵତନ୍ତ୍ର କଥା । ତାହା ସମର-ପାଗଳ ପାଶ୍ଚାତ୍ୟ ରାଜନୀତିଜ୍ଞମାନଙ୍କ ମଧ୍ୟରେ ରହି ତାଙ୍କ ମୁଣ୍ଡକୁ ସେ ଏପରି ଏକ ମାନବିକ ଚିନ୍ତା କିପରି ଢୁକିଲା, ସେହି କଥା ଭାବିଲେ ହିଁ ଆଶ୍ଚର୍ଯ୍ୟ ଲାଗେ ।

 

୧୯୧୯ ମସିହାରେ ସେ ସେତେବେଳେ ଲଣ୍ଡନ ଗସ୍ତରେ ଯାଇଥିଲେ । ତାଙ୍କୁ ଦେଖିବା ପାଇଁ ଲକ୍ଷଲକ୍ଷ ଲୋକ ଧାଡ଼ିଧରି ଠିଆ ହୋଇଗଲେ । ଶାନ୍ତିର ବାର୍ତ୍ତାବହ, ମାଟିର ଦେବତା କହି ଯୁଦ୍ଧରେ ଆକ୍ରାନ୍ତ; ଯୁଦ୍ଧରେ ଜୀବନ ହରାଇଥିବା ଲୋକଙ୍କ ଆତ୍ମୀୟମାନେ ତାଙ୍କର ଜୟଜୟ କରିଥିଲେ । ଜନସାଧାରଣ ତାଙ୍କର ପ୍ରତିମୂର୍ତ୍ତି ରଖି ପୂଜା କରିଥିଲେ, କହୁଥିଲେ ଦେବତା ତାଙ୍କୁ ଆଶୀର୍ବାଦ କରନ୍ତୁ । ମଣିଷ ଜାତିର ମଙ୍ଗଳ ପାଇଁ, ବିଶ୍ଵର ଶାନ୍ତି ପାଇଁ ସେ ବଞ୍ଚିରହନ୍ତୁ ।

 

ଲୋକେ କହନ୍ତି ସେ ଜଣେ ପ୍ରତିଭାଶାଳୀ ବ୍ୟକ୍ତି । ଜୀବନରେ ତାଙ୍କର କଳା ଧଳା, ଜୟ ପରାଜୟ ଉଭୟର ଆଭାସ ମିଳି ଥିଲା । ବିରାଟ ବିଜୟ ପରି ସ୍ମରଣୀୟ ବିଜୟ ହେଉଛି ତାଙ୍କ ଜୀବନର ବିଶେଷତ୍ଵ ଯେଉଁ ମଣିଷ ବିଶ୍ଵଶାନ୍ତିର ପରିକଳ୍ପନା କରିଥିଲେ ସେ ପୁଣି ମଣିଷଙ୍କ ସଙ୍ଗେ କିପରି ମିଶିବାକୁ ହୁଏ ଜାଣିନ ଥିଲେ । ଦୁନିଆରେ ସେ ଅସମ୍ଭବକୁ ସମ୍ଭବ କରିଥିଲେ । କିନ୍ତୁ ନିଜର ଲାଜକୁଳା ପ୍ରକୃତିକୁ ସେ ଜୟ କରିପାରି ନ ଥିଲେ । ତାଙ୍କ ଜୀବନରେ ଏ ହେଉଛି ବିରାଟ ବିଜୟ ।

 

ସେ ଲୋକମାନଙ୍କ ସଙ୍ଗରେ ମିଳାମିଶା କରିପାରୁ ନ ଥିଲେ; ଗମ୍ଭୀର ରହୁଥିଲେ । ନିଜକଥା ବଜାୟ ରଖିବା ପାଇଁ ବେଳେବେଳେ ଜିଦ ଧରି ବସୁଥିଲେ ଓ ବନ୍ଧୁମାନଙ୍କ କଥା ଗ୍ରହଣ କରୁ ନ ଥିଲେ । ସେ ଅଭିଯୋଗ ତାଙ୍କ ବିରୁଦ୍ଧରେ ବାରମ୍ବାର ହୋଇଛି । କିନ୍ତୁ କେହି କେବେ ବୁଝିବାକୁ ଚେଷ୍ଟା କରିନାହାନ୍ତି ଯେ, ଏସବୁ ମୂଳରେ ଥିଲା ତାଙ୍କର ଲାଜକୁଳା ପ୍ରକୃତି । ଲୋକଙ୍କ ସହିତ ମିଶିବା ପାଇଁ ସେମାନଙ୍କ ସ୍ନେହ, ସହାନୁଭୂତି ଓ ସମର୍ଥନ ପାଇବା ଲାଗି ଦୁନିଆର ଯେ କୌଣସି ଲୋକଙ୍କ ପରି ତାଙ୍କର ମଧ୍ୟ ଇଚ୍ଛା ଥିଲା ।

 

ଅବସର ବିନୋଦନ ପାଇଁ ଡିଟେକଟିଭ ଗଳ୍ପ ପଢ଼ିବା ଉଇଲସନଙ୍କ ପ୍ରଧାନ ଅଭ୍ୟାସ । କଳା ପ୍ରତି ତାଙ୍କର ବିଶେଷ ଆସ୍ଥା ନ ଥିଲା । ବିଶ୍ଵବିଦ୍ୟାଳୟର ଶାନ୍ତ ବାତାବରଣ ମଧ୍ୟରେ ବହୁ ସମୟ କଟାଇବା ମଧ୍ୟ ସେ କହନ୍ତି, ସେକ୍ସପିଅରଙ୍କ ନାଟକ ଅପେକ୍ଷା ଗୀତ-ନାଟ୍ୟ ଦେଖି ସେ ଅଧିକ ଆନନ୍ଦ ପାଇଥାନ୍ତି ।’ ସଭାପତି ହେବା ପରେ ସପ୍ତାହରେ ଥରେ ଦୁଇଥର ସେ ନାଟକ ଦେଖିବାକୁ ପାଇଲେ । ତାଙ୍କୁ ଯଦିଓ ପାଠୁଆ ବୋଲି ସମ୍ମାନ ଦିଆଯାଉ ଥିଲା ଭାଷା ଉପରେ ତାଙ୍କର ଯଥେଷ୍ଟ ଦଖଲ ନ ଥିଲା । ପୃଥିବୀର କେତେକ ବିଶିଷ୍ଟ ସାହିତ୍ୟିକଙ୍କୁ ସେ ଚିହ୍ନି ନ ଥିଲେ । ବିଜ୍ଞାନ ପ୍ରତି ତାଙ୍କର ଆଦର ନ ଥିଲା । ଏ ଗଲା କଳା ଆଉ ବିଜ୍ଞାନ । ଦର୍ଶନ ପାଇଁ ତାଙ୍କର ଏତେ ଟିକେ ଖାତିର ନ ଥିଲା । କଳା, ବିଜ୍ଞାନ କିମ୍ବା ଦର୍ଶନ ପାଇଁ ଯାହାଙ୍କର ଆଦୌ ମମତା ନ ଥିଲା ସେ ପୁଣି ନିଜର ସମସ୍ତ ଶକ୍ତି ଦେଇ ଗଢୁଥିଲେ ‘’ଲିଗ୍ ଅଫ ନେସନସ । ଦୁନିଆରେ ମଣିଷ ଜାତିର ଶାନ୍ତି ପାଇଁ, କଳା, ବିଜ୍ଞନ ଓ ଦର୍ଶନର ନିର୍ବିଘ୍ନ ବିକାଶ ପାଇଁ । ବଡ଼ ବିଚିତ୍ର କଥା ! ମଣିଷ ତା ନିଜ ଚିନ୍ତାଧାରା ମଧ୍ୟରେ କି ଫରକ ସତେ ! ଆମେରିକାର ସଭାପତିଙ୍କ ମଧ୍ୟରେ ଏହି ଉଇଲସନ ବୋଧହୁଏ ସବୁଠୁ ଅଧିକ ପାଠୁଆ ବୋଲି କହିଲା ବେଳେ ଗୋଟିଏ କଥା କହିବା ପାଇଁ ଭୁଲିଯିବେ ନାହିଁ–ବାର ବର୍ଷ ପର୍ଯ୍ୟନ୍ତ ସେ ଖଡ଼ି ଛୁଇଁ ନ ଥିଲେ ।

 

ଜୀବନରେ ବହୁକାଳ ସେ ଦରିଦ୍ର ଥିଲେ । ତରୁଣ ବୟସରେ ବିଳାସ କଥା ସେ ସ୍ଵପ୍ନରେ ସୁଦ୍ଧା ଚନ୍ତାକରି ନାହାନ୍ତି । ଶିକ୍ଷକ ଥିଲାବେଳେ ସେ ଏପରି ଦରିଦ୍ର ଥିଲେ ଯେ, ପରିବାର ଚଳାଇବା ପାଇଁ ତାଙ୍କ ସ୍ତ୍ରୀ ନିଜ ହାତରେ ଚିତ୍ର କରି ବଜାରରେ ବିକ୍ରି କରୁଥିଲେ । ଦିନ ଆସିଲା, ସେ ପୁଣି ହ୍ଵାଇଟ ହାଉସରେ ରାଜରାଣୀ ହୋଇ ବସିଲେ । ଆଜି ଯେଉଁମାନେ ନିତାନ୍ତ ନିସ୍ଵ ତାଙ୍କର କ’ଣ ଏଥିରୁ କିଛି ଶିଖିବାର ନାହିଁ ?

 

ଭଲ ପୋଷାକ ଖଣ୍ଡିଏ ପିନ୍ଧିବା ପାଇଁ ତାଙ୍କୁ ପଇସା ମିଳୁ ନ ଥିଲା । ସେ କୌଣସି ମତେ ଚଳି ଯାଉଥିଲେ । ଦିନ ଆସିଲା ପୁଣି ଢେର ପଇସା, ଢେର ସମ୍ମାନ ମିଳିଲା । ଲିଙ୍କନଙ୍କ ପରି ପୋଷାକ ପାଇଁ କିମ୍ବା ବ୍ୟକ୍ତିଗତ ସ୍ୱାସ୍ଥ୍ୟର ଯତ୍ନ ନେବାପାଇଁ ସେ କୌଣସି ପ୍ରକାର ଆଗ୍ରହ ଦେଖାଉ ନ ଥିଲେ । ଲିଙ୍କନଙ୍କ ପରି ଯାହା ପାଉଥିଲେ ଖାଉଥିଲେ । କ’ଣ ଖାଉଛନ୍ତି, କେମିତି ହୋଇଛି କେବେ ସେ କିଛି ବାଛ ବିଚାର କରୁ ନ ଥିଲେ ।

 

ଥରେ ଗୋଟିଏ ପୁରୁଣା କୋଟର କନା ବଦଳାଇବା ପାଇଁ ଚାକର ଯେତେବେଳେ ଦରଜୀ ନିକଟକୁ ନେବାକୁ କହେ, ସେ କହିଥିଲେ-ଏଥିରେ ପୁରା ଗୋଟାଏ ବର୍ଷ କାମ ଚଳିଯିବ ! ଯେଉଁ ଦେଶରେ ରାସ୍ତାର ଫକୀର କୋଟୀ ଡଲାରର ସ୍ଵପ୍ନ ଦେଖେ ସେ ଦେଶର ସଭାପତିଙ୍କ ମୁହଁରୁ ପୁରୁଣା କୋଟଟିରେ ଆଉ ବର୍ଷ ଚଳାଇ ନେବା କଥା ଶୁଣି କେହି ହୁଏତ ଜିଭ କାମୁଡ଼ି ଦେଇପାରେ କିନ୍ତୁ ସେଥିପାଇଁ ଅଧିକ ଚିନ୍ତା କରି ନଥିଲେ । ପୋଷାକର ମୂଲ୍ୟ କ’ଣ ସେ ବେଶ୍ ବୁଝିଥିଲେ । ବାସ୍ତବରେ କୋଇଲି ପରି ଯିଏ ଗାଇ ପାରିବ, ମୟୁର ପରି ପୁଚ୍ଛର ଆବଶ୍ୟକତା ସେ ବା ଲୋଡିବ କାହିଁକି ! ତାଙ୍କ ଜୀବନରେ ପରା ଥରେ ମାତ୍ର ସେ ଗୋଟାଏ ସିଗାରେଟ ଖାଇଲେ ! ସେ ସିଗାରେଟ ଖଣ୍ଡିକ ପୁରା ଖାଇଥିଲେ ବୋଲି କହିଲେ ଭୂଲ ହେବ । କାରଣ ଅଧା ଟାଣିବା ପୂର୍ବରୁ ମୁଣ୍ଡ ତାଙ୍କର ବୁଲାଇ ଦେଇଥିଲା, ଖର୍ଚ୍ଚବାର୍ଚ୍ଚରେ ସେ ବଡ଼ ସାବଧାନ । ତାଙ୍କର ସଉକର ଭିତରେ ଭଲ ବହି କିଣିବା ପ୍ରଧାନ । ବହିକିଣାରେ ସେ ପ୍ରାୟ ବହୁତ ଖର୍ଚ୍ଚ କରିଥାନ୍ତି ।

 

ସେ ସ୍ଵଭାବତଃ ରୁକ ଭେଲଟରଙ୍କ ଠାରୁ ଅଧିକ ବଦରାଗି । ସେ ଭାରି ଭାବପ୍ରବଣ । ନିଜର ପ୍ରଥମ ସ୍ତ୍ରୀକୁ ସେ ଗଭୀର ସ୍ନେହ କରୁଥିଲେ । ସଭାପତ୍ତି ହେବା ପରେ ସ୍ତ୍ରୀ ତାଙ୍କର ପ୍ରାଣ ହରାଇଲେ । ଏହି ମୃତ୍ୟୁରେ ସେ ଏପରି ଆଘାତ ପାଇଲେ ଯେ ହ୍ଵାଇଟ–ହାଉସରେ ନିଜ ସ୍ତ୍ରୀଙ୍କ ଶବକୁ ଶୋଫା ଉପରେ ରଖି ୭୨ ଘଣ୍ଟା ଜଗି ବସିଥିଲେ ।

 

ଓକିଲ ହିସାବରେ ଉଇଲସନ ଜୀବନ ଆରମ୍ଭ କରିଥିଲେ । ଭାବିଥିଲେ ବଡ଼ ହେଲେ ଜଣେ ରାଜନୀତିଜ୍ଞ ହେବେ । ସେଥିପାଇଁ କିପରି ଭଲ ବକ୍ତୃତା ଦେଇ ପାରିବେ; ନିଜ ଘରେ ବସି ଘଣ୍ଟାଘଣ୍ଟା ଅଭ୍ୟାସ କରୁଥିଲେ । କିନ୍ତୁ ନେତା ହେବାପାଇଁ ଯାହା ସବୁଠୁ ଅଧିକ ପ୍ରୟୋଜନ ସେ କଥାଟି ସେ ଶିଖିବାକୁ ଚେଷ୍ଟା କରି ନ ଥିଲେ । ସେ କଥାଟି କ’ଣ ? ଲୋକଙ୍କ ସଙ୍ଗେ ମିଶିବା, ତାଙ୍କ ମନ ଅନୁସାରେ କାମ କରିବା । ସେହି ଅନୁସାରେ ତାଙ୍କୁ ଶିକ୍ଷା ଦେବା । ଏସବୁ ଦୃଷ୍ଟିରୁ ବିଚାର କଲେ ସେ ଏକାନ୍ତ ଅପାରଗ । ଶେଷ ବର୍ଷଟି ବନ୍ଧୁମାନଙ୍କ ସଙ୍ଗେ କଳହ କରିବାରେ ତାଙ୍କର କେବଳ ବିତି ଯାଇଛି । ସିନେଟର ନେତା ଓ ତାଙ୍କର ପ୍ରିୟବନ୍ଧୁ, କୋଲନେଲ୍ ହାଉସଙ୍କ ସଙ୍ଗେ ତାଙ୍କର କଳି ହୋଇଥିଲା । କେବଳ ଡିମୋକ୍ରୋଟମାନଙ୍କୁ ବୋଝ ଦେବାକୁ କହି ଶେଷରେ ସେ ଦେଶର କେତକ ବିଶିଷ୍ଟ ବ୍ୟକ୍ତିଙ୍କର ଅପ୍ରିୟ ହୋଇଥିଲେ ଫଳରେ ଲଭ ଅଫ ନେସନକୁ ସିନେଟ ଯେତେବେଳେ ଗ୍ରହଣ କରିବା ପାଇଁ ଅମଙ୍ଗ ହେଲା ସେତେବେଳେ ସେ ଅନୁଷ୍ଠାନକୁ ମାନିବା ପାଇଁ ସିନେଟକୁ ଛାଡ଼ି ସେ ସିଧା ଜନସାଧାରଣଙ୍କୁ ନିବେଦନ କରିଥିଲେ ।

 

ଅଧିକ କଷ୍ଟ ସ୍ୱୀକାର କରି କାର୍ଯ୍ୟକରିବା ପାଇଁ ସ୍ଵାସ୍ଥ୍ୟ ତାଙ୍କର ଉପଯୁକ୍ତ ନ ଥିଲା । ସେଥିପାଇଁ ଅଧିକ ପରିଶ୍ରମ ନ କରିବା ଲାଗି ଚିକିକତ୍ସକମାନେ ତାଙ୍କୁ ବରାବର ଅନୁରୋଧ କରୁଥିଲେ । କିନ୍ତୁ ସେ କାହାରି ଉପଦେଶ ଶୁଣୁ ନ ଥିଲେ । ଶେଷରେ ଅଧିକ ପରିଶ୍ରମ ହେତୁ ସ୍ଵାସ୍ଥ୍ୟ ତାଙ୍କର ଏପରି ନଷ୍ଟ ହୋଇଗଲା ଯେ କୌଣସି ଲୋକର ବିନା ସାହାଯ୍ୟରେ ସେ ନିଜ ହାତରେ କାଗଜପତ୍ରରେ ଦସ୍ତଖତ ସୁଦ୍ଧା କରିପାରୁ ନ ଥିଲେ ।

 

ସଭାପତି ପଦରୁ ବିଦାୟ ନେଇ ଶେଷଦିନ ସେ ତାଙ୍କର ଓସିଙ୍ଗଟନର ଏସ ଗଳିରେ (S.Street) ଥିବା ତାଙ୍କ ବାସ ଭବନରେ ରହୁଥିଲେ । ତୀର୍ଥକୁ ଗଲାପରି ତାଙ୍କୁ ଦେଖିବା ପାଇଁ ଲୋକମାନେ ତାଙ୍କ ଘରଠାରେ ବହୁ ସଂଖ୍ୟାରେ ରୁଣ୍ଡ ହେଉଥିଲେ । ସେ ଯେଉଁଦିନ ପ୍ରାଣ ହରାଇଲେ ହଜାର ହଜାର ଲୋକ ତାଙ୍କ ପାଇଁ ଅଶ୍ରୁପାତ କରିଥିଲେ । ତାଙ୍କର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ । ସେ ପରପାଇଁ ଯେତିକି କାନ୍ଦିଲେ ଲୋକେ ତାଙ୍କ ପାଇଁ ସେତିକି କାନ୍ଦିଲେ । ଆମେ ଯଦି ଭାବୁଥାଏ ଯେ ଲୋକେ ଆମ ପାଇଁ ଆହା କରନ୍ତୁ, ତେବେ ଲୋକଙ୍କ ପାଇଁ ବେଳ ଥାଉଁ ଥାଉଁ ଆହା କରିଶିଖିବା ଦରକାର ।

★★★

 

ଗୋଟିଏ ରାଇଫଲର ସମ୍ମୁଖୀନ ହୋଇ କୋଟିଏ ରାଇଫଲର ସମ୍ମାନ ଲାଭ କରିଥିଲେ

 

ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆମେରିକାର ସଭାପତି ହେବାର ସୁଯୋଗ ମିଳିଥିବା ଭାଗ୍ୟବାନ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଓଡର ରୁଜଭେଲ୍ଟ ହେଉଛନ୍ତି ଅନ୍ୟତମ । ସେଠି ସଭାପତିଙ୍କର ଯେ ଗୁରୁଦାୟିତ୍ଵ ରହିଛି ସେ ବିଷୟରେ ଆମେ ଅଳ୍ପଅଧିକ ଜାଣୁ । ଥରେ ନିର୍ବାଚିତ ହୋଇଗଲେ ତାଙ୍କୁ ସେ ପଦରୁ ପୁଣି ହଟାଇବା ପ୍ରଶ୍ନ ଆଉ ଉଠେନି । ସେହି ପରିସ୍ଥିତିରେ ହାତରେ ଅସୁମାରି କ୍ଷମତାର ଅଧିକାରୀ ହୋଇ ଲୋକସାଧାରଣଙ୍କ ପ୍ରିୟ ହେବା କେଡେ କଠିନ ବ୍ୟାପାର ! ଟିକିଏ ଚିନ୍ତାକଲେ ସହଜରେ ବୁଝିହେବ । ରୁଜଭେଲଟ କିନ୍ତୁ ଲୋକଙ୍କର ପ୍ରିୟ ଥିଲେ । ଜନସାଧାରଣଙ୍କ ଉପରେ ତାଙ୍କର ଯଥେଷ୍ଟ ପ୍ରଭାବ ଥିଲା ।

 

ସେ ଥିଲେ ଜଣେ ବିରାଟ ବ୍ୟକ୍ତି । ବଡ଼ ବଡ଼ କାମ କରିବା ତ ତାଙ୍କ ପକ୍ଷେ ସ୍ଵଭାଭିକ କଥା କିନ୍ତୁ ତାଙ୍କ ଜୀବନରେ ଯେଉଁ ଛୋଟ ଅଥଚ ସ୍ମରଣୀୟ ଘଟଣା ଘଟିଯାଇଛି ତା ବେଶ କୌତୁହଳପ୍ରଦ । ସେଇଥିରୁ ବୁଝିହୁଏ ସେ ଲୋକ ହିସାବରେ କିପରି ଥିଲେ । ବିବେକାନନ୍ଦ ଥରେ କହିଥିଲେ କୌଣସି ବଡ଼ ଲୋକଙ୍କୁ ଜାଣିବା ପାଇଁ ଇଚ୍ଛା ଥିଲେ ତାଙ୍କ ବଡ଼କାମ କଥା ବିଚାର ନ କରି ତାଙ୍କ ଛୋଟ ଛୋଟ କାମଗୁଡ଼ିକର ହିସାବ ନିଆ ଯାଉ । ସେ ସବୁ ସେ କିପରି ସୁଚାରୁପେ କରି ପାରିଛନ୍ତି । ସେଇଥିରୁ ହିଁ ତାଙ୍କର ବ୍ୟକ୍ତିତ୍ଵର ଯଥେଷ୍ଟ ପରିଚୟ ମିଳେ ।

 

ପିଲାଦିନରୁ ରୁଜଭେଲଟ ଦୁର୍ବଳ ଓ ରୋଗୀ ଆଜମା ରୋଗରେ ପୀଡ଼ିତ । ସେଥିରୁ ରକ୍ଷାପାଇବା ପାଇଁ ମୁକ୍ତ ଆକାଶ ତଳେ ଶୋଇଛନ୍ତି । ଗାଈଆଳ ପିଲା ହିସାବରେ ବଣରେ ବୁଲି ଗୋରୁଗାଈଙ୍କ ଯତ୍ନ ନେଇଛନ୍ତି । ବାଆ ବତାଶ ସବୁ ଅଙ୍ଗେ ଲିଭାଇଛନ୍ତି । ସମୟକ୍ରମେ ସେହି ଦୁର୍ବଳ ରୁଗଣ ପିଲାଟି ଗୋଟିଏ ସ୍ଵାସ୍ଥ୍ୟବାନ ହୃଷ୍ଟପୁଷ୍ଟ ମଣିଷ ହୋଇ ପାରିଥିଲେ । ସେ ଏପରି ସ୍ଵାସ୍ଥ୍ୟବାନ ହୋଇପଡ଼ିଲେ ଯେ ଖେଳାଳୀମାନଙ୍କ ସଙ୍ଗେ ଲଢ଼ି ପାରୁଥିଲେ । ଖାଲି ଖେଳ ନୁହେଁ ଦକ୍ଷିଣ ଆମେରିକାର ଘନ ବନାନୀରେ ନିର୍ଭୟରେ ବୁଲି ପାରୁଥିଲେ । ଜୁଙ୍ଗପ୍ରାଂଓ ଓ ମାଟରହର୍ନ ପରି ପାହାଡ ମଧ୍ୟ ଚଢୁଥିଲେ । ସଭାପତିଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ଥିଲା । ବିନା ଚଷମାରେ ସେ ଆପଣାର ଆତ୍ମୀୟ ବନ୍ଧୁମାନଙ୍କୁ ବି ଦଶଫୁଟ ଦୂରରୁ ଚିହ୍ନି ପାରୁ ନ ଥିଲେ । କିନ୍ତୁ ଆମେ ଯେତେବେଳେ ଶୁଣୁ,ଯେ ସେ ଜଣେ ପୋଖତ ବାଣୁଆ, ଆମେ ଅବାକ୍ ହେଉ । ଆଫ୍ରିକାର ଜଙ୍ଗଲରେ ନିଜ ରାଇଫଲରେ ସେ ବହୁତ ବଡ଼ ବଡ଼ ପଶୁ ଶିକାର କରିଛନ୍ତି । ଅସଂଖ୍ୟ ବଡ଼ବଡ଼ ପଶୁଙ୍କୁ ସେ ଭୁଇଁରେ ଲୋଟାଇ ଦେଇଛନ୍ତି । କ୍ଷୁଦ୍ର ପକ୍ଷୀ କିମ୍ବା ମାଛ ମାରିବା ପାଇଁ ସେ ଆଦୌ ଆଗ୍ରହ ଦେଖାନ୍ତି ନାହିଁ ।

 

ପରଜୀବନରେ ସେ ଦେଶର ଶହଶହ ଦୁର୍ବଳ ସମସ୍ୟାର ସମାଧାନ କରିଛନ୍ତି, ଲକ୍ଷ ଜନତାର ଧନ-ଜୀବନ ସଂରକ୍ଷଣରେ ସାହସ ଦେଖାଇଛନ୍ତି । ପିଲାଦିନେ ସେ ଯେ ଭାରି ଦୟାଳୁ ଥିଲେ, ଶୁଣି ବିଶ୍ୱାସ ହୁଏନି । କିନ୍ତୁ କଥାଟା ନିହାତି ସତ । ସେ ନିଜେ କହିଛନ୍ତି ‘କାଳେ ତାଙ୍କୁ କିଏ ଆଘାତ କରିବ ସେଥିପାଇଁ ତାଙ୍କର ଭାରି ଭୟ । ? ତେଣୁ ସେ ସର୍ବଦା ସାବଧାନ । କିନ୍ତୁ ଏତେ ସାବଧାନ ସତ୍ଵେ ଭି ତାଙ୍କର ମଣିବନ୍ଧ, ଡେଣା, ନାକ, କଂକାଳ ଓ କାନ୍ଧରେ ବେଶ୍ ଆଘାତ ଲାଗିଥିଲା । ସେଥିପାଇଁ ଅବଶ୍ୟ ଶୋଚନା ତାଙ୍କର ନ ଥିଲା । ଡାକୋଟାରେ ଗାଈଆଳ ପିଲା ଭାବରେ ଘୋଡ଼ାରୁ ପଡ଼ି ଖୁବ ଜଖମ ହୋଇଥିଲେ । ପିଲାଦିନେ ସିଏ ଏଡ଼େ ଭୟାଳୁ ବଡ଼ ହେଲେ ସେ ଏପରି ସାହାସୀ ତେବେ କିପରି ହେଲେ ଓ ସେ ନିଜେ କହିଛନ୍ତି–ବୀରପରି ଗୋଟିଏ କାମକୁ ବାରମ୍ବାର କରି ସେ ଆପଣା ମନର ଭୟ ଦୂର କରୁଥିଲେ ଏବଂ ଭୟର କୌଣସି କାରଣ ନ ଥିଲାପରି ଦେଖାଇ ହେଉଥିଲେ ।

 

ଜଣକ ଜୀବନରେ ଯାହା ସମ୍ଭବ ଅନ୍ୟଜଣଙ୍କ ଜୀବନରେ ତାହା ଯେ ସତ୍ୟ । ନ ହେବ ତା’ର କୌଣସି କାରଣ ନାହିଁ । ଅମ୍ଭମାନଙ୍କ ପକ୍ଷେ ଆଫ୍ରିକା ବଣରେ ବୁଲିବୁଲି ପଶୁଶିକାର କରି ତାଙ୍କ ପରି ଶିକାରୀ ହେବା ସମ୍ଭବ ହୋଇ ନ ପାରେ କିନ୍ତୁ ଆପଣ ଯଦି ଛାଇ ଦେଖି ଚମକୁ ଥିବେ ତେବେ ଚେଷ୍ଟାକଲେ ସେଥିରୁ ନିଶ୍ଚୟ ରକ୍ଷା ପାଇବେ ।

 

ରୁଜଭେଲଟ ତାଙ୍କ ମନରୁ ଭୟକୁ ଏପରି ପୋଛି ଦେଇଥିଲେ ଯେ ଶେଷରେ ବନ୍ଧୁକର ଗୁଳିଗୁଳା ଏପରିକି ମରଣକୁ ମଧ୍ୟ ତାଙ୍କର ଏତେ ଟିକିଏ ସୁଦ୍ଧା ଡର ନ ଥିଲା । ୧୯୧୨ ମସିହାରେ ଥରେ ନିର୍ବାଚନ ବକ୍ତୃତା ଦେବାପାଇଁ ସେ ବକ୍ତୃତା ମଞ୍ଚକୁ ଯାଉଛନ୍ତି ଏହି ସମୟରେ ହଠାତ୍‍ ଜଣେ କେହି ତାଙ୍କୁ ଲକ୍ଷ୍ୟକରି ପିସ୍ତଲ ମାରିଥିଲା । ବୁଲେଟ ଆଘାତ ତାଙ୍କଠି ଲାଗିଥିଲା । ଆଘାତପାଇଁ ସେ ଫେରି ଆସି ନ ଥିଲେ । କାମ ନ ସାରି ଫେରି ଆସିବା ଲୋକ ସେ ନୁହନ୍ତି । ମାର୍କିନ ଦେଶର ସଭାପତି ତ ଆଉ ଏମିତି ସେମିତି ଲୋକ ନୁହନ୍ତି । ତାଙ୍କୁଇ ଦିନେ ସମ୍ମାନ ଦେବାପାଇଁ କୋଟିଏ ରାଇଫଲ ଫୁଟି ଉଠିଲା । ଫେରିଆସିବା କଥା ଦୁରେ ଥାଉ ତାଙ୍କଠି ଯେ ବୁଲେଟ ବାଜିଛି ସେ କଥା ସୁଦ୍ଧା ସେ କାହାକୁ ଜଣାଇ ନାହାନ୍ତି । ରକ୍ତ ଝରି ଚାଲିଥାଏ ଏଣେ ବକ୍ତୃତା ବି ଚାଲିଥାଏ । ଶେଷରେ ସେ ଯେତେବେଳେ ଦେଖିଲେ ଯେ ରକ୍ତସ୍ରୋତର ଗତି ଅଧିକ ହେଲା, ଆଉ ସମ୍ଭାଳିବା ଅସମ୍ଭବ ହେଲା । ସେ ସଭା ଛାଡ଼ି ସିଧା ଚାଲିଲେ ଡାକ୍ତରଖାନାକୁ ।

 

ସେ ବେପରୁଆ ଲୋକ ବୋଲି ଯେ କେବେ ନିଜର ନିରାପତ୍ତା ପାଇଁ କୌଣସି ଯତ୍ନ ନେଉ ନ ଥିଲେ ତା ନୁହେଁ, ସଭାପତି ହୋଇ ସାରିଲା ପରେ ତାଙ୍କୁ ଜଗିରଖିବା ପାଇଁ ସରକାର ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ । ତା ବ୍ୟତୀତ ଶୋଇଲା ବେଳେ ନିଜ ପାଖରେ ଗୋଟିଏ ରିଭଲଭର ର୍ଓ ବାହାରକୁ ବୁଲି ବାହାରିଲା ବେଳେ ସଙ୍ଗରେ ଗୋଟିଏ ଛୋଟ ପିସ୍ତଲ ନେଇ ଯାଉଥିଲେ । ଅନେକ ସମୟରେ ଦେଖାଯାଇଥାଏ ଯେ, କ୍ଷମତା ହାତକୁ ଆସିଗଲା ପରେ କେତେକ ଲୋକ ନିଜକୁ ବିରାଟ ବୋଲି ମନେ କରନ୍ତି ଓ ଜନସାଧାରଣଙ୍କୁ ଘୃଣା କରନ୍ତି । କିନ୍ତୁ ରୁକଭେଲଟ ସେମିତି ନ ଥିଲେ ।ସେ ବରାବର ଲୋକଙ୍କ ସଙ୍ଗେ ମିଶୁଥିଲେ ।

 

ସଭାପତି ହୋଇ ସାରିବା ପରେ ମଧ୍ୟ ସୈନ୍ୟ ବିଭାଗର ଜନୈକ ଅଫିସରଙ୍କ ସଙ୍ଗେ ସେ ବରାବର ବକସିଂ ଖେଳୁଥିଲେ । ଥରେ ଖେଳରେ ଅଫିସରଙ୍କ ଅସାବଧାନତା ହେତୁ ତାଙ୍କର ବାମ ଚକ୍ଷୁରେ ଆଘାତ ଲାଗିଥିଲା । ସବୁଦିନ ପାଇଁ ତାଙ୍କର ଦୃଷ୍ଟି ଶକ୍ତି ନଷ୍ଟ ହୋଇ ଯାଇଥିଲା । ଅଫିସରଙ୍କ ଅସାବଧାନତା ପାଇଁ ସଭାପତିଙ୍କ ଆଖିରେ ଲାଗିଲା ଆଘାତ । ମାର୍କିନ ମାଟିର ଭାଗ୍ୟ ବିଧାତା ସେ । ଚାହିଁଥିଲେ ଅଫିସରଙ୍କୁ ଶାସ୍ତି ଦେଇ ପାରିଥାନ୍ତେ କିନ୍ତୁ ନାହିଁ ? ଶାସ୍ତି ଦେବା ତ ଦୂରର କଥା, ପାଟି ଫିଟାଇ ଗାଳି ସୁଦ୍ଧା ଦେଇ ନାହାନ୍ତି । ପରେ ପୁଣି ବକସିଂ ଲାଗି ସେ ଅଫିସର ଯେତେବେଳେ ତାଙ୍କୁ ଆଉ ଥରେ ଅନୁରୋଧ କଲେ ସେ କେବଳ ଏତିକି କହିଲେ~ନା ଥାଉ, ଆଉ ଏ ବୁଢା ବୟସରେ ନୁହେଁ । ୟା ଛଡ଼ା ଆଉ କ’ଣ ସେ କହନ୍ତେ ?

 

ଆଉଥରେ ହଠାତ୍‍ ତ୍ସେ ଜଣେ ଜଣାଶୁଣା ସାମ୍ବାଦିକଙ୍କୁ ଫୋନରେ ଡାକିଲେ । ସାମ୍ବାଦିକ ଅଚାନକ ଏଭଳି ଡାକରା ପାଇ ତରତର ହୋଇ ସଭାପତିଙ୍କୁ ସାକ୍ଷାତ କରିବା ପାଇଁ ବାହାରି ଆସିଲେ । ଆସିଲାବେଳେ ନିଜ କାଗଜର ଗୋଟିଏ ସ୍ଵତନ୍ତ୍ର ପ୍ରକାଶନ ନିମନ୍ତେ ପ୍ରସ୍ତୁତ ହୋଇ ରହିବା ପାଇଁ ସହକର୍ମୀମାନଙ୍କୁ ପ୍ରସ୍ତୁତ ରହିବାକୁ ତାଗିଦ କରି ଚାଲି ଆସିଲେ । ସହକର୍ମୀ-ମାନଙ୍କୁ ସତର୍କ କରିଦେଇ ଆସିବାରେ ଯଥେଷ୍ଟ କାରଣ ଥିଲା । କାରଣ ସଭାପତି ନିଶ୍ଚୟ ତାଙ୍କୁ କୌଣସି ଏକ ଜରୁରୀ ସମସ୍ୟା ବିଷୟରେ କିଛି କହିବେ । କିନ୍ତୁ ସମସ୍ୟା କଥା ଦୂରେ ଥାଉ ସମସ୍ୟାର ସ ପର୍ଯ୍ୟନ୍ତ ବି ସଭାପତି କହି ନ ଥିଲେ । ହ୍ଵାଇଟ ହାଉସ ସାମ୍ବାଦିକଙ୍କୁ ଦେଖି ରୁକଭେଲଟ ତାଙ୍କୁ ନିଜ ଅଗଣାରେ ଥିବା ଗଛରେ ଗୋଟିଏ ପେଚା ଛୁଆ କିପରି ବସାକରିଛି ତାହା ଦେଖାଇ ଥିଲେ । ସାମ୍ବାଦିକ ଯେଉଁ ବଡ଼ ଆଶାରେ ଆସିଥିଲେ ଏକଥା ଶୁଣି ତାଙ୍କ ମୁହଁ ପେଚା ହୋଇଯାଇ ନ ଥିବ ତ ! ଏଥିରୁ ଯଣାଯାଏ ଯେ ଆତ୍ମୀୟ ଲୋକଙ୍କୁ ସେ ଆନ୍ତରିକ ଭଲ ପାଉଥିଲେ ।

 

ସାଧାରଣ ଲୋକଙ୍କୁ ଦେଖି ମଧ୍ୟ ସେ ସମ୍ଭାଷଣ କରୁଥିଲେ । ଥରେ ରେଳରେ ଗଲାବେଳେ କଂପାଟମେଣ୍ଟରେ ବସି ସେ କେତେକ ଅଫିସରଙ୍କ ସହିତ ଆଳାପ କରୁଥିଲେ । ହଠାତ୍ ଦେଖିପାରିଲେ ଯେ ବିଲରେ ଚାଷ କରୁଥିବା ଜଣେ କୃଷକ ନିଜର ଟୋପି ଉଠାଇ ତାଙ୍କୁ ସମ୍ମାନ କରୁଛି । ସଭାପତି ହଠାତ୍ ଉଠିଯାଇ କୃଷକକୁ ଲକ୍ଷ୍ୟକରି ନିଜର ଟୋପିକୁ ଯୋରରେ ହଲାଇଥିଲେ । ମନୁଷ୍ୟ ପ୍ରତି ମନୁଷ୍ୟର ସମ୍ମାନ ବୋଧହୁଏ ବଡ଼ବଡ଼ ଲୋକର ଲକ୍ଷଣ । ମହାତ୍ମା ଗାନ୍ଧି ଏହିପରି ଲୋକଙ୍କୁ ଝିଅ ବିଭାଘର, ପୁଅ ବ୍ରତଘର କିପରି ହେବ ସେ ପରାମର୍ଷ ଦେଉଥିଲେ । ଏଥିରେ ସେମାନଙ୍କ ସମ୍ମାନ ହାନୀ ହୁଏ ନାହିଁ ବରଂ ବଢ଼େ । ବଡ଼ଲୋକି କରିବା ସିନା ସବୁବେଳେ ଛୋଟ ଲୋକଙ୍କର କାମ ।

 

ରୁଜଭେଲଟଙ୍କର ଅନେକ ପ୍ରକାର ସଉକ ଥିଲା । ପାଠପଢ଼ିବା ସେଥି ମଧ୍ୟରୁ ଗୋଟିଏ-। ସମସ୍ତ ପ୍ରକାର କାମ ତୁଲାଇ ବହି ପଢ଼ିବା ପାଇଁ ସେ ସମୟ ଦେଇଥାନ୍ତି । ସଭାପତି ହୋଇ ସାରିଲା ପରେ ମଧ୍ୟ ଶହଶହ ବହି ପଢ଼ିଛନ୍ତି । ଅନେକ ସମୟରେ ଦ୍ଵିପ୍ରହର ବେଳା ସେ: ଲୋକମାନଙ୍କୁ ସାକ୍ଷାତ ଦେଇଥାନ୍ତି । ଜଣେ ଲୋକ ସଙ୍ଗେ ପାଞ୍ଚମିନିଟ ସାକ୍ଷାତ ଦେବା ବନ୍ଦୋବସ୍ତ ହୋଇଥାଏ । ସେ ନିଜପାଖରେ ଗୋଟିଏ ବହି ରଖିଥାନ୍ତି । ଜଣେ ଯିବାପରେ ଓ ଆଉ ଜଣେ ଆସିବା ମଧ୍ୟରେ ଯେଉଁ କେତେ ମୁହୁର୍ତ୍ତ ତାଙ୍କୁ ମିଳିଥାଏ ସେହି ସମୟ ମଧ୍ୟରେ ସେ କେଇଧାଡ଼ି ପଡ଼ିଥାନ୍ତି ।

 

ଭ୍ରମଣରେ ଗଲାବେଳେ ଅଧିକାଂଶ ସୟରେ ପଢ଼ିବା ପାଇଁ ସେ ସେକ୍ସପିଅରଙ୍କ ଯାହିହେଲେ ଖଣ୍ଡିଏ ପକେଟ ଏଡ଼ିସନ୍ (କ୍ଷୁଦ୍ର ପ୍ରକାଶନ) ନେଇଥାନ୍ତି । ଥରେ ଗୋଟାଏ ଗୋଠରେ କାଠ ଜାଳି ତା ଆଲୁଅରେ ‘ହାମଲେଟ’ ବହିଟି ପାଟି କରି ଗାଇଆଳ ପିଲାଆଗରେ କିପରି ପଢ଼ି ଶେଷ କରିଥିଲେ ସେକଥା ସମସ୍ତେ ଜାଣନ୍ତି । ବ୍ରାଜିଲ ବଣରେ ଯେଉଁ କେତେଦିନ ସେ ଥିଲେ, ସନ୍ଧ୍ୟା ସମୟରେ ଶିବସନଙ୍କ ‘ଡିକ୍ଲାଇନ ଆଣ୍ଡ ଫଲ୍ ଅଫ ଦି ରୋମାନ ଏମ୍ପାଏର’ ବହିଟି ପଢ଼ୁଥିଲେ । ଜ୍ଞାନ ଆହରଣ କରିବାର କି ବାସନା । ପଢ଼ିବା ବ୍ୟତୀତ ସଙ୍ଗୀତ ଶୁଣିବା ପାଇଁ ତାଙ୍କର ଭାରି ଇଚ୍ଛା । ନିଜେ ସର୍ବସାଧାରଣରେ ସଂଗୀତ ଗାଇଲା ପରି କଣ୍ଠ ତାଙ୍କର ନ ଥିଲା । ତଥାପି ଅନେକ ସମୟରେ କାମ କରୁଥିଲା ବେଳେ ମନକୁ ମନ ସେ ଗୀତ ଗାଉଥିଲେ ।

 

ସଭାପତି ସର୍ବଦା ଶ୍ରମର ସମ୍ମାନ ଦେଇଥାନ୍ତି । ଅନେକ ସମୟରେ ନିଜ ହାତରେ ସେ ନିଜ କାମ କରିଥାନ୍ତି । ଥରେ ସେ ନିଜ ବଗିଚାରେ କାମକରି ମାଳିକୁ ତାଙ୍କ ପାରିଶ୍ରମିକ ଦେଇଦେବା ପାଇଁ କହିଥିଲେ । ସଭାପତି ନିଜ ଜୀବନରେ କେବେ ହେଲେ ଧୂମପାନ କରି ନ ଥିଲେ । କୌଣସି ପ୍ରକାର ପିଆପିଇ ବି କରନ୍ତି ନାହିଁ । କେବେକେବେ ରାତିରେ କ୍ଷୀର ସଙ୍ଗରେ ଚାମଚଏ ବ୍ରାଣ୍ଡି ପିଇଥାନ୍ତି । ଦେବା ଲୋକ କହିବା ପୂର୍ବରୁ ବ୍ରାଣ୍ଡି କଥା ସେ ମୋଟେ ଜାଣି ନ ଥିଲେ-। କିନ୍ତୁ ବଡ଼ ବିଚିତ୍ର କଥା ସେ ବହୁତ ପିଅନ୍ତି ବୋଲି ଅନେକ ଥର ଖବର କାଗଜରେ ପ୍ରକାଶ ପାଇଥିଲା । ଶେଷରେ ଏ ଦୁର୍ନାମରୁ ରକ୍ଷା ପାଇବା ପାଇଁ ତାଙ୍କୁ ବିଚାରଳାୟର ଆଶ୍ରୟ ନେବାକୁ ପଡ଼ିଥିଲା । ଦୂନିଆରେ ପୁଣି ବଦନାମକୁ ନ ଡରେ କିଏ ?

 

ଆମେରିକା ଲୋକଙ୍କ ଦୃଷ୍ଟିରୁ ସେ ଖୁବ୍ ଅଳ୍ପବୟସରେ ପ୍ରାଣ ହରାଇ ଥିଲେ । ମଲାବେଳକୁ ତାଙ୍କୁ ମୋଟେ ଷାଠିଏ ବର୍ଷ ହୋଇଥିଲା । ସେ ଯେଉଁ ବର୍ଷ ମଲେ ସେହି ବର୍ଷ ସେ ବିଶେଷ ରୋଗଗ୍ରସ୍ତ ହୋଇ ପଡ଼ିଥିଲେ । ସେ ବରାବର କହୁଥିଲେ ଯେ ସେ ବୁଢା ହୋଇ ଯାଉଛନ୍ତି । ଥରେ ସେ ତାଙ୍କର ଜଣେ ବୃଦ୍ଧ ବନ୍ଧୁଙ୍କୁ ଲେଖିଥିଲେ, ଆମର ବେଳ ବର୍ତ୍ତମାନ ହୋଇଗଲା । ଆମେ ଶୁଖିଲା ପତର; କେତେବେଳେ ଯେ ଖସି ପଡ଼ିବା ତା’ର କିଛି ଠିକ ନାହିଁ । ତାଙ୍କରି କଥା ଶେଷରେ ଫଳିଲା । ୧୯୪୫ ଏପ୍ରିଲରେ ଖୁବ ଶାନ୍ତିରେ ସବୁଦିନ ପାଇଁ ସେ ଆଖି ବୁଜିଲେ । ମରିବା ପୂର୍ବରୁ ସେ କେବଳ କହିଥିଲେ; “ଦୟାକରି ଆଲୁଅ ଗୁଡ଼ିକ ଲିଭାଇ ଦିଅ ।‘’

★★★

 

କାର୍ଡବୋର୍ଡ଼ କାଟି ଯେ ସାର୍ଟ କଲାର ପିନ୍ଧୁଥିଲେ ସେ ହେଲେ କୋଟିପତି ଲେଖକ

 

ଆଲେକଜାଣ୍ଡାର ଡୁମାସ କିଏ ପ୍ରଶ୍ନକଲେ ହୁଏତ ଉତ୍ତର ଦେବାକୁ ଟିକିଏ ଭାବିବାକୁ ପଡ଼ିପାରେ କିନ୍ତୁ ‘ଥ୍ରୀ ମସକିଟରସ (Three Musketeers) ଛବି ଦେଖି ଫେରିଲା ବେଳେ କେମିତି ଲାଗିଲା ବୋଲି କିଏ ପଚାରିଲେ ଆପଣ ହୁଏତ କିଛି ନ ଭାବି କହିବେ–“ଚମତ୍କାର’ । ଏଥିରେ ଦ୍ଵିମତ ହେବାର କୌଣସି କାରଣ ନାହିଁ । ଏହି ଛବି ତିଆରି ହେବା ପୂର୍ବରୁ ଦିନେ ଅଧେ ନୁହେଁ ଶହେ ବର୍ଷ କାଳ ଏହି ବହିଟି ବେଷ୍ଟ ସେଲର ଲିଷ୍ଟ (Best Seller list) ରେ ଥିଲା । ମାସମାସ ଧରି ମଞ୍ଚସ୍ଥ ହୋଇ ଏହା ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ମୁଗ୍ଧ କରି ଥିଲା । ସେଇତ ଗୋଟିଏ ସଫଳ ସୃଷ୍ଟିକୁ ରୂପେଲି ପରଦାରେ ଦେଖି ଆମେ ପ୍ରଶଂସା ନ କରି ଆଉ କ’ଣ କରନ୍ତେ-? ଏହି ସୁପରିଚିତ ସ୍ରଷ୍ଟା ହେଉଛନ୍ତି ଡୁମାସ୍ । ଔପନ୍ୟାସିକ ହିସାବରେ ତାଙ୍କର ସମସାମୟିକମାନଙ୍କ ମଧ୍ୟରେ ସେ ସବୁଠୁ ଅଧିକ ପରିଚିତ ।

 

ତାଙ୍କ ଜୀବନରେ ବିଶେଷତ୍ଵ ହେଉଛି ଯେ ସେ ଯେତିକି କହନ୍ତି ତା’ଠାରୁ ଅଧିକ କରନ୍ତି-। ଖାଇଲାବେଳେ ସେ ଯେପରି ଏଣୁ ତେଣୁ ଗୁଡ଼ାଏ ଖାଆନ୍ତି କାମବେଳେ ସେହିପରି ଘଣ୍ଟାଘଣ୍ଟା ଧରି ଖଟିଥାନ୍ତି । ଲେଖୁଛନ୍ତି ତ ଲେଖୁଛନ୍ତି, ପଢ଼ୁଛନ୍ତି; ଦୁନିଆର ସବୁକଥା ଭୁଲିଗଲେଣି-। ଲେଖା ଚାଲିଛି, କୌଣସି ଅତିଥି ଅଭ୍ୟଗତ ଆସି ପହଞ୍ଚିଗଲେ । ତେବେ ବି ଧ୍ୟାନ ଭାଙ୍ଗେ ନାହିଁ-। ଉଠି ଆସିବା କଥା ତ ବହୁତ ଦୂରର; ବାମ ହାତଟି ଟେକି ସ୍ଵାଗତ ଜଣାଇଲେ ଯଥେଷ୍ଟ । ଡାହାଣ ହାତ ସେପରି କିନ୍ତୁ ଚାଲିଥାଏ ।

 

କେହି ହୁଏତ କହିପାରନ୍ତି ଏସବୁ ଲୋକଦେଖାଣିଆ । ସତରେ ତାଙ୍କର ବେଳ ନ ଥିଲା-! ବେଳ ହୁଅନ୍ତା କିପରି ? ଛ’ ସାତ ଖଣ୍ଡି ତ ନୁହେଁ ଶହେରୁ ଅଧିକ ନାଟକ ସେ ଲେଖିଛନ୍ତି-। ଏଥିରୁ ଅନୁମାନ କରନ୍ତୁ ସେ କେତେ ସମୟ ପଢ଼ୁଥିବେ । ନାଟକ ବ୍ୟତୀତ ତାଙ୍କର ଲେଖା ଇତିହାସ, ଗଳ୍ପ, ଉପନ୍ୟାସ କଥା ତ ଅଛି ଜନ ଗାଲସୱାଦି, ଶ, ଆର୍. ଏଲ୍ ଷ୍ଟିପେନସନ, ଏଚ: ଜି. ଉଏଲସ, କିପଲିଂଗ. ଏମ୍. ଅର୍, ରିନୋହାର୍ଟ ଏବଂ ଜନ ଗ୍ରେ ପ୍ରଭୃତିଙ୍କ ଲେଖାକୁ ଏକାଠି କଲେ ଯେତିକି ହେବ ଡୁମାସ୍ ସେତିକି ଲେଖିଛନ୍ତି । ଏ ତ ସାମାନ୍ୟ କୃତିତ୍ଵ ନୁହେଁ । ହିସାବରୁ ଦେଖାଯାଇଛି ତାଙ୍କରି ରଚିତ ରଚନାର ବିଭିନ୍ନ ସଂସ୍କରଣକୁ ଏକାଠି କରିବା ଫଳରେ ତାହା ମୋଟରେ ଏକ ହଜାର ଦୁଇଶହ ଭଲ୍ୟୁମ ହେଉଅଛି ।

 

ଚାଲିଚଳନରେ ସେ ଅନ୍ୟାନ୍ୟ ଲେଖକମାନଙ୍କଠାରୁ କିପରି ସ୍ଵତନ୍ତ୍ର ତାହା ସାଧ ।ରଣତଃ ଆମର ଦୃଷ୍ଟି ଆକର୍ଷଣ କରିଥାଏ । ସେ ଲେଖାଲେଖି କରୁଥିବା କାଗଜ କଲମ କଥା ପ୍ରଥମେ ନିଆଯାଉ । ଭିନ୍ନ ଭିନ୍ନ ଲେଖା ପାଇଁ ସେ ଭିନ୍ନଭିନ୍ନ ରଙ୍ଗର କାଗଜ ବ୍ୟବହାର କରିଥାନ୍ତି । ଉପନ୍ୟାସ ଲେଖିବ ତେବେ ନେଳିଆ କାଗଜ ବହି । କବିତା ଲେଖିବ ତେବେ ହଳଦିଆ କାଗଜ ଥିବ । ମାଗାଜିନ ପାଇଁ ଗୋଲପି ରଙ୍ଗ କାଗଜ ନ ହେଲେ ନ ଚଳେ । ସବୁପ୍ରକାର ଲେଖା ପାଇଁ ସର୍ବଦା ଦୁଇଟି କଲମ ସାଇତି ଥାଆନ୍ତି । ସେ କେବେହେଲେ ନୀଳ ସାହିରେ ଲେଖନ୍ତି ନାହିଁ । ମଣିଷ ପ୍ରକୃତି କି ବିଚିତ୍ର !

 

କେବଳ କାଗଜ କଲମ ନୁହେଁ କେଉଁ ସ୍ଥାନରେ କ’ଣ ଲେଖିବେ ତାହା ମଧ୍ୟ ସ୍ଥିର ହୋଇ ଯାଇଥାଏ । ଯଦି ନାଟକ ଲେଖିବେ ତେବେ ସୋଫାଉପରେ ଶୋଇ କହୁଣି ତଳେ ଗୋଟାଏ କଅଁଳତକିଆ ଦେଇ ଲେଖିବେ । ଡେସ୍କ ଉପରେ ସିଧା ହୋଇ ବସି ନାଟକ ଲେଖିବା ତାଙ୍କ ପକ୍ଷରେ ଅଦୌ ସମ୍ଭବ ନୁହେଁ । ବହି ଲେଖି ସେ ଅନେକ ଆୟ କରିଅଛନ୍ତି । ତାଙ୍କ ସମସାମୟିକ ଅନ୍ୟ କେହି ଲେଖକ ନିଜ ରଚନାରୁ ଏତେ ଅଧିକ ଆୟ କରିଥିବାର ଶୁଣାଯାଇ ନାହିଁ । ସେ ପାଞ୍ଚ ମିଲିୟନ ଡଲାରରୁ ଅଧିକ ଆୟ କରିଛନ୍ତି । ଆମ ଟଙ୍କାରେ ପ୍ରତି ଡୋଲାରର ମୁଲ୍ୟ ହେଉଛି ଅନ୍ତତଃ ଚାରିଟଙ୍କା ବାରଅଣା । ହିସାବ କରି ଦେଖନ୍ତୁ କେତେ ହେଲା । ପଇସା ତ ସମସ୍ତେ ରୋଜଗାର କରନ୍ତି କିନ୍ତୁ ନାଁ ସାଙ୍ଗରେ ଏତେ ପଇସା ମିଳେ କାହାକୁ ?

 

ଆଜିର ଆୟଦେଖି ଆମେ ଯାହାଙ୍କୁ ଭାଗ୍ୟବାନ ବୋଲି କହୁ ସେ ଦିନେ ହତଭାଗ୍ୟ ଥିଲେ । ଖାଇବାକୁ ଦାନା ମୁଠେ ନ ଥିଲା କିମ୍ବା ଶୋଇବାକୁ ବିଛଣା ଖଣ୍ଡ ନ ଥିଲା । ବିଶ୍ଵାସ କରନ୍ତୁ ବା ନ କରନ୍ତୁ କଥାଟା ନିହାତି ସତ । ତାଙ୍କର ପ୍ରଥମ ନାଟକ ଯେଉଁଦିନ ମଞ୍ଚସ୍ଥ ହେଲା, ତାଙ୍କ ଜୀବନରେ ତାହା ଏକ ସ୍ମରଣୀୟ ଦିବସ । କିନ୍ତୁ ଅଭାବ ଏପରି ଯେ, ସେହି ଉତ୍ସବରେ ଯୋଗ ଦେବାପାଇଁ ପିନ୍ଧିକରି ଯିବାଲାଗି କଲାରଟିଏ ବି ତାଙ୍କ ପାଖେ ନ ଥିଲା । ଗୋଟିଏ ଧଳା କାର୍ଡବୋର୍ଡରୁ କଲାର ସାଇଜର ଗୋଟିଏ କଲାର କାଟି ପିନ୍ଧି ଉତ୍ସବରେ ଯୋଗ ଦେଇଥିଲେ । ଦାରିଦ୍ର୍ୟର କି ନିର୍ମମ ଅଭିଶାପ !

 

ଡୁମାସଙ୍କ ଚରିତ୍ର ଗୁଡ଼ିକ ଏକାନ୍ତ ବାସ୍ତବ । ସତେ ଯେପରି ଜୀବନ୍ତ ଲୋକଗୁଡ଼ିଏ । ସେ ତାଙ୍କ ବିଷୟରେ ଚିନ୍ତା କରନ୍ତି । ବେଳେବେଳେ ସେମାନଙ୍କୁ ବ୍ୟଙ୍ଗ କରନ୍ତି । ସେମାନଙ୍କୁ ଭାବି ହସନ୍ତି । ସତେ ଯେପରି ଟେବୁଲର ଅପର ପାର୍ଶ୍ଵରେ ସେମାନେ ବସିଛନ୍ତି । ଶହେବର୍ଷ ପରେ ମଧ୍ୟ ଆଜି ବି ଚରିତ୍ରଗୁଡ଼ିକ ତାଙ୍କର ପ୍ରାଣବନ୍ତ । ଏକ ସମୟରେ ସେ ପାଞ୍ଚଖଣ୍ଡ ଉପନ୍ୟାସ ଲେଖନ୍ତି ଓ ସେସବୁ ଧାରାବାହିକ ହିସାବରେ ପତ୍ରପତ୍ରିକାରେ ପ୍ରକାଶ କରିଥାନ୍ତି । ନୂଆ ଲେଖାରେ ସେ ଏପରି ବ୍ୟସ୍ତ ଥାଆନ୍ତି ଯେ ନିଜର ପୁରୁଣା ଲେଖା ଉପରେ ଆଖି ବୁଲାଇ ଆଣିବା ପାଇଁ ତାଙ୍କର ବେଳ ନ ଥାଏ; କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ନିଜ ଲେଖା ପଢ଼ିବା ପାଇଁ ବେଳ ଯା’ର ନ ଥାଏ ବର୍ଚ୍ଚ୍ହା,ପିସ୍ତଲ ଧରି କୋଡ଼ିଏ ଜଣଙ୍କ ସଙ୍ଗେ ଦ୍ଵନ୍ଦ କରିବା ପାଇଁ ସେ କେମିତି ସମୟ ପା’ନ୍ତି ।

 

ପରଜୀବନରେ ସୁରା, ସଙ୍ଗୀତ, ସାକୀ ତାଙ୍କର ଏକାନ୍ତ ଅନ୍ତରଙ୍ଗ ହୋଇ ପଡ଼ିଥିଲେ । ଏହା ତାଙ୍କର ଅଧପତନର କାରଣ । ତାଙ୍କ ବିରୁଦ୍ଧରେ ଏହି ଯେଉଁ, ତିନି ଗୋଟି ଅଭିଯୋଗ ସେଥିରୁ ପ୍ରଥମ ଦୁଇଟିର କୌଣସି ଅସ୍ତିତ୍ଵ ନାହିଁ । ସେ ନିଜ ଜୀବନରେ ଧୁଆଁ କିମ୍ବା କୌଣସି ପାନୀୟ ବିଶେଷ ପିଇନାହାନ୍ତି । ତେବେ ଶେଷ ଅଭିଯୋଗଟି ଅନେକ ସତ । ଜୀବନରେ ତାଙ୍କର ଏମିତି ଅବସ୍ଥା ଆସି ପହଞ୍ଚିଲା ଯେ, ଦିନେ ତାଙ୍କ ନିଜ ପୁଅଝିଅ ବାଧ୍ୟ ହୋଇ ତାଙ୍କ ଘର ଛାଡ଼ି ଚାଲି ଯାଇଥିଲେ । ଶେଷ ଜୀବନରେ ପୁଅ ତାଙ୍କୁ ଏକଦମ ପର କରିଦେଲେ ।

 

ତାଙ୍କ ପ୍ରେମ ଜୀବନ କାହାଣୀ ଶୁଣି ପ୍ରଶ୍ନଉଠେ–ଏହି ଲେଖକ ତେବେ କ’ଣ ବିବାହ କରି ନ ଥିଲେ । ତାଙ୍କ ବିବାହ ନେଇ ସନ୍ଦେହ କରିବାର ଏତେ ଟିକିଏ କାରଣ ନାହିଁ । ଦୁନିଆର ସମସ୍ତଙ୍କ ପରି ସେ ବି ବିବାହ କରିଥିଲେ । ଏହି ବିବାହରେ କିନ୍ତୁ ଥିଲା ବିଶେଷତ୍ଵ । ଜୀବନରେ ଯା’ର ବିଶେଷତ୍ଵର ବହୁତ ବିବାଦ ତା’ର ସେଥିରୁ ବାଦ ପଡନ୍ତା କିପରି ? ତାଙ୍କ ବିବାହର ବିଶେଷତ୍ଵ ହେଉଛି ଯେ, ବିବାହରେ ଆନନ୍ଦ ଅପେକ୍ଷା ସେ ଭୟ ପାଇଥିଲେ ଅଧିକ । ଜେଲଦଣ୍ଡରୁ ରକ୍ଷା ପାଇବା ପାଇଁ ବାଧ୍ୟ ହୋଇ ସେ ଦାମ୍ପତ୍ୟ ଜଞ୍ଜାଳ ମୁଣ୍ଡାଇଥିଲେ । ତାଙ୍କର ସବୁ ଋଣ ସୁଝିଦେବା ପାଇଁ ଶ୍ଵଶୁର ପ୍ରତିଶୃତି ଦେଇଥିଲେ ।

 

ଜୀବନରେ ନାମ ଓ ଟଙ୍କା ସେ ଉଭୟ କମାଇଛନ୍ତି । ହେଲେ ଅନ୍ତିମ ଜୀବନ ତାଙ୍କର ଭୟଙ୍କର କରୁଣ । ତା’ର କାରଣ ଅନ୍ୟମାନେ ମନଇଚ୍ଛା ଯେତେ ପାରିଛନ୍ତି ତାଙ୍କୁ ଲୁଟି ଖାଇଛନ୍ତି । ଜୀବନରେ ଜଣେ ସୁଦ୍ଧା କେହି ତାଙ୍କର ବିଶ୍ଵସ୍ତ ହେଲେ ନାହିଁ । ଯେତେଜଣଙ୍କୁ ସେ ବିଶ୍ଵାସ କରୁଥିଲେ, ଜଣ ଜଣକରି ସମସ୍ତେ ତାଙ୍କ ହାତରେ ବିଷ ଦେଇ ଅମୃତ ଲୁଟି ନେଇଛନ୍ତି । ଦୁର୍ଦ୍ଦିନରେ କେହି ତାଙ୍କପାଖରେ ଠିଆ ହୋଇ ନାହିଁ । ଦାରିଦ୍ର୍ୟ, ହତାଦର ଓ ମନସ୍ତାପ ମଧ୍ୟରେ ସେ ମଉଳି ପଡ଼ିଛନ୍ତି । ଘରର ଭଡା ବାବଦକୁ ଶେଷରେ ନିଜର ଓଭର କୋଟଟିକୁ ତାଙ୍କୁ ଦେବାକୁ ପଡ଼ିଛି । ଅଳ୍ପରେ ଏହି ହେଲା ତାଙ୍କର ଶେଷ ଜୀବନ ।

 

ଲେଖକଙ୍କର ଶେଷଜୀବନର ଇତିହାସ ଶୁଣି ବାଲ୍ୟଜୀବନ କଥା ଜାଣିବା ପାଇଁ ଭୁଲି ଯିବେନାହିଁ । ଏହି ନିଗ୍ରୋ ଲେଖକଙ୍କ ବୁଢ଼ୀ ମା ଦିନେ ୱେଷ୍ଟଇଣ୍ଡିଜରେ କ୍ରୀତଦାସୀ ରୂପେ ଆଖୁକ୍ଷେତରେ କାମ କରୁଥିଲେ । ଅତି ଦୁଃଖକଷ୍ଟରେ ସେମାନେ ବଢ଼ିଥିଲେ ଏହି ଅବସ୍ଥାରେ ଜନ୍ମ ଯା’ର, ସାରା ଦୁନିଆ ତାଙ୍କ ଲେଖାପଢ଼ି ହସ, ଅଶ୍ରୁ, ସମ୍ବରଣ କରି ପାରୁ ନ ଥିଲା ଓ ଆଗାମୀ କେତେ ଶତାବ୍ଦୀ ପାଇଁ ପାରିବ ନାହିଁ, କିନ୍ତୁ ଜନ୍ମ ଅପେକ୍ଷା ତାଙ୍କର ମୃତ୍ୟୁ ଥିଲା ଅଧିକ ନିରଳସ, ନିରାଡ଼ମ୍ବର ଓ ଗମ୍ଭୀର । ତାହାହିଁ ଲକ୍ଷ୍ୟ କରିବାର କଥା । ସେ ଆସିଥିଲେ ଆଉ ଚାଲିଗଲେ ।

★★★

 

ବିପ୍ଳବକୁ ବଞ୍ଚାଇବା ପାଇଁ ସ୍ୟାହି ଛାଡ଼ି ସେ କ୍ଷୀରରେ ଲେଖଥିଲେ

 

ଋଷିଆର ଜା’ର ଶାସନକୁ କବର ଦେବାରେ ଷ୍ଟାଲିନଙ୍କ ଅପେକ୍ଷା ଲେନିନଙ୍କ ଦାନ ନିଶ୍ଚୟ ଅଧିକ । ଏ କଥାର ତାତ୍ପର୍ଯ୍ୟ କେବେ ଅସ୍ୱୀକାର କରାଯାଇ ପାରିବ ନାହିଁ । ସେ କେବଳ ଋଷିଆର ନୁହେଁ, ସାରା ଶ୍ରମିକ ସମାଜର ସ୍ୱର୍ଗୀୟ ନେତା ଲେଲିନ୍ । ତାଙ୍କର ସ୍ମୃତି ଆଜି ଶ୍ରମିକ ସମାଜକୁ କର୍ମପଥରେ ଆଗେଇ ଯିବା ପାଇଁ ଯେତକ ପ୍ରେରଣା ଦେଇଥାଏ, ଶୋଷିତ ସମାଜର ଦୋଷ ଦୁର୍ବଳତା ପାଇଁ ସେମାନଙ୍କୁ ସେତିକି ସଚେତନ କରାଇ ଥାଏ, ବିବ୍ରତ କରାଇଥାଏ ।

 

ସେ ବିପ୍ଳବୀଙ୍କ ଛବି ଆମଦେଶର ବହୁ ସ୍ଥାନରେ ଝୁଲୁଥାଏ । ମୁଣ୍ଡଟି ତାଙ୍କର ସାମାନ୍ୟ ଚନ୍ଦା । ନାକ ସାମାନ୍ୟ ଲମ୍ବ ପୋଷାକପତ୍ର ନିହାତି ସାଧାସିଧା । ଷ୍ଟାଲିନ ପିନ୍ଧୁଥିବା ପୋଷାକ ତାଙ୍କର ନଥିଲା । କେଡ଼େ ଛୋଟ ମଣିଷଟିଏ ସେ । ଚୌକିରେ ବସିଲାବେଳେ ଆପଣାର ଛୋଟ ପାଦଦୁଇଟି ଭୁଇଁ ଛୁଇଁ ପାରେ ନାହିଁ । ଅଥଚ ସାରା ଦୁନିଆର ଧନିକ ସମାଜର ସେ ଶତ୍ରୁ । ଶ୍ରମିକର ସାଥି, ବାସ୍ତବରେ ତା ହେବାପାଇଁ ମୁଣ୍ଡରେ ମସଲା ଥିଲେ ହେଲା ।

 

୧୮୦୦, ଅପ୍ରେଲ୧୦ରେ ଋଷିଆର ଗୋଟିଏ ଗାଁରେ ତାଙ୍କର ଜନ୍ମ । ଗାଁଟି ନା ତମ୍ବିଭିସ୍କ ! ପିତା ତାଙ୍କର ରାଜକର୍ମଚାରୀ ଜମିଦାର । ମା ତାଙ୍କର ଦୃଢ଼ପ୍ରତିଜ୍ଞ, କର୍ଭବ୍ୟପରାୟଣା । ମା’ଙ୍କ ପ୍ରଭାବ ତାଙ୍କ ଉପରେ ଅତି ଅଧିକ ଥିଲା । ପିଲାଦିନେ ଲେନିନ ଅତି ଗମ୍ଭୀର, ଅତି ମାନ୍ଦା ଥିଲେ । ସାଥିମାନଙ୍କ ସଙ୍ଗେ ମିଶୁ ନ ଥିଲେ । ସାମାଜିକ ଉତ୍ସବରେ ଆନନ୍ଦ ପାଉ ନ ଥିଲେ । ସେ ମାନ୍ଦାପିଲାଟି ଯେ ଦିନେ ମାନବ ସଭ୍ୟତାର ଶତ୍ରୁ ସେହି ଯା’ର ମାନଙ୍କର ଅତ୍ୟାଚାରିତ ଶାସନକୁ ମାଟିରେ ମିଶାଇ ମୁକ୍ତିର ମଶାଲ ଜାଳିଦେବେ କେହି କେବେ କଳ୍ପନା ସୁଦ୍ଧା କରି ନ ଥିଲେ ।

 

ଧନୀକର ଆଭିଜାତ୍ୟ ମଧ୍ୟରେ ବାଲ୍ୟଜୀବନ ତାଙ୍କର ଶେଷ ହୋଇଛି । ତାଙ୍କୁ ଯେତେବେଳେ ସତର, ଶିକ୍ଷା ପାଇଁ ସେ ଉଚ୍ଚ ବିଦ୍ୟାଳରେ ଯୋଗ ଦେଲେ ସେହିଠାରୁ ପ୍ରକୃତରେ ତାଙ୍କର ବିପ୍ଳବୀ ଜୀବନର ସୂତ୍ରପାତ ହୋଇଛି । ବହି ପଢ଼ିବା ଏହି ସମୟରେ ତାଙ୍କର ଗୋଟାଏ ନିଶା । ଦିନ ରାତି ବହି ପଢ଼ାରେ କଟାଇ ଦେଇଛନ୍ତି । ସେ ନ ପଢ଼ିଛନ୍ତି କ’ଣ ? ଦର୍ଶନ, ଅର୍ଥନୀତି, ସାହିତ୍ୟ ସବୁକିଛି । ଯେତେବେଳେ ଯେ ଯାହା ପାଇଛନ୍ତି । ବିପ୍ଳବୀ ଓ ସେମାନଙ୍କ ଚିନ୍ତାଧାରା ସହିତ ପରିଚିତ ହେବାରେ ଭାଇ ଆଲେକଜାଣ୍ଡାର ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି । ସେତେବେଳେ ଭାଇ ବିଶ୍ଵବିଦ୍ୟାଳୟର ଛାତ୍ର ।

 

ଲେନିନ ଅନେକ ପଢ଼ିଛନ୍ତି । ଅଥଚ, ଅହଂକାର ସେ ପାଇଁ ତାଙ୍କର ଟିକିଏ ନାହିଁ । ଅଧିକ କହିବା, ଅଯୁକ୍ତିକର କଥା କହିବା, ଦେଖାଇ ହେବା ତାଙ୍କର ପ୍ରକୃତି ନ ଥିଲା । ପରଜୀବନରେ ବି ତାଙ୍କର ଏହି ଗୁଣଟି ପରିବର୍ତ୍ତନ ହୋଇ ନ ଥିଲା । ସଭା ସମିତିରେ ଭାଷଣ ସେ ଦେଉ ନ ଥିଲେ । ଭାଷଣ ତାଙ୍କର ଥିଲା ଶାନ୍ତ, ଗମ୍ଭୀର ଓ ଯୁକ୍ତିଯୁକ୍ତ । ଫଳରେ ପାଣି ପଥର କାଟିଲା ପରି ଭାଷଣ ତାଙ୍କର ସାଧାରଣ ପ୍ରାଣରେ ରେଖାପାତ କରୁଥିଲା । ଫଳରେ ଫମ୍ପା ମାଠିଆ ସିନା ଶବ୍ଦ କରିବ–ସେ ଯେ ପୂର୍ଣ୍ଣକୁମ୍ଭ ।

 

ସ୍କୁଲପଢ଼ା ସାରି ସେ ଆସିଲେ ବିଶ୍ୱବିଦ୍ୟାଳୟ । ଏଇଠି ବିପ୍ଳବୀ ହିସାବରେ ଭାଇ ପାଇଥିଲେ ପ୍ରାଣଦଣ୍ଡ । ଲେନିନଙ୍କୁ ଏହି ଘଟଣା ବିଚଳିତ କରିଥିଲା । ପୂର୍ବରୁ ଧର୍ମ ଓ ଧର୍ମ ଅନୁଷ୍ଠାନ ପ୍ରତି ଘୃଣା ଥିଲା ଏବଂ ଏବେ ତା ସାଙ୍ଗକୁ ମିଶିଲା ଶାସକଙ୍କୁ ଘୃଣା କରିବା । କେବଳ ଘୃଣା ! ତ ନୁହେଁ ପ୍ରତିଶୋଧ ନେବା ପାଇଁ ସୁବିଧା ଓ ସୁଯୋଗ ଚାହିଁ ବସିଲେ । ବିପ୍ଳବୀ ଅନୁଷ୍ଠାନରେ ଯୋଗଦେଲେ ଯେତିକି ତା’ଠାରୁ ଅଧିକ ପଢ଼ିଲେ ବିପ୍ଳବୀର ଚିନ୍ତାଧାରା ବହି । ସେତେବେଳକୁ ତାକୁ ୧୯ବର୍ଷ । କିଛି ଦିନ ପରେ ବାରିଷ୍ଟରୀ ପାସ୍‍ କରି ଓକିଲାତି ଆରମ୍ଭ କଲେ । କିନ୍ତୁ ସେଥିରେ ମନ ତାଙ୍କର ନ ଥାଏ । ଅତ୍ୟାଚାରୀଙ୍କ ହାତରୁ ଦେଶକୁ ମୁକ୍ତ କରିବାର ସ୍ଵପ୍ନ ତାଙ୍କୁ ବିବ୍ରତ କରି ପକାଇଲା । ବିଚାରାଳୟ ଛାଡ଼ି ସେ ଚାଲିଲେ ପଲ୍ଲୀକୁ । ପଲ୍ଲୀର କୃଷକ ଓ ଶ୍ରମିକମାନଙ୍କ ମଧ୍ୟରେ ନିଜର ମତବାଦ ପ୍ରଚାର କରିବା ପାଇଁ ଆରମ୍ଭ କରିଦେଲେ ।

 

କୃଷକମାନଙ୍କୁ ହାତ କରିବା ପାଇଁ ସେ ବେଶୀ ଚେଷ୍ଟା କରୁଥିଲେ । କାରଣ ସେ ଜାଣିଲେ ଯେ ସେମାନଙ୍କ ଆଗେଇ ନେବାରେ ଅର୍ଥ କିଛି ନାହିଁ । ହରତାଳ ଓ ଶ୍ରମିକ ଆନ୍ଦୋଳନରେ ସେ ବରାବର କୃତକାର୍ଯ୍ୟ ହେଉଥିଲେ । ଅସମ୍ଭବକୁ ସମ୍ଭବ କରିବା ହେଉଛି ତାଙ୍କର ଏହି ବୟସରେ ବିଶେଷତ୍ଵ | ନେପୋଲିଅନଙ୍କ ପରି ଥିଲା ତାଙ୍କର ଗଭୀର ଆତ୍ମବିଶ୍ୱାସ ।

 

୧୮୯୪ରେ କୌଣସି ଏକ ଶ୍ରମିକ ବିଦ୍ୟାଳୟରେ କୃପସକିଆ ନାମ୍ନୀ ଶିକ୍ଷୟତ୍ରୀଙ୍କ ସଙ୍ଗେ ତାଙ୍କର ଚିହ୍ନା ହେଲା । ଛାତ୍ରମାନଙ୍କର ମନୋବୃତ୍ତି ଲକ୍ଷ୍ୟକରିବା ପାଇଁ ସେତେବେଳେ ସବୁ ଶ୍ରେଣୀରେ ସରକାରୀ ଗୁଇନ୍ଦା ପଢ଼ୁଥାନ୍ତି । ଏହି ପରିସ୍ଥିତିରେ ମଧ୍ୟ ସେ ମହିଳା ଲେନିନଙ୍କ ସଙ୍ଗେ ସମ୍ପର୍କ ରଖିଥିଲେ । ଶେଷରେ ସେମାନଙ୍କର ପରିଚୟରୁ ପ୍ରଣୟ ଓ ପ୍ରଣୟରୁ ପରିଣୟ ହୋଇ ଗୋଟିଏ ଜୀବନର ପ୍ରାରମ୍ଭିକ ପର୍ବ ଶେଷ ହୋଇଗଲା । ମଣି ସଂଗ୍ରହରେ କାଞ୍ଚନ ଆସି ସେ ବି ହେଲା ମଣି । ଅସଂଖ୍ୟ କୋମଳ ଶିଶୁଙ୍କ ଶିକ୍ଷୟିତ୍ରୀଙ୍କର ନମ୍ର କୋମଳ ପ୍ରାଣରେ ଯେଉଁଠି ଦିନେ ପ୍ରଣୟର ରଙ୍ଗ ଝଲସି ଉଠିଥିଲା, ସେଠି ଜନ୍ମି ଉଠିଲା ବିପ୍ଳବର ଅଗ୍ନିକଣା । କୃପସକିଆ ଲେନିନଙ୍କ ସମ୍ପର୍କରେ ଆସି ପୂରା ବଦଳିଗଲେ । ହେଲେ ବିପ୍ଳବିନୀ । ସୁଦିନ ପରି ଦୁର୍ଦ୍ଦିନରେ ମଧ୍ୟ କାୟା ସଙ୍ଗେ ଛାୟା ପରି ସେ ଲେନିନଙ୍କ ସଙ୍ଗେସଙ୍ଗେ ଲାଗିରହିଲେ । ସ୍ଵାମୀଙ୍କ ସ୍ୱପ୍ନକୁ ସଫଳ କରିବା ପାଇଁ ସେ ସାମ୍ୟବାଦ ସାହିତ୍ୟ ପଢ଼ିଲେ ଯେତିକି, ତା’ଠାରୁ ଅଧିକ ସମୟ କାଟିଲେ ଯୁବ ଅନୁଷ୍ଠାନଗୁଡ଼ିକରେ–କୃଷକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପାଇଁ କୃଷକ-ପଲ୍ଲୀରେ । କେଉଁଠି ପୋଲିସ ଆଖିରେ ଧୂଳି ପକାଇଦେଇ ଚାଲି ଆସିଛନ୍ତି ତ କେଉଁଠି ପୋଲିସ ସନ୍ଧାନ ସୁଦ୍ଧା ତାଙ୍କର ପାଇ ନାହିଁ । ସେ କ’ଣ ନ କରିଛନ୍ତି ? ସ୍ଵାମୀଙ୍କ ସୁନାମ ପାଇଁ, ଦେଶର ସ୍ୱାର୍ଥ ପାଇଁ ବୁଲେଟିନ ବାଣ୍ଟିବା ଠାରୁ ଆରମ୍ଭକରି କାଗଜ ଜରିଆରେ ବିପ୍ଳବର ବାର୍ତ୍ତା ପ୍ରଚାର କରିବା, କାରାଦଣ୍ଡ ଭୋଗିବା, ପୋଲିସର ଅତ୍ୟାଚାର ଏପରିକି ନିର୍ବାସନ ଦଣ୍ଡ ମଧ୍ୟ ସେ ହସି ହସି ବରଣ କରିଛନ୍ତି । ଯେଉଁ ମନୀଷୀ ନିଜର ଶକ୍ତିବଳରେ ଦୂରଦୂରାନ୍ତର ଅପରିଚିତ ଶ୍ରମିକ ପ୍ରାଣରେ ପରିବହନ ଆଣିପାରୁଥିଲା, ସେ ତାଙ୍କର ସମସ୍ତ ବାଧାବିଘ୍ନ ସତ୍ତ୍ୱେ ବିପ୍ଳବର ଆବାହନୀ ଗାଇବା ପାଇଁ ପଛାଇ ଥାଆନ୍ତେ ଅବା କାହିଁକି ?

 

ଲେନିନଙ୍କର ଦୁଇଟି ପ୍ରିୟ ଅଭ୍ୟାସ ଥିଲା । ପ୍ରଥମଟି ସଙ୍ଗୀତ ଶୁଣିବା, ଦ୍ଵିତୀୟଟି ଚେସ ଖେଳିବା । ସେ କେବଳ ତ ଚେସ୍ ଖେଳୁ ନ ଥିଲେ, ଖେଳରେ ମଜ୍ଜି ରହୁଥିଲେ । ଖେଳରେ କିପରି ଜିତିବେ, ସେ କଥା ଭାବି ଭାବି ତାଙ୍କୁ ରାତିରେ ନିଦ ହୁଏ ନାହିଁ, ରାତି ପାହିଯାଏ । ସେ ନିଜେ କହିଛନ୍ତି, “ଏଥିରେ ମୋର ବହୁତ ଚିନ୍ତା ଓ ବହୁତ ସମୟ ନଷ୍ଟ ହେଇଛି ।” ସଙ୍ଗୀତ ଶୁଣିବାରେ ମଧ୍ୟ ତାଙ୍କର କିଛି କମ ସମୟ ନଷ୍ଟ ହେଉ ନଥିଲା ।

 

ହଠାତ୍‍ ଦିନେ ସେ ବୁଝିପାରିଲେ ଯେ ରୁଷିଆର ରାଜା ଓ ମନ୍ତ୍ରୀଙ୍କୁ ଯଦି ହାତମୁଠାରେ ନଚାଇବାକୁ ହୁଏ, ତାହାହେଲେ ଚେସ୍‍ ବୋର୍ଡ଼ର ରାଜା-ମନ୍ତ୍ରୀଙ୍କୁ ଛାଡ଼ିବାକୁ ହେବ । ତେଣୁ ସେ ସ୍ଥିର କଲେ, ସଙ୍ଗୀତ ଶୁଣିବେ ନାହିଁ, ଚେସ ଖେଳିବେ ନାହିଁ । ସତରେ ସେ ସବୁ ଛାଡ଼ିଦେଲେ । ତାଙ୍କ ଜୀବନର ବିଶେଷତ୍ତ୍ଵ ହେଉଛି ଯେ ଥରେ ଯାହା କରିବେ ନାହିଁ ବୋଲି ସ୍ଥିର କରନ୍ତି, ତାହା ପାଳିବା ପାଇଁ ପ୍ରାଣପଣେ ଚେଷ୍ଟା କରନ୍ତି ; ସେଥିରେ କୃତିତ୍ଵ ଲାଭ କରନ୍ତି । କେବଳ ସଙ୍ଗୀତ ଓ ଚେସ ନୁହେଁ, ଦେଶପାଇଁ, ନିଜର କର୍ତ୍ତବ୍ୟ ପାଇଁ ଜୀବନରେ ସେ ଅନେକ ପ୍ରିୟବସ୍ତୁ ତ୍ୟାଗ କରିଛନ୍ତି । ସେତିକି କରିପାରିଥିଲେ ବୋଲି ତ ସେ ଆଜି ଏତେ ବିରାଟ !

 

ଲେନିନ ଭାରି ଶିକାର ପ୍ରିୟ । ସାଇବେରିଆରେ ଥିବା ସମୟରେ ସେ ଅଧିକାଂଶ ସମୟ ଶିକାର କରିବାରେ କଟାନ୍ତି । ବରଫରେ ବୁଲି ଶିକାର ସନ୍ଧାନ କରିବାରେ ତାଙ୍କର ଭାରି ଆନନ୍ଦ । ସେ ଏମିତି ଶିକାର-ପାଗଳ ଯେ ଥରେ ଥରେ ସଙ୍ଗରେ ଶିକାର କୁକୁରକୁ ନେବା ପାଇଁ ଭୁଲି ଯାଉଥିଲେ । ତାଙ୍କ ପାଇଁ ଭୟ କରିବାର କ’ଣ ଅଛି ? ସେ ତ ସାଧାରଣ ଶିକାରୀ ନୁହନ୍ତି । ଶିକାରୀ ହିସାବରେ ତାଙ୍କର ନାଁ ଥିଲା । କେବଳ ପଶୁପକ୍ଷୀ ନୁହେଁ, ନିଜର ଲକ୍ଷ୍ୟପଥରେ ଯେ ତାଙ୍କର ପ୍ରତିବନ୍ଧକ ହୋଇଛି ତାଙ୍କୁ ଶିକାର କରିବା ପାଇଁ ସେ କେବେ ପଛାଇ ନାହାନ୍ତି । ତାଙ୍କ ନୀତି ହେଲା କୌଣସି କାରଣରୁ ଶତ୍ରୁ ସଙ୍ଗେ ସାଲିସ ନ କରି ତା’ର ବିନାଶ ସାଧନ କରିବା । ଯାହାଙ୍କର ପ୍ରେରଣାରେ ରୁଷିଆର ଇତିହାସ ଚିର ରକ୍ତାକ୍ତ, ସେଥିରେ କିପରି ଗୋଟିଏ କୋକିଶିଆଳକୁ ହତ୍ୟା କରିପାରି ନଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ହୋଇଥାଏ ।

 

ସାଇବେରିଆର ତୁଷାରବୃତ୍ତ ବନାନୀ–ସାଥିରେ ସ୍ତ୍ରୀ କୃପସକିଆ । ଦୁହେଁ ଶିକାରକୁ ଯାଇଛନ୍ତି । ଦୂରରୁ ରଙ୍ଗ କୋକିଶିଆଳିଟିକୁ ଦେଖି ମାରିବା ପାଇଁ ଲେନିନ ଲକ୍ଷ୍ୟ ସ୍ଥିରକଲେ । କିନ୍ତୁ କ’ଣ ଭାବି ପୁଣି ପଛାଇ ଆସିଲେ । ସ୍ତ୍ରୀଙ୍କୁ ଚାହିଁଲେ । କ’ଣ ହେଲା ? କୋକିଶିଆଳିଟି ପଳାଇଗଲା । ଲକ୍ଷ୍ୟ ବ୍ୟର୍ଥ ହେଲା । ନାଁ, ତାଙ୍କ ବାଣ ତ ବ୍ୟର୍ଥ ହେବାର ନୁହେଁ । ତେବେ ହେଲା କ’ଣ ? ସ୍ତ୍ରୀ ତାଙ୍କର ପ୍ରଶ୍ନକଲେ, “କ’ଣ ହେଲା ମାରିଲ ନାହିଁ ଯେ ? ସ୍ଵାମୀ ଅଧିକ କିଛି ନ କହି କେବଳ କହିଲେ, ‘‘ଚାହିଁଲ, କୋକଶିଆଳିଟି କେଡ଼େ ସୁନ୍ଦର ଦିଶୁଛି !” ତାହା ଶୁଣି ସ୍ତ୍ରୀ ତାଙ୍କୁ କେବଳ ଚାହିଁ ରହିଲେ । ମଣିଷ ଶିକାରିର ପୁଣି ଜୀବପ୍ରେମ ! ବଡ଼ ବିଚିତ୍ର !!

 

ଲେନିନ ନିଜ ଜୀବନରେ ନିଜ ଦେଶରେ ଯେତିକି, ବିଦେଶରେ ତା’ଠାରୁ ଅଧିକ ବୁଲିଛନ୍ତି । ସେ ଜର୍ମାନ, ଅଷ୍ଟ୍ରିଆ, ସୁଇଜରଲାଣ୍ଡ, ଲଣ୍ଡନ ପ୍ରଭୁତି ବହୁତ ଜାଗା ବୁଲିଛନ୍ତି । ସେ ଯେଉଁଠିକି ଯାଇଛନ୍ତି, ସବୁଠି ଶ୍ରମିକମାନଙ୍କ ସଙ୍ଗେ ମିଶିଛନ୍ତି । ସେମାନଙ୍କର ଅଭାବ ଅସୁବିଧା ବୁଝିଛନ୍ତି । ନିଜ ଦେଶକୁ ଯାର କବଳରୁ କିପରି ମୁକ୍ତ କରିବାକୁ ହେବ ଚିନ୍ତା କରିଛନ୍ତି । ସେ ରାଜତନ୍ତ୍ର ଓ ଧନତନ୍ତ୍ରର ଏପରି ବିରୋଧୀ ଯେ ଭଗବାନ ଆମକୁ ଧନୀକ କବଳରୁ ରକ୍ଷା କରନ୍ତୁ, ସାମ୍ୟବାଦ ଦୀର୍ଘଜୀବୀ ହେଉ ବୋଲି ପ୍ରାର୍ଥନା କରିଥାନ୍ତି । ଲଣ୍ଡନରେ ଥିବା ସମୟରେ ସାଧାରଣ କାର୍ଯ୍ୟକ୍ରମ ବ୍ୟତୀତ ଅଧିକା°ଶ ସମୟରେ ସାମ୍ୟବାଦର ଗୁରୁ କାର୍ଲମାର୍କସଙ୍କ କବର ନିକଟରେ ବସି ଚିନ୍ତା କରିବା ଓ ଇଂରାଜୀ ଶିକ୍ଷା କରିବାରେ ସେ ସମୟ କଟାଉ ଥିଲେ । ଲଣ୍ଡନର ଅନ୍ୟ କୌଣସି ଦର୍ଶନୀୟ ବସ୍ତୁ ପ୍ରତି ତାଙ୍କର ଦୃଷ୍ଟି ନଥିଲା । ପ୍ୟାରିସରେ ବିପ୍ଲବର ଯାଦୁଘର ବ୍ୟତୀତ ଅନ୍ୟ କେଉଁଠି କିଛି ଦର୍ଶନୀୟ ଜିନିଷ ଅଛି ବୋଲି ସେ ଭାବିପାରୁ ନଥିଲେ ।

 

କୌଣସି ଜିନିଷକୁ ଗୁପ୍ତ ରଖିବାରେ ସେ ଯେପରି ସାବଧାନତା ଅବଲମ୍ବନ କରିଥାନ୍ତି, ପୃଥିବୀରେ ତା’ର ଦୃଷ୍ଟାନ୍ତ ମିଳେ । ପୋଲିସଙ୍କ ଆଖିରୁ ରକ୍ଷା ପାଇବା ପାଇଁ ଜରୁରୀ କାଗଜପତ୍ର ସେ ମାଟି ତଳେ ପୋତିଦେଉଥିଲେ ଓ ଦରକାର ବେଳେ ବାହାର କରୁଥିଲେ । ବାହାରେ ରହିଲେ ଗାନ୍ଧିଙ୍କ ପରି ସେ ବିଶେଷ ପ୍ରଭାବ ପକାଇବେ ବୋଲି ସରକାର ତାଙ୍କୁ ଜେଲରେ ନେଇ ରଖନ୍ତି । କିନ୍ତୁ ସେଥିରେ ଏତେ ଟିକେ ତାଙ୍କର ଦୁଃଖ ନଥାଏ । ବାହାରେ ଥିଲେ ଯେତିକି, ଜେଲ ଭିତରେ ଥାଇ ମଧ୍ୟ ସେ ସେତିକି କାମ କରୁଥିଲେ ।

 

ସେତେବେଳେ ବନ୍ଦୀମାନେ ବାହାରୁ ବହି ନେଇ ପଢ଼ିପାରୁଥିଲେ । ଲେନିନ ବାହାରୁ ଆଣି ପଢ଼ନ୍ତି ଓ ନିଜ ଇଚ୍ଛା ଯେଉଁଠି ସେହି ଅକ୍ଷର ତଳେ ଚିହ୍ନ ଦିଅନ୍ତି । ବହି ଫେରିଆସିଲେ ବାହାରେ ଥିବା ବନ୍ଧୁମାନେ ସେହି ଚିହ୍ନିତ ଅକ୍ଷରଗୁଡ଼ିକୁ ଏକାଠି କରି ପଢ଼ନ୍ତି । ସେହି ଅନୁସାରେ କାମ କରନ୍ତି । ତା’ ବ୍ୟତୀତ ସ୍ଵତନ୍ତ୍ର ଚିହ୍ନ ଦେଇ ଚିଠିପତ୍ର ଦେବା ତ ନିହାତି ମାମୁଲି କଥା । ଚିଠିଗୁଡ଼ିକ କଳାରେ ଲେଖିଲେ ଧରାଯିବାର ଭୟ ଥାଏ, ସେଥିପାଇଁ ସେ କ୍ଷୀରରେ ଚିଠି ଲେଖୁଥିଲେ । ସେ ଚିଠିଗୁଡ଼ିକ ବନ୍ଧୁମାନେ ପାଣିରେ ପକାଇ ପଢ଼ନ୍ତି ଓ ସେଥିରେ ଥିବା ନିର୍ଦ୍ଦେଶାନୁଯାୟୀ କାର୍ଯ୍ୟ କରନ୍ତି । ଲେନିନଙ୍କ ନିକଟକୁ ଯେଉଁ ଚିଠି ଆସେ ସେ ତାହା ଚାହାରେ ପକାଇ ପଢ଼ନ୍ତି । ଜେଲର ପ୍ରାଚୀର ମଧ୍ୟରେ ଥାଇ ସେ ଏପରି କାମ ଚଳାଇ ଥାଆନ୍ତି । ଏଥିରେ ସରକାର କ’ଣ କରିବେ ? ଠକାଠକିରେ ସର୍ବଦା ଲେନିନ ଜାରଙ୍କୁ ଜିତିଥାନ୍ତି ।

 

ଦେହରେ ଯା’ର ଜୋର ଅଛି, ମୁଣ୍ଡରେ ବୁଦ୍ଧିଅଛି, ଅସମ୍ଭବ ବୋଲି ଜିନିଷ ତାପାଇଁ କ’ଣ ଥାଇପାରେ ? ଜେଲଦଣ୍ଡ, ଦାହିକ ଶାସ୍ତି, ମନସ୍ତାପ, ନିର୍ବାସନ ପରେ ସବୁ ଶେଷ ହୋଇଯାଇଅଛି-। ୧୯୧୭ ମସିହା ଅକ୍ଟୋବର ୨୪ରେ ବିପ୍ଲବର ଚରମ ସୀମାରେ ପହଞ୍ଚିଲା । ସେଦିନ ଲେନିନ ନୁହେଁ, ବରଂ ସାରା ବିଶ୍ଵର ଶ୍ରମିକ-ସମାଜର ବିଜୟ ହେଲା । ଯୁଗଯୁଗ ପାଇଁ ରୁଷିଆର ଜାରମାନଙ୍କର ରାଜଦନ୍ତ ମିନାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇ ମାଟିରେ ମିଶିଗଲା । ଅଗଣନ ଶ୍ରମିକ ହସିଉଠିଲେ । ସେ ବିଜୟୀ ମାନଙ୍କର ନୀର୍ବାଚିତ ସଭାପତି ହେଲେ ନିଯେ ଲେନିନ୍–ଜନତାର ନେତା । ସଭାପତି ହେବା ପରେ ସେ ସୁସ୍ଥରେ ନିଶ୍ୱାସ ମାରିପାରି ନାହାନ୍ତି । କରିବା ପାଇଁ ଆହୁରି ଅନେକ କାମ ବାକି ଏବେବି ରହିଛି । ଦେଶରେ ଆଜି ବି ଅଭାବ, ଅନାଟନ ସବୁ ଦୂର କରିବାକୁ ହେବ । ସେଥିପାଇଁ ସେ ଦିନକୁ ଅଠର ଉଣେଇଶ ଘଣ୍ଟା ପର୍ଯ୍ୟନ୍ତ ଖଟିଛନ୍ତି । ଯେଉଁ ସଉକ ଥିଲା, ସଭାପତି ହେବା ପରେ ଧୀରେ ଧୀରେ-ସେତକ ବି ସେ ଛାଡ଼ିଲେ । ପରଦୁଃଖରେ ସେ କିପରି ମ୍ରିୟମାଣ ହେଉଥିଲେ ବେଶ ବୁଝାପଡ଼େ । ସେତେବେଳେ ଦେଶରେ ଖାଦ୍ୟ ପଦାର୍ଥର ଅଭାବ-। ଲୋକେ ଖାଇବାକୁ ଚିନି ଟିକିଏ ସୁଦ୍ଧା ପାଉ ନଥାନ୍ତି । ତେଣୁ ସେ ଚିନିଖିଆ ଛାଡ଼ି ଦେଇଥିଲେ ସେ କହୁଥିଲେ, ଦେଶଲୋକେ ଯାହା ଖାଇବାକୁ ପାଉ ନାହାନ୍ତି ସେ ତାହା ଖାଇବେ ନାହିଁ ।

 

ଅତ୍ୟଧିକ ପରିଶ୍ରମ କରିବାରୁ ବାରମ୍ବାର ସ୍ଵାସ୍ଥ୍ୟ ତାଙ୍କର ଭାଙ୍ଗି ପଡ଼ୁଥାଏ । ବିଶ୍ରାମ ନେବାପାଇଁ ଚିକିତ୍ସକମାନେ ତାଙ୍କୁ ବରାବର ଅନୁରୋଧ କରୁଥିଲେ । କିନ୍ତୁ ସେ କାହାରି କଥା ଶୁଣୁ ନଥାନ୍ତି । ଥରକୁ ଥର ତାଙ୍କୁ ଶଯ୍ୟାଶାୟୀ ହେବାକୁ ପଡ଼ିଥାଏ । ଚିକିତ୍ସକମାନେ ତାଙ୍କର ସମସ୍ତ ଶକ୍ତି ଖଟାଇ ତାଙ୍କୁ ଆରୋଗ୍ୟ କରୁଥାନ୍ତି । ଲେନିନ ଯେତେଥର ଶଯ୍ୟାଶାୟୀ ହେଉଥାନ୍ତି, ଘୃଣିତ ସାମ୍ୟବାଦୀ ସାମ୍ବାଦିକମାନେ ସେ ମରିଯାଇଛନ୍ତି ବୋଲି ମିଥ୍ୟାରେ ପ୍ରଚାର କରି ଦେଉଥାନ୍ତି । ଅବଶ୍ୟ ସେଥିରେ ସେ ତିଳେ ହେଲେ ବିଚଳିତ ହେଉନଥିଲେ । ସାମ୍ବାଦିକମାନଙ୍କର ଚାଲବାଜିକୁ ହସିହସି ଉଡ଼ାଇ ଦେଉଥିଲେ । କି ବିରାଟ ମଣିଷ ସେ !

 

୧୯୨୪ ମସିହା ୨୯ ଜାନୁଆରି ସନ୍ଧ୍ୟା ୬ଟା ରେ ତାଙ୍କର ମୃତ୍ୟୁ ହୋଇଗଲା । ଚିକିତ୍ସକମାନେ ତାଙ୍କର ସମସ୍ତ ଚେଷ୍ଟା ସତ୍ତ୍ୱେ ବି ତାଙ୍କୁ ବଞ୍ଚାଇପାରିଲେ ନାହିଁ । ସେତେବେଳକୁ ମୋଟେ ତାଙ୍କୁ ୫୪ ବର୍ଷ ।

 

ଲେନିନ ଅନେକ ଦିନୁ ମଲେଣି ସତ, କିନ୍ତୁ ରୁଷିଆର କ୍ରେମଲିନରେ ଆଜି ବି ତାଙ୍କର ପ୍ରେତ ଘୂରୁଛି । ସେଠାକୁ ଗଲେ ତାହା ବେଶ୍ ଉପଲବଧି କରିହେବ । ଆଜି ବି ଲକ୍ଷଲକ୍ଷ ଲୋକ ତାଙ୍କୁ ସମ୍ମାନ ଦେବାପାଇଁ ଦେଶ ବିଦେଶରୁ ଆସିଥାନ୍ତି । ମୃତ ଶରୀରକୁ ତାଙ୍କର ସାଇତା ହୋଇ ରଖାଯାଇଛି ।

★★★

 

ହାତରେ ଶଙ୍ଖା ଥାଉଥାଉ ଯେଉଁମାନେ ଦର୍ପଣ ଖୋଜିଥିଲେ

 

–ମେରିଟଡ଼, ଯୋସେଫିନ୍, ମିସେସ୍ ଲିନକନ–

 

ନାରୀର ପ୍ରେରଣା ନେଇ କବିର ଲେଖନୀରୁ ଝରିଆସେ ଅସରନ୍ତି କବିତା; ଶିଳ୍ପୀ ସକ୍ଷମ ହୁଏ ମୂକପାଷାଣ ମୁହଁରେ ଦେବା ପାଇଁ ଭାଷା । ନାରୀର ସ୍ମୃତିରକ୍ଷା ନିମନ୍ତେ ରସିକ ମୋଗଲ-ସମ୍ରାଟ ସାହାଜାହାନଙ୍କର ଐତିହାସିକ ଏହି ବିରାଟ ତାଜମହଲ । ରୂପସୀର ସୁକୋମଳ ହାତମୁଠାର କାଉଁରୀସ୍ପର୍ଶରେ ପୁରୁଷର ଶୁଷ୍କ ଜୀବନ ଚିର ରସମୟ ଅଥଚ ସେହି ନାରୀ ଅସୁନ୍ଦରୀ ହେଲେ ମହାତ୍ମା ଜୀବନକୁ ମଧ୍ୟ କିପରି ଛିନ୍ନଭିନ୍ନ କରେ, ତା’ର କେତୋଟି ବିଶ୍ଵବିଖ୍ୟାତ ଉଦାହରଣ ଏ ପ୍ରବନ୍ଧରେ ଅଛି ।

 

ଗଣତନ୍ତ୍ରର ପ୍ରତିଷ୍ଠାତା ଓ ଆମେରିକାର ସଭାପତି ଆବ୍ରାହାମ ଲିଙ୍କନଙ୍କ କଥା ପ୍ରଥମେ ବିଚାର କରାଯାଉ । ଯେଉଁ ମହାପୁରୁଷଙ୍କ ଚେଷ୍ଟାରୁ ଶତ ଶତ ସୁଖୀ ପରିବାର ଆମେରିକା ମାଟିରେ ମଥା ଉତ୍ତୋଳନ କରି ପାରିଥିଲେ, ସେ ମହାପୁରୁଷଙ୍କ ଗୃହ-ଜୀବନ କେଡ଼େ ତୀବ୍ର ଓ କରୁଣ ଶୁଣିଲେ ରକ୍ତ ମାଂସର ମଣିଷ ଧୈର୍ଯ୍ୟ ଧରି ରହିପାରେ ନାହିଁ ।

 

କାଳ-ପାତ୍ରର ବିଚାର ନ କରି ତାଙ୍କର ସ୍ତ୍ରୀ ମେରିଟଡ ତାଙ୍କ ସହିତ ସର୍ବଦା କଳି କରୁଥିଲେ । ଦିନେ ବନ୍ଧୁବର୍ଗଙ୍କ ସହିତ ଲିଙ୍କନ ସସ୍ତ୍ରୀକ ବ୍ରେକଫାଷ୍ଟ ଖାଉଥିଲେ । ଚିର ପରିହାସ ପ୍ରିୟ ସଭାପତି ବନ୍ଧୁମାନଙ୍କ ମନୋରଞ୍ଜନ ନିମନ୍ତେ ଗୋଟାଏ ହାସ୍ୟପୂର୍ଣ୍ଣ କଥା କହିଥିଲେ । କଥାଟି କିନ୍ତୁ ସହଧର୍ମିଣୀଙ୍କୁ ବାଧିଲା । ରାଗରେ ଗର୍ଜିଉଠି ଖାଉଥିବା ଗରମ ଚା କପଟି ଲିଙ୍କନଙ୍କ ମୁହଁକୁ ଲକ୍ଷ୍ୟ କରି ଫିଙ୍ଗିଦେଲେ । କିଛି ସମୟପରେ ଜନୈକ ଆତ୍ମୀୟ ଗୋଟିଏ ଓଦା କନାରେ ଲିଙ୍କନଙ୍କ ମୁହଁ ଓ ପୋଷାକ ପରିଷ୍କାର କରି ଦେଇଥିଲେ । ଆମେରିକାର ପ୍ରେସିଡେଣ୍ଟଙ୍କ ମୁହଁକୁ ପୁଣି ତତଲା ଚା !

 

ଦୁଷ୍ଟା କର୍କଶଭାଷିଣୀ ମିସେସ ଲିଙ୍କନ, ବହୁତ ଅଙ୍ଗଭଙ୍ଗୀ ସହିତ ବେଳେବେଳେ ଏପରି ପାଟି କରୁଥିଲେ ଯେ ପଡ଼େଶୀମାନଙ୍କ ପକ୍ଷେ ସମ୍ଭାଳିବା ଅସମ୍ଭବ ହୋଇ ପଡ଼ୁଥିଲା । ସ୍ତ୍ରୀଙ୍କର ସ୍ଵାମୀ ବିରୁଦ୍ଧରେ ସବୁବେଳେ ନୂଆ ଆପତ୍ତି, ନୂଆ ଅଭିଯୋଗ । ଯାହା କହନ୍ତି, ‘’ଛାଇ ଦେଖିଲେ ନାହି ଡିଏଁ’’ । ଲିଙ୍କନଙ୍କ ରୂପକଥା ଦୂରେ ଥାଉ, ତାଙ୍କର ଚାଲିଚଳନ ମଧ୍ୟ ତାଙ୍କୁ ସୁଖକର ହେଉ ନ ଥିଲା । ତାଙ୍କର ସ୍ଵାମୀଙ୍କ ବିରୁଦ୍ଧରେ ଅଭିଯୋଗ ଯେ ସେ ଇଂରେଜଙ୍କ ପରି ଚାଲିଜାଣନ୍ତି ନାହିଁ, ସିଧା ଭାବେ ପାଦକୁ ଉଠାଇ ଭାରତୀୟଙ୍କ ପରି ପାଦକୁ ପକାନ୍ତି । ଦେଖିବାକୁ ଖୁବ ଡେଙ୍ଗା । ନା ଫୁର୍ତି ନା ଚଞ୍ଚଳ । ପଛରେ କହିଲେ କଥା ଥିଲା, ମୁହଁରେ ବି କହୁଥିଲେ । ତୁମର କାନ ଦି’ଟା ଓହଳି ପଡ଼ିଛି, ତଳ ଓଠଟା ପଦାକୁ ବାହାରି ପଡ଼ିଛି, ନାକଟା ସିଧା ନୁହେଁ । ହାତ ଗୋଡ଼ ଠିକ ବାଡ଼ି ପରି ଲମ୍ବା ।

 

ମଣିଷ ପୁଣି ମଣିଷକୁ କହେ ଅସୁନ୍ଦର–ପୁଣି ମାର୍କିନ ଭାଗ୍ୟ-ବିଧାତା ଲିଙ୍କନଙ୍କୁ । ସତରେ ଲିଙ୍କନଙ୍କୁ ଆମେରିକାର ସଭାପତି ନ ହୋଇ ଆଉ କ’ଣ ହୋଇଥିଲେ ସ୍ତ୍ରୀଙ୍କ ଦ୍ଵାରା ପ୍ରିୟ ଓ ପ୍ରଶଂସିତ ହୋଇଥାଆନ୍ତେ ଭାବି ହୁଏ ନାହିଁ ।

 

ମିଃ ଲିଙ୍କନ ସ୍ତ୍ରୀଙ୍କ ବ୍ୟବହାରରେ ଏପରି ମର୍ମାହତ ହୋଇପଡ଼ି ଥିଲେ ଯେ ବର୍ଷବର୍ଷ ଧରି ପାନ୍ଥଶାଳା ଓ ଭୋଜନାଳୟରେ ସମୟ କଟାଇ ଥିଲେ । ନିଜର ସ୍ତ୍ରୀଙ୍କୁ ସେ ଏପରି ଭୟ କରୁଥିଲେ ଯେ ଅଫିସରୁ ଫେରି ତାଙ୍କ ସଙ୍ଗେ ସୁଖ ଆଳାପ ନ କରି ଗୋଟାଏ ଚୌକି ପକାଇ ଘଣ୍ଟାଘଣ୍ଟା ଧରି ଖବରକାଗଜ ଓ ବିଭିନ୍ନ ପୁସ୍ତକମାନ ପଢ଼ୁଥିଲେ । ଏସବୁ ହେଲା ବିବାହ ପରର ଅଳ୍ପଦିନ ଘଟଣା । ପ୍ରଥମ ବିବାହ-ଜୀବନରେ ସ୍ତ୍ରୀଠାରୁ ଏପରି ବ୍ୟବହାର ନିତାନ୍ତ ଯନ୍ତ୍ରଣାଦାୟକ ।

 

ଲିଙ୍କନଙ୍କ ବନ୍ଧୁ ହରେନଡନ କହନ୍ତି, ‘’ବିବାହପରେ ବି ଦେଖାଯାଇଛି ଲିଙ୍କନ ମଇଳା ପୋଷାକ ଓ ସଫା ନ ହୋଇଥିବା ଜୋତା ପିନ୍ଧି ରାସ୍ତା ଉପରେ ଯିବାଆସିବ । କରୁଥିଲେ । ଲିଙ୍କନଙ୍କୁ ସ୍ତ୍ରୀଙ୍କ ବ୍ୟବହାର ନିତାନ୍ତ ବାଧିଥିଲା । ଅଧିକାଂଶ ସମୟରେ ସେ ଗମ୍ଭୀର ଓ ଚିନ୍ତାମଗ୍ନ ରହୁଥିଲେ । ଏପରିକି ଖାଇବା ବେଳେ ଚାମଚଟିକୁ ଠିକ୍‍ରୂପେ ଧରିବାକୁ ଭୁଲି ଯାଉଥିଲେ । କୌଣସି ଭଦ୍ରବ୍ୟକ୍ତି କିମ୍ବା ଭଦ୍ର ମହିଳା ଘରକୁ ଆସିଲେ ସାଧାରଣ ନିୟମାନୁସାରେ ସେ ସ୍ଵାଗତ ଜଣାଇବାକୁ କିମ୍ବା ଫେରିଗଲା ବେଳେ ବିଦାୟ ଦେବାକୁ ଶେଷ ଫାଟକ ପର୍ଯ୍ୟନ୍ତ ଯିବାପାଇଁ ଭୁଲି ଯାଉଥିଲେ । ସେଥିପାଇଁ ସ୍ତ୍ରୀଙ୍କଠାରୁ ମଧ୍ୟ ଅନେକ ଅପମାନ ଓ ଲାଞ୍ଚନା ପାଉଥିଲେ । ସାଧାରଣ ନିୟମ କାନୁନ କଥା ଥାଉ, ନିଜ ଦେହର ଯତ୍ନ ବି ନେଉଥିଲେ । ମାସମାସ ଧରି ସେ ବାଳ କାଟୁ ନ ଥିଲେ । ଘୋଡ଼ା କେଶପରି ଏଣେ ତେଣେ ତାଙ୍କର ବାଳଗୁଡ଼ିକ ଅଯତ୍ନରେ ପଡ଼ିଥାଏ । ଜୀବନରେ ସେ ରେଜର ବ୍ୟବହାର କରି ନ ଥିଲେ ।

 

ଥରେ ଚିକାଗୋରେ ସଭାପତି ଲିଙ୍କନ ନିଜର ଗୋଟାଏ ଫଟୋ ନେଉଥିଲେ । ଟିକେ ସତେଜ ଓ ସହାସ୍ୟ ବଦନରେ ଠିଆହେବା ପାଇଁ ଫଟୋଉଠାଳୀ ତାଙ୍କୁ ଅନୁରୋଧ କରିଥିଲା । କାତରକଣ୍ଠରେ ଲିଙ୍କନ ଉତ୍ତର ଦେଇଥିଲେ, “ମୋର ଏପରି ଗୋଟିଏ ସହାସ୍ୟ, ସତେଜ ଛାୟା ଚିତ୍ରର Spring Fieldରେ କୌଣସି ମୂଲ୍ୟ ନାହିଁ ।” ଅବସ୍ଥାଟା କି କରୁଣ !

 

ଥରେ ଲିଙ୍କନଙ୍କର ଜଣେ ବନ୍ଧୁ The Spring field Republic’ ନାମକ ଗୋଟିଏ କାଗଜ ପ୍ରକାଶ କରୁଥିଲେ ! କାଗଜ ବାହାର କରିବାରେ ମିଃ ଲିଙ୍କନ ବିଶେଷ ସାହାଯ୍ୟ କରିଥିଲେ । କାଗଜ ଯେଉଁଦିନ ପ୍ରଥମେ ବାହାରିଲା, କୃତଜ୍ଞତା ସ୍ଵରୁପ ବହିଖଣ୍ଡିଏ ନକଲ (Copy) ଲିଙ୍କନଙ୍କ ପାଖକୁ ପଠାଇଥିଲେ । କାଗଜକୁ ଦେଖି ମିସେସ୍ ଲିଙ୍କନ ତାତ୍ସଲ୍ୟ ସ୍ଵରରେ କହିଲେ, “ଏଭଳି ପୁଣି ଗୋଟାଏ ରଦିଆ କାଗଜ କେଉଁଠୁ ଆସିଲା ? ମୁଁ ଯେତେବେଳେ ପେନିଟାଏ ସଞ୍ଚି ରଖିବାକୁ ଚେଷ୍ଟା କରୁଛି, ସେତେବେଳେ ତୁମେ ଟଙ୍କାଗୁଡ଼ା ଏପରି ଉଡ଼ାଉଛ !” ଲିଙ୍କନଙ୍କୁ ଏଥିପାଇଁ ଯେ କେବଳ ଗାଳି ସହିବାକୁ ହୋଇଥିଲା ତାହା ନୁହେଁ, ହକରକୁ ମଧ୍ୟ ।

 

ସେଦିନ ସଂଧ୍ୟାରେ ଲିଙ୍କନଙ୍କୁ ଅଜ୍ଞାତରେ ମେରିଟଡ ସମ୍ପାଦକଙ୍କୁ ବିରକ୍ତ ହୋଇ ନିଜର ମତାମତ ସହ ଗୋଟିଏ ଚିଠି ଲେଖି ଦେଇଥିଲେ । ସଂପାଦକ ଏପରି ଅପମାନିତ ହୋଇଥିଲେ ଯେ ଗୋଟିଏ ସ୍ଵତନ୍ତ୍ର ସ୍ତମ୍ଭରେ ସେ ଚିଠି ସହିତ ତା’ର ଉତ୍ତର ଦେଇଥିଲେ ଓ ଏପରି ମାନହାନି ସୂଚକ ପତ୍ର କାହିଁକି ଲେଖିଛନ୍ତି ତା’ର କାରଣ ଦର୍ଶାଇବା ନିମନ୍ତେ ଲିଙ୍କନଙ୍କୁ ମଧ୍ୟ ଦାବି କରିଥିଲେ । ଏହି ସମ୍ବାଦରେ ଲିଙ୍କନ ବିଶେଷ ଆଘାତ ପାଇଥିଲେ ଓ ତାଙ୍କୁ ଜ୍ଵର ହୋଇଯାଇଥିଲା । ତା’ପରେ ଗଭୀର ଦୁଃଖର ସହିତ ସମ୍ପାଦକ ଲିଙ୍କନଙ୍କୁ କ୍ଷମା ମାଗିଥିଲେ ।

 

କେତେ ପଇସା ଖର୍ଚ୍ଚ ହେଉନଥିଲା ! କାଗଜର ଦାମ ବା କେତେ ? କିନ୍ତୁ, ଫଳ ହେଲା କ’ଣ ? ଅବଶ୍ୟ ଏଟା କିଛି ନୂଆ ନୁହେଁ । ଏଥିପାଇଁ ଦୁଃଖ କରିବାର କିଛି ବି ନାହିଁ । କିନ୍ତୁ ଗୋଟାଏ କଥା–ହାତୀକୁ ଜଗି ପିମ୍ପୁଡ଼ିକୁ ଜଗି ଯେଉଁ ନାରୀମାନେ ସ୍ୱାମୀଙ୍କୁ ଏପରି ହାସ୍ୟାସ୍ପଦ କରନ୍ତି, ସେମାନେ ବି ସହଧର୍ମିଣୀ 'ଆଉ ଅର୍ଦ୍ଧାଙ୍ଗିନୀ !

 

ମିଃ ଲିଙ୍କନଙ୍କ ପଡ଼ୋଶୀ ଲଙ୍ଗଲେଜ୍ ଝିଆରୀ ଦୁର୍ଭାଗ୍ୟ-ବଶତଃ ମିସେସ ଲିଙ୍କନଙ୍କ କାମ କରିବା ନିମନ୍ତେ ଆସିଥିଲେ । କିଛି ଦିନ ପରେ ମେରିଟଡ଼ ଓ ଚାକରାଣୀଙ୍କ ମଧ୍ୟରେ ଖୁବକଳି ହେଲା । ଚାକରାଣୀ ତା’ର ସମସ୍ତ ଜିନିଷ ଛାଡ଼ି ଚାଲିଗଲା । ହଁ, ମିସେସ ଲିଙ୍କନଙ୍କଠାରୁ ଆଉ କ’ଣ ଆଶା କରାଯାଇଥାଆନ୍ତା ! ଯେ ଲିଙ୍କନଙ୍କୁ ରଖେ ନାହିଁ, ସେ କ’ଣ ଚାକରାଣୀକୁ ରଖନ୍ତେ ! କିଛି ସମୟ ପରେ ଲଙ୍ଗଲେଜ୍ ଝିଆରୀର ଜିନିଷ ନେବା ପାଇଁ ଆସି ପହଞ୍ଚିଲା । ଜିନିଷ ଦେବା ଦୂରେ ଥାଉ, ସେ ଲୋକଟିକୁ ଏପରି କୁତ୍ସିତ ଭାଷାରେ ଗାଳିଦେଲେ ଯେ ସେ ରାଗରେ ଯାଇ ଅଫିସରେ ମୁହାମୁହିଁ ଲିଙ୍କନଙ୍କୁ ସମସ୍ତ ବୃତ୍ତାନ୍ତ ଶୁଣାଇଲା ।

 

ଲିଙ୍କନ ସବୁ ଶୁଣି କାତରକଣ୍ଠକରେ ଉତ୍ତର ଦେଲେ, “ଗଲା ପନ୍ଦର ବରଷ ହେଲା ମୋତେ ପ୍ରତିଦିନ ଯାହା ସମ୍ଭାଳିବାକୁ ପଡ଼ୁଛି, ତୁମ୍ଭେ କ’ଣ ଦିନଟାଏ ସମ୍ଭାଳିପାରିବ ନାହିଁ ?” ଏହି କେତେ ପଦ କଥାଶୁଣି ଲଙ୍ଗଲେଜ୍ ସବୁ ଭୁଲି ଯାଇଥିଲେ ଓ କାମରେ ବାଧା ଦେଇଥିବାରୁ ଲିଙ୍କନଙ୍କୁ ନମ୍ରତାର ସହିତ କ୍ଷମା ମାଗିଥିଲେ । ନାରୀ ନୀକଟରେ ଆମେରିକାର ସଭାପତି ସତେ କି ଅସହାୟ !

 

ପୃଥିବୀରେ ଆଉ ଜଣେ ବଡ଼ଲୋକଙ୍କ କଥା କହେ । ଧରନ୍ତୁ ନେପୋଲିୟନ । ସୁନ୍ଦରୀ ଯୋସେଫିନଙ୍କୁ ରାସ୍ତାରୁ ଗୋଟାଇ ନେଇ ସେ ବିବାହ କରିଥିଲେ । ବିବାହପରେ କିନ୍ତୁ ଯୋସେଫିନ ସବୁ ଭୁଲିଯାଇଥିଲେ । ପ୍ରେମ ପାଗଳ ନେପୋଲିୟନ ଯୋସେଫିନଙ୍କୁ ଏପରି ଭଲପାଉଥିଲେ ସେ ପ୍ରତିଦିନ ଯୁଦ୍ଧକ୍ଷେତ୍ରରୁ ତାଙ୍କୁ ପ୍ରେମପତ୍ର ଲେଖୁଥିଲେ । ଯେଉଁଠି ପ୍ରତି ମୁହୁର୍ତ୍ତରେ ଜୟବିଜୟ, ଜୀବନମରଣର ପ୍ରଶ୍ନ, ଜୀବନ ସଙ୍କଟାପନ୍ନ, ସେହି ଇଟାଲି ରଣକ୍ଷେତ୍ରରୁ ନେପୋଲିୟନ କେତେବାର ପତ୍ର ଲେଖିଛନ୍ତି ।ହୁଏତ ଉତ୍ତର ପାଇଥିଲେ ଅନନ୍ତ ଉନ୍ମାଦନାର ସହିତ ସେ କାମକରି ଯାଇଥାନ୍ତେ; କିନ୍ତୁ, ଯୋସେଫିନ ଯେ ନାରୀ ! ନେପୋଲିୟନ ସିନା ବ୍ୟୁହଭେଦ କରିପାରନ୍ତି, କିନ୍ତୁ ନାରୀର ଅନ୍ତର-ବ୍ୟୁହଭେଦ କରିପାରନ୍ତେ କେଉଁଠୁ ?' ଯୋସେଫିନ ଏଣେ ପର ପ୍ରଣୟରେ ମାତିରହି ନେପୋଲିୟନଙ୍କ ପ୍ରାଣକୁ ଅସ୍ଥିର କରି ପକାଇଲେ । ଖଣ୍ଡିଏ ଚିଠି ଅଭାବରେ ଗୋଟାଏ ଦେଶର ଭବିଷ୍ୟତ ନଷ୍ଟ ହୋଇଗଲା । ବିଶ୍ଵବିଜୟୀ ହାର ମାନିଲେ, ଫରାସୀ-ସୂର୍ଯ୍ୟ ସବୁଦିନ ପାଇଁ ଅସ୍ତହେଲା ।

 

ଲକ୍ଷ୍ୟ କରିବାର କଥା–ଯେଉଁ ନାରୀକୁ ପୁରୁଷ ଗୋବରଗଦାରୁ ପଦ୍ମବୋଲି ତୋଳି ଆଣି ଅନ୍ତର ଦେଇ ସୁଖପାଏ, ଜୀବନ ଦେଇ ଭଲପାଏ, ସେହି ନାରୀ ଅସୁନ୍ଦର ହେଲେ ଫଳ କ’ଣ ହୋଇପାରେ !

 

ବିଶ୍ଵବିଖ୍ୟାତ କଥାକାର ଟଲଷ୍ଟୟ ମଧ୍ୟ ଏଥିରୁ ବାଦ ଯାଇନାହାନ୍ତି । ତାଙ୍କର ଜୀବନ କେଡ଼େ କରୁଣ, ତାହା ଗୋଟିଏ ଘଟଣାରୁ ଅନୁମେୟ । ଜୀବନର ପ୍ରତି ପଦେ ପଦେ ତାଙ୍କର ସ୍ତ୍ରୀ ପ୍ରତିବନ୍ଧକ ହୋଇଥିଲେ । ସେ ରେଲଲାଇନ ଉପରେ ପଡ଼ି ଅତ୍ୟନ୍ତ ଅସହାୟ ଓ କରୁଣ ଭାବରେ ପ୍ରାଣ ହରାଇଥିଲେ । ମରିବାର କେତେ ମୁହୁର୍ତ୍ତ ପୂର୍ବରୁ ତାଙ୍କୁ ଘରକୁ ନିଆଯିବା ପାଇଁ ପଚରାଯାଇଥିଲା । ସେ ଉତ୍ତରରେ କହିଲେ, ତୁମେ ମୋତେ ଯାହା ଇଚ୍ଛା ତାହା କରିପାର, କିନ୍ତୁ, ମୋର ଗୋଟାଏ ଅନୁରୋଧ, ମୋର ମୃତ୍ୟୁ ସଂବାଦ ମୋର ସ୍ତ୍ରୀକୁ ଜଣାଇବ ନାହିଁ ।” ମୃତ୍ୟୁ ଶଯ୍ୟାରେ ମଣିଷ ଯେଉଁ ନାରୀର ପ୍ରତି ମୁହୁର୍ତ୍ତ ସେବା ଚାହେଁ, ସେ ନାରୀର ମୁଖ-ଦର୍ଶନ ପର୍ଯ୍ୟନ୍ତ ଟଲଷ୍ଟୟ ଅପେକ୍ଷା କରି ନ ଥିଲେ । ଧନ୍ୟନାରୀ !

 

ଆଜି ପୃଥିବୀରେ ଆମ ସଭ୍ୟତା ପଶ୍ଚିମାଭିମୁଖି ହୋଇ ପଡ଼ିଛି ପଶ୍ଚିମ ଆମର ଆଦର୍ଶ-। ଆମର ସବୁ ପାଉଡ଼ର ବକ୍ସ, ଭ୍ୟାନିଟି ବ୍ୟାଗ ସବୁ ପଶ୍ଚିମର । ଆମେରିକାର ନାରୀ ଉତ୍କଟ ସ୍ଵାଧୀନ । ପୁରୁଷ ଜୀବନ ସେଠି ବି ଭବିଷ୍ୟତ ଆଶଙ୍କାରେ ପୂର୍ଣ୍ଣ । ସତୀ ସାବିତ୍ରୀ ସୀତାଙ୍କୁ ଭୁଲି ଆମ ଦେଶ ନାରୀ ପାଶ୍ଚାତ୍ୟ ଅନୁକରଣ କରୁ କରୁ ମେରିଟଡ଼ କିମ୍ବା ଯୋସେଫିନଙ୍କ ପରି ନ ହେଲେ ରକ୍ଷା !

Image